Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ପାଇଁ ଗୃହରେ ଦାବୀ କଲେ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପ୍ୟାହା ମାନ୍ୟତା ମିଳିଲା ନାହିଁ, ହେଲେ ବିଜେଡି ଏବେ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ପାଇଁ ଅଣ୍ଟା ଭିଡିଛି। କୌଣସି ମାଧ୍ୟମରେ ହେଉ ନା କାହିଁକି ରାଜ୍ୟର ବିକାଶ ପାଇଁ ଦଳ ତରଫରୁ ଚାଲିଛି ଉଦ୍ୟମ। ସେଥିପାଇଁ ଆଜି ଏ ନେଇ ରାଜ୍ୟସଭାରେ ଦାବୀ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଓଡିଶାକୁ ଫୋକସ ରାଜ୍ୟ ମାନ୍ୟତା ଦେବା ପାଇଁ ସସ୍ମିତ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି।

ସେ କହିଛନ୍ତି ଯେ, ଓଡିଶା ହେଉଛି ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ରାଜ୍ୟ। ପ୍ରତି ବର୍ଷ ଓଡିଶାର ବାତ୍ୟା ବନ୍ୟା ପରି ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଗତ କିଛି ବର୍ଷ ଧରି ରାଜ୍ୟରେ ପ୍ରତିବର୍ଷ ଛୋଟବଡ ବାତ୍ୟାର ସମ୍ମୁଖୀନ ହେଉଛି। ଏହି ସମୟରେ ରାଜ୍ୟକୁ ବାତ୍ୟା କ୍ଷୟକ୍ଷତିକୁ ଭରଣା କରିବା କଷ୍ଟକର ବ୍ୟାପାର। କେନ୍ଦ୍ର ସରକାର ସାହାଯ୍ୟ କରୁଥିଲେ ମଧ୍ୟ ତାହା କେବଳ କ୍ଷୟକ୍ଷତି ଭରଣାକୁ ମଧ୍ୟ ପର୍ଯ୍ୟାପ୍ତ ହେଉ ନାହିଁ। ସେଥିପାଇଁ ରାଜ୍ୟ ସରକାରଙ୍କୁ ନିଜ ରାଜକୋଷରୁ ଅଧିକ ବିନିଯୋଗ କରିବାକୁ ପଡୁଛି।

ଏହି ବିନିଯୋଗ କରିବା ପରେ ରାଜ୍ୟରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରିବାକୁ ସେହି ସମୟରେ ପାଣ୍ଠିର ଅଭାବ ରହୁଛି। କାରଣ କେନ୍ଦ୍ରୀୟ ଯୋଜନାରେ ରାଜ୍ୟର ଯେଉଁ ଅଂଶ ରହିଛି ତାହା ଭରଣା କରିବାରେ ଅସୁବିଧା ହେଉଛି।  ସେଥିପାଇଁ ଓଡିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ ଘୋଷଣା କରାଗଲା ଏହି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ସହିତ କେନ୍ଦ୍ରୀୟ ଯୋଜନା ଲାଗୁ କରିବାରେ ଓଡିଶା ସକ୍ଷମ ହେବ ବୋଲି ସସ୍ମିତ ଗୃହରେ ଦାବୀ ଉପସ୍ଥାପନା କରିିଛନ୍ତି।

ସେ କହିଛନ୍ତି ଯେ ଫୋକସ ରାଜ୍ୟ ଘୋଷଣା ହେଲେ କେନ୍ଦ୍ରୀୟ ଉନ୍ନୟନ ଯୋଜନାରେ କେନ୍ଦ୍ର ରାଜ୍ୟର ଯେଉଁ ଅଂଶ ରହିଛି ତାହା ହ୍ରାସ ପାଇବ। ବର୍ତ୍ତମାନ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଦେଉଥିବା ବେଳେ ରାଜ୍ୟକୁ ୪୦ ପ୍ରତିଶତ ଦେବାକୁ ପଡୁଛି। ହେଲେ ବିପର୍ଯ୍ୟୟ ସମୟରେ ଏହି ୪୦ ପ୍ରତିଶତ ଅଂଶ ରାଜ୍ୟ ତରଫରୁ ଭରଣା କରିବା କଷ୍ଟକର ହେଉଛି। ଫୋକସ ରାଜ୍ୟ ଘୋଷଣା ହେଲେ ଏହା ୯୦/ ୧୦ ପ୍ରତିଶତକୁ ଖସି ଆସିବ। ଅର୍ଥାତ କେନ୍ଦ୍ର ସରକାର ୯୦ ପ୍ରତିଶତ ଦେବା ବେଳେ ରାଜ୍ୟ ୧୦ ପ୍ରତିଶତ ଦେବ। ଏହା କେବଳ ପ୍ରାକୃତିକ ବିପର୍ଯ୍ୟୟ ହେବାର ତିନି ବର୍ଷ ପର୍ଯ୍ୟନ୍ତ ଲାଗୁ ହେବ। ଫଳରେ ରାଜ୍ୟର ଅନ୍ୟ ବିକାଶ କାର୍ଯ୍ୟ ବେଶ ତ୍ବରାନିତ ହୋଇପାରିବ ବୋଲି ସେ ଜଣାଇଥିଲେ।

ଏ ନେଇ ପୂର୍ବରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ନିକଟରେ ଦାବୀ ଉପସ୍ଥାପନା କରିଛନ୍ତି ବୋଲି ସସ୍ମିତ କହିଛନ୍ତି। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ଦାବୀ ମଧ୍ୟ ରଖିଛନ୍ତି। ସେଥିପାଇଁ କେନ୍ଦ୍ର ଏହା ଉପରେ ବିଚାର କରି ଓଡିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦେବାକୁ ଦାବୀ କରିଥିଲେ । ପୂର୍ବରୁ ମଧ୍ୟ ସସ୍ମିତ ଓଡିଶାକୁ ଏହି ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦିଆଯାଉ ବୋଲି ରାଜ୍ୟସଭାରେ ଦାବୀ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମହିଳା ସଂରକ୍ଷଣ ବିଲ ପାଶ କରାଇବାକୁ ରାଜ୍ୟସଭାରେ ଦାବୀ କଲେ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଦେଶରେ ମହିଳା ସଂରକ୍ଷଣ ବିଲକୁ ପାଶ କରାଇବା ପାଇଁ ପଦକ୍ଷେପ ନେବାକୁ ଆଜି ରାଜ୍ୟସଭାରେ ଦାବୀ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଆଜି ସ୍ବତନ୍ତ୍ର ଉପସ୍ଥାପନା ବା ସ୍ପେଶାଲ ମେନସନ ମାଧ୍ୟମରେ ଏହି ଦାବୀ କରିଛନ୍ତି। ରାଜ୍ୟସଭାରେ ହଟ୍ଟଗୋଳ ମଧ୍ୟରେ ସେ ଏହି ଦାବ କରିଛନ୍ତି।

ସସ୍ମିତ କହିଛନ୍ତି ଯେ, ମୋର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଆଗରୁ ଦାବୀ କରିଆସୁଛନ୍ତି। ଏପରିକି ଆମ ଦଳ ବିଜୁ ଜନତା ଦଳ ତରଫରୁ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରାଯାଇଛି। ଏପରିକି ଆମ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶର ବିଜେଡିର ୨୨ଜଣିଆ ପ୍ରତିନିଧୀ ଦଳ ବିଭିନ୍ନ ରାଜ୍ୟ ଗସ୍ତ କରି ଏହି ବିଲକୁ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ।

ଭାରତ ଯଦି ଏହି ବିଲକୁ ଲାଗୁ କରେ ତେବେ ବିଶ୍ବରେ ଏକ ଇତିହାସ ସୃଷ୍ଟି କରିବା ସହିତ ଦେଶର 66 କୋଟି ମହିଳା ବେଶ ଉପକୃତ ହୋଇପାରନ୍ତେ। ସସ୍ମିତଙ୍କ ଏହି ଦାବୀକୁ ରାଜ୍ୟସଭା ସଭାପତି ଜଗଦୀପ ଧାନଖଡ ବେଶ ପ୍ରଶଂସା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର ୧୬୯ ଆଦିମ ଜନଜାତିଙ୍କୁ ମାନ୍ୟତା ପାଇଁ ରାଜ୍ୟସଭାରେ ଦାବୀ କଲେ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଓଡିଶାର ୧୬୯ଟି ଜନଜାତି ସଂପ୍ରଦାୟଙ୍କୁ ମାନ୍ୟତା ଦେବା ପାଇଁ ମଙ୍ଗଳବାର ଦିନ ରାଜ୍ୟସଭାରେ ଦାବୀ କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର। ଛିତଶଗଡର ଜନଜାତି ସଂଶୋଧନ ବିଲ ପାଶକୁ ସମର୍ଥନ କରି ଡ ପାତ୍ର ଏହି ଦାବୀ କରିଛନ୍ତି। ବିଜେଡି ଏହି ବିଲକୁ ସଂପୂର୍ଣ୍ଣ ସମର୍ଥନ କରୁଛି, ହେଲେ ଦୀର୍ଘଦିନ ଧରି ଓଡିଶାର ଆଦିମ ଜନଜାତି ପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦିଅନ୍ତୁ ବୋଲି ସେ ଦାବୀ କରିଥିଲେ।

ଡ. ପାତ୍ର କହିଥିଲେ ଯେ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ସେ ବହୁବାର ଦାବୀ କରିଛନ୍ତି। ସେ ଏ ସଂକ୍ରାନ୍ତରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ହେଲେ ଏ ପର‌୍ୟ୍ୟନ୍ତ ତାହା କାର‌୍ୟ୍ୟକାରୀ ହୋଇପାରିଲା ନାହିଁ। ଅନ୍ୟପକ୍ଷରେ ହୋ ଏବଂ ମୁଣ୍ଡାରୀ ପରି କେତେକ ଜନଜାତି ଭାଷାକୁ ମଧ୍ୟ କେନ୍ଦ୍ର ସରକାର ମାନ୍ୟତା ପ୍ରଦାନ କରୁ ନାହିଁନ୍ତି। ଏଥି ପ୍ରତି ଜନଜାତି କଲ୍ୟାଣ ମନ୍ତ୍ରୀ ଧ୍ୟାନ ଦେବାକୁ ସେ ଅନୁରୋଧ କରିଥିଲେ।

ଏହି ବିଲକୁ ସମର୍ଥନ କରି ସେ ଜନଜାତି କଲ୍ୟାଣ ପାଇଁ କେତେକ ପ୍ରସ୍ତାବ ମଧ୍ୟ ଆଗତ କରିଥିଲେ। ସେ କହିଥିଲେ ଯେ, ଜନଜାତିର ମୁଖ୍ୟ ରୋଜଗାର ମାଧ୍ୟମ ହେଉଛି କେନ୍ଦୁପତ୍ର। ହେଲେ ଦୁଃଖର କଥା ଏହି କେନ୍ଦୁପତ୍ର ଉପରେ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସଟି ନେଉଛନ୍ତି। ଏହା ଜନଜାତି ମନ୍ତ୍ରଣାଳୟ ଅଧିନର ନ ଥିଲେ ମଧ୍ୟ ଏହି ଜିଏସଟି ଛାଡ କରିବା ପାଇଁ ମୁଁ ସଂସଦ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି।

ସେହିପରି ଜନଜାତି କଲ୍ୟାଣ ପାଇଁ ଡ ପାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମଧ୍ୟ ଗୃହରେ ଉଠାଇଥିଲେ। ସେ କହିଥିଲେ ଯେ, ଅନେକ ଜନଜାତୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କ ପାଇଁ ଭଲ ଘରଟିଏ ମିଳିପାରୁ ନାହିଁ। ସେଥିପାଇଁ ଏହିମାନଙ୍କର ଉନ୍ନତି ପାଇଁ କେନ୍ଦ୍ର ସରକାର ଧ୍ୟାନ ଦେବେ ବୋଲି ସେ ଗୃହ ମଧ୍ୟରେ ଅନୁରୋଧ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର ଶିକ୍ଷାନୁଷ୍ଠାନ ମୂଲ୍ୟାୟନ ନେଇ କେନ୍ଦ୍ରକୁ ଦୋଷ ଦେଲା ବିଜେଡି, କହିଲା ଶିକ୍ଷାରେ ହେଉଛି ରାଜନୀତି

ଭୁବନେଶ୍ୱର : ଓଡିଶାର ଶିକ୍ଷାନୁଷ୍ଠାନଗୁଡିକର ମୂଲ୍ୟାୟନ କ୍ଷେତ୍ରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରାଜନୀତି କରୁଛନ୍ତି। ଗ୍ରାମୀଣ ଗୃହନିର୍ମାଣ, ମନରେଗା, ଦକ୍ଷତା ବିକାଶ, କ୍ରୀଡ଼ା ପ୍ରୋତ୍ସାହନ, ବିପର୍ଯ୍ୟୟ ପରିଚାଳନା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓଡିଶା କେନ୍ଦ୍ର ସରକାରଙ୍କ ଦ୍ୱାରା ପୁରସ୍କୃତ ହେଉଥିବାବେଳେ ଶିକ୍ଷା କ୍ଷେତ୍ରରେ ଏଭଳି ର‌୍ୟାଙ୍କିଂ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଥିବା କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର।

ଡକ୍ଟର ପାତ୍ର କହିଛନ୍ତି ଯେ ଓଡିଶାରେ ପ୍ରାୟ ୮୦୦୦ ହାଇସ୍କୁଲରେ ରୂପାନ୍ତରଣ କରାଯାଉଛି ଯାହାକି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରୁଛି। ଓଡ଼ିଶା ଆରମ୍ଭ କରିଥିବା ମୋ ସ୍କୁଲ ଅଭିଯାନ ଯାହା କି ଦେଶରେ ଅତୁଳନୀୟ ଏବଂ ଏହାକୁ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି, ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟଗୁଡ଼ିକର ପର୍ଫମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ) ରିପୋର୍ଟରେ ଓଡିଶା ର଼୍ୟାଙ୍କିଙ୍ଗରେ ହ୍ରାସ ଘଟିବା ଆଶ୍ଚର୍ଯ୍ୟଜନକ।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ଖରାପ ଭାବେ ଦର୍ଶାଇବା ଏବଂ ଓଡିଶାବାସୀଙ୍କୁ ବଦନାମ କରିବା ପାଇଁ ଏହା ଏକ ସୁଚିନ୍ତିତ ପ୍ରୟାସ । ଆଶ୍ଚର୍ଯ୍ୟର କଥା ଯେ ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମାନ୍ୟତାରେ ମଧ୍ୟ ହ୍ରାସ କରାଯାଇଛି।

ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓଡିଶାର ଶିକ୍ଷା ବ୍ୟବସ୍ଥାର ମୂଲ୍ୟାୟନ କ୍ଷେତ୍ରରେ ଏଭଳି ରାଜନୀତିରେ ଲିପ୍ତ ଅଛି । ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ମୂଲ୍ୟାୟନକୁ ଆମେ ମାନ୍ୟତା ଦେଉ ନାହୁଁ କାରଣ ଏହା ଯୋଗ୍ୟତା ଅପେକ୍ଷା ରାଜନୀତି ସହିତ ଅଧିକ ଜଡିତ ଅଟେ।

Categories
ବିଶେଷ ଖବର

କେନ୍ଦ୍ରମନ୍ତ୍ରୀଙ୍କୁ ଆଇନଶୃଙ୍ଖଳା ଓ ଅପରାଧ ମଧ୍ୟରେ ପାର୍ଥକ୍ୟ ବୁଝାଇଲେ ଡ.ସସ୍ମିତ ପାତ୍ର

ଭୁବନେଶ୍ୱର: ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଏଠାରେ କାଁଭାଁ ଅପରାଧ ହୁଏ ସତ, ମାତ୍ର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ନାହିଁ। ଦେଶର ଅନେକ ବିଜେପି ଶାସିତ ରାଜ୍ୟଠାରୁ ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ଯଥେଷ୍ଟ ଭଲ ଅଛି। ତେଣୁ ହୀନ ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଏଭଳି ଅପପ୍ରଚାର ଜରିଆରେ ଶାନ୍ତିପ୍ରିୟ ଓଡ଼ିଶା ବାସୀ ଏବଂ ଓଡ଼ିଶାକୁ ନିନ୍ଦିତ କରନ୍ତୁ ନାହିଁ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ଟୁଇଟ୍ର ଜବାବ ଦେବାକୁ ଯାଇ ଏଭଳି ଟୁଇଟ୍ କରିଛନ୍ତି ସାଂସଦ ଡ.ସସ୍ମିତ ପାତ୍ର।

ଶ୍ରୀ ପ୍ରଧାନଙ୍କ ଉଦ୍ଦେଶ୍ୟରେ କରିଥିବା ଏକାଧିକ ଟୁଇଟ୍ରେ ଡ.ପାତ୍ର ଉଲ୍ଲେଖ କରିଛନ୍ତି ଯେ ଭାଇ, ଆପଣ ଏତେ ଲମ୍ବା ସମୟ ଧରି କେନ୍ଦ୍ରମନ୍ତ୍ରୀ ରହିଲା ସତ୍ତ୍ବେ ଆପଣ କିପରି ଆଇନଶୃଙ୍ଖଳା ବା ଅରାଜକତା ଏବଂ ଅପରାଧ ମଧ୍ୟରେ ପାର୍ଥକ୍ୟ ବୁଝି ପାରିଲେ ନାହିଁ, ତାହା ମୋତେ ବିସ୍ମିତ କରୁଛି। ଆଇନଶୃଙ୍ଖଳା ସେତେବେଳେ ସୃଷ୍ଟି ହୋଇଥିଲା, ଯେତେବେଳେ ପଦ୍ମପୁରରେ ଏକ ଜିଏସ୍ଟି ଚଢ଼ଉ ଚାଲିଥିବାବେଳେ ଶତାଧିକ ବିଜେପି କର୍ମୀ ସେଠାରେ ବଳପୂର୍ବକ ପ୍ରବେଶ କରି ହଙ୍ଗାମା ସୃଷ୍ଟି କରିଥିଲେ ଏବଂ ଜିଏସ୍ଟି ଅଧିକାରୀଙ୍କ ହାତରୁ କାଗଜପତ୍ର ଛଡ଼ାଇ ନେଇଥିଲେ। କାରଣ ଜିଏସ୍ଟି ଫାଙ୍କିଥିବା ଜଣେ ଅସାଧୁ ବ୍ୟବସାୟୀଙ୍କୁ ସେମାନେ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ।

ସେହିପରି ଯେତେବେଳେ କେନ୍ଦ୍ରୀୟ ଅବହେଳା ଯୋଗୁଁ ସମ୍ବଲପୁର-କଟକକୁ ଯୋଡ଼ୁଥିବା ଏନ୍ଏଚ୍-୫୫ର ପ୍ରଶସ୍ତିକରଣ କାର‌୍ୟ୍ୟ ବର୍ଷ ବର୍ଷ ବିଳମ୍ବିତ ହେଉଥିଲା ଏବଂ ଏହାର ପ୍ରତିବାଦରେ ୫୦୦ରୁ ଅଧିକ ଲୋକ ଜାତୀୟ ରାଜପଥ ଅବରୋଧ କରିଥିଲେ, ସେତେବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖାଲି ସେତିକି ନୁହେଁ, ଯେତେବେଳେ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଓଡ଼ିଶାରୁ ଲୋକଙ୍କ ବଳକା ଧାନ କିଣା ହୋଇ ପାରୁନଥିଲା ଏବଂ ହଜାର ହଜାର ଚାଷୀ ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ, ସେତେବେଳେ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଅନ୍ୟପକ୍ଷରେ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଗୋଷ୍ଠୀ ଏକ ଅପରାଧ ଘଟାଇଲେ, ପୁଲିସ ଏହାର ତଦନ୍ତ କରି ଅପରାଧୀକୁ କାଠଗଡ଼ା ନେଇଥାଏ। ତେଣୁ ଦୟାକରି ଆପଣ ଅପରାଧ ଭଳି ସ୍ପର୍ଶକାତର ମାମଲାରେ ହୀନ ରାଜନୀତି କରିବା ପାଇଁ ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ ବୋଲି ଡ.ପାତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଆହ୍ବାନ ଦେଇଛନ୍ତି। ୨୦୨୧ ମସିହା ଏନ୍ସିଆର୍ବି ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆସାମ ଓ ହରିଆନା ଭଳି ବିଜେପି ଶାସିତ ରାଜ୍ୟରେ ମହିଳାଙ୍କୁ ବଳାତ୍କାର ମାମଲା, ଓଡ଼ିଶା ତୁଳନାରେ କେତେ ଅଧିକ ଅଛି ତାହା ଆପଣ ଜାଣନ୍ତି ତ? ସେହିପରି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟରେ ହତ୍ୟା ମାମଲା ମଧ୍ୟ ଓଡ଼ିଶା ତୁଳନାରେ ଯଥେଷ୍ଟ ଅଧିକ ରହିଛି ବୋଲି ଡ.ପାତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଚେତାଇ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ସାଂସଦ ସସ୍ମିତ ପାତ୍ର ମଧ୍ୟ କହିଲେ ‘ଜୟ ଜଗନ୍ନାଥ’

ଭୁବନେଶ୍ବର: ବିଜେଡିର ଟାଣୁଆ ସାଂସଦ ଡ. ସସ୍ମିତ ପାତ୍ର ମଧ୍ୟ କହିଲେ ଜୟ ଜଗନ୍ନାଥ। ସେ କହିବାର କାରଣ ରହିଛି। ଯେତେବେଳେ ବିଜେଡିର ସମସ୍ତ ନେତା ମନ୍ତ୍ରୀ ବିଧାୟକ ସାଂସଦ ଜୟ ଜଗନ୍ନାଥ ସ୍ଲୋଗାନ ଦେଇ ଭିଡିଓ ପୋଷ୍ଟିଂ କଲେ ସେତେବେଳେ କେତେକ ବିରୋଧୀ ସମାଲୋଚନା କଲେ। ତାହା ହେଲା ବିଜେଡି ସାଂସଦ ସସ୍ମିତ ପାତ୍ର କାହିଁକି ଜୟ ଜଗନ୍ନାଥ କହୁ ନାହାଁନ୍ତି।

ଏପରି ଟିପଣ୍ମୀ ପରେ ଦିଲ୍ଲୀରେ ଥିବା ସସ୍ମିତ ଥରେ ନୁହେଁ ଦୁଇଥର ଭିନ୍ନ ପୋଷାକରେ ଜୟ ଜଗନ୍ନାଥ କହି ଭିଡିଓ ପୋଷ୍ଟିଂ କରିଛନ୍ତି। ସେ ସଂସଦ ଭବନରେ ଥରେ ହାପ ଜ୍ୟାକେଟ ପିନ୍ଧି କହିଥିବା ବେଳେ ପୁଣି ପଂଜାବୀ ଏବଂ ବେକରେ ନାଲି ଉତ୍ତରୀୟ ପକାଇ ଜୟ ଜଗନ୍ନାଥ କହିଛନ୍ତି। ଏପରି ଭିଡିଓ ଦେଖିବା ପରେ ବିରୋଧୀ ମୁହଁ ବନ୍ଦ ହୋଇଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟସଭାରେ ପାଳନ ହେଲା ଓଡିଆ ସାଂସଦଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ରାଜ୍ୟସଭାରେ ପାଳନ ହେଲା ଓଡିଆ ସାଂସଦଙ୍କ ଜନ୍ମଦିନ। ସେ ହେଉଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଡ ସସ୍ମିତ ପାତ୍ର। ଗତକାଲି ଥିଲା ତାଙ୍କର ଜନ୍ମଦିନ। ଏ ନେଇ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ସସ୍ମିତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଚିଠି କରିଥିଲେ। ହେଲେ ରାଜ୍ୟସଭାରେ ଗୃହ ଚାଲିଥିବା ବେଳେ ମଧ୍ୟ ତାଙ୍କର ଜନ୍ମଦିନର ଶୁଭେଚ୍ଛା ପ୍ରଦାନ କରାଯାଇଥିଲା।

ଗତକାଲି ରାଜ୍ୟସଭାରେ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧାନଖର ଏକ ଘୋଷଣା କରିଥିଲେ। ସେ କହିଥିଲେ ଯେ, ମୁଁ ଆଜି ଖୁସିରେ ଘୋଷଣା କରୁଛି କି ଆମର ଜଣେ ସଦସ୍ୟଙ୍କର ଆଜି ହେଉଛି ଜନ୍ମଦିନ। ସେ ହେଉଛନ୍ତି ଡକ୍ଟର ସସ୍ମିତ ପାତ୍ର। ତାଙ୍କର ଦୀର୍ଘ ଏବଂ ନିରାମୟ ଜୀବନ କାମନା କରୁଛି।

ଏହା କହିବା ପରେ ଗୃହର ଆଗଧାଡିରେ ବସିଥିବା ସସ୍ମିତ ଆସନରୁ ଉଠି ସମସ୍ତଙ୍କୁ ନମସ୍କାର କରିଥିଲେ। ଏହା ପୂର୍ବରୁ ସସ୍ମିତ ଉପରାଷ୍ଟ୍ରପତିଙ୍କୁ ଭେଟି ଜନ୍ମଦିନର ଆର୍ଶିବାଦ ନେଇଥିଲେ। ସସ୍ମିତଙ୍କ ଜନ୍ମ ତାରିଖ ହେଉଛି ମାର୍ଚ୍ଚ 23 ତାରିଖ 1979।

Categories
ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧା ଟାର୍ଗେଟ କଲା ବିଜେଡି, ସାଂସଦ ସସ୍ମିତ ପାତ୍ର କହିଲେ ଏପରି କଥା

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସାମ୍ବାଦିକମାନଙ୍କ ସହିତ ଆଲୋଚନା ସମୟରେ ଆଇନ ଶୃଙ୍ଖଳା ବିଷୟରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ବିଜେପି ଶାସିତ ରାଜ୍ୟଗୁଡିକରେ ମଦ ଜନିତ ଦୁର୍ଘଟଣା ହେଉ କିମ୍ବା ପୋଲ ଭୁଶୁଡ଼ିବା ହେଉ ଅନେକ ଲୋକଙ୍କ ମୃତ୍ୟୁ ତଥା ମହିଳାଙ୍କ ପ୍ରତି ହେଉଥିବା ଅପରାଧ ମଧ୍ୟ ରହିଛି । ଅଧିକାଂଶ କ୍ଷେତ୍ରରେ ଲୋକମାନେ ନ୍ୟାୟିକ ତଦନ୍ତ ଦାବି କରିଥିଲେ ମଧ୍ୟ ତାହା କେବେ ହୋଇନାହିଁ ବୋଲି କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପାତ୍ର ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ ଦେଇ କହିଛନ୍ତି ଯେ ଆପଣଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଅପରାଧିକ ମାମଲାର ରାଜନୀତିକରଣ କରିବା ଏବଂ ରାଜନୈତିକ କାହାଣୀ ସୃଷ୍ଟି କରିବା । ରାଜ୍ୟ ସ୍ୱଚ୍ଛ ଏବଂ ଏହି ମାମଲାର ତଦାରଖ ପାଇଁ ଓଡ଼ିଶା ହାଇକୋର୍ଟ ଜଣେ ହାଇକୋର୍ଟ ବିଚାରପତିଙ୍କୁ ଦାୟିତ୍ୱ ଦେଇଛନ୍ତି । ଏଥିରେ ଆମ ପାଇଁ ଲୁଚାଇବାର କିଛି ନାହିଁ ।

ଆପଣ ନିଜ ବିବୃତ୍ତିରେ ବାରମ୍ବାର ହାଇକୋର୍ଟଙ୍କ ନାମ ନେଇଥିଲେ କିନ୍ତୁ ଆପଣ ହାଇକୋର୍ଟର ଜଣେ ବିଚାରପତିଙ୍କ ମନିଟରିଂ ଉପରେ ସନ୍ଦେହ କରୁଛନ୍ତି । ଏହା କ’ଣ କେବଳ ରାଜନୈତିକ ଉଦ୍ଦେଶ୍ୟ ହାସଲ କରିବାକୁ କି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି । ବିଜେଡି ମୁଖପାତ୍ର କହିଛନ୍ତି ଯେ ଆଜି ସକାଳେ ଆପଣଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ସମସ୍ତ ମାମଲା ସମ୍ପୃକ୍ତ ଅଦାଲତରେ ଅଛି । ଅନ୍ତତଃ ପକ୍ଷେ ନ୍ୟାୟପାଳିକା ଉପରେ ଆପଣଙ୍କର ବିଶ୍ୱାସ ରହିବା ଉଚିତ ଏବଂ ଆପଣ ସେମାନଙ୍କ ଅନୁଯାୟୀ ନ୍ୟାୟ ପ୍ରଦାନ କରିବାକୁ କୋର୍ଟଙ୍କୁ ସୁଯୋଗ ଦେବା ଉଚିତ ଏବଂ ସେମାନଙ୍କ ଉପରେ ସନ୍ଦେହ ଏବଂ ପ୍ରଶ୍ନ ସୃଷ୍ଟି କରିବା ଉଚିତ୍‍ ନୁହେଁ ।

ହତ୍ୟା ମାମଲା ସମେତ ୧୪ଟି ଅପରାଧିକ ମାମଲା ଥିବା ଜଣେ ବରିଷ୍ଠ ବିଜେପି ନେତା ଆପଣଙ୍କ ଦ୍ୱାରା ଓଡିଶା ବିଧାନସଭାରେ ବିରୋଧୀଦଳର ନେତା ଭାବରେ ନିଯୁକ୍ତ ହୋଇଛନ୍ତି । ଅତୀତରେ ସେ ଜେଲରେ ଥିଲେ ଏବଂ ବିଜେପୁର ଉପନିର୍ବାଚନ ସମୟରେ ଘଟିଥିବା ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ସେ ଜାମିନରେ ଆସି ନାହାନ୍ତି କି ? ଆପଣ ଆପଣଙ୍କର ଏଭଳି ଲୋକଙ୍କୁ ବିରୋଧୀ ଦଳର ନେତା କରୁଥିବାବେଳେ ଓଡିଶା ସରକାରଙ୍କୁ ପ୍ରଶ୍ନ କରିବା ପାଇଁ ଆପଣଙ୍କର ନୈତିକତା ଅଛି କି ବୋଲି ଡକ୍ଟର ପାତ୍ର ସିଧାସଳଖ ପଚାରିଛନ୍ତି ।

ସେ କହଛନ୍ତି ଯେ ଭାରତୀୟ ଜନତା ପାର୍ଟିର ବର୍ତ୍ତମାନର ଯୁବ ମୋର୍ଚ୍ଚା ସଭାପତି ଜେଲ୍‍ରେ ଥିଲେ ଏବଂ ଭଟଲି ହତ୍ୟାକାଣ୍ଡ ଘଟଣାରେ ଏବେ ଜାମିନରେ ଆସିଛନ୍ତି । ସେହିଭଳି ଏହା କ’ଣ ଲଜ୍ଜାଜନକ ନୁହେଁ କି ? ଓଡିଶାରୁ କେନ୍ଦ୍ରମନ୍ତ୍ରୀ ହୋଇଥିବା ଆପଣଙ୍କ ନେତା ମୟୂରଭଞ୍ଜରେ ସରକାରୀ କର୍ମଚାରୀଙ୍କ ହାତକୁ ଭାଙ୍ଗି ଦେଇଥିଲେ ଏବଂ ବର୍ତ୍ତମାନ ଜାମିନରେ ଅଛନ୍ତି ।

ସେହି ଦୁର୍ଭାଗ୍ୟଜନକ କୋରାପୁଟ ମାମଲାରେ ଆପଣ ରାଜନୀତି କରିଛନ୍ତି ଏବଂ ନିର୍ବାଚନ ସମୟରେ ଆପଣଙ୍କ ଦଳ ମଧ୍ୟ ସେହି ଗ୍ରାମପଞ୍ଚାୟତ ହରାଇଛନ୍ତି । ନିଜର ରାଜନୈତିକ ଲାଭ ତଥା ଅଧିକାଂଶ କ୍ଷେତ୍ରରେ ଅପରାଧୀଙ୍କ ପକ୍ଷ ରଖିବା ପାଇଁ ଅପରାଧିକ ମାମଲାକୁ ରାଜନୀତିକରଣ କରିବାର ବିଜେପିର ରଣନୀତିକୁ ଲୋକମାନେ ଦେଖୁଛନ୍ତି । ଓଡିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି କିଏ ସୃଷ୍ଟି କରୁଛି ଏବଂ କିପରି କରୁଛି ତାହା ଓଡିଶାର ଲୋକମାନେ ଜାଣିଛନ୍ତି । ଓଡିଶାର ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଯେଉଁ ଚେଷ୍ଟା କରୁଛନ୍ତି ସେଥିରେ ଆପଣ ସଫଳ ହେବେ ନାହିଁ ।

ନିର୍ବାଚନ ସମୟରେ ଧାନ କିଣାକୁ ନେଇ କାନ୍ଦନ୍ତୁ ନାହିଁ । ଧାନ କିଣା ବାବଦରେ ଆପଣଙ୍କ କେନ୍ଦ୍ର ସରକାର ୨୦,୦୦୦ କୋଟି ଟଙ୍କା ହ୍ରାସ କରିଛନ୍ତି । କ୍ରୟ ଲକ୍ଷ୍ୟ ଯାହାକି ପୂର୍ବରୁ ଓଡିଶା ପାଇଁ ବର୍ଷକୁ ୧୭-୧୮ ଲକ୍ଷ ଟନ୍ ଥିଲା ତାହା ୪ ଲକ୍ଷ ମେଟ୍ରିକ୍ ଟନ୍‌କୁ ହ୍ରାସ କରାଯାଇଛି । ଏଥିରେ କେବଳ ଓଡିଶାର ଗୋଟିଏ ଜିଲ୍ଲାରୁ କିଣାଯାଇ ପାରିବ ଏବଂ ଅବଶିଷ୍ଟ ୨୯ଟି ଜିଲ୍ଲା ସହିତ କ’ଣ ହେବ? ଓଡିଶାର ଲକ୍ଷ ଲକ୍ଷ କୃଷକ ଏହାଦ୍ୱାରା ପ୍ରଭାବିତ ହେବେ । ଆପଣ ପ୍ରତି ମାସରେ ଗରିବଙ୍କ ପାଇଁ ମିଳୁଥିବା ୫ କିଲୋ ଚାଉଳ କାଟିଛନ୍ତି । ଗତ ୯ ବର୍ଷ ଧରି ଉପକୂଳ ରାଜପଥ କାଗଜ କଲମରେ ରହିଛି । ଆପଣ କଟକରୁ ସମ୍ବଲପୁରକୁ ନେଇଥିବା ରାସ୍ତା ଦେଶର ସବୁଠାରୁ ଖରାପ ଏବଂ ଏହା ଆପଣଙ୍କର ନିଜସ୍ୱ ଜାତୀୟ ରାଜପଥ ଅଟେ ।

ଆପଣ ଗତ ୯ ବର୍ଷ ମଧ୍ୟରେ ଓଡିଶା ଠାରୁ ରେଳବାଇରେ ୨ ଲକ୍ଷ କୋଟି ନେଇଛନ୍ତି ଏବଂ ଏପର୍ଯ୍ୟନ୍ତ କେବଳ ୨୦୦ ନୂତନ ଯାତ୍ରୀଙ୍କ ପାଇଁ ରେଳ ସେବା ଯୋଡିଛନ୍ତି । ଯଦି ଆପଣ ବିକାଶ ପାଇଁ କାର୍ଯ୍ୟ କରନ୍ତି ତେବେ ସର୍ବଦା ନିର୍ବାଚନ ପାଇଁ କାର୍ଯ୍ୟ କରିବା ପରିବର୍ତ୍ତେ, ଆପଣ ଗତ ୯ ବର୍ଷ ମଧ୍ୟରେ କ’ଣ କରିଛନ୍ତି ତାହା ଦେଖାଇବାକୁ ପଡିବ ।

୨୦୧୯ ସାଧାରଣ ନିର୍ବାଚନ ଏବଂ ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆପଣ ବିଭିନ୍ନ ସମ୍ବେଦନଶୀଳ ମାମଲାରେ ରାଜନୀତି କରିଥିଲେ ଏବଂ ସମସ୍ତ ପ୍ରକାରର ମିଥ୍ୟା କାହାଣୀ ସହିତ ଲୋକଙ୍କ ନିକଟକୁ ଯାଇଥିଲେ । ଓଡିଶାର ଲୋକମାନେ ଏହାକୁ ପସନ୍ଦ କରୁନଥିଲେ ଏବଂ ଏଭଳି ନିଚ୍ଚ ସ୍ତରର ରାଜନୀତି ପାଇଁ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ଜିଲା ପରିଷଦ ନିର୍ବାଚନରେ ସମସ୍ତ ତିରିଶ ଜିଲ୍ଲା ବିଜେପି ହରାଇଛି ।

ଏଠାରେ ଅପରାଧର ରାଜନୀତିକରଣର ରଣନୀତି କାମ କରେ ନାହିଁ ଏବଂ ସରକାରଙ୍କ ଉପରେ ଲୋକଙ୍କର ବିଶ୍ୱାସ ଅଛି । ଆପଣ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ ଏବଂ ଲୋକଙ୍କ ପାଇଁ କିଛି କରନ୍ତୁ ଏବଂ ଅପରାଧର ରାଜନୀତିକରଣ କରିବା ପରିବର୍ତ୍ତେ ଲୋକଙ୍କ ପାଇଁ ଭଲ କାମ କରନ୍ତୁ ଯାହା ଆପଣଙ୍କୁ ରାଜନୈତିକ ଫାଇଦା ଦେବ ବୋଲି ଆଶା କରୁଛି । ଅତୀତରେ ଓଡିଶାର ଲୋକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଭବିଷ୍ୟତରେ ଆପଣଙ୍କର ଏଭଳି ରାଜନୀତିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିବେ ବୋଲି ଡକ୍ଟର ପାତ୍ର କହିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ମଡେଲ ରାଜନୀତି: ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ ରଖିଲା ବିଜେଡି

ନୂଆଦିଲ୍ଲୀ : ଉପନିର୍ବାଚନ କଦାପି ରାଜନୀତି କିମ୍ବା ଶାସନ ପାଇଁ ମଡେଲ ନୁହେଁ । ବିଜୁ ଜନତା ଦଳ ପାଇଁ ଶାସନର ମଡେଲ ହେଉଛି ଓଡିଶାର ସାଢେ ୪କୋଟି ଲୋକଙ୍କର ସେବା କରିବା ସହିତ ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବା । ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପନିର୍ବାଚନ ମଡେଲ ମନ୍ତବ୍ୟର ଜବାବରେ ଏହା କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଗଣମାଧ୍ୟମକୁ କହିଥିଲେ ଯେ ବିଜେଡିର ପଦ୍ମପୁର ମଡେଲ ଥିଲେ ବିଜେପିର ଧାମନଗର ମଡେଲ ଅଛି । ଶ୍ରୀ ପ୍ରଧାନଙ୍କର ଏଭଳି ମନ୍ତବ୍ୟ ଉପରେ କଡା ଟିପ୍ପଣୀ ଦେଇ ବିଜେଡି ସାଂସଦ ଡକ୍ଟର ପାତ୍ର କହିଛନ୍ତି ଯେ ଉପ-ନିର୍ବାଚନ କଦାପି ରାଜନୀତି କିମ୍ବା ଶାସନ ପାଇଁ ମଡେଲ ହୋଇପାରିବ ନାହିଁ ।

ବିଜୁ ଜନତା ଦଳ ପାଇଁ ଶାସନର ମଡେଲ ହେଉଛି ଓଡିଶାର ୪.୫ କୋଟି ଲୋକଙ୍କର ସେବା କରିବା । ବିଜେଡି ଉପରେ ଲୋକଙ୍କର ବିଶ୍ୱାସ ଓ ଭରସା ଥିବାରୁ ଓଡିଶାବାସୀଙ୍କ ପାଇଁ ଏହି ଦଳ ଭଲ କାମ କରୁଛି । ଗତ ୨୨ ବର୍ଷ ଧରି ଓଡିଶାରେ ନିର୍ବାଚନ ଜିତିବା ସତ୍ତ୍ୱେ ଲୋକଙ୍କ ସେବା ପାଇଁ ବିଜେଡି ନିର୍ବାଚନରେ ବିଜୟକୁ ଓଡିଶାର ମଡେଲ କରିନାହିଁ ।

ଆମର ମଡେଲ୍ ହେଉଛି ଉତ୍ତମ ପ୍ରଶାସନର ମଡେଲ ଏବଂ ୫-ଟି ଏବଂ ମୋ ସରକାର ଆଧାରରେ ଓଡିଶାକୁ ଭାରତର ଏକ ନମ୍ବର ରାଜ୍ୟରେ ପରିଣତ କରିବା । ଆମେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଅନୁରୋଧ କରୁଛୁ ଯେ ଶାସନ ପାଇଁ ଉପ-ନିର୍ବାଚନର ମଡେଲ ବ୍ୟବହାର କରନ୍ତୁ ନାହିଁ, ଓଡିଶାର ଲୋକଙ୍କ ସେବା ପାଇଁ ଉତ୍ତମ ଶାସନର ମଡେଲ ବ୍ୟବହାର କରିବାକୁ ଦିଅନ୍ତୁ ବୋଲି ଡକ୍ଟର ପାତ୍ର କହିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜନୀତିକୁ ଆସୁଥିବା ମହିଳାଙ୍କୁ ଅସମ୍ମାନ ଆଦୌ ଶୋଭନୀୟ ନୁହେଁ: ବିଜେଡି

ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପଦ୍ମପୁର ଉପନିର୍ବାଚନରେ ବିଜୟ ପରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ନିଜ ପିତାଙ୍କୁ ହରାଇଥିବା ଓଡିଆ ଆଦିବାସୀ ମହିଳା ବର୍ଷା ସିଂହ ବରିହାଙ୍କ ବିରୋଧରେ ଓଡ଼ିଶା ବିଜେପି ନେତାମାନେ କିପରି ଅପମାନିତ, ଅଶୋଭନୀୟ ଏବଂ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରେ କୁହାଯାଇଛି ଯେ “ନମ୍ରତାର ସହିତ ମୁଁ ରାଜ୍ୟ ବିଜେପି ନେତାମାନଙ୍କୁ ନିବେଦନ କରିବାକୁ ଚାହେଁ ଯେ ସାଧାରଣ ଜୀବନରେ ପ୍ରବେଶ କରୁଥିବା ମହିଳାଙ୍କୁ ଅସମ୍ମାନ କରାନଯାଉ, କାରଣ ଏଭଳି ଆଚରଣକୁ ବର୍ତ୍ତମାନ କିମ୍ବା ଭବିଷ୍ୟତରେ ଓଡ଼ିଶାବାସୀ ଆଦୌ ପ୍ରଶଂସା କରିବେ ନାହିଁ।”

ବରିଷ୍ଠ ବିଜେପି ନେତା ଶ୍ରୀ ରମା ରଞ୍ଜନ ବଳିଆରସିଂ ଏବଂ ଅନ୍ୟମାନଙ୍କ ଲୁହ ଓଡିଶାର ଲୋକ ବିଶେଷକରି ମହିଳାମାନଙ୍କର ଭାବନାକୁ ସ୍ପଷ୍ଟ ଭାବେ ସୂଚିତ କରୁଛି ଯେ ପଦ୍ମପୁର ଉପନିର୍ବାଚନ ସମୟରେ ଓଡିଶା ବିଜେପିର ନେତାମାନେ ଶ୍ରୀମତୀ ବର୍ଷା ସିଂ ବରିହାଙ୍କୁ କିଭଳି ଅପମାନିତ କରିବା ସହିତ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିଲେ।

ଡକ୍ଟର ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ମହିଳାମାନେ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆମେ କି ବାର୍ତ୍ତା ଦେଉଛୁ। ଯଦି ତୁମେ ସାଧାରଣ ଜୀବନରେ ପ୍ରବେଶ କର ତେବେ ତୁମକୁ ଅପମାନିତ କରାଯିବ। ରାଜନୀତିରେ ମହିଳାମାନଙ୍କର ଅଂଶଗ୍ରହଣ ଭାରତରେ ବହୁତ କମ୍ ଅଟେ ଏବଂ ଏହି ପ୍ରକାରର ଅପମାନଜନକ ମନ୍ତବ୍ୟ ଏବଂ ଆଚରଣ ମହିଳାମାନଙ୍କୁ ରାଜନୀତିରେ ପ୍ରବେଶରୁ ଦୂରେଇ ଦେବ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେବଳ ବିଜେଡିର ସଭାପତି ନୁହଁନ୍ତି, ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କୁ ଓଡିଶାବାସୀ ବିଶ୍ୱାସ କରିଛନ୍ତି ଏବଂ ବିଶେଷକରି ମହିଳାମାନେ ତାଙ୍କୁ ଜଣେ ବରିଷ୍ଠ ଷ୍ଟେଟସ୍‍ମ୍ୟାନ ଭାବରେ ଦେଖନ୍ତି। ଏହାକୁ ପ୍ରତିପାଦନ କରିବା ତାଙ୍କର ନୈତିକ ଦାୟିତ୍ୱ ଅଟେ। ରାଜନୀତି ସହିତ ଏହାର କୌଣସି ସମ୍ପର୍କ ନାହିଁ। ଏହା ହେଉଛି ମହିଳାଙ୍କ ସମ୍ମାନ ଏବଂ ସାଧାରଣ ଜୀବନରେ ସେମାନଙ୍କର ଅଂଶଗ୍ରହଣ ବିଷୟରେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଝିବା ଉଚିତ ଯେ ଏହା ରାଜନୀତିରେ ପ୍ରବେଶ କରୁଥିବା ମହିଳାଙ୍କ ପ୍ରତି ଅସମ୍ମାନ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ ଏହାକୁ ଏକ ରାଜନୈତିକ ପ୍ରସଙ୍ଗ ଭାବରେ ଗ୍ରହଣ ନକରିବା ଉଚିତ୍‍। ଏହି ପ୍ରକ୍ରିୟାରେ ସେ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକୁ ବିବୃତ୍ତି ଭିତରକୁ ଟାଣିବାକୁ ଚେଷ୍ଟା କରିଛନ୍ତି ଯାହା ଦୁର୍ଭାଗ୍ୟଜନକ ଏବଂ ବିଭ୍ରାନ୍ତିକର।

ଆମେ ନିଶ୍ଚିତ ଯେ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତାମାନେ ବର୍ଷା ସିଂ ବରିହାଙ୍କ ସମେତ ଦେଶରେ ମହିଳାଙ୍କ ବିରୋଧରେ କରାଯାଉଥିବା ବ୍ୟକ୍ତିଗତ ଅପମାନଜନକ ବିବୃତ୍ତିକୁ ନିଶ୍ଚିତ ନିନ୍ଦା କରିବେ ବୋଲି ଡକ୍ଟର ପାତ୍ର କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରେଳମନ୍ତ୍ରୀଙ୍କ ଚିଠିକୁ ନେଇ ଘେରିଲା ବିଜେଡି, ଆଣିଲା କେନ୍ଦ୍ରର ବୈମାତୃକ ମନୋଭାବ ଅଭିଯୋଗ

ଭୁବନେଶ୍ୱର : ଆଜି ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ମନ୍ତ୍ରୀ ରିତା ସାହୁଙ୍କ ଚିଠିର ଜବାବ ଦେଇ ରାଜ୍ୟ ସରକାର ପଦମପୁର ବରଗଡ ରେଳପଥ ନ ହେବାରେ ଦାୟୀ। ଏହି ଖବର ଆସିବା ପରେ ରେଳମନ୍ତ୍ରୀଙ୍କୁ ଜବାବ ଦେଇଛି ବିଜେଡି।

ବିଜେଡି କହିଛି ଯେ, ରେଳମନ୍ତ୍ରୀଙ୍କ ଚିଠିରୁ ପ୍ରମାଣିତ ହୋଇଛି ଯେ ପଦମପୁର ଦେଇ ବରଗଡ-ନୂଆପଡାକୁ ପ୍ରସ୍ତାବିତ ରେଳଲାଇନ୍‍ ୨୦୧୮ରେ ମଞ୍ଜୁର ହୋଇ ନ ଥିଲା । ଏଭଳି ଭୁଲ୍‍ ସୂଚନା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିଲେ ଓ ରେଳମନ୍ତ୍ରୀଙ୍କ ଚିଠିରୁ ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ସ୍ପଷ୍ଟ ବାରି ହୋଇପଡୁଛି ବୋଲି କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ଡକ୍ଟର ପାତ୍ର କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟ ସରକାର ମାଗଣାରେ ସମସ୍ତ ଜମି ଏବଂ ୩୦୦ କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ଦେବାକୁ ସମ୍ମତି ପ୍ରଦାନ କରିବା ପରେ ରେଳବାଇ କାର୍ଯ୍ୟ କରିବା ପରିବର୍ତ୍ତେ ପୁଣିଥରେ ସର୍ଭେ କରିବାକୁ କହିଛି। ଏହା ଗ୍ରହଣୀୟ ନୁହେଁ ଏବଂ ଏଥିରୁ ଜଣାପଡୁଛି ଯେ ରେଳବାଇ ନିଜେ ଓଡିଶାରେ କୌଣସି ପ୍ରକଳ୍ପ କରିବାକୁ ଚାହୁଁନାହିଁ ଓଆରଆଇଡିଏଲ୍‍ ଏକ କମ୍ପାନୀ ଏବଂ ଏହା ବ୍ୟାଙ୍କଗୁଡିକରୁ ଟଙ୍କା ସଂଗ୍ରହ କରି ପ୍ରକଳ୍ପଗୁଡିକ କରିପାରିବ।

ଏହି ପ୍ରକଳ୍ପ ଲାଭଦାୟକ ନୁହେଁ ଏହା କରାଯାଇ ପାରିବ ନାହିଁ ବୋଲି ଦର୍ଶାଇ ୨୦୧୯ ରେଳବାଇ ଯେଉଁ ଚିଠି ଲେଖିଥିଲା ତାହାକୁ ଦେଖିବା ପରେ କେଉଁ ବ୍ୟାଙ୍କ ଟଙ୍କା ଦେବ? ବ୍ୟାଙ୍କଗୁଡିକ ବ୍ୟବସାୟିକ ଉଦ୍ୟୋଗ ପାଇଁ ପାଣ୍ଠି ଯୋଗାନ୍ତି ଯେତେବେଳେ ବିନିଯୋଗରୁ ଲାଭ ମିଳିବାର ଥାଏ। ଯେହେତୁ ରେଳ ମନ୍ତ୍ରଣାଳୟର ଚିଠିରେ ଦର୍ଶାଯାଇଛି ଯେ ପଦମପୁର ରେଳଲାଇନ ଅସମ୍ଭବ, ତେଣୁ କୌଣସି ବ୍ୟାଙ୍କ ଓଆରଆଇଡିଏଲ୍‍ ପରି କମ୍ପାନୀକୁ ଏହି ପ୍ରକଳ୍ପ ପାଇଁ ଋଣ ପ୍ରଦାନ କରିବେ ନାହିଁ। ରେଳବାଇ କାହିଁକି ପଦମପୁରର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଉ ନାହିଁ ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି।

ବିଜେପି କେବଳ କଥା କହୁଛି ହେଲେ ଏହି ପ୍ରକଳ୍ପକୁ ମଞ୍ଜୁର କରିବାକୁ ସେମାନଙ୍କର ଉଦ୍ଦେଶ୍ୟ ନାହିଁ। ଆମେ ନୀତିଗତ ଅନୁମୋଦନ, ସର୍ବେକ୍ଷଣ ଇତ୍ୟାଦି ଚାହୁଁନାହୁଁ । ଆମେ ଚାହୁଁଛୁ ରେଳବାଇ ଦ୍ୱାରା ଏହି ପ୍ରକଳ୍ପ ମଞ୍ଜୁର କରାଯାଉ ଏବଂ ମାଗଣା ଜମି ଏବଂ ରାଜ୍ୟ ସରକାର ଯୋଗାଇଥିବା ୩୦୦ କୋଟି ଟଙ୍କା ସହାୟତାରେ ନିର୍ମାଣ କରାଯାଉ ବୋଲି ଡକ୍ଟର ପାତ୍ର କହିବା ସହିତ ୨୦୧୮ରୁ ଆଜି ପର୍ଯ୍ୟନ୍ତ ଏହି ରେଳଲାଇନ୍‍କୁ ମଞ୍ଜୁରୀ ମିଳିଥିବା ଭଳି ସୂଚନା ଦେଇ ରେଳବାଇ ଯେଭଳି ପଦମପୁରବାସୀଙ୍କୁ ଭୁଆଁ ବୁଲାଉଛି ସେଥିରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି।

ରେଳବାଇ ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡିଶାରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ନେଇଛି ଏବଂ ସେମାନେ ନେଇଥିବା ୧ ଲକ୍ଷ କୋଟିର ୨୦% ମଧ୍ୟ ଦେଇନାହାନ୍ତି । ସମୟ ଆସିଛି, ଓଡିଶା ରେଳବାଇରୁ ତାହାର ଉପଯୁକ୍ତ ଅଂଶ ପାଇବା ଉଚିତ ଯେଉଁଥିରେ ଓଡିଶାର ଢେର ଯୋଗଦାନ ରହିଛି।

ବିଜେଡିର ଆନ୍ଦୋଳନ ଏବଂ ଚାପ ପରେ କେନ୍ଦ୍ର ବରଗଡ ଏବଂ ପଦମପୁରର ଚାଷୀଙ୍କୁ ଫସଲ ବୀମା ଦେୟ ପ୍ରଦାନ କରିଛି। ବିଜେପି କ’ଣ ଚାହୁଁଛକି ପଦମପୁରବାସୀଙ୍କ ସ୍ୱାର୍ଥ ପାଇଁ ପଦମପୁର ରେଳ ପ୍ରକଳ୍ପ ମଞ୍ଜୁର କରିବାକୁ ବିଜୁ ଜନତା ଦଳ ପୁନର୍ବାର ଆନ୍ଦୋଳନ ଆରମ୍ଭ କରୁ? ପଦମପୁର ଏବଂ ଓଡିଶାବାସୀଙ୍କ ପାଇଁ କେନ୍ଦ୍ର କାହିଁକି ଏଭଳି ଅବହେଳା ମନୋଭାବ ପୋଷଣ କରୁଛି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚାରି ବର୍ଷ ହେଲା ପଦମପୁର ରେଳଲାଇନ୍ କଥା କହି ଭୁଆଁ ବୁଲାଉଛି କେନ୍ଦ୍ର, ବିଜେଡିର ଅଭିଯୋଗ

ଭୁବନେଶ୍ୱର: ଡିସେମ୍ବର ୧୫ ତାରିଖରେ ବରଗଡ଼ ଷ୍ଟେସନରୁ ଭାୟା ପଦମପୁର ଦେଇ ନୂଆପଡ଼ା ରୋଡ଼ ଷ୍ଟେସନ୍ ପର୍ଯ୍ୟନ୍ତ ଏକ ନୂତନ ରେଳଲାଇନ୍ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ। ଏ ନେଇ ସେ ବିଧିବଦ୍ଧ ଭାବେ ଟୁଇଟ୍ କରି ସୂଚନା ମଧ୍ୟ ଦେଇଥିଲେ। ଇତିମଧ୍ୟରେ ଏହି ଘୋଷଣାକୁ ଚାରି ବର୍ଷ ପୂରିବାକୁ ଯାଉଛି।

ମାତ୍ର ଏ ନେଇ ରାଜ୍ୟ ସରକାର ବାରମ୍ବାର ରେଳ ମନ୍ତ୍ରଣାଳୟକୁ ଜଣାଇ ଆସୁଥିଲେ ହେଁ ଏଯାଏ ଏହି ରେଳଲାଇନ୍ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରିନାହିଁ। ତେଣୁ ରେଳଲାଇନ ମଞ୍ଜୁର ହୋଇଥିବା କଥା କହି ଚାରି ବର୍ଷ ହେଲା କେନ୍ଦ୍ର ସରକାର ପଦମପୁରବାସୀଙ୍କୁ ଭୁଆଁ ବୋଲି ଆସୁଛନ୍ତି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ରେଳ ମନ୍ତ୍ରଣାଳୟ ନିଜ ପ୍ରତିଶ୍ରୁତି ରକ୍ଷା କରି ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ତୁରନ୍ତ ଏହି ପ୍ରକଳ୍ପ କାର‌୍ୟ୍ୟ ଆରମ୍ଭ କରିବାକୁ ବିଜେଡି ସାଂସଦ ଡ.ସସ୍ମିତ ପାତ୍ର ଦାବି କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡ.ପାତ୍ର ଏ ସଂପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି ଯେ ବରଗଡ଼ ଷ୍ଟେସନରୁ ଭାୟା ପଦମପୁର ଦେଇ ନୂଆପଡ଼ା ରୋଡ଼ ଷ୍ଟେସନ୍ ପର‌୍ୟ୍ୟନ୍ତ ଏକ ନୂତନ ରେଳଲାଇନ୍ ପ୍ରକଳ୍ପକୁ କେନ୍ଦ୍ର ମଞ୍ଜୁର କରିଥିଲେ। ଆଜିକୁ ଚାରି ବର୍ଷ ହେଲା ଏହି ପ୍ରକଳ୍ପକୁ କାର‌୍ୟ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ବାରମ୍ବାର ରେଳ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ ରେଳଲାଇନ୍ ତ ଦୂରର କଥା, ଏଥିପାଇଁ ସର୍ଭେ ମଧ୍ୟ ହୋଇନାହିଁ।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ୧୧ ଜାନୁୟାରୀ, ୨୦୧୯ରେ ରେଳ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଥିଲା ଏବଂ ଏହି ପ୍ରକଳ୍ପ କାର‌୍ୟ୍ୟକାରୀ ହେଲେ ୧୭.୩୧ % ହାରରେ ଅର୍ଥ ଫେରସ୍ତ ମିଳିବ ବୋଲି କୁହାଯାଇଥିଲା। ୧୦ ଅକ୍ଟୋବର, ୨୦୧୯ରେ ରେଲୱେ ବୋଡ୍ ଏହି ପ୍ରକଳ୍ପ କାର‌୍ୟ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରଙ୍କୁ ମାଗଣାରେ ଜମି ଏବଂ ବିସ୍ଥାପିତଙ୍କ ପୁନର୍ବାସ ପାଇଁ ହେବାକୁ ଥିବା ଖର୍ଚ୍ଚ ବହନ କରିବାକୁ ପ୍ରସ୍ତାବ ଦେଇଥିଲା।

ମୁଖ୍ୟମନ୍ତ୍ରୀ ଏଥିପାଇଁ କେବଳ ଯେ ମାଗଣାରେ ଜମି ଯୋଗାଇ ଦେବାକୁ ରାଜି ହୋଇଥିଲେ ତାହା ନୁହେଁ, ଏହି ପ୍ରକଳ୍ପ ପାଇଁ ୩୦୦ କୋଟି ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ରେଳ ମନ୍ତ୍ରଣାଳୟକୁ ଜଣାଇ ଦେଇଥିଲେ। ମାତ୍ର ଏହା ସତ୍ତ୍ୱେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଇଟା ଖଣ୍ଡେ ମଧ୍ୟ ପକାଇ ନାହାନ୍ତି। ତେଣୁ ପଶ୍ଚିମ ଓଡ଼ିଶାବାସୀ ବିଶେଷ କରି ବରଗଡ଼, ନୂଆପଡ଼ା ଏବଂ ପଦମପୁର ଅଞ୍ଚଳର ଅଧିବାସୀଙ୍କ ସ୍ବାର୍ଥ ପାଇଁ କେନ୍ଦ୍ର ସରକାର ତୁରନ୍ତ ଏହି ରେଳଲାଇନ ପ୍ରକଳ୍ପ ମଞ୍ଜୁର କରିବା ସହ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ଜମି ଅଧିଗ୍ରହଣ କରି ରେଳଲାଇନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାର ଆବଶ୍ୟକତା ରହିଛି।

ଡ.ପାତ୍ର ଆହୁରି କହିଥିଲେ ଯେ ବିଗତ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ସଂପୂର୍ଣ୍ଣ କେନ୍ଦ୍ରୀୟ ପାଣ୍ଠିରୁ ଓଡ଼ିଶାରେ ଗୋଟିଏ ବି ନୂତନ ରେଳଲାଇନ ପ୍ରକଳ୍ପ ମଞ୍ଜୁର କରି ନାହାନ୍ତି। ଯେଉଁ ପ୍ରକଳ୍ପରେ ରାଜ୍ୟ ସରକାର ପାଣ୍ଠି ଯୋଗାଇଛନ୍ତି, କେବଳ ସେହିସବୁ ରେଳପ୍ରକଳ୍ପ ଅନୁମୋଦନ ପାଇଛି। ରେଳଲାଇନ ଘନତ୍ତ୍ୱ ଦୃଷ୍ଟିରୁ ପଛରେ ଥିବା ଓଡ଼ିଶା ଭଳି ରାଜ୍ୟ ପାଇଁ ଏଭଳି ବୈମାତୃକ ମନୋଭାବ ଆଦୌ ଗ୍ରହଣୀୟ ନୁହେଁ।

ତେଣୁ କେନ୍ଦ୍ର ସରକାର ଆଉ ପଶ୍ଚିମ ଓଡ଼ିଶାବାସୀଙ୍କୁ ଭୁଆଁ ନ ବୁଲାଇ ତୁରନ୍ତ ବରଗଡ଼ ଷ୍ଟେସନରୁ ଭାୟା ପଦମପୁର ନୂଆପଡ଼ା ରୋଡ଼ ଷ୍ଟେସନ୍ ରେଳଲାଇନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ବିଜୁ ଜନତା ଦଳ ପକ୍ଷରୁ ମୁଁ ଦୃଢ଼ ଦାବି କରୁଛି ବୋଲି ଡ.ପାତ୍ର କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତିନୋଟି ଭାଷାକୁ ସ୍ବୀକୃତ ଦେବା ପାଇଁ ରାଜ୍ୟସଭାରେ ଦାବୀ କଲେ ସସ୍ମିତ ପାତ୍ର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ରାଜ୍ୟସଭାରେ ଏକ ସ୍ୱତନ୍ତ୍ର ଉଲ୍ଲେଖ ନୋଟିସ ଜରିଆରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର, ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ, ମୁଣ୍ଡାରି ଏବଂ ଭୁମିଜ ଭାଷାକୁ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛନ୍ତି।

ରାଜ୍ୟସଭାରେ ସେ ଓଡିଆରେ ଭାଷଣ ପଢି ଏହି ଦାବୀ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଏହି ଭାଷା କହୁଥିବା ଓଡିଶାର ଲକ୍ଷ ଲକ୍ଷ ଆଦିବାସୀ ଭାଇ ଓ ଭଉଣୀଙ୍କ ରହିଛନ୍ତି। ସନ୍ତାଳି ଭାଷା ପୂର୍ବରୁ ଅଷ୍ଟମ ଅନୁସୂଚୀତରେ ସ୍ଥାନିତ କରାଯାଇଛି।

ସାଧାରଣତଃ ରାଜ୍ୟସଭା ନିୟମ ଅନୁସାରେ ସ୍ବତନ୍ତ୍ର ଉଲ୍ଲେଖ ନୋଟିସ ଉପରେ ମନଇଚ୍ଛା କେହି କହିପାରିବେ ନାହିଁ। ଏହି ନୋଟିସରେ ସାଂସଦ ଲିଖିତ ଭାଷଣ ପଢିବା ପାଇଁ ଅନୁମତି ରହିଛି। ଫଳରେ ସାଂସଦ ସସ୍ମିତ ଏହି ଭାଷଣକୁ ଓଡିଆରେ ପଢିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସସ୍ମିତ ପାତ୍ରଙ୍କ ସହ ନବ ନିଯୁକ୍ତ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ଉପରାଷ୍ଟ୍ରପତିଙ୍କୁ କଲେ ସାକ୍ଷାତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପରେ ପରେ ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର। ତାଙ୍କ ସହିତ ନବ ନିଯକ୍ତ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ମଧ୍ୟ ସାକ୍ଷାତ କରିଛନ୍ତି। ସେମାନେ ହେଲେ ଭୁବନେଶ୍ବର କଲିତା, ଇନ୍ଦୁବାଲା ଗୋସ୍ବାମୀ, ଡ ଏଲ ହନୁମନ୍ତଥୟା, ତ୍ରିଚି ଶିବା ଏବଂ ଭି ବିଜୟସାୟି ରେଡ୍ଡୀ।

ସସ୍ମିତ ଗତକାଲି ସାଂସଦ ଭାବେ ଶପଥ ଗ୍ରହଣ କରିବା ସହିତ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ମତଦାନ କରିଛନ୍ତି। ଗତ ପାଳିରେ ସସ୍ମତି ଏହି ଉପାଧ୍ୟକ୍ଷ ପ୍ୟାନେଲରେ ରହିଥିଲେ। ସେତେବେଳେ ସେ ରାଜ୍ୟସଭା ପରିଚାଳନା ବେଶ ଦକ୍ଷତାର ସହ କରିଥିବାରୁ ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ତାଙ୍କୁ ପ୍ରଶଂସା କରିଥିଲେ। ଏହି ସାକ୍ଷାତ ବେଳେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶପଥ ନେଲେ ସସ୍ମିତ ପାତ୍ର, ଟେବୁଲ ବାଡାଇ ଗୃହରେ କରାଗଲା ସ୍ବାଗତ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ଡ. ସସ୍ମିତ ପାତ୍ର। ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଏମ ଭେଙ୍କୟାନାଇଡୁ ତାଙ୍କୁ ଶପଥ କରାଇଥିଲେ। ସସ୍ମିତ ଦ୍ବିତୀୟ ଥର ପାଇଁ ଏହି ଶପଥ ଗ୍ରହଣ କରୁଛନ୍ତି। ଆଜି ଶପଥ ନେବାକୁ ତାଙ୍କ ନାମ ଡକାଯିବା ମାତ୍ରେ ଗୃହରେ ସଦସ୍ୟମାନେ ତାଳିମାରି ସ୍ବାଗତ କରିଥିଲେ। ଗତକାଲି ତାଙ୍କୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଗୃହର ଉପାଧ୍ୟକ୍ଷ ପ୍ୟାନେଲରେ ନିଯୁକ୍ତି ଦେଇଛନ୍ତି।

ସସ୍ମିତଙ୍କ ସହିତ ଓଡିଶାରୁ ଆଉ ଦୁଇଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇଯାଇଥିଲେ। ସେମାନେ ହେଲେ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ। ଉଭୟ ପୂର୍ବରୁ ଶପଥ ନେଇସାରିଛନ୍ତି। ହେଲେ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସସ୍ମିତ ଶପଥ ନେଇପାରି ନ ଥିଲେ। ସେ ଆଜି ଓଡିଆ ଭାଷାରେ ଏହି ଶପଥ ପାଠ କରିଛନ୍ତି।

Categories
RajyasabhaElection ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁଣିଥରେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଲେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର

ଭୁବନେଶ୍ବର: ପୁଣିଥରେ ବିଜେଡି ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନିତ ହୋଇଛନ୍ତି। ଆଜି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଏହାକୁ ପୁନଃଗଠନ କରିଛନ୍ତି। ଏଥିରେ ସେ ସାଂସଦ ସସ୍ମିତଙ୍କୁ ପୁଣିଥରେ ଏହି ପ୍ୟାନେଲରେ ନିଯୁକ୍ତି ଦେଇଛନ୍ତି। କାରଣ ପୂର୍ବ ସଦସ୍ୟତା ସମୟରେ ସସ୍ମିତ ଏହି ପ୍ୟାନେଲରେ ରହି ଗୃହ ପରିଚାଳନା କରିଛନ୍ତି।

ସସ୍ମିତଙ୍କ ସହିତ ରାଜ୍ୟସଭା ଅଧ୍ୟକ୍ଷ ଆଉ ପାଞ୍ଚଜଣଙ୍କୁ ମଧ୍ୟ ଏହି ପ୍ୟାନେଲରେ ନିଯୁକ୍ତି କରିଛନ୍ତି। ସେମାନେ ହେଲେ ଭୁବନେଶ୍ବର କଲିତା, ଇନ୍ଦୁବାଲା ଗୋସ୍ବାମୀ, ଡ ଏଲ ହନୁମନ୍ତଥୟା, ତ୍ରିଚି ଶିବା ଏବଂ ଭି ବିଜୟସାୟି ରେଡ୍ଡୀ। ସସ୍ମତିଙ୍କ ରାଜ୍ୟସଭା ପରିଚାଳନା ବେଶ ଦକ୍ଷତାର ସହ କରିଥିବାରୁ ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ତାଙ୍କୁ ପ୍ରଶଂସା କରିଥିଲେ।

Categories
RajyasabhaElection ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ଚାରି ବିଜେଡି ପ୍ରାର୍ଥୀ, ଆସନ୍ତାକାଲି ଯାଞ୍ଚ

ଭୁବନେଶ୍ବର: ଆଜି ବିଜେଡିର ଚାରିଜଣ ପ୍ରାର୍ଥୀ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ବିଧାନସଭା ପ୍ରକୋଷ୍ଠରେ ରିଟର୍ଣ୍ଣିଂ ଅଫିସରଙ୍କ ନିକକଟରେ ଏହି ଚାରିଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ନିରଂଜନ ବିଶି।

ଆଜି ପୂର୍ବାହ୍ନରେ ସମସ୍ତ ପ୍ରାର୍ଥୀ ବିଧାନସଭା ଆସି ସେମାନଙ୍କ ନାମାଙ୍କନ ଦାଖଲ କରିଥିଲେ। ସାଥିରେ ବିଜେଡି ସଂଗଠକ ସଂପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମନ୍ତ୍ରୀ ବିକ୍ରମ ଆରୁଖ, ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଥିଲେ। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ବର୍ତ୍ତମାନ ଆଉ କେହି ନାମାଙ୍କନ ଦାଖଲ କରିବାକୁ ନ ଥିବାରୁ ଏହି ଚାରିଜଣଙ୍କୁ ବିଜୟୀ ଘୋଷଣା କରାଯିବ।

Categories
RajyasabhaElection ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅବସର ନେଉଥିବା ତିନି ବିଜେଡି ରାଜ୍ୟସଭା ସାଂସଦଙ୍କୁ ଦିଲ୍ଲୀରେ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ଆଜି ରାଜ୍ୟସଭା ସଦସ୍ୟ ପଦରୁ ଅବସର ନେଉଥିବା ତିନିଜଣ ସାଂସଦଙ୍କୁ ବିଜେଡି ସାଂସଦଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶାର ସମସ୍ତ ସାଂସଦ ଯୋଗ ଦେଇଥିଲେ। ଯେଉଁ ସାଂସଦଙ୍କୁ ସମ୍ବର୍ଦ୍ଧନା ଦିଆଗଲା ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ଭାସ୍କର ରାଓ ଏବଂ ତିନି ବର୍ଷ ପାଇଁ ଯାଇଥିବା ଡ ସସ୍ମିତ ପାତ୍ର।

ପୂର୍ବରୁ ଏହି ତିନିଜଣଙ୍କୁ ଗୃହରେ ପ୍ରଧାନମନ୍ତ୍ରୀ ସମେତ ରାଜ୍ୟସଭା ଅଧ୍ୟକ୍ଷ ଗୃହରେ ବିଦାୟ ଦେଇଥିଲେ। ଏଥିରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ ସସ୍ମିତଙ୍କ କାର୍ଯ୍ୟକୁ ବେଶ୍ ପ୍ରଶଂସା କରିଥିଲେ। ତେବେ ଅନ୍ୟତମ ରାଜ୍ୟସଭା ସାଂସଦ ସୁବାଷ ସିଂ ଏ ପର୍ଯ୍ୟନ୍ତ ଇସ୍ତଫା ଦେଇ ନାହାଁନ୍ତି। ସେ କଟକ ମେୟର ଭାବେ ନିର୍ବାଚିତ ହୋଇଥିବାରୁ ଖୁବ ଶିଘ୍ର ସେ ମଧ୍ୟ ରାଜ୍ୟସଭାରୁ ଇସ୍ତଫା ଦେବେ।

Categories
ଜାତୀୟ ଖବର ବିଶେଷ ଖବର

କର୍ଣ୍ଣାଟକ ଭଳି ଓଡିଶାରେ ଆବାସ ପ୍ଲସ୍ ପୋର୍ଟାଲ ଖୋଲିବାକୁ ଦାବି କଲେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଆଜି ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର, ଡ. ଅମର ପଟ୍ଟନାୟକ ଏବଂ ସୁଜିତ କୁମାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗ ଉଠାଇଛନ୍ତି। ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଣଦେଖା କରାଯାଉଛି ବୋଲି ବିଜେଡ଼ି ସାଂସଦ କହିଥିଲେ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ସେମାନେ ଦାବି କରିଛନ୍ତି। ଓଡ଼ିଶାର ୬ ଲକ୍ଷ ହିତାଧିକାରୀଙ୍କୁ ‘ପିଏମୱାଇ’ରେ ସାମିଲ୍ କରିବା ଲାଗି ଆବାସ ପ୍ଲସ୍ ପୋର୍ଟାଲ ଖୋଲିବାକୁ ସେମାନେ ଦାବି କରିଛନ୍ତି।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଚିଠି ଲେଖି ଆସୁଥିବାଲେ ମଧ୍ୟ କେନ୍ଦ୍ରସରକାର ଏହାପ୍ରତି କର୍ଣ୍ଣପାତ କରୁନାହିଁ। ଯେଉଁଭଳି କର୍ଣ୍ଣାଟକର ୨୫ ଲକ୍ଷ ହିତାଧିକାରୀଙ୍କୁ ପିଏମୱାଇରେ ସାମିଲ୍ ଲାଗି ଆବାସ ପ୍ଲସ୍ ପୋର୍ଟାଲ ଖୋଲାଯାଇଛି। ସେହିଭଳି ଓଡ଼ିଶାର ୬ ଲକ୍ଷ ହିତାଧିକାରୀଙ୍କ ପାଇଁ ଶୀଘ୍ର ଆବାସ ପ୍ଲସ୍ ପୋର୍ଟାଲ ଖୋଲିଲେ ଓଡ଼ିଶାର ଆଦିବାସୀ ହିତାଧିକାରୀ ଉପକୃତ ହୋଇପାରିବେ ବୋଲି ଡ. ସସ୍ମିତ ପାତ୍ର କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାକୁ ସ୍ପେଶାଲ ଫୋକସ ରାଜ୍ୟ ପାଇଁ ରାଜ୍ୟସଭାରେ ଦାବୀ କଲା ବିଜେଡି, ଏଥର ଦେଲା ନୂଆ ତଥ୍ୟ

ନୂଆଦିଲ୍ଲୀ, ପୁଣି ଥରେ ଓଡିଶାକୁ ବିଶେଷ ଧ୍ୟାନ ଦେବା ପାଇଁ କେନ୍ଦ୍ର ନିକଟରେ ଦାବୀ କରିଛି ବିଜେଡି। ତେବେ ଏଥର ନୂଆ ତରିକାରେ ବିଜେଡି କେନ୍ଦ୍ର ନିକଟରେ ଏହି ଦାବୀ ଉପସ୍ଥାପନା କରିଛି। ଆଜି ରାଜ୍ୟ ସଭାରେ ବିଜେଡି ସଦସ୍ୟ ଡ ସସ୍ମିତ ପାତ୍ର ଶୂନ୍ୟକାଳରେ ଏହି ଦାବୀ ଉପସ୍ଥାପନା କରିଥିଲେ। ପୂର୍ବରୁ ବିଜେଡି ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଘୋଷଣା କରାଯାଉ ବୋଲି କେନ୍ଦ୍ର ନିକଟରେ ଦାବୀ କରିଆସୁଥିଲା। ହେଲେ ଏଥର ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବୀ କରିଛି।

ରାଜ୍ୟସଭାରେ ସସ୍ମତି କହିଛନ୍ତି ଯେ, ଓଡିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଛି। କେତେବେଳେ ବାତ୍ୟା କିମ୍ବା ବନ୍ୟା ଲାଗିରହିଛି। ସେହି ସମୟରେ କେନ୍ଦ୍ର ଓଡିଶା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ଦାବୀ କରିଛି। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଭାଗୁଆଳିରେ ବିନିଯୋଗ ହେଉଛି। ଅର୍ଥାତ କେନ୍ଦ୍ର ସରକାର 60 ପ୍ରତିଶତ ଦେଉଥିବା ବେଳେ ସେହି ଯୋଜନା ପାଇଁ ରାଜ୍ୟ 40 ପ୍ରତିଶତ ଦେଉଛି। ହେଲେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ଖର୍ଚ୍ଚ କରୁଛନ୍ତି ତାହାକୁ ହିସାବ କଲେ ଏହି ଅଂଶ 50:50 ହୋଇଯାଇଛି।

ତେବେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଏହା ଅଂଶ ଭରଣା କରିବା ରାଜ୍ୟ ପକ୍ଷରେ ସମ୍ଭବ ହେଉ ନାହିଁ। ସେଥିପାଇଁ କେନ୍ଦ୍ର ସରକାର ଏହାକୁ 90:10 ଅଂଶରେ ଲାଗୁ କରନ୍ତୁ ବୋଲି ସସ୍ମିତ ଦାବୀ କରିଛନ୍ତି। ତେବେ ସେ ଗୃହକୁ ଜଣାଇଛନ୍ତି ଯେ, ରାଜ୍ୟରେ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ହେବା ସେହି ଦିନଠାରୁ ଏହାକୁ ତିନିବର୍ଷ ପାଇଁ ଲାଗୁ କରାଯାଉ। ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୟରେ ଏହା ଠିକ୍ ଭାବେ ମୁକାବିଲା କରିହେବ ବୋଲି ସସ୍ମିତ କହିଛନ୍ତି।

ସେହିପରି ସସ୍ମତି କେବିକେ ଜିଲ୍ଲାକୁ କେନ୍ଦ୍ର ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମଧ୍ୟ ଦାବୀ ଜଣାଇଛନ୍ତି। ଅବିଭକ୍ତ କଳାହାଣ୍ଡି, କୋରାପୁଟ ଏବଂ ବଲାଙ୍ଗିର ଜିଲ୍ଲାରେ ବ୍ୟାଙ୍କ ସେବା, ଟେଲି ଯୋଗାଯୋଗ ଏବଂ ଇଣ୍ଟରନେଟ ସେବା ବୃଦ୍ଧି କରିବା ପାଇଁ ଅନୁରୋଧ କରିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସେ ଗୃହରେ ଦାବୀ କରିଛନ୍ତି। ଗୃହରେ ପ୍ରବଳ ହଟ୍ଟଗୋଳ ଚାଲିଥିବା ବେଳେ ସସ୍ମିତ ଏହି ଦାବୀ ଉପସ୍ଥାପନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଏଥର ୧୦ ଦିନ ଧରି ଚାଲିଥିବା ରାଜ୍ୟସଭାରେ ବିଜେଡି ପାଇଁ ଥିଲା ୧୦ଟି ଗୁରୁତ୍ବ ପୂର୍ଣ୍ଣ ପ୍ରସଂଗ, ଜାଣନ୍ତୁ କଣ

ନୂଆଦିଲ୍ଲୀ, ଏଥର ରାଜ୍ୟସଭାର ମୌସୁମୀ ଅଧିବେସନ ବିଜୁ ଜନତା ଦଳ ପାଇଁ ବେଶ୍ ଗୁରୁତ୍ବ ପୂର୍ଣ ହୋଇଛି। ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଏବଂ ଦୁଇଟି ବିଲକୁ ବିରୋଧ କରିବା ପରି ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଛି। ତେବେ ବିଜେଡି ପାଇଁ ସବୁଠାରୁ ବଡ ଘଟଣାଟି ହେଉଛି ଯେ ଯୁବ ସାଂସଦ ଡ.ସସ୍ମିତ ପାତ୍ରଙ୍କୁ ଗୃହ ପରିଚାଳନା କରିବା ପାଇଁ ସୁଯୋଗ ମଧ୍ୟ ମିଳିବା।

ସେହିପରି ଏଥର ନୂଆକରି ରାଜ୍ୟସଭାକୁ ଯାଇଥିବା 4 ଜଣ ସାଂସଦଙ୍କୁ ପ୍ରଥମ ଥର ପାଇଁ କହିବାକୁ ସୁଯୋଗ ମିଳିଛି। ତେବେ ଏଥର ଅଧିବେସନ କରୋନା ପାଇଁ ୯ ଦିନ ପୂର୍ବରୁ ବନ୍ଦ ହୋଇଗଲା। ମାତ୍ର ୧୦ ଦିନ ଚାଲିଥିବା ଏହି ମୌସୁମୀ ଅଧିବେସନ ବିଜେଡି ପାଇଁ ୧୦ଟି ଗୁରୁତ୍ବ ପୂର୍ଣ୍ଣ ଘଟଣା ଘଟିଛି। ସେଗୁଡିକ ହେଲା

1-ଏଥର ରାଜ୍ୟସଭାରେ ଏନଡିଏର ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ବିଜେଡି ସମର୍ଥନ କରିବା ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଥିଲା।

2-ଏଥର ଅଧିବେସନରେ ବିଜେଡିକୁ ୨୦ ଟି ବିଲ୍ ଉପରେ କହିବାର ସୁଯୋଗ ମିଳିଥିଲା।

3-ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସର୍ବାଧିକ ୫ଟି ବିଲ୍ ଆଲୋଚନାରେ ଭାଗ ନେଇଥିଲେ।

4-ଏଥର ରାଜ୍ୟସଭାରେ ବିଜେଡି ୨୫ଟି ବିଲକୁ ସମର୍ଥନ କରିଥିବା ବେଳେ ୨ଟି କୃଷି ବିଲକୁ ବିରୋଧ କରିଥିଲା। ସାଂସଦ ଅମର ପଟ୍ଟନାୟକ ଏହାକୁ ବିରୋଧ କରି ତଥ୍ୟ ଉପସ୍ଥାପନ କରିଥିଲେ।

5-ନିକଟରେ ରାଜ୍ୟସଭା ସଦସ୍ୟ ଭାବେ ଯାଇଥିବା ୪ ଜଣ ସାଂସଦ ଗୃହରେ ସେମାନଙ୍କର ପ୍ରଥମ ଭାଷଣ ଉପସ୍ଥାପନା କରିଥିଲେ। ନବାଗତ ସୁଜିତ କୁମାର ସର୍ବାଧିକ ୩ଟି ବିଲ ଉପରେ କହିବାର ସୁଯୋଗ ପାଇଥିଲେ।

6- ବିଜେଡିର ୬ ଜଣ ସାଂସଦ ୧୫୬ଟି ଅଣତାରକା ପ୍ରଶ୍ନ ପଚାରି ସରକାରଙ୍କଠାରୁ ଜବାବ ମାଗିଥିଲେ।

7-ସେମାନଙ୍କ ମଧ୍ୟରେ ସାଂସଦ ସସ୍ମିତ ପାତ୍ର ସର୍ବାଧିକ ୪୮ଟି ପ୍ରଶ୍ନ ପଚାରି ଉତ୍ତର ମାଗିଥିଲେ।

8-ଶୂନ୍ୟ କାଳରେ ବିଜେଡି ସ୍ପେଶାଲ ମେନସନରେ ୮ ଟି ଗୁରୁତ୍ବ ପୂର୍ଣ୍ଣ ପ୍ରସଂଗ ଉଠାଇଥିଲେ।

9- ବିଜେଡିର ସବୁଠାରୁ ବଡ ପ୍ରଶଂସାର ଘଟଣା ଥିଲା ସାଂସଦ ଡ.ସସ୍ମିତ ପାତ୍ରଙ୍କୁ ଗୃହ ପରିଚାଳନା କରିବାକୁ ପ୍ରଥମ ଥର ପାଇଁ ସୁଯୋଗ ମିଳିବା। ସେ ଏହି ୧୦ ଦିନିଆ ଅଧିବେସନରେ ୫ ଥର ଗୃହ ପରିଚାଳନା କରିବାର ସୁଯୋଗ ପାଇଥିଲେ।

10-ସସ୍ମତି ପାତ୍ର ଗୃହ ପରିଚାଳନା ସମୟରେ ଜାତୀୟ ଫରନୋସିକ ବିଜ୍ଞାନ ବିଶ୍ବବିଦ୍ୟାଳୟ ବିଲ, ରାଷ୍ଟ୍ରୀୟ ସୁରକ୍ଷା ବିଶ୍ବବିଦ୍ୟାଳୟ ବିଲ, ଶ୍ରମ ସୁରକ୍ଷା ବିଶ୍ବବିଦ୍ୟାଳୟ ବିଲ୍ ପାଶ ହୋଇଥିଲା। ସସ୍ମତିଙ୍କ ଗୃହ ପରିଚାଳନା କରିବା ଦକ୍ଷତାକୁ ବହୁ ସାଂସଦ ପ୍ରଶଂସା କରିଥିଲେ।