Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଆ ଜାତୀୟତା ଜାଗରଣର ସମୟ ଆସିଛି: ବାଚସ୍ପତି ଡ. ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର: ଆଜି ବିଶ୍ବ ଓଡ଼ିଶା ୮ମ ପ୍ରତିଷ୍ଠା ଦିବସକୁ ବାଚସ୍ପତି ତଥା ବିଶ୍ବ ଓଡ଼ିଶାର ସଭାପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଉଦଘାଟନ କରିଛନ୍ତି। ଏହି ଅବସରରେ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ତଥା ଓଡ଼ିଆ ଅସ୍ମିତା ଜାତୀୟତାର ବିଶ୍ବ ବ୍ୟାପୀ ପ୍ରସାର କରିବା ପାଇଁ ଏକ ସମ୍ମିଳିତ ଜାଗରଣର ସମୟ ଆସିଛି ବୋଲି ଡ. ପାତ୍ର କହିଛନ୍ତି।

ଆଜିର ପିଢ଼ି ଓଡ଼ିଆ ଜାତିର ପୂର୍ବ ଗୌରବକୁ ଭୁଲିଯାଉଛନ୍ତି। ଏହାକୁ ମନେ ପକେଇ ଦେବା ପାଇଁ “ବିଶ୍ବ ଓଡ଼ିଶା” ଯେଉଁ ଉଦ୍ୟମ କରୁଛି ତାହା ପ୍ରସଂଶାଯୋଗ୍ୟ। ଆଗାମୀ ସମୟରେ ବିଶ୍ଵବ୍ୟାପୀ ଓଡ଼ିଆଙ୍କୁ “ବିଶ୍ବ ଓଡ଼ିଶା” ସଙ୍ଗଠିତ କରି ଓଡ଼ିଶାର ବିକାଶ କ୍ଷେତ୍ରରେ ଉଦ୍ୟମ କରୁ ବୋଲି ବାଚସ୍ପତି କହିଛନ୍ତି।

ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ସାଧିକା ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଯୋଗ ଦେଇ ବିଶ୍ଵବ୍ୟାପୀ ଓଡ଼ିଆ ସଙ୍ଗୀତର ଆଦର ଥିବା କହିଥିଲେ। ଏହାକୁ ଆହୁରି ବିଶ୍ବାୟନ କରାଯିବା ଆବଶ୍ୟକ ବୋଲି ସେ କହିଲେ।

ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାସ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ମାଟି ପାଣି ପବନରୁ ସେ ବୈଜ୍ଞାନିକ ହେବାର ସୁଯୋଗ ପାଇଛନ୍ତି, ତେଣୁ ଏ ମାତୃଭୂମି ପାଇଁ ମମତା ତାଙ୍କୁ ଚିର ବାନ୍ଧିରଖିଛି।

ବିଶିଷ୍ଟ ସାହିତ୍ୟିକ ଅଧ୍ୟାପିକା ଡ. ପ୍ରତିଭା ମହାରଥୀ ମୁଖ୍ୟବକ୍ତା ଭାବରେ ଓଡ଼ିଆ ଜାତିର ମହନୀୟତା ଉପରେ ଭାବଗର୍ଭକ ଅଭିଭାଷଣ କରିଥିଲେ।

ଏହି ଅବସରରେ ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କୁ ବିଶ୍ବ ଓଡ଼ିଶା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏଥିସହିତ ଡ. ସୁସନ୍ଧ୍ୟା ମହାନ୍ତିଙ୍କୁ ବିଶ୍ବ ଓଡ଼ିଶା ଶିକ୍ଷା ସମ୍ମାନ, ପଣ୍ଡିତ ବିପିନ ବିହାରୀ ଶତପଥୀଙ୍କୁ ସାରସ୍ୱତ ସମ୍ମାନ, ନିବେଦିତା ମହାନ୍ତି ପଟ୍ଟନାୟକ, ଗୁରୁଶ୍ରୀ ପିତାମ୍ବର ବିଶ୍ୱାଳ, ପବିତ୍ର ପଟ୍ଟନାୟକଙ୍କୁ ସଂସ୍କୃତି ସମ୍ମାନ, ସମ୍ଭବ ଅନୁଷ୍ଠାନ, ସତ୍ୟନଗର ମହିଳା ଫୋରମ, ଯୋରନ୍ଦା ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ମହାସଙ୍ଘ, ଜୟ ଜଗନ୍ନାଥ ଚାରଣ ଗୋଷ୍ଠୀ ମହିଳା ସଂଘଙ୍କୁ ସମ୍ବେଦନା ସମ୍ମାନ, ଅଧ୍ୟାପିକା ଶକୁନ୍ତଳା ଭୂୟାଁ, ଗୀତାଞ୍ଜଳି ମହାନ୍ତିଙ୍କୁ ସ୍ୱରବର୍ଣ୍ଣା ସମ୍ମାନ, ଭୋଳାନାଥ ରାମଙ୍କୁ ଯୁବ ସମ୍ମାନ ପ୍ରଦାନ କରାଯାଇଥିଲା।

ପ୍ରାରମ୍ଭରେ ସୁରଭି ଅନୁଷ୍ଠାନର ଛାତ୍ରୀ ସ୍ୱାତୀ ପଟ୍ଟନାୟକ, ଅଭୀପ୍ସା ଭଞ୍ଜ, ଅର୍ପିତା ସାମଲ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଉପସଭାପତି ଦ୍ବୀପାୟନ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ କରିଥିବା ବେଳେ ସମ୍ପାଦକ ମନୋଜ ମନ୍ମୟ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ଉପସଭାପତି ଦିଲୀପ ରାୟ ଧନ୍ୟବାଦ ଦେଇଥିଲେ।

ସଂଯୋଜିକା ରଶ୍ମିତା ରାଉତ, ପ୍ରଭାତୀ ମହାପାତ୍ର, ଡ. ମାନସୀ କର, ମୀରା ବେଉରା, ରତ୍ନପ୍ରଭା ବାଇ, ସଂଯୋଜକ ଗୌରାଙ୍ଗ ରାଉତ, ଦୀନବନ୍ଧୁ ଷଡ଼ଙ୍ଗୀ, ଇଂ. ଫକୀର ମୋହନ ସାହୁ, ପ୍ରଦୀପ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଶୁଭେନ୍ଦୁ କୁମାର ରାଉତରାୟଙ୍କ ସଭାପତିତ୍ବରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା। ପ୍ରଭାସ କୁମାର ସାମନ୍ତରାୟଙ୍କ ନେତୃତ୍ୱରେ ସାଙ୍ଗଠନିକ ଆଲୋଚନାରେ ଅନନ୍ତ ଦାସ, ପ୍ରଶାନ୍ତ ଧଳ, ମଧୁସୂଦନ ଶତପଥୀ, ନଦିଆ ବିହାରୀ ସାହୁ, ଶୁଭଶ୍ରୀ ରାୟ, ଇତିଶ୍ରୀ ମାନଲକ୍ଷ୍ମୀ ଜେନା, ସୁନୀଲ ପଣ୍ଡା, ଧୀରେନ ମହାନ୍ତି ଭାଗନେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଦିଗପହଣ୍ଡିରେ ସୂର୍ଯ୍ୟ ହେଲେ ଅସ୍ତ, ପୌର ନିର୍ବାଚନରେ ପୁତ୍ର ବିପ୍ଲବ ମାରିଲେ ଫେଲ, ଚିନ୍ତାରେ ବାଚସ୍ପତି

ବ୍ରହ୍ମପୁର: ପୌର ନିର୍ବାଚନରେ ସାରା ଓଡିଶାରେ ବିଜେଡିର ଏକ ଐତିହାସିକ ସଫଳତା ହାସଲ କରିଛି। ହେଲେ ଦୁଃଖର କଥା ବିଜେଡିର ବରିଷ୍ଠ ନେତା ତଥା ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପାଇଁ ଏହା ଆଣିଛି ବଡ ଝଟକା। କାରଣ ଦିଗପହଣ୍ଡିରେ ବିଜେଡି ହାରିଯାଇଛି। ଫଳରେ ସେଠାର ରାଜନୀତିରେ ସୂର୍ଯ୍ୟ ଅସ୍ତ ହୋଇଗଲେ ବୋଲି ପ୍ରମାଣିତ ହୋଇଛି।

ଚଳିତ ପୌର ନିର୍ବାଚନରେ ଏହି ଅଞ୍ଚଳର ପୌର ଅଧ୍ୟକ୍ଷ ଆସନ ହାତେଇ ନେଇଛି ହାତ। କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ ପଣ୍ଡା ଏଥର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେତିକି ନୁହେଁ, ଦିଗପହଣ୍ଡିର ୧୧ ଟି କାଉନିସଲରୁ ୬ ଟିରେ କଂଗ୍ରେସ ବିଜୟ ଲାଭ କରିଛି। ବିଜେଡ଼ି ୫ ଗୋଟି ଆସନ ଦଖଲ କରିଛି। ଦିଗପହଣ୍ଡିରେ ଅଧ୍ୟକ୍ଷ ପାଇଁ ବିଜେଡିରୁ ଛିଡା ହୋଇଥିଲେ ଭି . ରବିନାରାୟଣ ରାଜୁ। ହେଲେ ତାଙ୍କୁ କଂଗ୍ରେସର ପ୍ରଫୁଲ ପଣ୍ଡା ୧୪୧୨ ଭୋଟରେ ହରାଇ ଦେଇଛନ୍ତି।

ଦୀର୍ଘ ବର୍ଷ ଧରି ଦିଗପହଣ୍ଡିରେ ବିଜେଡିର ଦବଦବା ଚାଲି ଆସିଥିଲା। ମୁଖ୍ୟତଃ ବିଜେଡିର ବରିଷ୍ଠ ନେତା ଡ ସୂର୍ଯ୍ୟନାରାୟଣ ପାତ୍ର ଏହାର ନେତୃତ୍ବ ନେଉଥିଲେ। ହେଲେ ଏଥର ପୁରା ଗଣିତ ଭୁଲଭାଲ ପ୍ରମାଣିତ ହୋଇଯାଇଛି। ଯାହାକୁ ନେଇ ବିଜେଡି ମହଲରେ ବେଶ ଚର୍ଚ୍ଚା ଓ ଆଲୋଚନା ଜାରୀ ରହିଛି।

ତେବେ ମୁଖ୍ୟ କଥା ହେଲା ଚଳିତ ପଞ୍ଚାୟତ ଓ ପୌର ନିର୍ବାଚନରେ ସେହି ଅଞ୍ଚଳର ବିଧାୟକ ଡ ସୂର୍ଯ୍ୟନାରାୟଣ ପାତ୍ର ନିଜକୁ ଦୂରେଇ ରଖିଥିଲେ। ସେ ଏଥର ନିଜର ପୁତ୍ର ବିପ୍ଲବ ପାତ୍ରଙ୍କୁ ସମସ୍ତ ଦାୟିତ୍ବ ପ୍ରଦାନ କରିଥିଲେ। ବିପ୍ଲବ ତାଙ୍କର ସମସ୍ତ ବଳ ଖର୍ଚ୍ଚ କରି ନିର୍ବାଚନ ପ୍ରଚାର ଜୋରଦାର କରିଥିଲେ। ହେଲେ କଣ ହେଲା କେଜାଣି ତାଙ୍କୁ ସାଧାରଣ ଭୋଟର ଗ୍ରହଣ କରିପାରିଲେ ନାହିଁ। ଫଳରେ ବିଜେଡି ଦୁର୍ଗରେ କଂଗ୍ରେସର ଆଧିପତ୍ୟ ବିସ୍ତାର ହେଲା।

ଆସନ୍ତା ବିଧାନସଭା ନିର୍ବାଚନରେ ସୂର୍ଯ୍ୟନାରାୟଣ ପୁତ୍ର ବିପ୍ଳବଙ୍କୁ ଛିଡା କରିବା ପାଇଁ ମନସ୍ଥ କରିଛନ୍ତି। ବିଜେଡି ସୁପ୍ରିମୋ ମଧ୍ୟ କୁଆଡେ ଏଥିପାଇଁ ସବୁଜ ସଙ୍କେତ ମଧ୍ୟ ଦେଇଛନ୍ତି ବୋଲି କୁହାଯାଉଛି। ସେଥିପାଇଁ ଏଥର ପୌର ନିର୍ବାଚନରେ ସୂର୍ଯ୍ୟବାବୁ ବିପ୍ଲବଙ୍କୁ ଆଗକୁ ଆଣିଥିଲେ। ହେଲେ ବର୍ତ୍ତମାନ ଫଳାଫଳ ପରେ ଉଭୟ ସୂର୍ଯ୍ୟନାରାୟଣ ଏବଂ ବିଜେଡି ଏହାକୁ ନେଇ ମାନସ ମନ୍ଥନ ଆରମ୍ଭ କରିଛନ୍ତି।