Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଆକାଶତୀର: ଡ୍ରୋନ ଆକ୍ରମଣ ବିରୋଧରେ ଭାରତର ସୁରକ୍ଷା କବଚ, ଜାଣନ୍ତୁ ଏହା କଣ

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୁରକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଛି । ଭାରତ କିପରି ପାକିସ୍ତାନର ୮ଟି ବିମାନଘାଟି ସମେତ ୧୩ଟି ଟାର୍ଗେଟକୁ ଏତେ ନିର୍ଭୁଲଭାବେ ଭେଦ କରିପାରିଲା ଓ ତାହାକୁ ଅଟକାଇବାରେ ପାକିସ୍ତାନ କିପରି ଏତେ ଶୋଚନୀୟ ଭାବେ ବିଫଳ ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ମେ ୯ ଓ ୧୦ ରାତିରେ ପାକିସ୍ତାନ ଭାରତର ସାମରିକ ଓ ବେସାମରିକ ଅଂଚଳ ଉପରେ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଧ୍ୟମରେ ଭୟଙ୍କର ଆକ୍ରମଣ କରିଥିଲା, କିନ୍ତୁ ତାହା ଭାରତର ଏକ ଅଭେଦ୍ୟ ପ୍ରତିରକ୍ଷା ପ୍ରାଚୀରକୁ ଭେଦ କରିପାରିନଥିଲା, ତାହା ହେଉଛି ଆକାଶତୀର ।

ଆକାଶତୀର ହିଁ ଭାରତ ଆଭିମୁଖେ ଆସୁଥିବା ପାକିସ୍ତାନର ଡ୍ରୋନ, କ୍ଷେପଣାସ୍ତ୍ର, ମାଇକ୍ରୋ ୟୁଏଭି ଲଏଟରିଂ ମ୍ୟୁନିସନ ଆଦିକୁ ସଫଳତାର ସହ ଭାରତର ବାୟୁସୀମାରେ ପ୍ରବେଶ କରାଇଦେଇନଥିଲା । ଆକାଶତୀର ସଂପୂର୍ଣ୍ଣଭାବେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଓ ଏହା ଆତ୍ମନିର୍ଭର ଭାରତର ଶକ୍ତିକୁ ପ୍ରମାଣିତ କରୁଛି ।

ଏହା ତୁଳନାରେ ପାକିସ୍ତାନ ବ୍ୟବହାର କରୁଥିବା ଏଚକ୍ୟୁ-୯ ଓ ଏଚକ୍ୟୁ-୧୬ ଭାରତର କ୍ଷେପଣାସ୍ତ୍ର ଓ ଡ୍ରୋନଗୁଡ଼ିକୁ ଅଟକାଇବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲା, ଫଳରେ ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏକ ସଂପୂର୍ଣ୍ଣ ସ୍ବୟଂଚାଳିତ ପ୍ରତିରକ୍ଷା ବ୍ୟବସ୍ଥା ଆକାଶତୀର ରିଅଲ ଟାଇମରେ ନିଜର ଟାର୍ଗେଟକୁ ଧ୍ବଂସ କରିଦେଇଥାଏ।

ଆକାଶତୀର ସମସ୍ତ ସମ୍ପୃକ୍ତ ପକ୍ଷ (କଣ୍ଟ୍ରୋଲ ରୁମ୍, ରାଡାର ଏବଂ ବାୟୁ ପ୍ରତିରକ୍ଷା ବନ୍ଧୁକ) ପାଇଁ ଏକ ସାଧାରଣ, ରିଅଲ-ଟାଇମ ବାୟୁକ୍ଷେତ୍ରର ଚିତ୍ର ପ୍ରଦାନ କରେ, ଯାହା ସମନ୍ୱିତ ବାୟୁ ପ୍ରତିରକ୍ଷା କାର୍ଯ୍ୟକୁ ସକ୍ଷମ କରିଥାଏ। ଏହା ଶତ୍ରୁ ବିମାନ, ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରର ଚିହ୍ନଟ, ଟ୍ରାକିଂ ଏବଂ କାର୍ଯ୍ୟକୁ ସ୍ୱୟଂଚାଳିତ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏକ ସିଷ୍ଟମ।

ଏହା ବିଭିନ୍ନ ରାଡାର ସିଷ୍ଟମ, ସେନ୍ସର ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାକୁ ଏକ ଏକକ କାର୍ଯ୍ୟକ୍ଷମ ଢାଞ୍ଚାରେ ସମନ୍ବିତ କରେ। ଆକାଶତୀର ବହୁବିଧ ଉତ୍ସରୁ ତଥ୍ୟ ସଂଗ୍ରହ କରେ, ଏହାକୁ ପ୍ରକ୍ରିୟାକରଣ କରେ ଏବଂ ସ୍ୱୟଂଚାଳିତ, ରିଅଲ-ଟାଇମ ନିଷ୍ପତ୍ତି ପାଇଁ ଅନୁମତି ଦିଏ। ଆକାଶତୀର ହେଉଛି ବ୍ୟାପକ ସିଫୋରଆଇଏସଆର (କମାଣ୍ଡ, ନିୟନ୍ତ୍ରଣ, ଯୋଗାଯୋଗ, କମ୍ପ୍ୟୁଟର, ବୁଦ୍ଧିମତ୍ତା, ନିରୀକ୍ଷଣ ଏବଂ ଯାଞ୍ଚ) ଫ୍ରେମଓ୍ବାର୍କର ଏକ ଅଂଶ ଓ ଏହା ଅନ୍ୟ ସିଷ୍ଟମ ସହିତ ସମନ୍ୱୟ ରଖି କାର୍ଯ୍ୟ କରେ।

ଆକାଶତୀରର କ୍ଷମତା ଏହାର ପ୍ରବଳ ଶକ୍ତି ନୁହେଁ,  ବରଂ ଏହାର ବୁଦ୍ଧିମତ୍ତା । ପାରମ୍ପରିକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଗ୍ରାଉଣ୍ଡବେସଡ୍ ରାଡାର, ମାନବ ପରିଚାଳିତ ବ୍ୟବସ୍ଥା ଓ ଭୂମିରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ବ୍ୟାଟେରି ଉପରେ ପର୍ଯ୍ୟବେଶିତ ହୋଇଥାଏ। ଅନ୍ୟପକ୍ଷରେ ଆକାଶତୀର ଏସବୁଠାରୁ ସଂପୂର୍ଣ୍ଣ ଅଲଗା ।

ଏହାକୁ ଏପରିଭାବେ ପ୍ରସ୍ତୁତ କରାଯାଇଛି ଯେ ଏହା ଯୁଦ୍ଧଭୂମିରେ ନିମ୍ନ ଉଚ୍ଚତାର ବାୟୁକ୍ଷେତ୍ର ଉପରେ ନଜର ରଖେ ଓ ଭୂମି ଭିତ୍ତିକ ବାୟୁପ୍ରତିରକ୍ଷା ଅସ୍ତ୍ରଗୁଡ଼ିକର ଦକ୍ଷତାର ସହ ପରିଚାଳନା କରେ । ଆକାଶତୀର ଭାରତର ରଣନୈତିକ ନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି, ଯାହାକି ଆତଙ୍କବାଦ ବିରୋଧରେ ଆତ୍ମରକ୍ଷାମୂଳକ ନୀତି ବଦଳରେ ଆକ୍ରାମକ ନୀତି ଉପରେ ପର୍ଯ୍ୟବେଶିତ ।

ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ପାକିସ୍ତାନର ଆଣବିକ ଧମକ ଆଉ କାମ ଦେବ ନାହିଁ ଓ ଆବଶ୍ୟକ ପଡ଼ିଲେ ପାକିସ୍ତାନ ଭିତିରେ ଥିବା ଆତଙ୍କବାଦୀ ବିପଦଗୁଡ଼ିକୁ ନଷ୍ଟ କରାଯିବ । ଆମ ସାମରିକ ବାହିନୀରେ ଥିବା ଆକାଶତୀରର ଉପସ୍ଥିତି ଆମକୁ ଏକ ଆତ୍ମବିଶ୍ବାସ ପ୍ରଦାନ କରୁଛି, କାରଣ ପାକିସ୍ତାନର ବାୟୁ ପ୍ରତିରକ୍ଷା କ୍ଷମତା ତୁଳନାରେ ଏହା ଆମକୁ  ଆଗରେ ରଖୁଛି ।

ଆକାଶତୀର ବିଶ୍ବର ରଣନୈତିକ କୌଶଳ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି । ଏହା ଭାରତକୁ ଏକ ଏଲିଟ୍ କ୍ଲବରେ ସାମିଲ କରିଛି, ଯାହା ପାଖରେ ସଂପୂର୍ଣ୍ଣ ସ୍ବୟଂକ୍ରିୟ ବାୟୁ ପ୍ରତିରୋଧକ କମାଣ୍ଡ ଓ ରିପୋର୍ଟିଂ ବ୍ୟବସ୍ଥା ରହିଛି । ଅନ୍ୟ ବାୟୁପ୍ରତିରକ୍ଷା ବ୍ୟବସ୍ଥା ତୁଳନାରେ ଏହା ସବୁଠାରୁ କମ ସମୟରେ ଶତ୍ରୁର ଆକ୍ରମଣକୁ ଦେଖେ, ନିଷ୍ପତ୍ତି ନିଏ ଓ ନଷ୍ଟ କରେ । ଏହା ଭ୍ରାମ୍ୟମାଣ ହୋଇଥିବାରୁ ଏହାକୁ ଯୁଦ୍ଧଭୂମିରେ ମୁତୟନ ଓ ବ୍ୟବହାର କରିବା ସହଜ । ପୁଣି ଏଥିରେ ବହୁମୁଖୀ ବ୍ୟବସ୍ଥା ସମନ୍ବିତ ହୋଇଥିବାରୁ ଏହା ସହଜରେ ଶତ୍ରୁର ବିମାନ ଓ ଡ୍ରୋନକୁ ଚିହ୍ନଟ କରିପାରେ ଓ ନିଜସ୍ବ ବିମାନ ଓ ଡ୍ରୋନକୁ ସୁରକ୍ଷିତ ରଖିଥାଏ ।

ଆକାଶତୀରର ସବୁଠାରୁ ବିପଜ୍ଜନକ ଦିଗ ହେଉଛି ଏହା ବହୁବିଧ ଫିଡରୁ ତଥ୍ୟ ସଂଗ୍ରହ କରେ, ଯେପରିକି ପାଣିପାଗ, ଭୂଖଣ୍ଡ, ରାଡାର ଇଣ୍ଟରସେପ୍ଟରୁ ତଥ୍ୟ ଗ୍ରହଣ କରିବାର କ୍ଷମତା ଏବଂ ବାସ୍ତବ-ସମୟ ନିଷ୍ପତ୍ତି ନେବା, ମିଶନକୁ ପୁନଃବିନ୍ୟାସ କରିବା ଏବଂ ସ୍ୱୟଂଚାଳିତ ଭାବରେ ଆକ୍ରମଣକୁ କାର୍ଯ୍ୟକାରୀ କରିବା। ଏହାର ଶକ୍ତି ଦେଖି ଅନେକ ପାକିସ୍ତାନୀ ପ୍ରତିରକ୍ଷା ବିଶେଷଜ୍ଞ ବି ଆଶ୍ଚର୍ଯ୍ୟ ହୋଇଛନ୍ତି ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଆତଙ୍କବାଦୀଙ୍କ ଡ୍ରୋନ୍ ଆକ୍ରମଣ ପ୍ରସଙ୍ଗକୁ ମିଳିତ ଜାତିସଂଘରେ ଉଠାଇଲା ଭାରତ, ବିଶ୍ବକୁ କରାଇଲା ସତର୍କ

ନୂଆଦିଲ୍ଲୀ, ମିଳିତ ଜାତିସଂଘରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଡ୍ରୋନ୍ ବ୍ୟବହାର ପ୍ରସଙ୍ଗକୁ ଭାରତ ଉଠାଇଛି। ଡ୍ରୋନ୍ ସାହାଯ୍ୟରେ ଜାମ୍ମୁରେ ବାୟୁସେନା ବେସରେ ବିସ୍ଫୋରଣ ଘଟଣା ପରେ ଭାରତ ଏହି ପ୍ରସଙ୍ଗ ଉଠାଇଛି। ଭାରତ କହିଛି ଯେ ଡ୍ରୋନ୍ କମ୍ ମୂଲ୍ୟରେ ଏବଂ ସହଜରେ ଉପଲବ୍ଧ ଏବଂ ଆତଙ୍କବାଦୀ ଗୋଷ୍ଠୀ ଦ୍ବାରା ଗୁପ୍ତ ଖବର ସଂଗ୍ରହ, ବିସ୍ଫୋରକ ସାମଗ୍ରୀ ବିତରଣ ତଥା ଟାର୍ଗେଟିଂ ଆକ୍ରମଣ ପାଇଁ ବ୍ୟବହାର କରାଯାଉଛି।

ଆତଙ୍କବାଦୀ କାର୍ଯ୍ୟକଳାପରେ ଡ୍ରୋନ ବ୍ୟବହାର ସମଗ୍ର ବିଶ୍ୱରେ ସୁରକ୍ଷା ପାଇଁ ବିପଦ ପାଲଟିଛି। ଗୃହ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭି.ଏସ.କେ କୌମୁଦି ଜାତିସଂଘ ସାଧାରଣ ପରିଷଦ ବୈଠକରେ ଏହା ଉପସ୍ଥାପନା କରିଛନ୍ତି। ଜାତିସଂଘର ଆତଙ୍କବାଦୀରୋଧ ରାଷ୍ଟ୍ର ସମୁହର ଉଚ୍ଚ ସ୍ତରୀୟ ସମ୍ମିଳନୀରେ ସମ୍ବୋଧିତ କରିବା ବେଳେ କୌମୁଦ ଏହା କହିଛନ୍ତି। ସେ କହିଛନ୍ତି ଯେ ରଣନୈତିକ ତଥା ବାଣିଜ୍ୟିକ ସମ୍ପତ୍ତି ବିରୋଧରେ ଆତଙ୍କବାଦୀ ଉଦ୍ଦେଶ୍ୟରେ ସଶସ୍ତ୍ର ଡ୍ରୋନର ବ୍ୟବହାର ସଦସ୍ୟ ରାଷ୍ଟ୍ରମାନଙ୍କ ପାଇଁ ଚିନ୍ତାର ବିଷୟ।

ଏଥିସହିତ ସେ କହିଛନ୍ତି ଯେ, ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆ ଭଳି ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିର ଅପବ୍ୟବହାର, ନୂତନ ମୋଡ୍ ପେମେଣ୍ଟର ଅପବ୍ୟବହାର ଏବଂ ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ଆତଙ୍କବାଦକୁ ପାଣ୍ଠି ଯୋଗାଇବା ଆତଙ୍କବାଦର ଗୁରୁତର ବିପଦ ଭାବରେ ଉଭା ହୋଇଛି।

ସ୍ୱତନ୍ତ୍ର ସଚିବ ଏହା ଉପରେ ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ ଆତଙ୍କବାଦୀମାନଙ୍କୁ ସୁରକ୍ଷିତ ଆଶ୍ରୟ ଦେଉଥିବା ଲୋକଙ୍କ ବିରୋଧରେ ଅନ୍ତର୍ଜାତୀୟ ସମୁଦାୟ କାର୍ଯ୍ୟ କରିବା ଉଚିତ। ସେ ଅନ୍ତର୍ଜାତୀୟ ସମୁଦାୟକୁ କହିଛନ୍ତି ଯେ ପାକିସ୍ତାନର କେତେକ ଅଞ୍ଚଳରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମୟ ଆସିଛି।

ଜାମ୍ମୁର ବାୟୁସେନା ବେସରେ ହୋଇଥିବା ଡ୍ରୋନ୍ ଆକ୍ରମଣର ତଦନ୍ତକୁ କେନ୍ଦ୍ର ସରକାର ଜାତୀୟ ଅନୁସନ୍ଧାନ ଏଜେନ୍ସି-ଏନଆଇଏକୁ ହସ୍ତାନ୍ତର କରିଛନ୍ତି। ରାକେଶ ବାଲୱାଲଙ୍କ ନେତୃତ୍ୱରେ ଏହି ଏନଆଇଏ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ରବିବାର ସକାଳେ ଜାମ୍ମୁ ବିମାନବନ୍ଦରର ଉଚ୍ଚ ସୁରକ୍ଷା ବଳୟ ଅଞ୍ଚଳରେ ଦୁଇଟି ବିସ୍ଫୋରଣ ଘଟିଥିଲା। ରନୱେ ଭିତରେ ବିସ୍ଫୋରକ ଉପକରଣ ପକାଇବା ପାଇଁ ଡ୍ରୋନ୍ ବ୍ୟବହାର କରାଯାଇଥିଲା। ଏହି ବିସ୍ଫୋରଣରେ ଭାରତୀୟ ବାୟୁସେନାର ଦୁଇଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ବିସ୍ଫୋରଣରେ କୌଣସି ଯନ୍ତ୍ରାଂଶ କିମ୍ବା ବିମାନର କୌଣସି କ୍ଷୟକ୍ଷତି ହୋଇନାହିଁ।