Categories
ବିଶେଷ ଖବର ରାଜ୍ୟ ଖବର

ହସ୍ତତନ୍ତ ୪୧୦ କୋଟି ଏବଂ ହସ୍ତଶିଳ୍ପର ବାର୍ଷିକ କାରବାର ୧୪୫ କୋଟି ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କରିଛନ୍ତି। ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ବିଭାଗୀୟ ସଫଳତା ସମ୍ବନ୍ଧରେ ଜଣାଇଥିଲେ।

ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ କୃଷି ପରେ ବୟନ, ହସ୍ତତନ୍ତର ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ବିଭାଗର ପ୍ରୋତ୍ସାହନ ଯୋଗୁଁ ବୁଣାକାରଙ୍କ ବାର୍ଷିକ ମୁଣ୍ଡପିଛା ଆୟ ୫୮ ହଜାର ୮୫ ଟଙ୍କା ହୋଇପାରିଛି। ସାମାଜିକ ସୁରକ୍ଷା ଯୋଜନାରେ ୧୪୪୭ ଜଣ ବୁଣାକାର ସାମିଲ ହୋଇଛନ୍ତି।

ହସ୍ତତନ୍ତ ଉତ୍ପାଦନ ୪୧୦.୩୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୨୩ରେ ବିଭାଗ ଦ୍ୱାରା ରୂପାନ୍ତରିତ ଦେୟ ବାବଦକୁ ବୁଣାକାରମାନଙ୍କୁ ୧୪୬.୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ବୟନିକାର ବାର୍ଷିକ କାରବାର ୧୬୨.୧୪ କୋଟି ଟଙ୍କା ହୋଇଥିବାବେଳେ ସମ୍ବଲପୁରୀ ବସ୍ତ୍ରାଳୟ ୭୧.୨୪ କୋଟି ଟଙ୍କା, ଉତ୍କଳିକା ୧୭.୭୯ କୋଟି ଟଙ୍କା ଓ ଅମ୍ଳାନ ୪.୪୬ କୋଟି ଟଙ୍କା ବାର୍ଷିକ କାରବାର କରିଛି।

ହସ୍ତଶିଳ୍ପର ବାର୍ଷିକ କାରବାର ୧୪୫.୩୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୯ଟି ହସ୍ତତନ୍ତ ଓ ୩ଟି ହସ୍ତଶିଳ୍ପ ଉତ୍ପାଦ ଜିଆଇ ଟ୍ୟାଗ୍‌ ପାଇଛନ୍ତି। ଆଉ ୫ଟି ହସ୍ତଶିଳ୍ପକୁ ଜିଆଇ ଟ୍ୟାଗ୍‌ ମିଳିବା ନିମନ୍ତେ ବିଭାଗ ପକ୍ଷରୁ ଆବେଦନ କରାଯାଇଛି। ୧୮ ହଜାର ୬୧୧ ରେଶମ ଚାଷୀ ସମବାୟ ସମିତିର ସଦସ୍ୟ ଭାବେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଟସର ସିଲକ୍‌ ଉତ୍ପାଦନ ୧୨୯.୦୯ ମେଟି୍ରକ୍‌ ଟନ୍‌କୁ ବୃଦ୍ଧି ପାଇଛି।

ବିଭାଗର ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ବିଶଦ ସୂଚନା ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ୬୦,୭୭୩ ମହିଳା ବୁଣାକାର ୨୦୫୫ଟି ତନ୍ତକୁ ସ୍ୱତନ୍ତ୍ର ରୂପେ ଉପଯୋଗ କରି ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇପାରିଛନ୍ତି।

୬୫୮ଟି ହସ୍ତତନ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଅଧିନରେ ୭୭୩୭ ମହିଳା ବୟନ କାର୍ଯ୍ୟରେ ଅଂଶଗ୍ରହଣ କରିପାରିଛନ୍ତି। ସେହିଭଳି ହସ୍ତଶିଳ୍ପ କ୍ଷେତ୍ରରେ ୮୯,୫୫୬ ମହିଳା ହସ୍ତଶିଳ୍ପୀ ରାଜ୍ୟରେ କାର୍ଯ୍ୟରତ। ୯୩୯ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ହସ୍ତଶିଳ୍ପ ପ୍ରସ୍ତୁତ କରି ଆର୍ଥିକ ଦୃଷ୍ଟିରୁ କ୍ଷମତାପନ୍ନ ହୋଇଛନ୍ତି।

୨୦୨୧ ମସିହାରୁ ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା କାର୍ଯ୍ୟକାରୀ କରାଯାଉଛି। ବୁଣାକାରମାନଙ୍କୁ ବୈଦୁ୍ୟତିକ ପଙ୍ଖା, ବଲବ୍‌ ଓ ଇନ୍‌ଭର୍ଟର ଯୋଗାଇ ଦିଆଯାଉଛି। ୯୦୪୧ ଜଣ ବୁଣାକାର ଏହି ଯୋଜନାରେ ଲାଭ ପାଇପାରିଛନ୍ତି। ଏହି ଯୋଜନାରେ ୧୧୪୯ ଜଣ ମହିଳା ହିତାଧିକାରୀ ଅଛନ୍ତି। ଜୀବିକା ଏବଂ ଆୟବୃଦ୍ଧି ପାଇଁ ବୁଣାକାରଙ୍କୁ ସହାୟତା ଯୋଜନାରେ ବୁଣାକାରମାନଙ୍କୁ ସୁଧମୁକ୍ତ କାର୍ଯ୍ୟକାରୀ ପୁଂଜ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଆକାରରେ ଯୋଗାଇ ଦିଆଯାଉଛି।

୨୦୨୨-୨୩ ବର୍ଷରେ ୨୩୮ ଜଣ ବୁଣାକାରଙ୍କୁ ଋଣ ପ୍ରଦାନ କରାଯାଇଛି। ୨୦୧୭-୧୮ରୁ ରାଜ୍ୟର ବରିଷ୍ଠ ବୁଣାକାରମାନଙ୍କ ପାଇଁ ବରିଷ୍ଠ ବୁଣାକାର ସହାୟତା ଯୋଜନା କାର୍ଯ୍ୟକାରୀ କରାଯାଇଛି। ୧୪୪୭ ଜଣ ବୁଣାକାର ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ତନ୍ମଧ୍ୟରୁ ୩୮୪ ଜଣ ମହିଳା ବୁଣାକାର ଅଟନ୍ତି।

୬୦ରୁ ଊଦ୍ଧ୍ୱର୍ ବୁଣାକାରଙ୍କୁ ମାସିକ ପେନ୍‌ସନ୍‌ ପ୍ରଦାନ କରାଯାଇଛି । ୨୦୧୩-୧୪ରୁ ବୁଣାକାରମାନଙ୍କ ମାଟିତନ୍ତ ଗର୍ତ୍ତକୁ ଢଳେଇ କରିବା ପାଇଁ ଯୋଜନା ଲାଗୁ କରାଯାଇଛି। ବର୍ଷାଋତୁରେ ବୁଣାକାରମାନଙ୍କୁ ସୁବିଧାରେ ବୁଣାକାର୍ଯ୍ୟ କରିବା ପାଇଁ ଏହା ସାହାଯ୍ୟ କରିଥାଏ। ୩୦ ହଜାର ୭୧ଟି ତନ୍ତଗର୍ତ୍ତ ମଧ୍ୟରୁ ୨୫ ହଜାର ୭୨୪ଟି ଅନ୍ତଗର୍ତ୍ତର ଢଳେଇ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ବାକି କାର୍ଯ୍ୟ ୨୦୨୩-୨୪ରେ ଶେଷ ହେବ। ହସ୍ତଶିଳ୍ପର ଦକ୍ଷତା ବୃଦ୍ଧି ପାଇଁ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ କରାଯାଉଛି।

ଯୁବପିଢ଼ିଙ୍କ ପାଇଁ ସ୍ଥାୟୀ ଓ ନିୟମିତ ସ୍ୱରୋଜଗାର ସୃଷ୍ଟି କରିବା ଏବଂ ଅଧିକରୁ ଅଧିକ ବ୍ୟକ୍ତିଙ୍କୁ ଏହି ଶିଳ୍ପ ପ୍ରତି ଆକର୍ଷିତ କରିବା ଏହି ତାଲିମ ପ୍ରଦାନର ଉଦ୍ଦେଶ୍ୟ । ୨୦୦୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୭,୭୨୭ କାରିଗରଙ୍କୁ ଦକ୍ଷତା ତାଲିମ ଦିଆଯାଇଛି । ଶିଳ୍ପୀ ଉନ୍ନତି ଯୋଜନାରେ ହସ୍ତଶିଳ୍ପ ୟୁନିଟ୍‌ ସ୍ଥାପନ ପାଇଁ ବ୍ୟାଙ୍କ ଋଣ ନେବା ପାଇଁ ୨୦% ମାର୍ଜିନ୍‌ ରାଶି ସହାୟତା ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯାଇଛି ।

୨୦୦୦ ମସିହାଠାରୁ ବର୍ତ୍ତମାନ ସୁଦ୍ଧା ୧୩,୬୧୮ ହସ୍ତଶିଳ୍ପ କାରିଗର ଏହି ଯୋଜନାରୁ ଲାଭ ଉଠାଇଛନ୍ତି । ହସ୍ତଶିଳ୍ପ କାରିଗରଙ୍କୁ ନିଜସ୍ୱ କର୍ମଶାଳା ତଥା ବାସଗୃହ ନିର୍ମାଣ ପାଇଁ ଅଣଆଇଓପି ଜିଲ୍ଲାରେ ୧ ଲକ୍ଷ ୨୦ ହଜାର ଟଙ୍କା ଏବଂ ଆଇଓପି ଜିଲ୍ଲାରେ ୧ ଲକ୍ଷ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ୧୦୪୫ ଜଣ ହସ୍ତଶିଳ୍ପୀ କାରିଗରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇପାରିଛି । ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ବିଭିନ୍ନ ପ୍ରଦର୍ଶନୀରେ ଯୋଗଦେବା ନିମନ୍ତେ ହସ୍ତଶିଳ୍ପ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ, ହସ୍ତଶିଳ୍ପ କାରିଗରଙ୍କୁ ବଜାର ସହାୟତା ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ଉତ୍କଳିକାର ବିଭିନ୍ନ ଶାଖାମାନଙ୍କ ମାଧ୍ୟମରେ ହସ୍ତଶିଳ୍ପ ଉତ୍ପାଦ ବିକି୍ର କରିବା ପାଇଁ ବଜାର ସହାୟତା ଯୋଗାଇ ଦିଆଯାଉଛି। ୩୦ ହଜାର ୨୧୩ ହସ୍ତଶିଳ୍ପ କାରିଗର ଏହି ବଜାର ସହାୟତା ପାଇଛନ୍ତି।

ଓଡ଼ିଶା ପୋଷାକ ଓ ବୈଷୟିକ ବୟନ ଶିଳ୍ପନୀତି ୨୦୨୨ ପ୍ରଣୟନ କରାଯାଇଛି। ଏଥିରେ ନିବେଶକାରୀମାନେ ମୂଳପୁଂଜିର ୪୦% ରାଶି ରିହାତି ରୂପେ ପାଇପାରୁଛନ୍ତି। ପ୍ରତି ମହିଳା କର୍ମଚାରୀଙ୍କ ପାଇଁ ୬ ହଜାର ଟଙ୍କା ଓ ପୁରୁଷ କର୍ମଚାରୀଙ୍କ ପାଇଁ ୫ ହଜାର ଟଙ୍କା ରିହାତି ଦିଅଯାଇ ସେମାନଙ୍କ ଖର୍ଚ୍ଚ ଭରଣା କରାଯାଉଛି। ପୋଷାକ ଶିଳ୍ପରେ ୩ଟି ବୃହତ୍‌ କମ୍ପାନୀ ରାଜ୍ୟରେ କାର୍ଯ୍ୟ କରୁଛି। ୮୧୬୪ ଜଣ ଏଥିରେ ନିଯୁକ୍ତି ପାଇଛନ୍ତି।

ମୁଖ୍ୟମନ୍ତ୍ରୀ ୨୦୧୮ ମସିହାରେ ରାଜ୍ୟର ଗୌରବମୟ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରାକୁ ସଂରକ୍ଷିତ ରଖିବା ଓ ରୁଦ୍ଧିମନ୍ତ କରିବା ଉଦ୍ଦେଶ୍ୟରେ ‘କଳାଭୂମି’ ସଂଗ୍ରହାଳୟ ଉଦ୍‌ଘାଟନ କରିଥିଲେ। ବର୍ତ୍ତମାନ ଏହାର ୯ଟି ଗ୍ୟାଲେରୀ, ଟେରାକୋଟା, ପାରମ୍ପରିକ ଚିତ୍ର, ପଥର ଓ କାଠ ଖୋଦେଇ, ଧାତୁ ଶିଳ୍ପ, ପ୍ରାକୃତିକ ପଦାର୍ଥ, ହସ୍ତଶିଳ୍ପ, ପ୍ରାକ୍‌ ବୟନ ଟେକ୍‌ନୋଲୋଜି, ଜନଜାତି ହସ୍ତଶିଳ୍ପ, ହସ୍ତତନ୍ତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରୀ ରହିଛି । ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପ୍ରମୁଖ ଆକର୍ଷଣ ପାଲଟିଛି । ୧୫୦୦ ଜଣ ବିଦେଶୀ ପର୍ଯ୍ୟଟକଙ୍କ ସହିତ ୪୮,୮୬୨ ଜଣ ପର୍ଯ୍ୟଟକ କଳାଭୂମି ସଂଗ୍ରହାଳୟକ ପରିଦର୍ଶନ କରିଛନ୍ତି।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାର ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ସାଧିତ ହୋଇପାରିଛି। ରାଜ୍ୟର ଟସର ସିଲ୍‌କ ପାର୍କ ମଡେଲକୁ ଜାତୀୟ ସ୍ୱୀକୃତି ମିଳିଛି। ବୟନିକାକୁ ଆଚିଭର୍ସ ଅଫ୍‌ ଓଡ଼ିଶା, ଓଡ଼ିଶା ବିଜିନେସ୍‌ ଆୱାର୍ଡ-୨୦୧୭, ଷ୍ଟେଟ୍‌ ବିଜିନେସ୍‌ ଆୱାର୍ଡ-୨୦୨୩ରେ ସମ୍ମାନିତ କରାଯାଇଛି। ସିଡାକ୍‌କୁ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପୁରସ୍କାର ସହିତ ୨୦୧୧, ୨୦୧୯ ଓ ୨୦୨୨ ମସିହାରେ ଅନ୍ତର୍ଜାତୀୟ ପ୍ରଦର୍ଶନୀ ‘ଇଣ୍ଡିଆ ଷ୍ଟୋନ୍‌ମାର୍ଟ’ରେ ‘ବେଷ୍ଟ ଇନୋଭେଟିଭ୍‌ ଡିସ୍‌ପ୍ଲେ ଆୱାର୍ଡ ମିଳିଛି।

ସାମ୍ବାଦିକ ସମ୍ମିଳନୀରେ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପାୱାର ପଏଣ୍ଟ ମାଧ୍ୟମରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା କାରିଗରମାନଙ୍କ ସାମାଜିକ, ଆର୍ଥିକ ଉନ୍ନତିର ଏକ ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚାଷ ଜମି ମାଟିକୁ ରାସାୟନ ମୁକ୍ତ କରିବା ପାଇଁ ରାଜ୍ୟ କୃଷି ବିଭାଗ ନେବ ଏହି ପଦକ୍ଷେପ

ଭୁବନେଶ୍ୱର: ମାଟି ପ୍ରକୃତିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଏବଂ ମଣିଷ ତଥା ସଂପୂର୍ଣ୍ଣ ଜୀବଜଗତ ଓ ଉଦ୍ଭିଦଜଗତ ନିମନ୍ତେ ମୃତ୍ତିକା ସ୍ୱାସ୍ଥ୍ୟ ସୁରକ୍ଷାର ଏକାନ୍ତ ପ୍ରୟୋଜନ ରହିଛି । ଏହି ପରିପ୍ରେକ୍ଷୀରେ ମୃତ୍ତିକାର ସ୍ୱାସ୍ଥ୍ୟଗତ ପରିଚାଳନା ଆଜିର ଆହ୍ୱାନ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ।

ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସରେ ଅଧ୍ୟକ୍ଷତା କରି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଲେ ଯେ ଚଳିତ ବର୍ଷ ବିଶ୍ୱ ମୃତ୍ତିକା ଦିବସ ପାଳନର ବିଷୟ‘ମାଟି ଖାଦ୍ୟର ଜନନୀ’ ରଖାଯାଇଛି। ମାଟିର ଗୁଣାତ୍ମକ ମାନର ଅବକ୍ଷୟ, ଏହାର ମଣିଷ ସମାଜ ଓ ଜୀବଜଗତ ଉପରେ ପ୍ରଭାବ ଓ ଏହାର ପ୍ରତିଷେଧକ ବ୍ୟବସ୍ଥା ସଂପର୍କରେ କୃଷକ ତଥା ଜନସାଧାରଣଙ୍କୁ ସଚେତନ କରାଇବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।

ମାଟିର ଜୈବିକ ଗୁଣାବଳୀ କମିଯିବା ଯୋଗୁଁ ଉର୍ବରତା ମଧ୍ୟ ହ୍ରାସ ପାଇଛି। ମୃତ୍ତିକା ସଂପଦ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନଗୁଡ଼ିକର ସଫଳ ପରିଚାଳନା କରି ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ବିଭାଗ ପକ୍ଷରୁ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି।

ମୃତ୍ତିକାର ଅବକ୍ଷୟ, ସଘନ ଚାଷ, ପ୍ରଦୂଷଣ, ଅସନ୍ତୁଳିତ ସାର ଓ କୀଟନାଶକ ପ୍ରୟୋଗ, ଜଳବାୟୁ ପରିବର୍ତ୍ତନ ଆଦି ଯୋଗୁଁ ମୃତ୍ତିକାର ସ୍ୱାସ୍ଥ୍ୟରେ ଅବନତି ଦେଖାଯିବା ଓ ମୃତ୍ତିକାର ସୁପରିଚାଳନା କରି ଆବଶ୍ୟକମତେ ନିରନ୍ତର ଫସଲ ଉତ୍ପାଦନ କରିବା ଆବଶ୍ୟକ । ମୃତ୍ତିକା ସଂରକ୍ଷଣ ସହିତ ଜୈବିକ କୃଷି ଓ ଫସଲର ବିବିଧକରଣ ମାଧ୍ୟମରେ ଖାଦ୍ୟ ନିରାପତ୍ତା ସହିତ ପରିବେଶ ସୁରକ୍ଷା କରାଯାଇପାରିବ।

ମାଟିର ଉର୍ବରତାର ସଠିକ ନିରୂପଣ, ମାଟିର କିସମ ଓ ଗୁଣ ନିର୍ଣ୍ଣୟ ଏବଂ ସମସ୍ୟାବହୁଳ ମାଟିର ସଂଶୋଧନ ନିମନ୍ତେ ବିଭାଗ ପକ୍ଷରୁ ବିନାମୂଲ୍ୟରେ ମୃତ୍ତିକା ପରୀକ୍ଷା କରାଯାଉଛି ବୋଲି ଡ. ପାଢ଼ୀ କହିଥିଲେ। ମୃତ୍ତିକା ପରୀକ୍ଷା କରି ଅନୁମୋଦିତ ସାର ଏବଂ କମ୍ପୋଷ୍ଟ ଖତ ଓ ଜୈବସାରର ସଠିକ୍‌ ମାତ୍ରାରେ ପ୍ରୟୋଗ ଫଳରେ ଫସଲ ଅମଳରେ ଆଶାନୁରୂପ ବୃଦ୍ଧି ପାଇବ ବୋଲି ଡ. ପାଢ଼ୀ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପ୍ରଭାତ କୁମାର ରାଉଳ କହିଲେ ଯେ ଜଳବାୟୁର ବ୍ୟାପକ ପରିବର୍ତ୍ତନ ଯୋଗୁଁ ମୃତ୍ତିକା ଓ ଜଳସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୃତ୍ତିକା ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବ୍ୟାପକ ଗବେଷଣା କରାଯାଉଛି ଓ ସଂପ୍ରସାରଣ ସେବା ମାଧ୍ୟମରେ ଚାଷୀମାନଙ୍କୁ ଏ ବିଷୟରେ ଆବଶ୍ୟକ ପରାମର୍ଶ ଦିଆଯାଉଛି ବୋଲି ଡ. ରାଉଳ କହିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା କହିଲେ ଯେ ରାସାୟନିକ ସାର ସହିତ ଜୈବିକ ସାରର ଉପଯୁକ୍ତ ସମ୍ମିଶ୍ରଣ ମୃତ୍ତିକା ସ୍ୱାସ୍ଥ୍ୟ ପାଇଁ ହିତକର ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଡିସେମ୍ବର ୫ ତାରିଖରେ ପ୍ରତିବର୍ଷ ବିଶ୍ୱ ମୃତ୍ତିକା ଦିବସ ପାଳନର ତାତ୍ପର୍ଯ୍ୟ ଓ ଏହାର ଗୁରୁତ୍ୱପୂର୍ଣ୍ଣ ଦିଗ ସଂପର୍କରେ ସୂଚନା ପ୍ରଦାନ କରିବା ସହିତ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡର ବ୍ୟବହାର ସଂପର୍କରେ ଆଲୋଚନା କରିଥିଲେ।

ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ମୃତ୍ତିକା ଓ ଜଳ ସଂରକ୍ଷଣ ତଥା ଜଳଛାୟାର ଉପଚାର, କ୍ଷେତ ପୋଖରୀ ଓ ସମନ୍ୱିତ କୃଷି ଅବଲମ୍ବନ ଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ବିଭାଗ ପକ୍ଷରୁ ୧୫ ଜଣ ଅଗ୍ରଣୀ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ସହ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୃତ୍ତିକା ସ୍ୱାସ୍ଥ୍ୟ ସୁରକ୍ଷା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଜିଲ୍ଲାସ୍ତରରେ ବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ୫ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।

ବୈଷୟିକ ଅଧିବେଶନରେ ମୃତ୍ତିକା ସ୍ୱାସ୍ଥ୍ୟର ବିଭିନ୍ନ ଦିଗ ସଂପର୍କରେ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଏବଂ ଓୟୁଏଟିର ବିଶେଷଜ୍ଞ ଓ ବିଭାଗୀୟ ଅଧିକାରୀମାନେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ସହକାରୀ ନିର୍ଦ୍ଦେଶକ ଶ୍ରୀ ନଗେନ୍ଦ୍ର କୁମାର ମଲ୍ଲିକ ପରିଚାଳନା କରିଥିବାବେଳେ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଅଂଶୁମାନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମ ଅବସରରେ କୃଷିଭବନଠାରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଉତ୍ସବରେ ମୃତ୍ତିକା ସୁରକ୍ଷା ସମ୍ବନ୍ଧୀୟ ଦୁଇଟି ଭିଡିଓ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ବହୁ ଅଗ୍ରଣୀ ଚାଷୀ, ବିଦ୍ୟାଳୟର ଛାତ୍ରଛାତ୍ରୀ, ଇସା ଫାଉଣ୍ଡେସନର ସେ୍ୱଚ୍ଛାସେବୀ ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବନ୍ୟାରେ ଚାଷ, ପ୍ରାଣୀସଂପଦ କ୍ଷୟକ୍ଷତିର ରିପୋର୍ଟ ଅଗଷ୍ଟ ୨୭ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତ ବନ୍ୟାରେ ଖରିଫ ଫସଲର ସ୍ଥିତି ଏବଂ ମତ୍ସ୍ୟ ଓ ପ୍ରାଣୀ ସଂପଦର ସୁରକ୍ଷା ନିମନ୍ତେ ନିଆଯାଉଥିବା ପଦକ୍ଷେପ ଓ ବିଭିନ୍ନ ଜିଲ୍ଲାରେ ବନ୍ୟାର ସଦ୍ୟତମ ସ୍ଥିତି ସଂପର୍କରେ ଆଜି ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ସମସ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକବୃନ୍ଦ ଓ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିବାବେଳେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେଇଥିଲେ।

ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ଏନ୍‌ଡିଆର୍‌ଏଫ୍‌/ଏସ୍‌ଡ଼ିିଆର୍‌ଏଫ୍‌ର ମାର୍ଗଦର୍ଶିକା ଅନୁସାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଯୁଗ୍ମ ଫସଲ କ୍ଷୟକ୍ଷତିର ତୁରନ୍ତ ଆକଳନ ଆରମ୍ଭ କରି ଅଗଷ୍ଟ ୨୭ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ ପରିସ୍ଥିତିରେ ଯେଉଁଠାରେ ବନ୍ୟାଜଳ ଛାଡ଼ି ନଥିବ ଏବଂ କ୍ଷୟକ୍ଷତିର ଆକଳନ ସମ୍ଭବ ହେଉନଥିବ ସେ କ୍ଷେତ୍ରରେ ଅଗଷ୍ଟ ୩୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏଥି ସହିତ କ୍ଷତିଗ୍ରସ୍ତ ଉଠା ଜଳସେଚନ ପଏଣ୍ଟଗୁଡ଼ିକର ରିପୋର୍ଟ ମଧ୍ୟ ଦାଖଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳରେ ସଅଳ କିସମର ଧାନ ବିହନର ଆବଶ୍ୟକତା ଏବଂ ଅଣଧାନ ଫସଲ ଯଥା ଡାଲି, ତୈଳବୀଜ, ପନିପରିବା ବିହନର ଆବଶ୍ୟକତା ଆକଳନ କରି ସଂପୃକ୍ତ ନିର୍ଦ୍ଦେଶାଳୟଗୁଡ଼ିକୁ ଜଣାଇବା ପାଇଁ କୁହାଯାଇଛି।

ବନ୍ୟା ଯୋଗୁଁ କୃଷି ସାମଗ୍ରୀ ବିହନ, ସାର ଏବଂ କୀଟନାଶକ ଔଷଧ ଗଚ୍ଛିତ ରଖିବାରେ କୌଣସି ଅସୁବିଧା ସଂପର୍କରେ ଅନୁଧ୍ୟାନ କରିବା ପାଇଁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପରିସ୍ଥିତିରେ ଫସଲରେ ରୋଗପୋକ ଲାଗିବାର ଆଶଙ୍କା ଥିବାରୁ ରୋଗପୋକ ନିରୀକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ମତ୍ସ୍ୟସଂପଦର ସ୍ଥିତି ସଂପର୍କରେ ସମୀକ୍ଷା କରି ମଧୁରଜଳ ଓ କ୍ଷାରିପାଣିର ଜଳାଶୟର ଜଳସ୍ତରକୁ କମ କରିବା ଓ ଜଳାଶୟ ଚାରିପଟେ ନେଟ୍‌ ଲଗାଇବା ଆଦି ନିମନ୍ତେ ପଦକ୍ଷେପ ନିଆଯାଇଥିବାବେଳେ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କୁ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ପ୍ରେରଣ କରାଯାଇଛି। ସମସ୍ତ ମାଛଧରା ଡଙ୍ଗାଗୁଡ଼ିକୁ ନିରାପଦ ସ୍ଥାନକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଇଛି।

କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାର ଉଭୟ ସରକାରୀ ଓ ବେସରକାରୀ ମତ୍ସ୍ୟ ଫାର୍ମଗୁଡ଼ିକର କ୍ଷୟକ୍ଷତିର ସଠିକ ଆକଳନ କରିବା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହିସବୁ ଜିଲ୍ଲାର ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରି କ୍ଷୟକ୍ଷତିର ଆକଳନ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କ୍ଷୟକ୍ଷତିର ରିପୋର୍ଟ ଅଗଷ୍ଟ ୨୭ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରାଣୀଧନର ସୁରକ୍ଷା କ୍ଷେତ୍ରରେ ଚିକିତ୍ସା ଓ ଟୀକାକରଣ ଆଦି କ୍ଷେତ୍ରରେ ୧୫ ଦିନ ପାଇଁ ୟୁଜର୍ସ ଫି ଛାଡ଼ କରାଯାଇଥିବାବେଳେ ପ୍ରଭାବିତ ଅଞ୍ଚଳରେ ଗୋଖାଦ୍ୟ ଯୋଗାଇ ଦିଆଯାଉଛି। ଅଦ୍ୟାବଧି ଓମ୍‌ଫେଡ୍‌ର ଗୋଖାଦ୍ୟ ପ୍ଲାଣ୍ଟରୁ ୮୨୨.୬୪ ମେଟି୍ରକ୍‌ ଟନ୍‌ ଗୋଖାଦ୍ୟ ଉଦ୍ଦିଷ୍ଟ ବ୍ଲକଗୁଡ଼ିକୁ ଯୋଗାଇ ଦିଆଯାଇଛି ଏବଂ ଅବଶିଷ୍ଟ ୪୧.୨୮ ମେଟି୍ରକ୍‌ ଟନ୍‌ ଗୋଖାଦ୍ୟ ପ୍ରେରଣ କରାଯାଇଛି।

ଅତିରିକ୍ତ ଗୋଖାଦ୍ୟର ବାସ୍ତବିକ ଆକଳନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କ୍ଷେତ୍ର ଅଧିକାରୀମାନଙ୍କୁ କହିଥିଲେ। ବନ୍ୟା ପରବର୍ତ୍ତୀ ପରିସ୍ଥିତିରେ କୌଣସି ରୋଗ ବ୍ୟାପିବାକୁ ଏଡାଇବା ପାଇଁ ବ୍ୟାପକ ଚିକିତ୍ସା ଓ ଟୀକାକରଣ ଶିବିର ଆୟୋଜନ କରିବା ପାଇଁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।