Categories
ଆଜିର ଖବର ଜାତୀୟ ଖବର

ବିପତ୍ତି ପ୍ରଶମନ ଏବଂ ଭବିଷ୍ୟତ ପିଢ଼ି ପାଇଁ ନିରାପଦ ସୁନିଶ୍ଚିତ କରିବା ଉପରେ ଆଲୋକପାତ କଲେ ଡକ୍ଟର ମିଶ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି. କେ. ମିଶ୍ର ଆମ ଜନସମୁଦାୟ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବା ନିମନ୍ତେ ହିମବାହ ହ୍ରଦ ସହିତ ଜଡିତ ବିପଦକୁ ହ୍ରାସ କରିବା ଉପରେ ଆଲୋକପାତ କରିଛନ୍ତି। ଡ. ମିଶ୍ର ଆଜି ଏଠାରେ ଜିଏଲ୍ଓଏଫ୍ (ଗ୍ଲେସିଆଲ୍ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍ ବା ହିମବାହ ହ୍ରଦ ବିସ୍ଫୋରଣ ବନ୍ୟା) ବିପଦ ହ୍ରାସ ପାଇଁ ରଣନୀତି ଉପରେ ବିପର୍ଯ୍ୟୟ ବିପଦ ହ୍ରାସ କମିଟି (ସିଓଡିଆରଆର୍) ର ଚତୁର୍ଥ କର୍ମଶାଳା ଅବସରରେ ବକ୍ତବ୍ୟ ରଖିଛନ୍ତି। ଏହି କର୍ମଶାଳାର ଆୟୋଜନ ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଏବଂ ଜଳ ସମ୍ପଦ ବିଭାଗକୁ ପ୍ରଶଂସା କରି ସେ ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଏବଂ ଅଭିଜ୍ଞତା ଉପରେ ଗୁରୁତ୍ବ ଦେଇଥିଲେ, ବିଶେଷ କରି ଭାରତର ଅଭିଜ୍ଞତା, ଅଭାବ ଅସୁବିଧା ଏବଂ ଆହ୍ୱାନର ମୁକାବିଲା ଉପରେ ସେ ଜୋର ଦେଇଥିଲେ। ଡକ୍ଟର ମିଶ୍ର କହିଥିଲେ ଯେ ସିକିମର ହିମବାହ ହ୍ରଦ ବିସ୍ଫୋରଣ ଜନିତ ବନ୍ୟା ବିପତ୍ତି ଉପରେ ଆଲୋଚନା ଏହି ଆହ୍ୱାନର ବ୍ୟାପକତା ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ବାସ୍ତବରେ, ଦକ୍ଷିଣ ଲୋନାକ ଜିଏଲଓଏଫ ଆମ ସମସ୍ତଙ୍କ ପାଇଁ ଏକ ଜାଗ୍ରତ ଆହ୍ୱାନ ଥିଲା। ହିମବାହ ହ୍ରଦଗୁଡ଼ିକ ସହ ଜଡ଼ିତ ବିପଦଗୁଡ଼ିକର ମୁକାବିଲା ପାଇଁ ପ୍ରଭାବଶାଳୀ ରଣନୀତିର ଜରୁରୀ ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉକ୍ତିକୁ ଉଦ୍ଧୃତ କରି ସେ କହିଥିଲେ, ‘‘ବିପର୍ଯ୍ୟୟ ବିପଦ ହ୍ରାସ କେବଳ ବିପର୍ଯ୍ୟୟକୁ ମୁକାବିଲା କରିବା ନୁହେଁ ବରଂ ସହନଶୀଳ ପଦକ୍ଷେପ ବିକଶିତ କରିବା ଉପରେ ଆଧାରିତ’’। ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱକୁ ଦୋହରାଇ ଡକ୍ଟର ମିଶ୍ର କହିଥିଲେ ଯେ “ବିପର୍ଯ୍ୟୟ ମୁକାବିଲା କରିବାର ସର୍ବୋତ୍ତମ ଉପାୟ ହେଉଛି ସେଗୁଡ଼ିକୁ ରୋକିବା”, ଯାହା ଆମକୁ ସ୍ମରଣ କରାଇ ଦେଇଥିଲା ଯେ ଆମ ଜନ ସମାଜର ସୁରକ୍ଷା ପାଇଁ ସକ୍ରିୟ ପଦକ୍ଷେପ ଆବଶ୍ୟକ। ଆହୁରି, ଜିଏଲ୍ଓଏଫ୍ ବିପଦ ଭଳି ବୈଶ୍ୱିକ ଆହ୍ୱାନର ମୁକାବିଲା କରିବାରେ ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଥିଲେ, ‘‘ଏକ ସୁରକ୍ଷିତ ବିଶ୍ୱ ସୃଷ୍ଟି କରିବା ପାଇଁ ଆମକୁ ସୀମା ଏବଂ ଶୃଙ୍ଖଳା ନିର୍ବିଶେଷରେ ମିଳିତ ଭାବେ କାମ କରିବାକୁ ପଡ଼ିବ”।

ଆନ୍ତର୍ଜାତୀୟ ସହଯୋଗ ପରିପ୍ରେକ୍ଷୀରେ, ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତର ପ୍ରତିବଦ୍ଧତା ଜାତୀୟ ସୀମା ବାହାରେ ପ୍ରସାରିତ; ତେଣୁ ଭୁଟାନ, ନେପାଳ, ପେରୁ, ସ୍ୱିଜରଲ୍ୟାଣ୍ଡ ଏବଂ ତାଜିକିସ୍ତାନ ଭଳି ଦେଶର ଜିଏଲ୍ଓଏଫ୍ ବିଶେଷଜ୍ଞଙ୍କ ସହ ଜଡ଼ିତ ହେବା ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଉଜାଗର କରିଛି। ସେ ଦୋହରାଇଥିଲେ ଯେ ମୁକାବିଲା ରଣନୀତି ବିଷୟରେ ଆମର ବୁଝାମଣାକୁ ବୃଦ୍ଧି କରିବା ପାଇଁ ଏଭଳି ସହଯୋଗ ଗୁରୁତ୍ୱପୂର୍ଣ୍ଣ।

ଡକ୍ଟର ମିଶ୍ର ଦେଶ ତଥା ବିଦେଶର ବିଶେଷଜ୍ଞମାନଙ୍କ ଉଲ୍ଲେଖନୀୟ ଯୋଗଦାନ ଉପରେ ଆଲୋକପାତ କରିଥିଲେ, ଯେଉଁମାନେ ଆମର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବୁଝାମଣାକୁ ସମୃଦ୍ଧ କରିଛନ୍ତି। ନିଜ ବିଚାରର ଏକ ଢାଞ୍ଚା ପ୍ରସ୍ତୁତ କରି ଡକ୍ଟର ମିଶ୍ର, ହିମବାହ ହ୍ରଦଗୁଡ଼ିକର ସଂଖ୍ୟା ଏବଂ ସେଗୁଡ଼ିକର ବିପଦ କାରକ ଦୃଷ୍ଟିରୁ ନିର୍ଦ୍ଧାରିତ ସମସ୍ୟାର ପରିମାଣକୁ ନେଇ ଦ୍ୱନ୍ଦ୍ୱ ଭଳି ଆହ୍ୱାନଗୁଡ଼ିକ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଦକ୍ଷିଣ ଲୋନାକ ହ୍ରଦରୁ ବିପଦକୁ ହ୍ରାସ କରିବା ପାଇଁ ପୂର୍ବରୁ କରାଯାଇଥିବା ପ୍ରୟାସ ସଫଳ ହୋଇନଥିଲା। ଯୋଜନାଗୁଡ଼ିକ ମୁଖ୍ୟତଃ ବୈଜ୍ଞାନିକ ବିପଦର ଆକଳନ ଏବଂ ହ୍ରଦର ଆକାର ବୃଦ୍ଧିର ଭୌଗୋଳିକ-ସ୍ଥାନିକ ନିରୀକ୍ଷଣ ମଧ୍ୟରେ ସୀମିତ ଥିଲା। ଅନ୍ୟପକ୍ଷରେ ରାଜ୍ୟ ଏବଂ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ମଧ୍ୟରେ ଦାୟିତ୍ୱ ବିସ୍ତାର କରାଯାଇଥିଲା, ଯାହା ଭୂମିକାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା।

ଏହି ଆହ୍ୱାନର ଜବାବ ସମ୍ପର୍କରେ ଡକ୍ଟର ମିଶ୍ର ଜୋର ଦେଇ କହିଥିଲେ ଯେ ଭାରତ ସରକାର ବିପର୍ଯ୍ୟୟ ବିପଦ ହ୍ରାସ କମିଟି (ସିଓଡିଆରଆର) ନାମରେ ଏକ ସମନ୍ୱୟ ମଞ୍ଚ ଆରମ୍ଭ କରିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ମଞ୍ଚ ଆମକୁ ନିୟମିତ ବିଚାରବିମର୍ଶ ପରେ ଏକାଧିକ ବୈଠକ ଆୟୋଜନ କରିବାରେ ସକ୍ଷମ କରିଛି; ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ରୀୟ ବୈଜ୍ଞାନିକ ଏଜେନ୍ସି ଓ ରାଜ୍ୟମାନଙ୍କ ମଧ୍ୟରେ ନୂତନ ଯୋଗାଯୋଗ; ଏବଂ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଠାରୁ ପର୍ଯ୍ୟାପ୍ତ ସମର୍ଥନ ସୁନିଶ୍ଚିତ କରିବା ସହିତ ରାଜ୍ୟମାନଙ୍କୁ ପ୍ରାଥମିକ ଦାୟିତ୍ୱ ସ୍ପଷ୍ଟ ଭାବରେ ପ୍ରଦାନ କରିଛି। ଏହି ତ୍ରୀମୁଖୀ ଦୃଷ୍ଟିକୋଣ-ମୂଲ୍ୟାଙ୍କନ, ତଦାରଖ ଏବଂ ପ୍ରଶମନ ମାଧ୍ୟମରେ ସେ ସକାରାତ୍ମକ ଆଶା ବ୍ୟକ୍ତ କରି କହିଥିଲେ, ଭାରତ ଏ ଦିଗରେ ଯଥେଷ୍ଟ ଅଗ୍ରଗତି କରିଛି।

ଡକ୍ଟର ମିଶ୍ର କହିଥିଲେ ଯେ ଆମର ସମନ୍ୱିତ ପ୍ରୟାସ ଫଳରେ ସର୍ବେକ୍ଷଣ କରାଯାଇଥିବା ମୋଟ 7,500ଟି ଉଚ୍ଚ ବିପଦପୂର୍ଣ୍ଣ ହିମବାହ ହ୍ରଦ ମଧ୍ୟରୁ ପ୍ରାୟ 200ଟିର ଏକ ଗତିଶୀଳ ତାଲିକା ପ୍ରସ୍ତୁତ କରାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପୁନରାବୃତ୍ତି ପ୍ରକ୍ରିୟା ଆମକୁ ବିପଦ ସ୍ତର ଉପରେ ଆଧାର କରି ଏହି ହ୍ରଦଗୁଡ଼ିକୁ ପ୍ରଭାବୀ ଢଙ୍ଗରେ ବର୍ଗୀକୃତ କରିବାକୁ ଅନୁମତି ଦେଇଛି। ସେ ଉଲ୍ଲେଖ କରିଥିଲେ ଯେ 2024 ଗ୍ରୀଷ୍ମ ଋତୁରେ ସମସ୍ତ ‘ଏ’ ବର୍ଗର ହ୍ରଦଗୁଡ଼ିକର ଆକଳନ କରିବା ଲାଗି ଅଭିଯାନ ଚଳାଇବା ନିମନ୍ତେ ରାଜ୍ୟଗୁଡ଼ିକୁ ପ୍ରୋତ୍ସାହିତ କରାଯାଇଥିଲା, ଯାହାଦ୍ୱାରା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ସମ୍ଭବ ହୋଇପାରିଥିଲା।

ଡକ୍ଟର ମିଶ୍ର ସିକିମର 40ଟି ନିର୍ଦ୍ଦିଷ୍ଟ ହ୍ରଦ ମଧ୍ୟରୁ 18ଟି ପରିଦର୍ଶନ କରିଥିବା ଦଳ ବିଷୟରେ ବିଶେଷ ଭାବେ ଉଲ୍ଲେଖ କରିଥିଲେ, ଯେଉଁଥିରେ ସିଡବ୍ଲୁସି, ଜିଏସଆଇ, ସିଡିଏସି, ସେନା, ଆଇଟିବିପି ଏବଂ ସ୍ଥାନୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରତିନିଧିତ୍ୱ ରହିଥିଲା। ସେ କହିଥିଲେ ଯେ ସିକିମର ପାଞ୍ଚଟି ହ୍ରଦରେ ପ୍ରଶମନ ପଦକ୍ଷେପ ପାଇଁ ଯୋଜନା ଆରମ୍ଭ କରାଯାଇଛି। ଚାରୋଟି ରାଜ୍ୟ ପାଇଁ 150 କୋଟି ଟଙ୍କା ଆବଣ୍ଟନ ସହିତ ଜାତୀୟ ଜିଏଲଓଏଫ୍ ବିପଦ ପ୍ରଶମନ କାର୍ଯ୍ୟକ୍ରମ ନିମନ୍ତେ ଭାରତ ସରକାରଙ୍କ ଅନୁଦାନ ଦ୍ୱାରା ଏହା ସମର୍ଥିତ ହେବ।

ଭବିଷ୍ୟତକୁ ଦୃଷ୍ଟିରେ ରଖି ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି ଯେ କେନ୍ଦ୍ରୀୟ ବୈଜ୍ଞାନିକ ଅନୁଷ୍ଠାନଗୁଡ଼ିକର ନିରନ୍ତର ସମର୍ଥନ ସହିତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହିମପର୍ବତ ଏବଂ ହିମବାହ ହ୍ରଦ ସମ୍ବନ୍ଧୀୟ ତଦାରଖ ଏବଂ ପ୍ରଶମନ ପ୍ରୟାସର ନେତୃତ୍ୱ ନେବା ଆବଶ୍ୟକ। ସେ କହିଥିଲେ ଯେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏସଡିଏମ୍ଏ) ଗୁଡ଼ିକୁ ସୁଦୃଢ଼ କରିବା ପ୍ରଭାବୀ ଢଙ୍ଗରେ ମୁକାବିଲା କରିବା ଲାଗି ଆମର କ୍ଷମତାକୁ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ହେବ। ଏହି ପ୍ରଭାବିତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ଜିଏଲଓଏଫ୍ ବିପଦ ହ୍ରାସ ପାଇଁ ଏକ ଉତ୍ସର୍ଗୀକୃତ ଆର୍ଥିକ ୱିଣ୍ଡୋ ରଖିବା ପାଇଁ ଅଭିନବ ଉପାୟ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ। ଏହି ପଦକ୍ଷେପ ଆମର ଜଳ ସୁରକ୍ଷାକୁ ସୁରକ୍ଷିତ ରଖିବାରେ ସହାୟକ ହେବ କାରଣ ଆମର ହିମପର୍ବତଗୁଡ଼ିକର ସ୍ୱାସ୍ଥ୍ୟ ବାସ୍ତବରେ ଏହାର କେନ୍ଦ୍ରରେ ରହିଛି।

ଏହି ଅବସରରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ର ସଦସ୍ୟଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥି ଏବଂ ବକ୍ତାମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

‘ମାଆଙ୍କ ନାମରେ ଗୋଟିଏ ଗଛ’ ଆନ୍ଦୋଳନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ପ୍ରମୁଖ ସଚିବ ଡ.ପି.କେ ମିଶ୍ରଙ୍କ ନେତୃତ୍ୱରେ ‘ମାଆଙ୍କ ନାମରେ ଗୋଟିଏ ଗଛ’ ଆନ୍ଦୋଳନରେ ଆଜି ସାମିଲ ହୋଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ ହୋଇଛି:

“ଏକ ସ୍ଥିର ଭବିଷ୍ୟତ ଦିଗରେ ମିିଳିତ ଭାବେ କାମ କରୁଛୁ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପିକେ ମିଶ୍ର ଜୀଙ୍କ ନେତୃତ୍ୱରେ ଆଜି ସକାଳେ ‘ମାଆଙ୍କ ନାମରେ ଗୋଟିଏ ଗଛ’ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

Categories
ଆଜିର ଖବର

ଓଡ଼ିଶା ଅର୍ଥନୈତିକ ସଂଘର ୫୬ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପି କେ ମିଶ୍ର ଶନିବାର ସମ୍ବଲପୁର ଠାରେ ଓଡ଼ିଶା ଅର୍ଥନୈତିକ ସଂଘର ୫୬ତମ ବାର୍ଷିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇଛନ୍ତି।

ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ବିଶ୍ୱ ଅର୍ଥନୀତିରେ ଦେଖାଦେଇଥିବା ଅଦ୍ଭୁତ ଅସ୍ଥିରତା ଏବଂ ଅନିଶ୍ଚିତତା ସମ୍ପର୍କରେ ଦର୍ଶାଇ ସମ୍ମିଳନୀର ବିଷୟବସ୍ତୁ ‘ଏକ ଅନିଶ୍ଚିତ ବିଶ୍ୱରେ ସ୍ଥାୟୀ ଅଭିବୃଦ୍ଧି ପାଇଁ ମାର୍ଗ’ର ଗୁରୁତ୍ୱ ଉପରେ ପ୍ରମୁଖ ସଚିବ ଆଲୋକପାତ କରିଥିଲେ ।

୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାର ଯାତ୍ରା ଉପରେ ଗୁରୁତ୍ୱାରୋପ କରି ଡ. ମିଶ୍ର ଉଚ୍ଚ ଅଭିବୃଦ୍ଧି ପଥ ହାସଲ କରିବା ସହିତ ସ୍ଥାୟୀ ବିକାଶ ପ୍ରାପ୍ତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ କହିଥିଲେ, ” ଉଚ୍ଚ ଅଭିବୃଦ୍ଧି ଯାହା ସ୍ଥାୟୀ ନୁହେଁ , ତାହା ଅର୍ଥପୂର୍ଣ୍ଣ ହେବ ନାହିଁ’ ।

ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ , ସାମ୍ପ୍ରତିକ ସମୟରେ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ପରିବର୍ତ୍ତନ, ସେବା, ବାଣିଜ୍ୟ ଏବଂ ନିଯୁକ୍ତିରେ କୃତ୍ରିମ ବୁଦ୍ଧିମତ୍ତାର ଆହ୍ୱାନ ଏବଂ କାର୍ବନ ନିର୍ଗମନ ହ୍ରାସ ପରିପ୍ରେକ୍ଷୀରେ ଶକ୍ତି ପରିବର୍ତ୍ତନର ଆହ୍ୱାନ ହେଉଛି ବିଶ୍ୱସ୍ତରରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଧାରା । ଏହା ପରେ ସେ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ହାସଲ ପାଇଁ ଅର୍ଥନୈତିକ ଗବେଷଣା ପାଇଁ କେତେକ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ।

ଡ ମିଶ୍ର ଅର୍ଥନୈତିକ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟରେ ପାର୍ଥକ୍ୟ ବିଷୟରେ ବର୍ଣ୍ଣନା କରିବା ସହ ‘ନିରନ୍ତର’ ଅର୍ଥନୈତିକ ବିକାଶରେ ପରିବେଶ ସମସ୍ୟା, ସାମାଜିକ ସମାନତା ଏବଂ ଦୀର୍ଘମିଆଦୀ ସ୍ଥିରତାକୁ ସନ୍ତୁଳିତ କରିବା ସହିତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏକ ସନ୍ତୁଳିତ ଏବଂ ସ୍ଥିର ବିକାଶ ମଡେଲ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସ୍ଥାୟୀ ଅଭିବୃଦ୍ଧି ଅର୍ଥନୈତିକ, ସାମାଜିକ ଏବଂ ପରିବେଶ ପରସ୍ପର ନିର୍ଭରଶୀଳତାକୁ ବିଚାର କରେ ବୋଲି ସେ କହିଛନ୍ତି ।

୧୯୭୨ ମସିହାରେ ମିଳିତ ଜାତିସଂଘ ମାନବ ପରିବେଶ ସମ୍ମିଳନୀରେ ନିରନ୍ତର ବିଚାରର ସୃଷ୍ଟି  ଏବଂ ବିଶ୍ୱସ୍ତରୀୟ ଆହ୍ୱାନ ଗୁଡିକର ସମାଧାନ କରିବା ପାଇଁ ୧୬୯ଟି ଲକ୍ଷ୍ୟ ସହିତ ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଆକାରରେ ନିରନ୍ତର ବିକାଶ ପାଇଁ ୨୦୩୦ ଏଜେଣ୍ଡା ଉପରେ ପ୍ରମୁଖ ସଚିବ ଆଲୋଚନା କରିଥିଲେ । ସେ କହିଥିଲେ ଯେ ୨୦୩୦ ପାଇଁ ଗ୍ଲୋବାଲ ଏଜେଣ୍ଡାରେ ‘କାହାକୁ ପଛରେ ଛାଡିବା ନାହିଁ’ର ସାର୍ବଜନୀନ ନୀତି ପ୍ରମୁଖ ଅଟେ ।

ପ୍ରଧାନମନ୍ତ୍ରୀଙ୍କ ଭିଜନ ଅଫ୍ ଇଣ୍ଡିଆ ୨୦୪୭କୁ ଦୋହରାଇ , ଶ୍ରୀ ମିଶ୍ର କହିଥିଲେ ଯେ ଭାରତ ମୁଣ୍ଡପିଛା ଆୟର ଆଶାନୁରୂପ ସ୍ତର ହାସଲ କରିବା ଠାରୁ ଆଗକୁ ଯାଇ ସମସ୍ତ ଦିଗରେ ଆତ୍ମନିର୍ଭରଶୀଳ ହେବା ଉଚିତ । ସେ ଆହୁରି ମଧ୍ୟ କହିଥିଲେ ଯେ ମହିଳାମାନେ ଭାରତର ବିକାଶ କାହାଣୀର ନେତୃତ୍ୱ ନେବେ, ଅର୍ଥ ବ୍ୟବସ୍ଥା ଅଧିକ ସମାବେଶୀ ହେବ ଏବଂ ଅଭିନବ ହେବ ଏବଂ ଆମ ଜାତୀୟ ଜୀବନରେ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତାର କୌଣସି ସ୍ଥାନ ରହିବ ନାହିଁ ।

ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ପାଇଁ ଭାରତର ପ୍ରୟାସକୁ ଦୃଷ୍ଟିରେ ରଖି ଶ୍ରୀ ମିଶ୍ର ଏସଡିଜି ହାସଲ ପାଇଁ ଭାରତର ପ୍ରୟାସ ସମ୍ପର୍କରେ ଆଲୋକପାତ କରିଥିଲେ । ଏହା ପରେ ସେ ବିପଦ ଏବଂ ଅନିଶ୍ଚିତତାର କିଛି ବିଚାରଯୋଗ୍ୟ ଦିଗକୁ ବିଶ୍ଳେଷଣ କରିଥିଲେ , ଯାହା ଏସଡିଜି ପ୍ରକାଶ ପାଇବା ସମୟରେ ବିଦ୍ୟମାନ ନଥିଲା ଏବଂ ଏହା ପରେ ଅର୍ଥନୈତିକ ଗବେଷଣା ପାଇଁ କିଛି ପ୍ରସଙ୍ଗ ଗୁଡିକୁ ଉପସ୍ଥାପନ କରିଥିଲେ ।

ସ୍ଥାୟୀ ବିକାଶ ପାଇଁ ଗତ ୧୦ ବର୍ଷ ମଧ୍ୟରେ ଭାରତ ସରକାରଙ୍କ ପ୍ରୟାସ ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ଏକ ସ୍ଥାୟୀ ଏବଂ ଉନ୍ନତ ଭବିଷ୍ୟତ ପାଇଁ ନୂତନ ଧାରଣା ଆପଣେଇବା ଉପରେ ଗୁରୁତ୍ୱାରୋପ କରି ଭାରତ ନେତୃତ୍ୱାଧୀନ ଜି-୨୦ ଅଧ୍ୟକ୍ଷତା ଏହାର ଅଭୂତପୂର୍ବ ବ୍ୟାପକତା ଏବଂ ସଫଳତା ପାଇଁ ବିଶ୍ୱସ୍ତରରେ ସ୍ୱୀକୃତି ଲାଭ କରିଛି ବୋଲି ସେ କହିଥିଲେ । ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତର ପ୍ରୟାସରେ ଲାଇଫ୍ (ପରିବେଶ ପାଇଁ ଜୀବନଶୈଳୀ) ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ (ସିଡିଆରଆଇ) ଏବଂ ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ) ଭଳି ବିଶ୍ୱସ୍ତରୀୟ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ବୋଲି ସେ କହିଛନ୍ତି ।

ଶ୍ରୀ ମିଶ୍ର ଅମୃତ କାଳ ପାଇଁ ଭାରତର ଦୃଷ୍ଟିକୋଣକୁ ଦୋହରାଇଥିଲେ ଯେଉଁଥିରେ ୨୦୪୭ ସୁଦ୍ଧା ନିରନ୍ତର ବିକାଶ ଏବଂ ଅସମାନତା ହ୍ରାସ କରିବା ଅନ୍ତର୍ଭୁକ୍ତ । କୋଭିଡ୍‌-୧୯ ମହାମାରୀ ସମୟରେ ସଂସ୍କାରର ମାର୍ଗ ବାଛିଥିବା ଭାରତର ପ୍ରୟାସ ଉପରେ ସେ ଆଲୋକପାତ କରିଥିଲେ । ୨୦୧୭ରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଏବଂ ଇନସଲଭେନ୍ସି  ଆଣ୍ଡ ୍ ବ୍ୟାଙ୍କରପ୍‌ସି କୋଡ୍ / ଦେବାଳିଆ ଏବଂ ଋଣଶୋଧନ ଅକ୍ଷମତା କୋର୍ଡ (ଆଇବିସି) କାର୍ଯ୍ୟକାରୀ କରିବା, ରିଅଲ୍ ଇଷ୍ଟେଟ୍ ନିୟାମକ ପ୍ରାଧିକରଣ ପ୍ରଚଳନ ଯେଉଁଥିରେ ସ୍ୱଚ୍ଛତା ଓ ଉତ୍ତର ଦାୟିତ୍ୱ ଅଣାଯାଇପାରିବ, ଯେଉଁଥିରେ ଅର୍ଥ ବ୍ୟବସ୍ଥାକୁ ଉନ୍ମୁକ୍ତ କରିବା ବଦଳରେ ରାଜନୈତିକ ପୁଞ୍ଜିର ଗୁରୁତ୍ୱପୂର୍ଣ୍ଣ ନିବେଶର ଆବଶ୍ୟକତା ଥିଲା ।

ସ୍ଥାୟୀ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଭାବରେ ଭିତ୍ତିଭୂମି ଉପରେ ସରକାରଙ୍କ ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରମୁଖ ସଚିବ ପିଏମ୍ ଗତିଶକ୍ତି ଏବଂ ଜାତୀୟ ଲଜିଷ୍ଟିକ୍ ନୀତି ଭଳି ପଦକ୍ଷେପ ଉପରେ ଆଲୋକପାତ କରିଥିଲେ , ଯାହା ନିରବଚ୍ଛିନ୍ନ ମଲ୍ଟି-ମୋଡାଲ୍ ଯୋଗାଯୋଗକୁ ସକ୍ଷମ କରିଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଆମର କମ୍ପାନୀ ଗୁଡ଼ିକୁ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ଏକୀକୃତ କରିବା, ପ୍ରତ୍ୟକ୍ଷ ଟିକସ ହାର ହ୍ରାସ କରିବା, ଏଫଡିଆଇ ନିୟମକୁ ଉଦାର କରିବା, ଭାରତକୁ ଏକ ବିଶ୍ୱ ସ୍ତରୀୟ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ପାଇଁ ନିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଆରମ୍ଭ କରିବାରେ ସାହାଯ୍ୟ କରିଛୁ ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଅଦ୍ୟତନ ହୋଇଥିବା ଜାତୀୟ ସ୍ତରରେ ନିର୍ଦ୍ଧାରିତ ଅବଦାନ (ଏନ୍‌ଡିସି)ରେ ଦର୍ଶାଯାଇଥିବା ଭାରତର ଜଳବାୟୁ କାର୍ଯ୍ୟ ନୀତିର ପ୍ରମୁଖ ଉପାଦାନ ଗୁଡ଼ିକ ଉପରେ ଆଲୋଚନା କରିଥିଲେ ଏବଂ ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ, ଉଜାଲା – ଏଲ୍‌ଇଡି ଅଭିଯାନ ଏବଂ ଫେମ୍ ଇଣ୍ଡିଆ, ୱେଷ୍ଟ ଟୁ ୱେଲ୍‌ଥ ଯୋଜନା, ନାନୋ – ୟୁରିଆ ଏବଂ ନାନୋ – ଡିଏପି ସମେତ ପରିବେଶ ସ୍ଥିରତା ପାଇଁ ଅନ୍ୟାନ୍ୟ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।

ଜାତୀୟ ଶିକ୍ଷା ନୀତି ୨୦୨୦, ଦୀକ୍ଷା ଏବଂ ପିଏମ ଇ – ବିଦ୍ୟା ପ୍ଲାଟଫର୍ମ, ପିଏମ୍ ଆବାସ ଯୋଜନା, ଜଳ ଜୀବନ ମିଶନ, ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ, ଉଜ୍ଜ୍ୱଳା ଯୋଜନା, ପିଏମ ସ୍ୱନିଧି ଯୋଜନା, ପିଏମ ବିଶ୍ୱକର୍ମା ଯୋଜନା ସମେତ ଅଧିକ ନ୍ୟାୟସଙ୍ଗତ ବିକାଶ ନିମନ୍ତେ ମାନବ ପୁଞ୍ଜି ବିକଶିତ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ଅନେକ ପଦକ୍ଷେପକୁ ଶ୍ରୀ ମିଶ୍ର ପ୍ରଶଂସା କରିଥିଲେ, ଯେଉଁଥିରେ ନିରନ୍ତର ବିକାଶରେ ସାମାଜିକ ସମାବେଶର ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଛି ।

ମୁଖ୍ୟ ଶାସନ ସଚିବ ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ନିଯୁକ୍ତି ପ୍ରଦାନ କରିବାରେ ଏମଏସଏମଇର ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ଏହା ଦ୍ୱାରା ଭାରତର ଜନସଂଖ୍ୟାଗତ ଲାଭକୁ ସର୍ବାଧିକ କରାଯାଇପାରିବ ବୋଲି ସେ କହିଥିଲେ । ସେ ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ, ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ ଏବଂ ଦକ୍ଷତା ଉନ୍ନୟନ ପାଇଁ ଦକ୍ଷତା ବିକାଶ ଆୟୋଗ ଭଳି ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଦକ୍ଷତା ଉନ୍ନତି ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ଭଳି ସରକାରଙ୍କ ଦ୍ୱାରା ନିଆଯାଇଥିବା ଉପାୟ ଗୁଡିକ ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ଶାସନରେ ଉନ୍ନତି ଆଣିବା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବାରେ ଟେକ୍ନୋଲୋଜିର ବ୍ୟବହାର ଉପରେ ସରକାରଙ୍କ ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରି ଶ୍ରୀ ମିଶ୍ର କହିଥିଲେ ଯେ , ଜେଏଏମ ଟ୍ରିନିଟି ଏବଂ ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ଭଳି ପଦକ୍ଷେପ କେବଳ ନାଗରିକମାନଙ୍କୁ ସିଧାସଳଖ ଲାଭ  ପ୍ରଦାନ କରି ନାହିଁ ବରଂ ସେମାନଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ସଶକ୍ତିକରଣରେ ମଧ୍ୟ ମୌଳିକ ପରିବର୍ତ୍ତନ ଆଣିଛି ।

ପ୍ରମୁଖ ସଚିବ ବିପଦ ଓ ଅନିଶ୍ଚିତତାର ବିଚାରଯୋଗ୍ୟ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ସେ ତାଙ୍କ ପୁସ୍ତକ ଏଗ୍ରିକଲଚରାଲ ରିସ୍କ, ଇନ୍ସ୍ୟୁରାନ୍ସ ଆଣ୍ଡ ଇନକମ୍ ଏବଂ ମାଇକେଲ ଲିପ୍ଟନ୍‌ଙ୍କ ସେମିନାର ପେପର  ‘ଦ ଥିଓରି ଅଫ୍ ଦ ଅପ୍ଟିମାଇଜିଂ ପିଜାଂଟ’ରୁ ଉଲ୍ଲେଖ କରିଛନ୍ତି । କୋଭିଡ-୧୯ ମହାମାରୀର ଉଦାହରଣ ଦେଇ ସୂକ୍ଷ୍ମ ଅର୍ଥନୀତି ଧାରଣା କିପରି ପ୍ରାସଙ୍ଗିକ ତାହା ସେ ବର୍ଣ୍ଣନା କରିଥିଲେ ଏବଂ ଆହୁରି ମଧ୍ୟ କହିଥିଲେ ଯେ “ଆମକୁ ଏକ ଅନିଶ୍ଚିତ ପରିବେଶରେ ପାରମ୍ପରିକ ବିପର୍ଯ୍ୟୟ ବିପଦ ପରିଚାଳନା ଏବଂ ବିପଦ ପରିଚାଳନା ମଧ୍ୟରେ ଥିବା ବ୍ୟବଧାନକୁ ପୂରଣ କରିବା ଆବଶ୍ୟକ ଯାହା ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆମର ରଣନୀତି ଉପରେ ମଧ୍ୟ ଲାଗୁ ହୁଏ ।

ନସିମ ନିକୋଲାସ୍ ତାଲେବଙ୍କ ଆଣ୍ଟିଫ୍ରାଜିଲିଟିର ଧାରଣା ଅନୁଯାୟୀ, ଡକ୍ଟର ମିଶ୍ର ଭାରତୀୟ ପରିପ୍ରେକ୍ଷୀରେ ସଶକ୍ତ ରାଷ୍ଟ୍ରରେ ପରିଣତ ହେବା ପାଇଁ ପାଞ୍ଚଟି ସ୍ତମ୍ଭ ସମ୍ପର୍କରେ  ପରାମର୍ଶ ଦେଇଥିଲେ, ଯେଉଁଥିରେ ସାମୁଦାୟିକ ସ୍ତରର ପଦକ୍ଷେପ, ସହାୟକ ଭିତ୍ତିଭୂମି ସଂରଚନା, ଦୃଢ଼ ଆର୍ôଥକ ବ୍ୟବସ୍ଥା, ସାମାଜିକ ସୁରକ୍ଷା, ସ୍ଥାୟୀ ପ୍ରାକୃତିକ ସମ୍ବଳ ପରିଚାଳନା ଅନ୍ତର୍ଭୁକ୍ତ ।

Categories
ଆଜିର ଖବର

ମୁମ୍ବାଇରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି କେ ମିଶ୍ର ଆଜି ମୁମ୍ବାଇର ପୂର୍ବ ଗୋରେଗାଓଁରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ୧୫୦୦ରୁ ଅଧିକ ଲୋକ ଉତ୍ସାହଜନକ ଭାବେ ଅଂଶଗ୍ରହଣ କରିଥିଲେ। ପ୍ରମୁଖ ସଚିବଙ୍କ ସହ ସମସ୍ତ ଅଂଶଗ୍ରହଣକାରୀ ବିକଶିତ ଭାରତ ଗଠନ ପାଇଁ ଶପଥ ନେଇଥିଲେ। ମେରି କାହାନି ମେରି ଜୁବାନି କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀମାନେ ସେମାନଙ୍କ ଅନୁଭୂତି ଏବଂ ସଫଳତାର କାହାଣୀ ବଖାଣିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ଏବଂ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ ଉପରେ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ମୁଦ୍ରା, ପିଏମ୍ ସ୍ୱନିଧି ଭଳି ଯୋଜନାର ହିତାଧିକାରୀଙ୍କୁ ପ୍ରମୁଖ ସଚିବ ସାର୍ଟିଫିକେଟ୍ ଓ ସୁବିଧା ପ୍ରଦାନ କରିଥିଲେ।

ପ୍ରମୁଖ ସଚିବ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥାପନ ହୋଇଥିବା ମଣ୍ଡପ ପରିଦର୍ଶନ କରି ଏପର୍ଯ୍ୟନ୍ତ ଏହି ଯୋଜନାଗୁଡ଼ିକର ସୁଫଳ ପାଇ ପାରୁନଥିବା ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚିଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ମଧ୍ୟ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଥିଲେ। ସେ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ପରିକଳ୍ପନା ବିଷୟରେ କହିଥିଲେ ଏବଂ ନାଗରିକମାନଙ୍କୁ ପୂର୍ଣ୍ଣ ଉତ୍ସାହର ସହ ଯାତ୍ରାରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ସେ ସରକାରୀ ଯୋଜନାଗୁଡିକର କାର୍ଯ୍ୟକାରିତା ଏବଂ ଶେଷ ମାଇଲରେ ସଫଳତାର ସହ ପହଞ୍ଚିବାର ଆଭିମୁଖ୍ୟ ଉପରେ ମଧ୍ୟ ବକ୍ତବ୍ୟ ରଖିଥିଲେ ।

ମୁମ୍ବାଇ ସହରରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ସଫଳ ଆୟୋଜନ କରିଥିବାରୁ ପ୍ରମୁଖ ସଚିବ ବିଏମସି ପ୍ରଶାସନକୁ ପ୍ରଶଂସା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜି-୨୦ ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମା କାର୍ଯ୍ୟକାରିତାର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ 

ନୂଆଦିଲ୍ଲୀ: ଜି-୨୦ ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମାର କାର୍ଯ୍ୟକାରିତାରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୀତି ଆୟୋଗର ଉପାଧ୍ୟକ୍ଷ, ଜି-୨୦ ସେର୍ପା, ଜି-୨୦ ମୁଖ୍ୟ ସଂଯୋଜକ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଆର୍ଥିକ ବ୍ୟାପାର ବିଭାଗ (ଡିଇଏ) ଏବଂ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବର୍ତ୍ତମାନ ଜାରି ରହିଥିବା ପ୍ରୟାସର ଅଂଶବିଶେଷ ସ୍ୱରୂପ ବିଭିନ୍ନ ଅଂଶୀଦାର ମନ୍ତ୍ରଣାଳୟ ନେତୃତ୍ୱରେ ସମସ୍ତ ସମ୍ପୃକ୍ତ ବିଭାଗକୁ ସାମିଲ କରି ସାତଟି ୱେବିନାର ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ୱେବିନାରଗୁଡ଼ିକ (୧) ସୁଦୃଢ଼, ଦୀର୍ଘସ୍ଥାୟୀ, ସନ୍ତୁଳିତ ଓ ସମାବେଶୀ ଅଭିବୃଦ୍ଧି, (୨) ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) (୩) ସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ବିକାଶ ଚୁକ୍ତି, (୪)ଏକବିଂଶ ଶତାବ୍ଦୀ ପାଇଁ ବହୁପକ୍ଷୀୟ ଅନୁଷ୍ଠାନ, (୫) ବୈଷୟିକ ପରିବର୍ତ୍ତନ ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, (୬) ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଏବଂ (୭) ଆତଙ୍କବାଦ ଓ ବେଆଇନ ଅର୍ଥ କାରବାର ମୁକାବିଲା ବିଷୟ ଉପରେ ଆୟୋଜନ କରାଯିବ।

ଏହାବ୍ୟତୀତ ନୂଆଦିଲ୍ଲୀ ନେତାଙ୍କ ଘୋଷଣାର ପ୍ରଭାବଶାଳୀ କାର୍ଯ୍ୟକାରିତା ସମ୍ପର୍କରେ କ୍ଷେତ୍ର ବିଶେଷଜ୍ଞଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ପାଇଁ ସାରା ଦେଶର ବିଭିନ୍ନ ବୁଦ୍ଧିଜୀବୀ ମଣ୍ଡଳୀ ବା ଥିଙ୍କ୍ ଟ୍ୟାଙ୍କଙ୍କୁ ସମ୍ପୃକ୍ତ କରିବା ପାଇଁ ଏକ ସେମିନାରର ଯୋଜନା କରାଯାଉଛି।

ଏହି ଘୋଷଣାପତ୍ରର କାର୍ଯ୍ୟକାରିତାକୁ ନିୟମିତ ତଦାରଖ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଅନୁଧ୍ୟାନ ବ୍ୟବସ୍ଥା ପ୍ରତିଷ୍ଠା କରାଯିବ ବୋଲି ପ୍ରମୁଖ ଶାସନ ସଚିବ କହିଛନ୍ତି।

ନୂଆଦିଲ୍ଲୀରେ ଆୟୋଜିତ ଜି-୨୦ ନେତାମାନଙ୍କ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଜି-୨୦ ଭର୍ଚୁଆଲ ବା ଆଭାସୀ ଶିଖର ସମ୍ମିଳନୀ ଆୟୋଜନ ଲାଗି ପ୍ରସ୍ତାବ ଦେଇଥିଲେ। ଏହି ଆଭାସୀ ଶିଖର ସମ୍ମିଳନୀ ଆୟୋଜନର ପ୍ରସ୍ତୁତି ଉପରେ ମଧ୍ୟ ପ୍ରମୁଖ ସଚିବ ଆଜିର ବୈଠକରେ ଆଲୋଚନା କରିଥିଲେ। ମୁଖ୍ୟ ଶିଖର ସମ୍ମିଳନୀ ପରେ ପ୍ରଥମ ଥର ପାଇଁ କୌଣସି ଦେଶ ଏଭଳି ଆଭାସୀ ଶିଖର ସମ୍ମିଳନୀ ଆୟୋଜନ କରିବେ, ତେଣୁ ସମସ୍ତ ସଦସ୍ୟ ରାଷ୍ଟ୍ର ଏବଂ ଅତିଥି ଦେଶମାନଙ୍କୁ ତୁରନ୍ତ ସୂଚନା ପ୍ରଦାନ ଉପରେ ପ୍ରମୁଖ ସଚିବ ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରିଥିଲେ।

ଏହି ବୈଠକରେ ବୈଦେଶିକ ସଚିବ ଶ୍ରୀ ବିନୟ କ୍ୱାତ୍ରା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କୁ ଆସନ୍ତା ନଭେମ୍ବରରେ ହେବାକୁ ଥିବା ଦ୍ୱିତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀର ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ।

ଜି-୨୦ ନେତାମାନଙ୍କ ଘୋଷଣାନାମାର ସଫଳ ରୂପାୟନ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଏବଂ ବିକାଶ ଓ କଲ୍ୟାଣ କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ସମର୍ପଣ ଉପରେ ବୈଠକରେ ଆଲୋକପାତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କିତ ସମନ୍ୱୟ ସମିତିର ସପ୍ତମ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କିତ ସମନ୍ୱୟ ସମିତିର ସପ୍ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶିଖର ସମ୍ମିଳନୀର ବାସ୍ତବ ଓ ଲଜିଷ୍ଟିକ ପ୍ରସ୍ତୁତି ଦିଗରେ ଆଲୋଚନା ହୋଇଥିଲା। ଉଭୟ ଶେର୍ପା ଏବଂ ଆର୍ଥିକ ଟ୍ରାକରେ ଅଗ୍ରଗତି ଏବଂ ଫଳାଫଳ ସମୀକ୍ଷା କରାଯାଇଥିଲା।

ଜି -୨୦ ଶେରପା, ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ତଥା ସୂଚନା ଓ ପ୍ରସାରଣ ସଚିବ ଏ ସଂକ୍ରାନ୍ତରେ ଉପସ୍ଥାପନା କରିଥିଲେ। ସବୁଜ ବିକାଶ, ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି)କୁ ତ୍ୱରାନ୍ୱିତ କରିବା, ଦୃଢ଼ ସ୍ଥାୟୀ ସନ୍ତୁଳିତ ଏବଂ ସମାବେଶୀ ଅଭିବୃଦ୍ଧି, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଲିଙ୍ଗଗତ ସମାନତା ଏବଂ ବହୁପାକ୍ଷିକ ଅନୁଷ୍ଠାନରେ ସଂସ୍କାର ସମେତ ଭାରତର ଅଧ୍ୟକ୍ଷତା ସମୟରେ ବିଭିନ୍ନ ପ୍ରାଥମିକତା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

ଜି-୨୦ ଶେରପା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଦେଶର ପ୍ରାୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ୧୮୫ଟି ଜି-୨୦ ବୈଠକ ଶେଷ ହୋଇଛି। ଏଥିମଧ୍ୟରେ ୧୩ଟି ମନ୍ତ୍ରୀସ୍ତରୀୟ ବୈଠକ ସାମିଲ ରହିଛି। ସମୁଦାୟ ୧୨ଟି ଫଳାଫଳ ଦସ୍ତାବିଜ ବ୍ୟତୀତ ଅନ୍ୟ ୧୨ଟି ଦସ୍ତାବିଜକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଛି।

ଆର୍ଥିକ ବ୍ୟାପାର ସଚିବ ସୂଚନା ଦେଇଛନ୍ତି ଯେ କ୍ରିପ୍ଟୋ ଆସେଟ୍ ଏଜେଣ୍ଡା, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଜଳବାୟୁ ପାଣ୍ଠି ସଂଗ୍ରହ ଏବଂ ଏସଡିଜି ପାଇଁ ଆର୍ଥିକ ବ୍ୟବସ୍ଥା କରିବା ସମେତ ଆର୍ଥିକ ଟ୍ରାକରେ ଯଥେଷ୍ଟ ଅଗ୍ରଗତି ହୋଇଛି।

ଗଣମାଧ୍ୟମ କେନ୍ଦ୍ର ପ୍ରତିଷ୍ଠା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାନ୍ୟତା ଦେବା ଭଳି ଗଣମାଧ୍ୟମର ବ୍ୟବସ୍ଥା ସମ୍ପର୍କରେ ସୂଚନା ଓ ପ୍ରସାରଣ ସଚିବ ଅବଗତ କରାଇଥିଲେ। ବର୍ତ୍ତମାନ ସୁଦ୍ଧା ୩୨୦୦ରୁ ଅଧିକ ଗଣମାଧ୍ୟମ ପ୍ରତିନିଧି ଏହି ଶିଖର ସମ୍ମିଳନୀ ପାଇଁ ପଞ୍ଜୀକରଣ କରିଛନ୍ତି। ଏଥିରେ ୧୮୦୦ ବିଦେଶୀ ଏବଂ ୧୨୦୦ରୁ ଅଧିକ ଘରୋଇ ଗଣମାଧ୍ୟମ ପ୍ରତିନିଧି ସାମିଲ ଅଛନ୍ତି। ଉଭୟ ବିଦେଶୀ ଓ ଘରୋଇ ଗଣମାଧ୍ୟମର ସୁବିଧା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି।

ଲଜିଷ୍ଟିକ୍ ଏବଂ ସୁରକ୍ଷା ଦିଗ ସହିତ ଜଡ଼ିତ ଅତୀତର ନିଷ୍ପତ୍ତିଗୁଡ଼ିକର କାର୍ଯ୍ୟକାରିତାକୁ ମଧ୍ୟ ପ୍ରମୁଖ ସଚିବ ସମୀକ୍ଷା କରିଥିଲେ। ଜି-୨୦ ନେତାଙ୍କ ଶିଖର ସମ୍ମିଳନୀ ପୂର୍ବରୁ ବିଦେଶାଗତ ଅତିଥିମାନଙ୍କ ସୁବିଧା ପାଇଁ ନିଆଯାଇଥିବା ପଦକ୍ଷେପ, ଟ୍ରାଫିକ ପରିଚାଳନା, ବିମାନବନ୍ଦର, ସୁରକ୍ଷା ବ୍ୟବସ୍ଥା ପାଇଁ ଯୋଜନା ଏବଂ ଦିଲ୍ଲୀ ଏନସିଆରରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବିଷୟରେ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ପୁଲିସ କମିଶନରଙ୍କ ସମେତ ସୁରକ୍ଷା ଅଧିକାରୀମାନେ ବୈଠକରେ ସୂଚନା ଦେଇଥିଲେ । ଆସନ୍ତା ମାସ ଜି-୨୦ ନେତାଙ୍କ ସମ୍ମିଳନୀ ଆୟୋଜନ ପାଇଁ ହୋଇଥିବା ସକାରାତ୍ମକ ଅଗ୍ରଗତିକୁ ପ୍ରଧାନମନ୍ତ୍ରୀ ପ୍ରମୁଖ ସଚିବ ପ୍ରଶଂସା କରିବା ସହିତ ଆସନ୍ତା କିଛି ଦିନ ମଧ୍ୟରେ ବାକି ରହିଥିବା ସମସ୍ତ ବ୍ୟବସ୍ଥା ଶେଷ କରିବାକୁ ସମସ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଠିକ୍ ସମୟରେ ପର୍ଯ୍ୟାପ୍ତ ପ୍ରସ୍ତୁତି ସୁନିଶ୍ଚିତ କରିବା ଦିଗରେ ସାମଗ୍ରିକ ସରକାର ଆଭିମୁଖ୍ୟ ଓ ପଦକ୍ଷେପ ଆପଣାଇବା ଉପରେ ଶ୍ରୀ ମିଶ୍ର ଗୁରୁତ୍ବାରୋପ କରିଥିଲେ। ଶିଖର ସମ୍ମିଳନୀକୁ ଆଉ ଏକ ମାସ ବାକି ଥିବା ବେଳେ ସଠିକ ଭାବେ ଅନ୍ତିମ କାର୍ଯ୍ୟ ସମାପନ କରିବାର ସମୟ ଆସିଛି ବୋଲି ସେ କହିଥିଲେ। ସେ ଆହୁରି କହିଛନ୍ତି ଯେ, ବିସ୍ତୃତ ଏସଓପି ପ୍ରସ୍ତୁତ କରାଯିବା ଉଚିତ ଏବଂ ଏହାକୁ ସୁରୁଖୁରୁରେ କାର୍ଯ୍ୟକାରୀ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ପ୍ରଦାନ କରାଯିବା ଉଚିତ୍। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସମଗ୍ର ଦେଶର ଯୁବ ଅଧିକାରୀମାନଙ୍କୁ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଏବଂ ଶିଖିବା ପାଇଁ ସୁଯୋଗ ଦିଆଯାଉଛି।

ଏହି ବୈଠକରେ ଦିଲ୍ଲୀର ଉପରାଜ୍ୟପାଳ, କ୍ୟାବିନେଟ୍ ସଚିବ ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟ/ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।