Categories
ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଓଡିଶା ପ୍ରଭାରୀ ଚେଲାକୁମାର, ପରୀ ପରିବାରକୁ ଭେଟିବେ

ଭୁବନେଶ୍ୱର, ଆଜି ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ. ଚେଲାକୁମାର ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି। ପ୍ରଥମ ଦିନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଡ. ଚେଲାକୁମାର ଉପସ୍ଥିତ ରହି ବିଧାୟକମାନଙ୍କ ସହ ବର୍ତମାନର ରାଜନୈତିକ ପରିସ୍ଥିତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।  ଆଗାମୀ ଦିନରେ କଂଗ୍ରେସକୁ ଲୋକାଭିମୁଖୀ କରିବା ଓ ତଳସ୍ତରରୁ ସଂଗଠନକୁ ସୁଦୃଢ଼ କରିବା ପାଇଁ ରଣନୀତି ସଂପର୍କରେ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଏଆଇସିସି ସଂପାଦକ ଜି. ରୁଦ୍ରରାଜୁ ଉପସ୍ଥିତ ରହି ସଂଗଠନକୁ ସୁଦୃଢ଼ କରିବା ପାଇଁ ଉପାଦେୟ ପରାମର୍ଶ ଦେଇଥିଲେ। ଏହି ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟ, ତାରପ୍ରସାଦ ବାହିନୀ ପତି, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ, ରମେଶ ଜେନା ପ୍ରମୁଖ ସୁଚିନ୍ତିତ ମତାମତ ଦେଇଥିଲେ।

ଅପରାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କଂଗ୍ରେସ ପ୍ରଭାରୀ ଡ. ଚେଲାକୁମାର ଉପସ୍ଥିତ ରହି କହିଲେ ଯେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରି ଲୋକାଭିମୁଖି କରିପାରିଲେ ଆମ୍ଭେମାନେ ପୂର୍ବ ଗୌରବକୁ ଫେରାଇ ଆଣିପାରିବା।

ଆଗାମୀ ପୌର ଦିନରେ ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଏକତ୍ରିତ ହୋଇ ବିଜେଡି ବିଜେପି ବିରୁଦ୍ଧରେ ସଂଗ୍ରାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ପିସିସି ସଭାପତି ସମସ୍ତଙ୍କର ସହଯୋଗ କାମନା କରି କହିଲେ ଯେ ଓଡିଶାରେ ବିଜେଡି ଓ ବିଜେପି ଉପରେ ଜନସାଧାରଣ ଆସ୍ଥା ହରାଇଲେଣି। ଏଭଳି ସମୟରେ ଆମ୍ଭେମାନେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଆସନ୍ତା କାଲି ଡ. ଚେଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ନୟାଗଡ ଜିଲ୍ଲା ଗସ୍ତ କରି ମୃତ ପରୀର ପରିବାରବର୍ଗଙ୍କୁ ଭେଟିବେ ବୋଲି ପିସିସି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।