Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଢେଙ୍କାନାଳରେ ‘କୌଶଳ ମହୋତ୍ସବ’ ଆୟୋଜନ କରିବ ସ୍କିଲ ଇଣ୍ଡିଆ

ଢେଙ୍କାନାଳ: ଓଡ଼ିଶାର ଯୁବପିଢ଼ିଙ୍କୁ ଆପ୍ରେଣ୍ଟଶିପ ପ୍ରଶିକ୍ଷଣ ଏବଂ ନିଯୁକ୍ତି ସୁଯୋଗ ଦେବା ଲାଗି ଆସନ୍ତା ୬ ନଭେମ୍ବର ୨୦୨୨, ରବିବାର ଦିନ ଢେଙ୍କାନାଳ ଠାରେ ‘କୌଶଳ ମହୋତ୍ସବ’ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ଅନୁରୂପ ଦେଶର ଯୁବପିଢ଼ିଙ୍କୁ କୌଶଳ ବିକାଶ ତାଲିମ ଦେବା ଉଦ୍ଦେଶ୍ୟରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ନିଜର ରଣନୈତିକ କାର‌୍ୟ୍ୟକାରିତା ଓ ଜ୍ଞାନ ସହଯୋଗୀ ଜାତୀୟ କୌଶଳ ବିକାଶ ନିଗମ (ଏନଏସଡିସି) ସହାୟତାରେ ଏହି କାର‌୍ୟ୍ୟକ୍ରମ ଆୟୋଜନ କରୁଛି।

ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି। ସ୍କିଲ ଇଣ୍ଡିଆ ମିଶନ ଅଧୀନରେ କୌଶଳ ବିକାଶ ଜରିଆରେ ବିଭିନ୍ନ କ୍ଷେତ୍ରରେ ରହିଥିବା ସୁଯୋଗ ଯୋଗାଇ ଦେବା ଦ୍ବାରା ଯୁବଶକ୍ତିଙ୍କ ସଶକ୍ତିକରଣ କରାଯାଇପାରିବ। ରାଜ୍ୟରେ ପର‌୍ୟ୍ୟାୟକ୍ରମରେ ଏଭଳି କାର‌୍ୟ୍ୟକ୍ରମ ଆୟୋଜନ କରାଯିବ। ଏହା ଓଡ଼ିଶାର ସ୍ଥାନୀୟ ଯୁବକ ଓ ସମୁଦାୟଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୁବିଧାବାଦୀ ନେତା ଧର୍ମେନ୍ଦ୍ର ପ୍ରଧାନ କାହିଁକି ଢେଙ୍କାନାଳ ଆସନରୁ ପ୍ରାର୍ଥୀ ହେବେ? କଣ ରହିଛି ରହସ୍ୟ

ଶରତ ପାଇକରାୟ

ଭୁବନେଶ୍ବର: ଗତ କିଛି ମାସ ଧରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ଗସ୍ତ କରିବାରେ ଲାଗିଛନ୍ତି। ବିଭିନ୍ନ ଗଣମାଧ୍ୟମ ଆଶଙ୍କା କରିଛି ଯେ, ଏଥର ଧର୍ମେନ୍ଦ୍ର ଢେଙ୍କାନାଳ ଲୋକସଭା ଆସନରୁ ପ୍ରାର୍ଥୀ ହେବେ। ହେଲେ କଣ ଏମିତି ଘଟିଲା ଯେ ସେ ସିଧା ନିର୍ବାଚନ ଲଢିବା ପାଇଁ ବାଧ୍ୟ ହେଉଛନ୍ତି। ଏହାର କାରଣକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେବାରେ ଲାଗିଛି।

ଏହା ନିଶ୍ଚିତ ଯେ, ଧର୍ମେନ୍ଦ୍ର ସିଧା ନିର୍ବାଚନ ଲଢେଇ କରିବାକୁ ପସନ୍ଦ କରନ୍ତି ନାହିଁ। କାରଣ ଧର୍ମେନ୍ଦ୍ର ହେଉଛନ୍ତି ଏପରି ଜଣେ ନେତା ଯେ କି ଶୁଖିଲାରେ ରହି ଶେଉଳ ମାରିବାରେ ଓସ୍ତାଦ। ସେଥିପାଇଁ ସେ ନିର୍ବାଚନ ପରି ଅଳିଆ ଭିତରେ ନ ପଶି ଅନ୍ୟ ରାଜ୍ୟରୁ ରାଜ୍ୟସଭା ସାଂସଦ ହୋଇ ମନ୍ତ୍ରୀ ପଦ ହାତେଇଛନ୍ତି। ତେଣୁ ଜଣେ ସୁବିଧାବାଦୀ ନେତା ଏପରି ସିଧା ନିର୍ବାଚନ ଲଢେଇ କରିବା ପଛରେ ରହିଛି ଏକ ବଡ କାରଣ।

ନୂଆଦିଲ୍ଲୀର ଚର୍ଚ୍ଚା ଅନୁସାରେ ଏଥର ଆରଏସଏସ କୁଆଡେ ଏକ ନୂଆ ରଣନୀତି ପ୍ରଣୟନ କରିବାକୁ ଯାଉଛି। ଆସନ୍ତା ସାଧାରଣ ନିର୍ବାଚନରେ ତାହା ବିଜେପିରେ ଲାଗୁ କରାଯିବ। ସେହି ରଣନୀତି ହେଲା ଯେ, ସାଧାରଣ ନିର୍ବାଚନ ପରେ ଯେଉଁ ନୂଆ ମନ୍ତ୍ରୀମଣ୍ଡଳ ହେବ ସେଥିରେ କେବଳ ଲୋକସଭା ସାଂସଦଙ୍କୁ ସାମିଲ କରାଯିବ। କୌଣସି ରାଜ୍ୟସଭା ସାଂସଦଙ୍କୁ ମନ୍ତ୍ରୀପଦ ଦିଆଯିବ ନାହିଁ।

ସଂଘ ଏହାକୁ ବେଶ ବିଚାର ବିମର୍ଶ କରି ନିଷ୍ପତି ନେଉଛି। କାରଣ ହେଲା ଯେଉଁ ରାଜ୍ୟସଭା ସାଂସଦମାନେ ମନ୍ତ୍ରୀ ହେଉଛନ୍ତି ସେମାନଙ୍କ ଦ୍ବାରା ସଂଗଠନର କୌଣସି ଲାଭ ହୋଇପାରୁ ନାହିଁ। ସେମାନଙ୍କର କୌଣସି ନିର୍ବାଚନ ମଣ୍ଡଳୀ ନ ଥିବା ଯୋଗୁଁ, ମନ୍ତ୍ରୀ ଭାବେ ସେମାନେ ମଇଦାନକୁ ମଜବୁତ କରିପାରୁ ନାହାଁନ୍ତି।

ଅନ୍ୟପକ୍ଷରେ ଏମାନେ ଶୁଖିଲାରେ ସାଂସଦ ହେଉଥିବାରୁ ମନ୍ତ୍ରୀ ପରି ଗୁରୁତ୍ବପୂର୍ଣ୍ଣ ପଦ ଦେବାର କୌଣସି ଆବଶ୍ୟକ ନାହିଁ ବୋଲି ସଂଘ ବିଚାର କରୁଛି। ବରଂ ଯେଉଁମାନେ ମାଟିରେ ଖଟି ଝାଳ ବୁହାଇ ସାଂସଦ ହୋଇଛନ୍ତି ସେମାନେ ମନ୍ତ୍ରୀପଦ ପାଇବା ହକଦାର।

ଯଦି ସଂଘର ଏହି ନିଷ୍ପତିକୁ ଲାଗୁ କରାଯାଏ ତେବେ ଧର୍ମେନ୍ଦ୍ର ନିର୍ବାଚନ ନ ଲଢିଲେ ତାଙ୍କର ମନ୍ତ୍ରୀ ହେବା ଆଶା ମଉଳି ଯିବ। ସବୁବେଳେ ପାୱାରକୁ ହାତରେ ଜାବୁଡି ଧରିବାରେ ଆଗ୍ରହ ରଖୁଥିବା ଧର୍ମେନ୍ଦ୍ର, ବର୍ତ୍ତମାନ ଢେଙ୍କାନାଳର ସଂଗଠନକୁ ସୁଦୃଢ କରିବାରେ ଲାଗିଛନ୍ତି। କେବଳ ସେ ଏକା ନୁହଁନ୍ତି, ତାଙ୍କ ଧର୍ମପତ୍ନୀ ମଧ୍ୟ ଢେଙ୍କାନାଳ ଗସ୍ତରେ ଆସି ବିଭିନ୍ନ ସଂଗଠନ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି। ଏଥିପାଇଁ କୁଆଡେ ତାଙ୍କୁ ଦଳର ତୁଙ୍ଗ ନେତାମାନେ ଅଭୟବାଣୀ ଦେଇଛନ୍ତି।

( ପରବର୍ତ୍ତି ସମୟରେ ପଢନ୍ତୁ ଧର୍ମେନ୍ଦ୍ରଙ୍କ ପାଇଁ ଢେଙ୍କାନାଳ ଆସନରେ ରହିଛି ଏକ ବଡ କଣ୍ଟା, ତାହାକୁ ନିୟନ୍ତ୍ରଣ କରିବା ନିମନ୍ତେ ଚାଲିଛି ଆପ୍ରାଣ ଉଦ୍ୟମ, କଣ ସେହି କଣ୍ଟା? ପଢିବା ପାଇଁ କ୍ଲିକ କରୁଥାଆନ୍ତୁ thesamikhsya.com/odia )