Categories
ଆଜିର ଖବର ଜାତୀୟ ଖବର

‘ଫିଟ୍ ଇଣ୍ଡିଆ ସାଇକ୍ଲିଂ ଡ୍ରାଇଭ୍’କୁ ପତାକା ଦେଖାଇ ଶୁଭାରମ୍ଭ କଲେ ଡ. ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ: ନ୍ୟାସନାଲ୍‌ ଷ୍ଟାଡିୟମରୁ ରାଇସିନା ହିଲ୍ସ ପର୍ଯ୍ୟନ୍ତ ୩ କିଲୋମିଟର ଯାତ୍ରା ପାଇଁ ପାଖାପାଖି ୫୦୦ ସାଇକେଲ ଉତ୍ସାହୀ ଯୋଗ ଦେଇଥିଲେ, ଯାହାର ଉଦ୍ଦେଶ୍ୟ ସାଇକେଲିଂକୁ ଏକ ସ୍ଥାୟୀ ଏବଂ ସୁସ୍ଥ ପରିବହନ ମାଧ୍ୟମ ଭାବରେ ପ୍ରୋତ୍ସାହିତ କରିବା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ଦୋହରାଇ ଡକ୍ଟର ମାଣ୍ଡଭିୟ କହିଛନ୍ତି ଯେ, ୨୦୪୭ ରେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବା ସମୟରେ ଆମକୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ପରିକଳ୍ପନାକୁ ବାସ୍ତବ ରୂପ ଦେବାକୁ ହେବ ଏବଂ ଏହା ପ୍ରାସଙ୍ଗିକ ଯେ ଆମେ ଏକ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ଫିଟ୍ ରାଷ୍ଟ୍ର ରେ ପରିଣତ ହେବା ଉଚିତ।

ସାଇକେଲ ଚାଳନାର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ଆମେ ଏହି କାର୍ଯ୍ୟକ୍ରମକୁ ‘ଫିଟ୍ ଇଣ୍ଡିଆ ସାଇକେଲିଂ ମଙ୍ଗଳବାର’ ନାମରେ ଶୁଭାରମ୍ଭ କରିଛୁ କିନ୍ତୁ ସାଇକେଲ ପ୍ରେମୀଙ୍କ ସୁବିଧା ପାଇଁ ଏହା ବର୍ତ୍ତମାନ ରବିବାରରେ ଆୟୋଜନ କରାଯିବ ଏବଂ ବର୍ତ୍ତମାନ ଏହାକୁ ‘ସଣ୍ଡେ ଅନ ସାଇକେଲ’ କୁହାଯିବ । କେବଳ ନୂଆଦିଲ୍ଲୀ ନୁହେଁ, ଦେଶର ବିଭିନ୍ନ ସ୍ଥାନରେ ଡାକ୍ତର, ସାମ୍ବାଦିକ, ଶିକ୍ଷକ, କର୍ପୋରେଟ ପ୍ରଫେସନାଲ ଓ ଯୁବକମାନେ ରବିବାର ଏକ ଘଣ୍ଟା ଧରି ସାଇକେଲ ଯାତ୍ରା କରିବେ। ସାଇକେଲ ଚଲାଇବା ପରିବେଶକୁ ପ୍ରୋତ୍ସାହନ ଦେଇଥାଏ, ଏହା ପ୍ରଦୂଷଣର ସମାଧାନ ଏବଂ ସ୍ଥାୟୀତ୍ଵ ରେ ମଧ୍ୟ ଯୋଗଦାନ ଦେଇଥାଏ।

ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଫିଟ୍ ଇଣ୍ଡିଆ ଅଭିଯାନ ପକ୍ଷରୁ ସାଇକେଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ସିଏଫ୍ଆଇ), ମାଇଁ ଭାରତ ଏବଂ ବିଭିନ୍ନ କ୍ରୀଡ଼ା କର୍ତ୍ତୃପକ୍ଷଙ୍କ ସହଯୋଗରେ ଦେଶର ୧୦୦୦ରୁ ଅଧିକ ସ୍ଥାନରେ ଏକକାଳୀନ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଆଞ୍ଚଳିକ କେନ୍ଦ୍ର, ନ୍ୟାସନାଲ ସେଣ୍ଟର ଅଫ୍ ଏକ୍ସଲେନ୍ସ (ଏନସିଓଇ) ଏବଂ ଖେଲୋ ଇଣ୍ଡିଆ ସେଣ୍ଟର (କେଆଇସି)ରେ ଏକାସାଙ୍ଗରେ ଆୟୋଜିତ ଏହି ସାଇକେଲିଂ ପ୍ରତିଯୋଗିତାରେ ୫୦ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ।

ଦେଶବ୍ୟାପୀ ସାଇକେଲିଂ ଅଭିଯାନରେ ଏନସିଓଇ ରୋହତକରେ ଦୁଇ ଥର ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ସୁମିତ ଆଣ୍ଟିଲ, ଏନସିଓଇ ଗାନ୍ଧୀନଗରରେ ପ୍ୟାରିସ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନବଦୀପ, ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟିକା ରାଣୀ ରାମପାଲ, ଅଲିମ୍ପିଆନ୍ ସଟ୍ ପୁଟର ତଜିନ୍ଦରପାଲ ସିଂହ ତୁର ଏବଂ ଏନଏସଏନଆଇଏସ ପଟିଆଲାରେ ଜାଭେଲିନ୍ ଥ୍ରୋଅର୍ ଅନୁ ରାଣୀଙ୍କ ସମେତ ବହୁ ଜଣାଶୁଣା ଆଥଲେଟ୍ ସାମିଲ ହୋଇଥିଲେ।

ଶୁଭାରମ୍ଭ ଉତ୍ସବରେ ଯୁବକ ଓ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ। ୨୦୨୩ ବିଶ୍ୱ ଚାମ୍ପିୟନସିପ୍ ସ୍ୱର୍ଣ୍ଣ ପଦକ ବିଜେତା ନିତୁ ଘାଙ୍ଗହାସ କହିଛନ୍ତି ଯେ ଏହା ଉଭୟ ଯୁବ ଓ ବୟସ୍କମାନଙ୍କ ପାଇଁ ଫିଟ୍ ରହିବା ନିମନ୍ତେ ଏକ ପ୍ରମୁଖ ପ୍ଲାଟଫର୍ମ ଏବଂ ଭାରତକୁ ପ୍ରଦୂଷଣମୁକ୍ତ ରଖିବାରେ ମଧ୍ୟ ସହାୟକ ହେବ। ଯାତ୍ରା ସମୟରେ ମୁଁ ମାନ୍ୟବର କ୍ରୀଡ଼ା ମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରୁଥିଲି ଏବଂ ସେ ଦେଶର କ୍ରୀଡ଼ା ପାଇଁ ଯାହା କରୁଛନ୍ତି ସେଥିରୁ ମୁଁ ପ୍ରେରଣା ଲାଭ କଲି।

Categories
ଆଜିର ଖବର ଜାତୀୟ ଖବର

ଆଜି ଫିଟ ଇଣ୍ଡିଆ ସାଇକେଲିଂ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡାମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ନୂଆଦିଲ୍ଲୀରେ ମଙ୍ଗଳବାର ଦିନ ଫିଟ ଇଣ୍ଡିଆ ସାଇକେଲିଂକୁ ଉଦଘାଟନ କରିବେ। ସେହିଦିନ ଜଗତପୁରସ୍ଥିତ ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ (ସାଇ) ନେସନାଲ ସେଂଟର ଅଫ ଏକ୍ସେଲେନ୍ସ ପକ୍ଷରୁ ସାଇକେଲ ଚାଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ସାଇକେଲ ଚାଳକମାନେ ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ବାରବାଟୀ ଦୁର୍ଗ ଦେଇ ସ୍ଥାନୀୟ ସମାଜ ଅଫିସ ପର୍ଯ୍ୟନ୍ତ ସାଇକେଲ ଚାଳନା କରିବେ। ଏଥିରେ ରାଜ୍ୟର ବହୁ କ୍ରୀଡା ପ୍ରେମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଜଗତପୁରସ୍ଥିତ ସାଇ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗମନାଗମନ ଓ ବ୍ୟାୟାମ ପାଇଁ ସାଇକେଲର ଗୁରୁତ୍ୱପୂର୍ଣ ଭୂମିକାକୁ ଏହା ସୂଚିତ କରିବ ବୋଲି କୁହାଯାଇଛି। ସାଇକେଲ ଆରୋହୀମାନେ ବାରବାଟୀ ଦୁର୍ଗ ପାଖରୁ ସମାଜ ଅଫିସ ଯାଏ ଯିବେ ଓ ପୁଣି ଫେରିବାର କାର୍ଯ୍ୟକ୍ରମ ରହିଛି।

ସାଇକେଲିଂ ଫେଡେରେସନ ଅଫ ଇଣ୍ଡିଆ, ମାଇଁ ଭାରତ, ଆଂଚଳିକ ସାଇ ନେସନାଲ ସେଂଟର ଅଫ ଏକ୍ସେଲେନ୍ସ କେନ୍ଦ୍ର, ଖେଲୋ ଇଣ୍ଡିଆ କେନ୍ଦ୍ର, ଜିଲ୍ଲା ପ୍ରଶାସନର ସହଯୋଗକ୍ରମେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଏହା ଆୟୋଜିତ କରାଯାଉଛି।

ଡିସେମ୍ବର ୧୭ ତାରିଖରେ ସମଗ୍ର ଦେଶର ଏକ ହଜାର ସ୍ଥାନ ସହ ବିଭିନ୍ନ ସାଇ ଆଂଚଳିକ କେନ୍ଦ୍ରରେ ଏହା ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ସାରା ଦେଶରେ ପ୍ରତି ମଙ୍ଗଳବାର ଦିନ ଏପରି ସାଇକେଲ ଚାଳନା କାର୍ଯ୍ୟକ୍ରମ ହେବାର ରହିଛି।

୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ କ୍ରୀଡା କ୍ଷେତ୍ରରେ ଆମ ଦେଶକୁ ଏକ ମହାଶକ୍ତିଶାଳୀ ଦେଶ ଭାବରେ ପରିଗଣିତ କରିଛି। ଏହି ଅଭିଯାନ ମାଧ୍ୟମରେ ସ୍ୱାସ୍ଥ୍ୟ ଓ କ୍ରୀଡା କ୍ଷେତ୍ରରେ ଉନ୍ନତି ହେବା ସହ ସାଇକେଲ ଚାଳନାକୁ ଏକ ସ୍ୱତନ୍ତ୍ର ଖେଳର ମର୍ଯ୍ୟାଦା ଦେଇଛି।

Categories
ଆଜିର ଖବର ଜାତୀୟ ଖବର

‘ହମାରା ସମ୍ବିଧାନ ହମାରା ସ୍ୱାଭିମାନ’ ପଦଯାତ୍ରାର ଶୁଭାରମ୍ଭ କଲେ ଡ. ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ: ୭୫ତମ ସମ୍ବିଧାନ ଦିବସ ପାଳନ ଅବସରରେ ସୋମବାର ନୂଆଦିଲ୍ଲୀରେ ମାଇଁ ଭାରତ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଆୟୋଜିତ ୬ କିଲୋମିଟର ଲମ୍ବା ପଦଯାତ୍ରାରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ତଥା ଶ୍ରମ ଓ ନିଯୁକ୍ତି  ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଯୋଗ ଦେଇଥିଲେ। ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ‘ହମାରା ସମ୍ବିଧାନ ମାରା ସ୍ୱାଭିମାନ ଶୀର୍ଷକ ଏହି ପଦଯାତ୍ରା କର୍ତ୍ତବ୍ୟ ପଥ ଓ ଇଣ୍ଡିଆ ଗେଟ୍ ଦେଇ ଯାଇଥିଲା। ଏହି ପଦଯାତ୍ରାରେ ୧୦,୦୦୦ ରୁ ଅଧିକ ମାଇଁ ଭାରତ ଯୁବ ସ୍ୱେଚ୍ଛାସେବୀଙ୍କ ସମେତ ବିଶିଷ୍ଟ ଯୁବ ନେତା, କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦ ମାନେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମ ‘ଏକ ପେଡ୍ ମା କେ ନାମ’ ଅଭିଯାନରେ ଆରମ୍ଭ ହୋଇଥିଲା, ଯେଉଁଥିରେ ଡ. ମନସୁଖ ମାଣ୍ଡଭିୟ ତାଙ୍କ ସଂସଦୀୟ ସହଯୋଗୀଙ୍କ ସହ ମିଶି ଏକ ବୃକ୍ଷରୋପଣ କରିଥିଲେ। କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ଗଜେନ୍ଦ୍ର ସିଂ ଶେଖାୱତ, କିରଣ ରିଜିଜୁ, ଅର୍ଜୁନ ରାମ ମେଘୱାଲ, ରକ୍ଷା ନିଖିଲ ଖଡ଼ସେ ପଦଯାତ୍ରାରେ ସାମିଲ୍ ହେବା ସହିତ ସହ ଅନ୍ୟ ସାଂସଦମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଯୋଗେଶ୍ୱର ଦତ୍ତ, ମୀରାବାଇ ଚାନୁ, ରବି ଦହିଆ, ଯୋଗେଶ କାଥୁନିଆଙ୍କ ଭଳି ବିଶିଷ୍ଟ ଯୁବ ଆଇକନ୍ ଏବଂ ଅଲିମ୍ପିକ୍ସ ପଦକ ବିଜେତା ମଧ୍ୟ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ।

ପଦଯାତ୍ରା ସମୟରେ ଗଣମାଧ୍ୟମକୁ ସମ୍ବୋଧିତ କରି ଡ. ମାଣ୍ଡଭିୟ ୧୦,୦୦ରୁ ଅଧିକ ମାଇଁ ଭାରତଯୁବ ସ୍ବେଚ୍ଛାସେବୀଙ୍କ ଅଂଶଗ୍ରହଣରେ ଆନନ୍ଦ ପ୍ରକାଶ କରିଥିଲେ। ସେ ଏହା ମଧ୍ୟ ଆଲୋକପାତକରିଥିଲେ ଯେ ଦେଶର ଯୁବକମାନେ କେବଳ ସମ୍ବିଧାନର ପ୍ରସ୍ତାବନା ପଢ଼ିନାହାନ୍ତି ବରଂ ଏହା ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ମଧ୍ୟ ଦୋହରାଇଛନ୍ତି। ନୂଆ ଭାରତର ଯୁବପିଢ଼ି ‘ବିକଶିତ ଭାରତନିର୍ମାଣ ଦିଗରେ ଅଗ୍ରଗତି କରୁଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ପ୍ରାରମ୍ଭରେ ଏକ ବିସ୍ତୃତ ପ୍ରଦର୍ଶନୀ ଭାରତୀୟ ସମ୍ବିଧାନର ଯାତ୍ରାକୁ ପ୍ରଦର୍ଶିତ କରିବା ସହ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଅବଦାନ ଉପରେ ଆଲୋକପାତ କରିଥିଲା। ଯୁବକମାନେ ଡ. ବିଆର୍ ଆମ୍ବେଦକର ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭଳି ନେତାଙ୍କୁ ଚିତ୍ରିତ କରି ଇତିହାସକୁ ଜୀବନ୍ତ କରିଥିଲେ। ଏହି ପଦଯାତ୍ରାରେ ବିଭିନ୍ନ ସ୍ଥାନରେ ଜୀବନ୍ତ ସାଂସ୍କୃତିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ପ୍ରତିଯୋଗୀମାନେ ପାରମ୍ପରିକ ଗୁଜରାଟୀ ନୃତ୍ୟ, ରାଜସ୍ଥାନୀ ଲୋକନୃତ୍ୟ ଏବଂ ପଞ୍ଜାବୀ ଭାଙ୍ଗଡ଼ା ସମେତ ଆକର୍ଷଣୀୟ ସାଂସ୍କୃତିକ ପରିବେଷଣର ମଜା ନେଇଥିଲେ।

ଯୁବବର୍ଗଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପଦଯାତ୍ରାରେ ଇଣ୍ଡିଆ ଗେଟ୍ ଠାରେ ଏକ ସ୍ୱତନ୍ତ୍ର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଯୁବକମାନେ ମିଳିତ ଭାବେ ପ୍ରସ୍ତାବନା ପାଠ କରିଥିଲେ। ଏହି କାର୍ଯ୍ୟକଳାପ ଭାରତର ସମ୍ବିଧାନର ଭିତ୍ତିଭୂମି ଭାବରେ ପ୍ରସ୍ତାବନାର ଭୂମିକା ଏବଂ ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭାଇଚାରାର ମୂଳ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲା। କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନେ ଉପସ୍ଥିତ ଥିବା ଏହି କାର୍ଯ୍ୟକ୍ରମରେ ଭାରତୀୟ ଗଣତନ୍ତ୍ରରେ ଏହି ନୀତିର ମହତ୍ତ୍ୱ ଉପରେ ଆଲୋକପାତ କରାଯାଇଥିଲା। ଜାତୀୟ ଏକତାର ପ୍ରତୀକ ଇଣ୍ଡିଆ ଗେଟ୍ ର ଅବସ୍ଥିତି ସମାରୋହର ପ୍ରଭାବକୁ ଆହୁରି ବଢ଼ାଇ ଦେଇଥିଲା।  ପ୍ରସ୍ତାବନା ପଢ଼ିବା ପରେ ଡ. ମାଣ୍ଡଭିୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସହ ତାଙ୍କ ସଂସଦୀୟ ସହଯୋଗୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ଥିଲା ଯୁବ ସଂପୃକ୍ତି, ସମଗ୍ର କାର୍ଯ୍ୟକ୍ରମରେ ମାଇଁ ଭାରତ ପଞ୍ଜୀକରଣ ଅଭିଯାନ ଅନୁଷ୍ଠିତ ହୋଇଥିଲାପ୍ରତିଯୋଗୀମାନେ ପ୍ରସ୍ତାବନା ଥିମ୍ ବିଶିଷ୍ଟ ସେଲ୍ଫି ପଏଣ୍ଟ ସହିତ ଦିନଟିକୁ ସ୍ମରଣୀୟ କରିପାରିବେ। ଏହି ରାସ୍ତାରେ ମାଇଁ ଭାରତ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣକାରୀଙ୍କ ପାଇଁ ରିଫ୍ରେସମେଣ୍ଟ ଷ୍ଟଲ ସ୍ଥାପନ କରି ଏବଂ ସ୍ୱଚ୍ଛ ଭାରତ ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ପଦଯାତ୍ରାର ମାର୍ଗରେ ସ୍ୱଚ୍ଛତା ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ।

ଏହି ପଦଯାତ୍ରାରେ ଏନସିଆର ଅଞ୍ଚଳର ୧୨୫ରୁ ଅଧିକ କଲେଜ ଏବଂ ଏନୱାଇକେଏସ, ଏନଏସଏସ, ଏନସିସି ଏବଂ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ ସମେତ ବିଭିନ୍ନ ସଂଗଠନର ଯୁବ ପ୍ରତିଯୋଗୀମାନଙ୍କୁ ସଫଳତାର ସହ ନିୟୋଜିତ କରାଯାଇଥିଲା। ଏହା ସମ୍ବିଧାନର ୭୫ତମ ବାର୍ଷିକୀ ପାଳନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ କାର୍ଯ୍ୟ କରିଥିଲା। ଏହି କାର୍ଯ୍ୟକ୍ରମରେ ବିକଶିତ ଭାରତର ସାମ୍ବିଧାନିକ ମୂଲ୍ୟବୋଧ ସଂରକ୍ଷଣ ଓ ପ୍ରୋତ୍ସାହନ ଦିଗରେ ଯୁବବର୍ଗଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଅସଙ୍ଗଠିତ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ‘ଇ-ଶ୍ରମ, ୱାନ ଷ୍ଟପ୍ ସଲ୍ୟୁସନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶ୍ରମ ଓ ରୋଜଗାର ତଥା ଯୁବ ବ୍ୟପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ନୂଆଦିଲ୍ଲୀରେ ‘ଇ-ଶ୍ରମ-ୱାନ ଷ୍ଟପ୍ ସଲ୍ୟୁସନ୍‌’ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଶ୍ରମ ଓ ରୋଜଗାର ରାଷ୍ଟ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ ଏବଂ ମନ୍ତ୍ରଣାଳୟର ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ଡ. ମାଣ୍ଡଭିୟ ଇ-ଶ୍ରମ ପୋର୍ଟାଲ ପ୍ରତି ବଢ଼ୁଥିବା ଭରସା ଉପରେ ଜୋର୍ ଦେଇ କହିଥିଲେ, ‘ପ୍ରତ୍ୟେକ ଦିନ ପ୍ରାୟ ୬୦ ହଜାରରୁ ୯୦ ହଜାର ଶ୍ରମିକ ଇ-ଶ୍ରମ ପ୍ଲାଟଫର୍ମରେ ଯୋଡ଼ି ହେଉଛନ୍ତି, ଯାହାକି ଏହା ପ୍ରତି ଥିବା ବିଶ୍ୱାସକୁ ଦର୍ଶାଉଛି।” ସେ କହିଥିଲେ କି, ଇ-ଶ୍ରମ ୱାନ ଷ୍ଟପ୍ ସଲ୍ୟୁସନ ଇ-ଶ୍ରମରେ ପଂଜିକୃତ ହୋଇଥିବା ଅସଙ୍ଗଠିତ ଶ୍ରମିକମାନଙ୍କ ନିକଟରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାକୁ ବିନା ବାଧାରେ ପହଞ୍ଚାଇବ।

ଡ. ମାଣ୍ଡଭିୟ ଏହା ମଧ୍ୟ କହିଥିଲେ, ଇ-ଶ୍ରମ ୱାନ ଷ୍ଟପ୍ ସଲ୍ୟୁସନ ପୋର୍ଟାଲର ପ୍ରାଥମିକ ଉଦ୍ଦେଶ୍ୟ ଅସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ପଂଜିକରଣ ପ୍ରକ୍ରିୟା ସରଳ କରିବା ଏବଂ ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ସେମାନଙ୍କ ନିକଟରେ ସହଜରେ ପହଞ୍ଚାଇବା। ସେ କହିଥିଲେ, “ଏହି ପ୍ଲାଟଫର୍ମ ଏକ ସେତୁ ଭଳି କାମ କରିବ। ଯାହାକି ଶ୍ରମିକମାନଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅନେକ ଲାଭକୁ ଯୋଡ଼ିବ ଏବଂ ପଂଜିକରଣ ପ୍ରକ୍ରିୟାକୁ ସହଜ ଓ ଅଧିକ ପାରଦର୍ଶୀ ବନାଇବ।”

ଡ. ମାଣ୍ଡଭିୟ ସମସ୍ତ ଅସଙ୍ଗଠିତ ଶ୍ରମିକମାନଙ୍କୁ ଇ-ଶ୍ରମ ପୋର୍ଟାଲରେ ପଂଜିକରଣ କରିବା ସହ ସେମାନଙ୍କ ପାଇଁ ଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ନେବାକୁ ପରାମର୍ଶ ଦେଇଛନ୍ତି। ସେ ଜୋର୍ ଦେଇ କହିଥିଲେ, ଏହି ପ୍ଲାଟଫର୍ମକୁ ଆସିଲେ ଶ୍ରମିକମାନେ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଉଥିବା ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନାର ସୁବିଧା ପାଇପାରିବେ, ଯାହାକି ସେମାନଙ୍କ ଜୀବିକାରେ ସୁଧାର ଓ କଲ୍ୟାଣ ଆଣିବ।

ଶୋଭା କରନ୍ଦଲାଜେ ରାଜ୍ୟ ସରକାରଙ୍କ ପୋର୍ଟାଲ ଗୁଡ଼ିକୁ ଇ-ଶ୍ରମ ପୋର୍ଟାଲ ସହ ଏକୀକୃତ କରିବା ଉପରେ ଜୋର୍ ଦେଇଥିଲେ। ଏହା ରାଜ୍ୟ ଓ ଜିଲ୍ଲା ୱାରୀ ସମ୍ଭାବ୍ୟ ଲାଭାର୍ଥୀମାନଙ୍କୁ ଚିହ୍ନଟ କରିବା ସହ ଯୋଜନାର ଫାଇଦାକୁ ସୁନିଶ୍ଚିତ କରିବାରେ ସହାୟକ ହେବ।

ୱାନ ଷ୍ଟପ୍ ସଲ୍ୟୁସନରେ ବଜେଟ ଘୋଷଣା ଏବଂ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ୧୦୦ ଦିନର କାର୍ଯ୍ୟସୂଚୀ ଅନୁସାରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରାଳୟ ଓ ବିଭାଗର ତଥ୍ୟକୁ ଏକୀକୃତ କରିବା ମଧ୍ୟ ସାମିଲ ରହିଛି। ଏକ ରାଷ୍ଟ୍ର-ଏକ ରାସନ କାର୍ଡ, ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ରୋଜଗାର ଗ୍ୟାରେଣ୍ଟି ଯୋଜନା, ରାଷ୍ଟ୍ରୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରାଷ୍ଟ୍ରୀୟ କ୍ୟାରିଅର ସେବା, ପ୍ରଧାନମନ୍ତ୍ରୀ ଯୋଗୀ ମାନଧନ ଇତ୍ୟାଦି କଲ୍ୟାଣକାରୀ ଯୋଜନାକୁ ଇ-ଶ୍ରମ ପୋର୍ଟାଲ ସହ ଏକୀକୃତ କରାଯାଇଛି ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ସାମିଲ କରିବାକୁ ମଧ୍ୟ କାର୍ଯ୍ୟ କରାଯାଉଛି।

ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ସଚିବ ସୁଶ୍ରୀ ସୁମିତା ଡାୱରା କହିଥିଲେ କି, ଇ-ଶ୍ରମ ୱାନ ଷ୍ଟପ୍ ସଲ୍ୟୁସନ ଅସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନାକୁ ବିନାବାଧାରେ ପହଞ୍ଚାଇବା ଦିଗରେ ସହାୟକ ହୋଇପାରିବ। ‘ୱାନ ଷ୍ଟପ୍ ସଲ୍ୟୁସନ’ ପାଇଁ ଚାଲିଥିବା ପ୍ରକ୍ରିୟା ସମସ୍ତ ସାମାଜିକ ସୁରକ୍ଷା କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଇ-ଶ୍ରମ ପୋର୍ଟାଲ ସହ ଯୋଡ଼ିବା ଦିଗରେ ଜାରି ରଖିବ।

ନୂତନ ସରକାରଙ୍କ ପ୍ରଥମ ଶହେ ଦିନରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ସାମାଜିକ ସୁରକ୍ଷା/କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଇ-ଶ୍ରମ ସହ ଏକୀକୃତ କରିବା ଦିଗରେ ଅନେକ ବୈଠକ ହୋଇଛି। ଏହା ଅସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ସରକାରଙ୍କ ଦୃଷ୍ଟିକୋଣକୁ ଦର୍ଶାଉଛି।

୨୦୨୧ ଅଗଷ୍ଟ ୨୬ ତାରିଖରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା ଇ-ଶ୍ରମ ପୋର୍ଟାଲର ଶୁଭାରମ୍ଭ ହୋଇଥିଲା ଏବଂ ଏ ପର୍ଯ୍ୟନ୍ତ ୩୦ କୋଟିରୁ ଅଧିକ ଶ୍ରମିକ ଇ-ଶ୍ରମରେ ପଂଜିକରଣ କରିପାରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଗଭର୍ଣ୍ଣାନ୍ସ ବିଲ୍- ୨୦୨୪ ଡ୍ରାଫ୍ଟ ଉପରେ ଅଂଶୀଦାରଙ୍କ ପରାମର୍ଶ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଆଜି ନୂଆଦିଲ୍ଲୀରେ ନ୍ୟାସନାଲ୍ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ବିଲ୍ ୨୦୨୪ ର ଡ୍ରାଫ୍ଟ ଉପରେ ଆଲୋଚନା କରିବା ପାଇଁ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ), ଜାତୀୟ କ୍ରୀଡ଼ା ମହାସଂଘ (ଏନ୍ଏସ୍ଏଫ୍) ଏବଂ ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ସଂଗଠନ (ଏନ୍ଏସପିଓ) ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ପରାମର୍ଶ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ଼ସେ, ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ଶ୍ରୀମତୀ ପିଟି ଉଷା ଏବଂ କେନ୍ଦ୍ର ମନ୍ତ୍ରଣାଳୟର ମିଶନ ଅଲିମ୍ପିକ୍ ସେଲ୍ ଏବଂ କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଡଃ ମାଣ୍ଡଭିୟ ତାଙ୍କ ଅଭିଭାଷଣରେ ଉତ୍କର୍ଷତା ଏବଂ ଅଖଣ୍ଡତାକୁ ପ୍ରୋତ୍ସାହିତ କରୁଥିବା ଏକ ସୁଦୃଢ଼ ଏବଂ ସ୍ୱଚ୍ଛ କ୍ରୀଡ଼ା ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ଅଲିମ୍ପିକ୍ ଏବଂ ପାରାଲିମ୍ପିକ୍ ଚାର୍ଟର ସମେତ ଅନ୍ତର୍ଜାତୀୟ ମାନଦଣ୍ଡ ସହିତ ସଂଯୁକ୍ତ ଭାରତରେ ଏକ ସୁଦୃଢ଼ ଏବଂ ସ୍ୱଚ୍ଛ କ୍ରୀଡ଼ା ଶାସନ ଢାଞ୍ଚା ନିର୍ମାଣ କରିବା ପାଇଁ ନ୍ୟାସନାଲ୍ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ବିଲ୍ ୨୦୨୪ ବିଲ୍ ଡ୍ରାଫ୍ଟ ଆମର ଲକ୍ଷ୍ୟରେ ଏକ ମାଇଲଖୁଣ୍ଟ। ଆମ କ୍ରୀଡ଼ା ସମୁଦାୟର ଆକାଂକ୍ଷାକୁ ପ୍ରତିଫଳିତ କରୁଥିବା ନୀତି ପ୍ରଣୟନ ପାଇଁ ବିଭିନ୍ନ ଅଂଶୀଦାର ଏବଂ ଜନସାଧାରଣଙ୍କ ସକ୍ରିୟ ସମ୍ପୃକ୍ତି ଗୁରୁତ୍ୱପୂର୍ଣ୍ଣ।

୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ପରିକଳ୍ପନାକୁ ସାକାର କରିବା ଦିଗରେ ଏହି ଡ୍ରାଫ୍ଟ ବିଲ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯେଉଁଠାରେ କ୍ରୀଡ଼ା ଜାତୀୟ ଗୌରବ ଓ ଅଭିବୃଦ୍ଧିର ସ୍ତମ୍ଭ ଭାବେ ଉଭା ହେବ ବୋଲି ମନ୍ତ୍ରୀ କହିଛନ୍ତି। ଆଥଲେଟ୍-କେନ୍ଦ୍ରୀତ ମହାସଂଘଗୁଡ଼ିକୁ ସଶକ୍ତ କରି, ସୁରକ୍ଷିତ କ୍ରୀଡ଼ା ନୀତି ପ୍ରଣୟନ ଏବଂ ଆପିଲେଟ୍ ସ୍ପୋର୍ଟସ ଟ୍ରିବ୍ୟୁନାଲ ଗଠନ କରି ଆମେ ଏକ ଦୃଢ଼ ଢାଞ୍ଚା ନିର୍ମାଣ କରୁଛୁ ଯାହା କେବଳ ଆମ କ୍ରୀଡ଼ାବିତମାନଙ୍କୁ ସଶକ୍ତ କରିବ ନାହିଁ ବରଂ ବିଶ୍ୱ କ୍ରୀଡ଼ା ମଞ୍ଚରେ ଭାରତର ସ୍ଥିତିକୁ ସୁଦୃଢ଼ କରିବ।

ପ୍ରସ୍ତାବିତ ପ୍ରଶାସନିକ ସଂସ୍କାର, ଆଥଲେଟ୍ କଲ୍ୟାଣ ପଦକ୍ଷେପ ଏବଂ କ୍ରୀଡ଼ା ପ୍ରଶାସନରେ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଉପରେ ବିଭିନ୍ନ ଏନ୍ଏସ୍ଏଫ୍, ଏନ୍ଏସପିଓ ଏବଂ ଆଇଓଏର ପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଆଥଲେଟମାନଙ୍କ ଅଧିକାରର ସୁରକ୍ଷା, କ୍ରୀଡ଼ା ସଂସ୍ଥାଗୁଡ଼ିକର କାର୍ଯ୍ୟଧାରାକୁ ଶୃଙ୍ଖଳିତ କରିବା ଏବଂ ଭାରତର ବିଶ୍ୱସ୍ତରୀୟ କ୍ରୀଡ଼ା ମାନ୍ୟତା ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଡ୍ରାଫ୍ଟ ବିଲକୁ ସଂଶୋଧନ କରିବାରେ ସେମାନଙ୍କ ମୂଲ୍ୟବାନ ମତାମତକୁ ସତର୍କତାର ସହ ବିଚାର କରାଯିବ ବୋଲି ଡ. ମାଣ୍ଡଭିୟ ଅଂଶୀଦାରମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ନିରପେକ୍ଷ ଖେଳ, ଅନ୍ତର୍ଭୁକ୍ତୀକରଣ ଏବଂ କ୍ରୀଡ଼ାବିତଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରୁଥିବା ପରିବେଶ ସୃଷ୍ଟି କରି ଭାରତକୁ ଏକ ବିଶ୍ୱ କ୍ରୀଡ଼ା ଶକ୍ତିରେ ପରିଣତ କରିବା ପାଇଁ ମନ୍ତ୍ରଣାଳୟର ଦୃଷ୍ଟିକୋଣକୁ ସେ ଦୋହରାଇଥିଲେ।

ନ୍ୟାସନାଲ୍ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ବିଲ୍ ୨୦୨୪ ଡ୍ରାଫ୍ଟରେ କ୍ରୀଡ଼ାବିତମାନଙ୍କ ବିକାଶ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା, ନୈତିକ ଶାସନ ସୁନିଶ୍ଚିତ କରିବା ଏବଂ ପ୍ରଭାବଶାଳୀ ବିବାଦ ସମାଧାନ ବ୍ୟବସ୍ଥା ପ୍ରଦାନ କରିବା ପାଇଁ ଏକ ବ୍ୟାପକ ଢାଞ୍ଚା ସ୍ଥାପନ କରାଯାଇଛି। ଏହି ବୈଠକର ଉଦ୍ଦେଶ୍ୟ ହେଉଛି ଭାରତୀୟ କ୍ରୀଡ଼ାପାଇଁ ଲାଭଦାୟକ ଏକ ଆଇନ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ଅଂଶୀଦାରଙ୍କ ଠାରୁ ବୁଝାମଣା, ପରାମର୍ଶ ଏବଂ ମତାମତ ସଂଗ୍ରହ କରିବା।

ଡ୍ରାଫ୍ଟ ବିଲ୍ ଉପରେ ଅଂଶୀଦାର ଏବଂ ସାଧାରଣ ଜନତା ସେମାନଙ୍କ ପରାମର୍ଶ ଏବଂ ମତାମତ ବାଣ୍ଟିବାକୁ ଉତ୍ସାହିତ ବୋଲି କେନ୍ଦ୍ରମନ୍ତ୍ରୀ ଦୋହରାଇଛନ୍ତି। ୨୫.୧୦.୨୦୨୪ ସୁଦ୍ଧା ଇମେଲ୍ ଆଇଡି draft.sportsbill[at]gov[dot]in  ମାଧ୍ୟମରେ ଏହି ମନ୍ତବ୍ୟ ଗୁଡିକ ମନ୍ତ୍ରଣାଳୟକୁ ପଠାଯାଇପାରିବ। ଡ୍ରାଫ୍‌ଟ ନ୍ୟାସନାଲ୍ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ବିଲ୍ କୁ  https://yas.nic.in/sports/draft-national-sports-governance-bill-2024-inviting-comments-suggestions-general-public-and ରେ ଦେଖା ଯାଇ ପାରିବ।

ଭାରତ ପାଇଁ ଏକ ପ୍ରଗତିଶୀଳ ଏବଂ ସ୍ଥାୟୀ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଢାଞ୍ଚା ଗଠନ ରେ ଆଥଲେଟ୍, ପ୍ରଶାସକ, ବିଶେଷଜ୍ଞ ଏବଂ ଜନସାଧାରଣଙ୍କ ସ୍ୱରକୁ ଅନ୍ତର୍ଭୁକ୍ତ କରିବା ସୁନିଶ୍ଚିତ କରିବା ଦିଗରେ ଡ୍ରାଫ୍ଟ ବିଲ୍ ଆଗେଇ ଚାଲିଥିବା ବେଳେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ବିଭିନ୍ନ ଅଂଶୀଦାରଙ୍କ ସହ ଯୋଗାଯୋଗ ଜାରି ରଖିବ।

Categories
ଆଜିର ଖବର ଜାତୀୟ ଖବର

ଭାରତର ଯୁବପିଢ଼ି ହିଁ ଆମର ଭବିଷ୍ୟତ ନିର୍ଣ୍ଣୟକାରୀ: କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ଏବଂ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଆଜି ନୂଆଦିଲ୍ଲୀଠାରେ ଜାତୀୟ ଯୁବ ପୁରସ୍କାର ବିଜେତା ଏବଂ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ପୁରସ୍କାରପ୍ରାପ୍ତ ବ୍ୟକ୍ତିମାନଙ୍କ ସହ ଏକ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ଅଧିବେଶନର ଉଦ୍ଦେଶ୍ୟ ହେଉଛି ଏହି ଯୁବ ନେତାଙ୍କ ଉପଲବ୍ଧିକୁ ପାଳନ କରିବା ଏବଂ ମୋ ଭାରତ ପ୍ଲାଟଫର୍ମକୁ ବଢାଇବା ପାଇଁ ରଣନୀତି ଉପରେ ଆଲୋଚନା କରିବା, ଏହା ସୁନିଶ୍ଚିତ କରିବା ଯାହା ଭାରତର ଯୁବକମାନଙ୍କ ପାଇଁ ଅଧିକ ସୁଲଭ ଏବଂ ଲାଭଦାୟକ ହେବ।

ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଏବଂ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି), ଜଳବାୟୁ ପରିବର୍ତ୍ତନ, ସହରାଞ୍ଚଳ ଯୋଜନା, ଯୁବ ସଶକ୍ତୀକରଣ, ନିଶା ଦ୍ରବ୍ୟ ଅପବ୍ୟବହାର ନିବାରଣ ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଭାବ ପକାଇଥିବା ପୁରସ୍କାର ବିଜେତାଙ୍କ ଅସାଧାରଣ ଅବଦାନକୁ ସ୍ୱୀକୃତି ଦେଇ ଡ. ମାଣ୍ଡଭିୟ ଏହି ଆଲୋଚନା ଆରମ୍ଭ କରିଥିଲେ। ଦେଶ ପାଇଁ ଏକ ସୁଦୃଢ଼ ଭବିଷ୍ୟତ ଗଠନ ପାଇଁ ଯୁବ ପ୍ରତିଭାଙ୍କୁ ଚିହ୍ନିବା ଏବଂ ପୋଷଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରି ଡ. ମାଣ୍ଡଭିୟ କହିଲେ, ଭାରତର ଯୁବବର୍ଗ ହେଉଛନ୍ତି ଆମର ଭବିଷ୍ୟତର ନିଷ୍ପତ୍ତି ଗ୍ରହଣକାରୀ ଏବଂ ସେମାନଙ୍କୁ ସଶକ୍ତ କରିବା ଦିଗରେ ଆମର ସାମୂହିକ ଯାତ୍ରା କୁ ନେଇ ମୁଁ ଉତ୍ସାହିତ।

ଆଲୋଚନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ମାଇଁ ଭାରତ ପ୍ଲାଟଫର୍ମରେ ଗଠନମୂଳକ ଯୁବ ଯୋଗଦାନ ପାଇଁ ଅଭିନବ ଏବଂ ସହଯୋଗୀ ଚିନ୍ତାଧାରା ଉପରେ ଗୁରୁତ୍ୱାରୋପ କରିଥିଲା।

ଏହି ପ୍ଲାଟଫର୍ମକୁ କିପରି ଅଧିକ ଇଣ୍ଟରଆକ୍ଟିଭ୍, ସୂଚନାପ୍ରଦ ଏବଂ ଆକର୍ଷଣୀୟ କରାଯାଇପାରିବ ସେ ନେଇ ଡକ୍ଟର ମାଣ୍ଡଭିୟ ପୁରସ୍କାର ବିଜେତାଙ୍କଠାରୁ ପରାମର୍ଶ ଆହ୍ୱାନ କରିଥିଲେ। ଅଧିକ ଡିଜିଟାଲ ଉପକରଣକୁ ଅନ୍ତର୍ଭୁକ୍ତ କରିବା, ଏହାକୁ ଯୁବ-ସମ୍ବନ୍ଧୀୟ ସମସ୍ତ ପଦକ୍ଷେପ ପାଇଁ ଏକ ସ୍ଥାୟୀ ସମାଧାନରେ ପରିଣତ କରିବା ଏବଂ ଆଶାୟୀ ଯୁବ ନେତାମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ମେଣ୍ଟରସିପ୍ ଏବଂ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ସୃଷ୍ଟି କରିବା ଭଳି ଚିନ୍ତାଧାରାକୁ ପୁରସ୍କୃତ କରାଯାଇଥିଲା।

ଯୁବ ଭାରତୀୟଙ୍କ ଆବଶ୍ୟକତା ଏବଂ ଆକାଂକ୍ଷାଗୁଡ଼ିକ ଯେପରି ଉପଯୁକ୍ତ ଭାବରେ ପୂରଣ ହୋଇପାରିବ ତାହା ସୁନିଶ୍ଚିତ କରିବା ପାଇଁ ଡ. ମାଣ୍ଡଭିୟ ଯୁବ ଏବଂ ମନ୍ତ୍ରଣାଳୟ ମଧ୍ୟରେ ନିରନ୍ତର ଆଲୋଚନାକୁ ଉତ୍ସାହିତ କରିଥିଲେ।

ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଡ. ମାଣ୍ଡଭିୟ ଦୋହରାଇଥିଲେ। ମାଇଁ ଭାରତ ପ୍ଲାଟଫର୍ମକୁ ଯୁବ ସଂପୃକ୍ତି ଏବଂ ବିକାଶର ମୂଳଦୁଆ ରେ ପରିଣତ କରିବା ପାଇଁ ଏକ ସାମୂହିକ ଦୃଷ୍ଟିକୋଣ ସହିତ ଆଲୋଚନା ଶେଷ ହୋଇଥିଲା। ଡ. ମାଣ୍ଡଭିୟ ଭବିଷ୍ୟତ ଏବଂ ଭାରତକୁ ପ୍ରଗତି ଏବଂ ନବସୃଜନ ଦିଗରେ ଆଗେଇ ନେବାରେ ଯୁବଗୋଷ୍ଠୀଙ୍କ ପରିବର୍ତନ ଶକ୍ତି ଉପରେ ତାଙ୍କର ବିଶ୍ୱାସ ବିଷୟରେ ଆଶାବାଦୀ ଥିଲେ।

ଏହି ଆଲୋଚନାରେ ଯୁବ ବ୍ୟାପାର ବିଭାଗ ସଚିବ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଅଙ୍ଗ ଦାନ ନୀତିର ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ: ଅଙ୍ଗ ଦାନ ଏବଂ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଦୂରଦୃଷ୍ଟି ସମ୍ପନ୍ନ ଗଠନମୂଳକ ସଂସ୍କାର ଆସିବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାରଙ୍କ ଉପସ୍ଥିତିରେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଅଙ୍ଗ ଦାନ ଏବଂ ପ୍ରତିରୋପଣର ସ୍ଥିତି ସମୀକ୍ଷା କରିବାବେଳେ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ୍‍ କାର୍ଯ୍ୟକ୍ରମର ୯୯ ତମ ଏପିସୋଡରେ ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ଅଙ୍ଗ ଦାନ କରିବାକୁ ଆଗେଇ ଆସିବାଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହା ଦେଶରେ ଅଙ୍ଗ ଦାନ ପାଇଁ ଏକ ନୂତନ ଉତ୍ସାହ ସୃଷ୍ଟି କରିଛି।

ଦେଶରେ ମୋଟ ଅଙ୍ଗ ପ୍ରତିରୋପଣ ସଂଖ୍ୟା ୨୦୧୩ ରେ ୫୦୦୦ ରୁ ବୃଦ୍ଧି ହୋଇ ୨୦୨୨ ମସିହାରେ ୧୫୦୦୦ ରୁ ଅଧିକ ହୋଇପାରିଛି। ବର୍ତ୍ତମାନ ଜାତୀୟ ସ୍ତରରେ ଅର୍ଗାନ ଆଣ୍ଡ ଟିସୁ ନେଟୱାର୍କ (ଏନ୍‍ଓଟିଟିଓ), ଆଞ୍ଚଳିକ ସ୍ତରରେ (ଆରଓଟିଟିଓ) ଏବଂ ରାଜ୍ୟ ସ୍ତରରେ (ଏସ୍‍ଓଟିଟିଓ) ମାଧ୍ୟମରେ ଉନ୍ନତ ସମନ୍ୱୟ ହେତୁ ମୃତଦାତାଙ୍କ ଠାରୁ ମିଳୁଥିବା ଅଙ୍ଗ ବ୍ୟବହାର କରାଯାଉଛି। ୨୦୧୬ ମସିହାରେ ୯୩୦ ମୃତ ଦାତାମାନଙ୍କଠାରୁ ମିଳିଥିବା ୨୨୬୫ ଅଙ୍ଗ ବ୍ୟବହାର କରାଯାଇଥିଲାବେଳେ ୨୦୨୨ ମସିହାରେ ୯୦୪ ମୃତ ଦାତାମାନଙ୍କ ମଧ୍ୟରୁ ୨୭୬୫ ଅଙ୍ଗ ବ୍ୟବହାର କରାଯାଇପାରିଛି।

ହସ୍ପିଟାଲରେ ଅଙ୍ଗ ଦାନ ଏବଂ ପ୍ରତିରୋପଣ କାର୍ଯ୍ୟକ୍ରମ କରିବା ପାଇଁ ପ୍ରତିରୋପଣ ମାନୁଆଲ ଏବଂ ପ୍ରତିରୋପଣ ସମନ୍ୱୟ ରକ୍ଷାକାରୀଙ୍କ ତାଲିମ ପାଇଁ ଏକ ଷ୍ଟାଣ୍ଡାର୍ଡ ପାଠ୍ୟକ୍ରମରେ ଏନ୍‍ଓଟିଟିଓ କାର୍ଯ୍ୟ କରୁଛି। ଏହି ଉଭୟ ଦସ୍ତାବିଜ୍‍ ସଂପୂର୍ଣ୍ଣ ହୋଇ ଖୁବ ଶୀଘ୍ର ପ୍ରକାଶ ପାଇବ।

ଯୋଜନାର ଉତ୍ତମ କାର୍ଯ୍ୟକାରିତା ପାଇଁ ଏନଓଟିଟିଓ ରେ ସମନ୍ୱୟ, ଆଇଇସି, ତାଲିମ ଏବଂ ଏଚ୍‍ଆର / ଆକାଉଣ୍ଟ ପାଇଁ ଚାରୋଟି ସମାନ୍ତରାଳ ବ୍ୟବସ୍ଥା ସୃଷ୍ଟି କରାଯାଇଛି। ସମ୍ପ୍ରତି, ଭାରତ ସରକାର ସେହି କେନ୍ଦ୍ରୀୟ କର୍ମଚାରୀଙ୍କୁ ୪୨ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଛୁଟି ପ୍ରଦାନ କରୁଛନ୍ତି, ଯେଉଁମାନେ ଅନ୍ୟ ମଣିଷକୁ ଜନସାଧାରଣଙ୍କ ସ୍ୱାର୍ଥ ଏବଂ ଏକ ବିଶେଷ କଲ୍ୟାଣକାରୀ ପଦକ୍ଷେପ ଭାବରେ ଅଙ୍ଗ ଦାନ କରିଥାନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟ ଦେଶରେ ଅଙ୍ଗ ଦାନ ବୃଦ୍ଧି ଏବଂ ପ୍ରତିରୋପଣ ଦିଗରେ ନୀତିଗତ ସଂସ୍କାର ପାଇଁ ଅନ୍ତର୍ଜାତୀୟ ସର୍ବୋତ୍ତମ ଅଭ୍ୟାସରୁ ଶିକ୍ଷା ଗ୍ରହଣ କରୁଛନ୍ତି।

Categories
ବିଶେଷ ଖବର

ଅତ୍ୟାବଶ୍ୟକୀୟ ଔଷଧଗୁଡ଼ିକର ଜାତୀୟ ସ୍ତରୀୟ ତାଲିକା, ୨୦୨୨ ଉନ୍ମୋଚନ କଲେ ଡ. ମନସୁଖ ମାଣ୍ଡଭିୟ

ଦିଲ୍ଲୀ: “କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁସାରେ ବିଭିନ୍ନ ପଦକ୍ଷେପ ନେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ସମସ୍ତଙ୍କୁ ଔଷଧ, ଶସ୍ତାରେ ଔଷଧ ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି। ଏହି ଦିଗରେ, ଆବଶ୍ୟକ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା (ଏନ୍ଏଲ୍ଇଏମ୍) ସ୍ୱାସ୍ଥ୍ୟ ସେବାର ସମସ୍ତ ସ୍ତରରେ ଶସ୍ତା ଗୁଣବତା ସମ୍ପନ୍ନ ଔଷଧ ଗୁଡିକର ପହଂଚକୁ ସୁନିଶ୍ଚିତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହା କମ୍ ମୂଲ୍ୟର, ଗୁଣବତାପୂର୍ଣ୍ଣ ଔଷଧକୁ ପ୍ରୋତ୍ସାହିତ କରିବ ଏବଂ ନାଗରିକ ମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ହେବାକୁ ଥିବା ଖର୍ଚ୍ଚ କମ କରିବା କ୍ଷେତ୍ରରେ ଯୋଗଦାନ ଦେବ। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଆଜି ଏହି ଆବଶ୍ୟକ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା (ଏନ୍ଏଲ୍ଇଏମ୍) ୨୦୨୨ର ଶୁଭାରମ୍ଭ କରି ଏହି କଥା କହିଥିଲେ। ଏହି ତାଲିକାରେ ୩୪ଟି ଔଷଧକୁ ମିଶାଇ ୩୮୪ଟି ଔଷଧକୁ ସାମିଲ୍ କରା ଯାଇଛି, ଯେତେବେଳେ କି ପୂର୍ବ ତାଲିକାରୁ ୨୬ଟି ଔଷଧକୁ ବାଦ୍ ଦିଆ ଯାଇଛି । ଏହି ଔଷଧ ଗୁଡିକୁ ୨୭ଟି ଶ୍ରେଣୀରେ ବର୍ଗୀକୃତ କରାଯାଇଛି।

ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, ଆବଶ୍ୟକ ଔଷଧ ଗୁଡ଼ିକ ହେଉଛି ତାହା, ଯାହା ଉପଚାରର ପ୍ରଭାବ, ସୁରକ୍ଷା, ଗୁଣବତା ଏବଂ ସମୁଦାୟ ଖର୍ଚ୍ଚର ଆଧାରରେ ପ୍ରାଥମିକ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଆବଶ୍ୟକତା ଗୁଡିକୁ ପୂରଣ କରିଥାଏ। ଏନ୍ଏଲ୍ଇଏମ୍ର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ତିନୋଟି ମହତ୍ୱପୂର୍ଣ୍ଣ ପଦକ୍ଷେପ ଅର୍ଥାତ୍ ଖର୍ଚ୍ଚ, ସୁରକ୍ଷା ଏବଂ ପ୍ରଭାବକୁ ବିଚାର କରି ଔଷଧ ଗୁଡିକର ଯୁକ୍ତିସଙ୍ଗତ ବ୍ୟବହାରକୁ ପ୍ରୋତ୍ସାହନ ଯୋଗାଇବା। ଏହା ସ୍ୱାସ୍ଥ୍ୟର ଯତ୍ନ ପାଇଁ ଆବଶ୍ୟକ ସମ୍ବଳ ଗୁଡିକ ତଥା ବଜେଟ୍ର ସର୍ବାଧିକ ବ୍ୟବହାରରେ ମଧ୍ୟ ସାହାଯ୍ୟ କରିଥାଏ; ଔଷଧ କ୍ରୟ କରିବାର ନୀତି ନିୟମ, ସ୍ୱାସ୍ଥ୍ୟ ବୀମା, ଅନୁମୋଦନ କରିବାର ଅଭ୍ୟାସରେ ଉନ୍ନତି; ୟୁଜି / ପିଜି ନିମନ୍ତେ ଚିକିତ୍ସା ଶିକ୍ଷା ଏବଂ ପ୍ରଶିକ୍ଷଣ; ଏବଂ ଫାର୍ମାସ୍ୟୁଟିକାଲ୍ ନୀତି ନିୟମ ଗୁଡିକ ପ୍ରସ୍ତୁତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏନ୍ଏଲ୍ଇଏମ୍ରେ, ଔଷଧ ଗୁଡିକୂ ସ୍ୱାସ୍ଥ୍ୟ ଯତ୍ନ ପ୍ରଣାଳୀର ସ୍ତର ଆଧାରରେ ବର୍ଗୀକୃତ କରା ଯାଇଥାଏ। ପି – ପ୍ରାଥମିକ: ଏସ୍ – ମାଧ୍ୟମିକ ଏବଂ ଟି – ଆନୁଷଙ୍ଗିକ।

ସେ ଏହାକୁ ବିସ୍ତାରରେ କହିଥିଲେ ଯେ, ଏହି ଅବଧାରଣା ଏହା ଉପରେ ଆଧାରିତ ଅଟେ ଯେ ସାବଧାନତା ସହିତ ବଛା ଯାଇଥିବା ଏକ ସୀମିତ ସୂଚୀ ସ୍ୱାସ୍ଥ୍ୟ ଯତ୍ନର ଗୁଣବତାରେ ସୁଧାର ଆଣିବ, ଶସ୍ତାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବ ଏବଂ ଔଷଧ ଗୁଡିକର ଉନ୍ନତ ପରିଚାଳନା କରିବ। ସେ କହିଥିଲେ ଯେ ଏନ୍ଏଲ୍ଇଏମ୍ ଏକ ଗତିଶୀଳ ଦସ୍ତାବିଜ୍ ଅଟେ ଏବଂ ପରିବର୍ତିତ ସ୍ୱାସ୍ଥ୍ୟ ପ୍ରାଥମିକତା ଗୁଡିକ ସହିତ ଫାର୍ମାସ୍ୟୁଟିକାଲ୍ ଜ୍ଞାନରେ ପ୍ରଗତିକୁ ଦେଖି ଏହାକୁ ନିୟମିତ ଆଧାରରେ ସଂଶୋଧିତ କରା ଯାଇଥାଏ। ଆବଶ୍ୟକୀୟ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା ପ୍ରଥମ ଥର ପାଇଁ ୧୯୯୬ରେ ପ୍ରସ୍ତୁତ କରା ଯାଇଥିଲା ଏବଂ ଏହାକୁ ପୂର୍ବରୁ ତିନି ଥର ୨୦୦୩, ୨୦୧୧ ଏବଂ ୨୦୧୫ରେ ସଂଶୋଧିତ କରା ଯାଇଥିଲା।

“ଚିକିତ୍ସା ଉପରେ ସ୍ୱତନ୍ତ୍ର ସ୍ଥାୟୀ ଜାତୀୟ ସମିତି (ଏସ୍ଏନ୍ସିଏମ୍)ର ଗଠନ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ୨୦୧୮ରେ କରା ଯାଇଥିଲା। ସମିତି ବିଶେଷଜ୍ଞ ମାନଙ୍କ ସହିତ ଏବଂ ହିତଧାରକ ମାନଙ୍କ ସହିତ ବ୍ୟାପକ ପରାମର୍ଶ କରିବା ପରେ ଏନ୍ଏଲ୍ଇଏଏମ୍, ୨୦୧୫ରେ ସଂଶୋଧନ ହୋଇଥିଲା ଏବଂ ଏନ୍ଏଲ୍ଇଏମ୍, ୨୦୨୨ରେ ଏହାର ରିପୋର୍ଟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିକଟରେ ଦାଖଲ କରିଥିଲା। ଭାରତ ସରକାର ସମିତିର ସୁପାରିସ ଗୁଡିକୁ ଗ୍ରହଣ କରିଛନ୍ତି ଏବଂ ଏହି ତାଲିକାକୁ ସ୍ୱୀକାର କରି ନେଇଛନ୍ତି ବୋଲି ସେ କହିଥିଲେ।

ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଏନ୍ଏଲ୍ଇଏମ୍ର ନିର୍ମାଣର ପ୍ରକ୍ରିୟା ହିତଧାରକ ମାନଙ୍କ ଠାରୁ ଆରମ୍ଭ କରି ବେଜ୍ଞାନିକ ଉତ୍ସ ଗୁଡିକ ଦ୍ୱାରା ସମର୍ଥିତ ପ୍ରତିକ୍ରିୟା/ଫିଡ୍ବ୍ୟାକ୍ ଏବଂ ଗ୍ରହଣ କରା ଯାଇଥିବା ସମାବେଶ/ବହିଷ୍କରଣ ସିଦ୍ଧାନ୍ତ ଉପରେ ନିର୍ଭର କରିଥାଏ।

ସଂଶୋଧିତ ଏନ୍ଏଲ୍ଇଏମ୍, ଯାହା ଦେଶକୁ ନିଜର ନାଗରିକ ମାନଙ୍କୁ ଶସ୍ତା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଦିଗରେ ଆଗକୁ ନେଇଯିବ, ତାହା ପାଇଁ ହିତଧାରକ ମାନଙ୍କୁ ଶୁଭେଚ୍ଛା ଜଣେଇ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡଃ ଭାରତୀ ପ୍ରବୀଣ ପାୱାର ରୋଗାଣୁରୋଧୀ ପ୍ରତିରୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା “ଏକ ବଡ଼ ଆହ୍ୱାନ ରୂପରେ ମୁଣ୍ଡ ଟେକୁଛି । ଆମର ବୈଜ୍ଞାନିକ ମାନଙ୍କ ପାଇଁ ଏବଂ ସାଧାରଣ ଲୋକଙ୍କ ପାଇଁ ଏହା ଏକ ବଡ ଆହ୍ୱାନ ଅଟେ ଏବଂ ଆମକୁ ଏଏମ୍ଆର୍ ସମ୍ପର୍କରେ ସମାଜରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି।

ଏନ୍ଏଲ୍ଇଏମ୍ ୨୦୨୨ର ସଂଶୋଧନ ଶିକ୍ଷାବିତ ମାନଙ୍କୁ, ଉଦ୍ୟୋଗପତି ମାନଙ୍କୁ ଏବଂ ସାର୍ବଜନୀନ ନୀତି ବିଶେଷଜ୍ଞ ଇତ୍ୟାଦି ମାନଙ୍କ ସହିତ ଜଡିତ ହିତଧାରକ ମାନଙ୍କୁ ଏବଂ ଡବ୍ଲ୍ୟୁଏଚ୍ଓ ଇଏମ୍ଏଲ୍ ୨୦୨୧ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗୁଡିକ ସହିତ ନିରନ୍ତର ପରାମର୍ଶ ପରେ କରା ଯାଇଛି।

ଏନ୍ଏଲ୍ଇଏମ୍ରେ ସାମିଲ୍ କରିବା ନିମନ୍ତେ ନିମ୍ନଲିଖିତ ମାନଦଣ୍ଡ ଗୁଡିକ ପାଳନ କରା ଯାଇଥାଏ:

୧. ଭାରତରେ ଯାହା ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ଅଟେ, ସେହିସବୁ ରୋଗ ପାଇଁ ଉପଯୋଗୀ।
୨. ଲାଇସେନ୍ସ/ଅନୁମୋଦିତ ଔଷଧ ମହାନିୟନ୍ତ୍ରକ (ଭାରତ) (ଡିସିଜିଆଇ)ଙ୍କ ଦ୍ୱାରା ହେବ।
୩. ବୈଜ୍ଞାନିକ ପ୍ରମାଣ ଗୁଡିକର ଆଧାର ଉପରେ ପ୍ରଭାବକାରିତା ଏବଂ ସୁରକ୍ଷା ପ୍ରୋଫାଇଲ୍ ପ୍ରମାଣିତ କରିଥିବ।
୪. ତୁଳନାତ୍ମକ ଭାବେ ଶସ୍ତା ହୋଇଥିବ।
୫. ବର୍ତମାନ ଉପଚାର ମାର୍ଗଦର୍ଶିକା ଅନୁସାରେ ହୋଇଥିବ।
୬. ଭାରତର ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଗୁଡିକ ଅଧୀନରେ ସୁପାରିସକୃତ (ଉଦାହରଣ ସ୍ୱରୂପ ଲିମ୍ଫାଟିକ୍ ଫାଇଲେରିଆ ୨୦୧୮ର ଉନ୍ମୁଳନ ନିମନ୍ତେ ତୁରନ୍ତ ଯୋଜନାର ଇଭରମେକ୍ଟିନ ଅଂଶ ବିଶେଷ)।
୭. ଯେତେବେଳେ ଗୋଟିଏ ଚିକିତ୍ସିକୀୟ ବର୍ଗରୁ ଏକାଧିକ ଔଷଧ ଉପଲବ୍ଧ ହୋଇଥାଏ, ତେବେ ସେହି ବର୍ଗର ଏକ ପ୍ରୋଟୋଟାଇପ୍ / ଚିକିତ୍ସିକୀୟ ରୂପରେ ସବୁଠାରୁ ଉପଯୁକ୍ତ ଔଷଧ ସାମିଲ୍ ହେବା ଉଚିତ୍।
୮. ସମୁଦାୟ ଉପଚାରର ମୂଲ୍ୟ ଉପରେ ବିଚାର କରା ଯାଇଥାଏ, କେବଳ କୌଣସି ଗୋଟିଏ ଔଷଧର ମୂଲ୍ୟ ଉପରେ ନୁହେଁ।
୯. ସ୍ଥିରୀକୃତ ଅନୁପାନର ସମଷ୍ଟି ଗୁଡ଼ିକୁ ଏଥିରେ ସାଧାରଣତଃ ସାମିଲ୍ କରାଯାଇ ନଥାଏ।
୧୦. ଯେତେବେଳେ କୌଣସି ଟୀକାକୁ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ (ଯେମିତି ରୋଟାଭାଇରସ୍ ଟୀକା) ରେ ସାମିଲ୍ କରା ଯାଇଥାଏ, ତାହା ସେତେବେଳେ ସେହି କାମ କରିଥାଏ।

ଏନ୍ଏଲ୍ଇଏମ୍ ୨୦୨୨କୁ ଏହି ଠାରେ ଦେଖି ହେବ:

https://cdsco.gov.in/opencms/opencms/system/modules/CDSCO.WEB/elements/download_file_division.jsp?num_id=OTAxMQ==

ରାଜେଶ ଭୂଷଣ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଡଃ ଭି. ଜି. ସୋମାନୀ, ଡିସିଜିଆଇ, ଡଃ. ମନଦୀପ କୁମାର ଭଣ୍ଡାରୀ, ଯୁଗ୍ମ ସଚିବ, ଡଃ ୱାଇ. କେ. ଗୁପ୍ତା, ଉପାଧ୍ୟକ୍ଷ ଏସ୍ଏନ୍ସିଏମ୍ ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାର ଅଭାବ ଗୁଜବକୁ ଖଣ୍ଡନ କଲେ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ: ଦେଶରେ ସାର ଅଭାବ ଜନିତ ଗୁଜବକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ।

ଏଭଳି ଦାବିକୁ ନିର୍ଦ୍ଦିଷ୍ଟ ଭାବେ ଖଣ୍ଡନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ସେ ନଭେମ୍ବର ମାସର ସାର ଉତ୍ପାଦନ ଲକ୍ଷ୍ୟ ସମୀକ୍ଷା କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କର ଚାହିଦା ତୁଳନାରେ ଉତ୍ପାଦନ ବୃଦ୍ଧି ପାଇବ। ୪୧ ଲକ୍ଷ ମେଟ୍ରିକ ଟନ୍ ୟୁରିଆ ଆବଶ୍ୟକ ଥିବା ବେଳେ ୭୬ ଲକ୍ଷ ମେଟ୍ରିକ ଟନ୍ ୟୁରିଆ ଉତ୍ପାଦନ କରାଯିବ। ଅନୁରୂପ ଭାବେ ୧୮ ଲକ୍ଷ ମେଟ୍ରିକ ଟନ୍ ଡିଏପି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଚାହିଦା ପରିମାଣ ୧୭ ଲକ୍ଷ ମେଟ୍ରିକ ଟନ୍ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ୧୫ ଲକ୍ଷ ମେଟ୍ରିକ ଟନ୍ ଏନପିକେର ଚାହିଦା ରହିଥିବା ବେଳେ ୩୦ ଲକ୍ଷ ମେଟ୍ରିକ ଟନ୍ ଏନପିକେ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ସାର ମହଜୁଦ କରି ନରଖିବା ଲାଗି କେନ୍ଦ୍ରମନ୍ତ୍ରୀ ସମସ୍ତ ଚାଷୀ ଭାଇମାନଙ୍କୁ ଅନୁରୋଧ କରିଛନ୍ତି। ଗୁଜବ ସୃଷ୍ଟିକାରୀଙ୍କ ପ୍ରତି ଧ୍ୟାନ ନଦେବା ପାଇଁ ସେ ନିବେଦନ କରିଛନ୍ତି। ଗୁଜବକୁ ଢାଲ କରି ସାର କଳାବଜାର କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାଇ ଦେଇଛନ୍ତି।

ଶ୍ରୀ ମାଣ୍ଡଭିୟ ଆଶ୍ବାସନା ଦେଇ କହିଛନ୍ତି ଯେ ଦେଶରେ ଯଥେଷ୍ଟ ପରିମାଣରେ ସାରା ଉତ୍ପାଦନ ଏବଂ ପରିବହନ ଉପରେ କେନ୍ଦ୍ର ସରକାର ଧ୍ୟାନ ରଖିଛନ୍ତି। ଚାଷୀମାନଙ୍କୁ ଯଥେଷ୍ଟ ପରିମାଣର ସାର ଯୋଗାଣ ସୁନିଶ୍ଚିତ କରିବା ଲାଗି ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।