Categories
ବିଶେଷ ଖବର ରାଜ୍ୟ ଖବର

ତୃତୀୟ ଲହର ମୁକାବିଲା ପାଇଁ ନବୀନଙ୍କ ନୂଆ ପଦକ୍ଷେପ, ତାଲିମ ନେବେ ୧୧୧୪ ଡାକ୍ତର

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । କୋଭିଡ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ସଂପର୍କରେ ବିଶେଷଜ୍ଞମାନେ ମତ ଦେଉଥିବାରୁ, ଏବେଠାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପିଲାମାନଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ଚିକିତ୍ସା ସୁବିଧାର ବିକାଶ, ଆବଶ୍ୟକ ଉପକରଣ ଏବଂ ଔଷଣ ମହଜୁଦ ରଖିବା ସଂଗେ ସଂଗେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଶିଶୁ ରୋଗ ସଂପର୍କରେ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ତୃତୀୟ ଲହର ପାଇଁ ଗଠିତ Technical Task force committee ର ସୁପାରିଶ ଅନୁଯାୟୀ ଆଗୁଆ ପ୍ରସ୍ତୁତି କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ରାଜ୍ୟରେ ଦୈନିକ ଟିକାକରଣ ଦେଢ ଲକ୍ଷ ଥିବାବେଳେ, ଏହାକୁ ୩ ଲକ୍ଷକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କୋଭିଡର ସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ପ୍ରଦୀପ୍ତ ମହାପାତ୍ର କହିଥିଲେ ରାଜ୍ୟରେ ବର୍ତ୍ତମାନ ୮୬ ପ୍ରତିଶତ କୋଭିଡ ରୋଗୀ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ଡାକ୍ତରଖାନାରେ ୬୮ ପ୍ରତିଶତ ବେଡ ଖାଲି ରହିଛି । ରାଜ୍ୟରେ ଅକ୍‌ସିଜେନ ଯୋଗାଣ ଠାରୁ ଆରମ୍ଭ କରି ସମସ୍ତ ଆବଶ୍ୟକ ଔଷଧ ପଯ୍ୟାପ୍ତ ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ମେଡିକାଲ କଲେଜ ପର‌୍ୟ୍ୟନ୍ତ ୧୧୧୪ ଡାକ୍ତର ଓ ୧୦୩୬ ସ୍ବାସ୍ଥ୍ୟକର୍ମୀଙ୍କୁ ଶିଶୁ କୋଭିଡ ରୋଗୀଙ୍କ ତାଲିମ ଆରମ୍ଭ କରାଯିବ। ଏହାସହିତ ତୃତୀୟ ଲହରର ମୁକାବିଲା ପାଇଁ ୩୦୦୦ ବେଡ୍, ୨୩୯୦ Isolation Bed , ୬୧୦ ICU Bed ପ୍ରସ୍ତୁତ ରଖାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିଲେ । ଏହାସହିତ ଜୁନ୍ ମଧ୍ୟ ଭାଗରୁ ଗଞ୍ଜାମ, କୋରାପୁଟ ଓ ରାୟଗଡା ଜିଲ୍ଲାରେ ଚତୁର୍ଥ sero survey  ଆରମ୍ଭ କରାଯିବ ଏବଂ ଏଥିରେ ପିଲାମାନଙ୍କ ବିଷୟରେ ବିଶେଷ ତଥ୍ୟ ସଂଗ୍ରହ କରାଯିବ ବୋଲି ସେ ସୂଚନା ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଅଧିକ ସଂକ୍ରମଣ ହାର ଥିବା ରାୟଗଡା, ଯାଜପୁର, ପୁରୀ ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ତଥା ଭୁବନେଶ୍ବର ଓ କଟକ ମୁନିସ୍‌ପାଲ କମିଶନର ମାନଙ୍କ ସହିତ ସ୍ଥାନୀୟ ପରିସ୍ଥିତି ସଂପର୍କରେ ପଚାରି ବୁଝିଥିଲେ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୩ ଲକ୍ଷ ୬୨ ହଜାର ୧୦୫ ଡୋଜ୍ ଟିକା ଦିଆଯାଇଛି ଏବଂ ଟିକାକରଣ କ୍ଷେତ୍ରରେ ଭୁବନେଶ୍ବର ସବୁଠାରୁ ଆଗରେ ରହିଛି ବୋଲି ଜଣାଯାଇଛି । ଜୁଲାଇ ୧୫ ସୁଦ୍ଧା ଭୁବନେଶ୍ବରରେ ୪୫ ବର୍ଷରୁ ଉର୍ଦ୍ଧ୍ବ ସବୁ ଲୋକଙ୍କର ଦୁଇଟି ଡୋଜ ଟିକାକରଣ ହେବା ସହିତ ୧୮ ରୁ ୪୪ ବର୍ଷ ସମସ୍ତଙ୍କ ପ୍ରଥମ ଡୋଜ ସଂପୂର୍ଣ୍ଣ ହୋଇଯିବ ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାଯ୍ୟକ୍ରମକୁ ସଂଚାଳନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ଡିଜି, ଅଗ୍ନିଶମ ସେବା ଡିଜି, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍.ପି ମାନେ ଯୋଗ ଦେଇଥିଲେ।