Categories
ଆଜିର ଖବର ଜାତୀୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀଙ୍କୁ ଟାଟା ଷ୍ଟିଲରେ ନିଯୁକ୍ତି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ କମ୍ପାନିରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଉଛି। ଏହି କ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଶୁକ୍ରବାର ଦିନ ଟାଟା ଷ୍ଟିଲ ପକ୍ଷରୁ ହୋଇଥିବା ଦ୍ୱିତୀୟ ପ୍ଲେସମେଣ୍ଟ ଇଣ୍ଟରଭିଉ କାର୍ଯ୍ୟକ୍ରମରେ ୨୦୨୧-୨୨ ବ୍ୟାଚର ୨୪ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି।

ଟାଟା ଷ୍ଟିଲରେ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ କାମ କରିବାର ସୁଯୋଗ ପାଇବେ। ଏଥିପାଇଁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏହି ସୁଯୋଗ ଲାଗି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ ଇଞ୍ଜିନିୟରିଂ’ ଏବଂ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ଚଳିତ ବର୍ଷ ତାଲିମ ଶେଷ କରିଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି ବ୍ୟାଚରେ ୯୦ ପ୍ରତିଶତ ଛାତ୍ରଛାତ୍ରୀ ବିଭିନ୍ନ କମ୍ପାନିରେ ନିଯୁକ୍ତି ସୁଯୋଗ ପାଇଥିବା ବେଳେ ତା’ଭିତରେ ୨୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ମିଳିଛି।

ବର୍ତ୍ତମାନ ସୁଦ୍ଧା ଟାଟା ଷ୍ଟିଲ, ଆର୍ସେଲର ମିତ୍ତଲ, ଆଇଏଚସିଏଲ, ମେଘାଭି ୱେଲନେସ୍, ହୋଣ୍ଡା କାରସ, ଦୁବାଇର ଏମରିଲ ଗ୍ରୁପ୍ ଏବଂ ଗ୍ରୀନ ଟ୍ରେଣ୍ଡସ୍ ଭଳି ପ୍ରତିଷ୍ଠିତ କମ୍ପାନି ଓଡ଼ିଶା ଆସି ବିଶ୍ୱ ଦକ୍ଷତା କେନ୍ଦ୍ରରୁ ତାଲିମପ୍ରାପ୍ତ ଯୁବପିଢ଼ିକୁ ନିଯୁକ୍ତି ଲାଗି ଚୟନ କରିଛନ୍ତି।
ଚଳିତ ବର୍ଷ ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ପ୍ରଥମ ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ୪୫ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଥିଲେ। ତା’ ଭିତରେ ୨୦୨୨-୨୩ ବ୍ୟାଚର ୩୯ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୨୦୨୧-୨୨ର ୬ ଜଣ ନିଯୁକ୍ତି ପାଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ପରିକଳ୍ପନା ଏବଂ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରଠାରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଶିଳ୍ପ-ଅନୁକୂଳ ତାଲିମ ସହ ବିଭିନ୍ନ ଜୀବନ କୌଶଳ ଶିକ୍ଷା ଦେଇ ପ୍ରସ୍ତୁତ କରାଯାଉଥିବାରୁ ଦେଶବିଦେଶର କମ୍ପାନିମାନେ ସେମାନଙ୍କୁ ନିଯୁକ୍ତି ଦେବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରରେ ସେପ୍ଟେମ୍ବର ସେସନ ଲାଗି ନାମଲେଖା, ଆବେଦନର ଶେଷ ତାରିଖ ଅଗଷ୍ଟ ୧୫

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ୱାର୍ଲ୍ଡ ସ୍କିଲ ସେଣ୍ଟର ବା ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ତାଲିମ ପାଠ୍ୟକ୍ରମରେ ସେପ୍ଟେମ୍ବର ସେସନରେ ନାମଲେଖା ପାଇଁ ଆବେଦନର ଶେଷ ତାରିଖ ରହିଛି ଅଗଷ୍ଟ ୧୫ ତାରିଖ। ଏହି ବର୍ଷିକିଆ ପାଠ୍ୟକ୍ରମଗୁଡ଼ିକ ଲାଗି କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି।

ରାଜ୍ୟର କୌଣସି ସରକାରୀ ବା ଘରୋଇ ଅନୁଷ୍ଠାନରୁ ଯେ କୌଣସି ବିଷୟରେ ୨ ବର୍ଷିଆ ଆଇଟିଆଇ ବା ୩ ବର୍ଷିଆ ପଲିଟେକ୍‌ନିକ୍‌, କିମ୍ବା ଯୁକ୍ତ ୨ ଓ ଡିପ୍ଲୋମା ପାସ୍ କରିଥିବା ଛାତ୍ରଛାତ୍ରୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ବିଷୟରେ ନାମଲେଖା ପାଇଁ ଆବେଦନ କରିପାରିବେ। ଏହି ପ୍ରକ୍ରିୟା ଶେଷ ହେବା ପରେ ଅନଲାଇନ ମାଧ୍ୟମରେ ଏକ ପ୍ରବେଶିକା ପରୀକ୍ଷା କରାଯିବ। ଏଥିରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟରେ ନାମଲେଖା ପାଇଁ ଚୟନ କରାଯିବ।

ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳଠାରେ ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ର ଦେଶର ଏକ ଅଗ୍ରଣୀ ତଥା ଅଭିନବ ଦକ୍ଷତା ବିକାଶ କେନ୍ଦ୍ର ଭାବେ ପରିଚିତ। ଏଠାରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ୍ ଅଫ୍ ସର୍ଭିସେସ୍ ଭଳି ଦୁଇଟି ବିଭାଗ ରହିଛି। ଏହା ଅଧୀନରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଫିନିସିଙ୍ଗ ସ୍କୁଲ ଢାଞ୍ଚାରେ ତାଲିମ ଦିଆଯାଇ ଦେଶ ବିଦେଶର ଶିଳ୍ପ ଓ ସେବା କ୍ଷେତ୍ରରେ ନିଯୁକ୍ତି ପାଇଁ ପ୍ରସ୍ତୁତ କରାଯାଉଛି।

ଏହାର ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ମେକାଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ମେକାନିକାଲ ଆଣ୍ଡ୍ ଇଲେକ୍ଟ୍ରିକାଲ ସର୍ଭିସେସ, ଏୟାର କଣ୍ଡିସନିଂ ଆଣ୍ଡ୍ ରେଫ୍ରିଜରେସନ ଏବଂ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ଭଳି ୫ଟି ଆଧୁନିକ ବିଷୟରେ ନାମଲେଖା ପାଇଁ ଆବେଦନ ଗ୍ରହଣ କରାଯାଉଛି।

ସେହିପରି ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ “ହେୟାର ଫ୍ୟାସନ ଆଣ୍ଡ ଡିଜାଇନ୍‌” ଏବଂ “ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା” ଭଳି ୨ଟି ପାଠ୍ୟକ୍ରମ ରହିଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ଶିଳ୍ପ-ଦକ୍ଷତା ପ୍ରଦାନ ପାଇଁ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଅତ୍ୟାଧୁନିକ ଲାବୋରେଟୋରି କରାଯାଇଛି। ସେହିପରି ବିଷୟଭିତ୍ତିକ ପାଠ ଓ ତାଲିମ ଛଡ଼ା ସେମାନଙ୍କ ଜୀବନ କୌଶଳ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ମଧ୍ୟରେ ରହିଛି ଯୋଗାଯୋଗ ଦକ୍ଷତା, କମ୍ପ୍ୟୁଟର ଓ ଡିଜିଟାଲ ପ୍ରୟୋଗ, ବ୍ୟକ୍ତିତ୍ୱ ବିକାଶ ଏବଂ ଉଦ୍ୟୋଗ ବିକାଶ ଭଳି ବିଷୟ।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ସ୍କିଲ୍ଡ ଇନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ତଥା ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଏହି କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ଛାତ୍ରଛାତ୍ରୀଙ୍କ ଲାଗି ହଷ୍ଟେଲ ସୁବିଧା, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ବ୍ୟବସ୍ଥା ମାଗଣାରେ ଦିଆଯାଉଛି।

ବିଶ୍ୱ ଦକ୍ଷତା କେନ୍ଦ୍ରର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ସିଙ୍ଗାପୁରଠାରେ ଦୁଇ ସପ୍ତାହ ପାଇଁ “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମ ତଥା ସେଠିକାର ବିଭିନ୍ନ କମ୍ପାନିରେ ୬ ମାସିଆ ପେଡ୍‌-ଇଣ୍ଟର୍ଣ୍ଣସିପ୍ ଲାଗି ବ୍ୟବସ୍ଥା ରହିଛି। ଛାତ୍ରଛାତ୍ରୀମାନେ ଦେଶ ବିଦେଶର ପ୍ରମୁଖ ସଂସ୍ଥାରେ କିପରି ନିଯୁକ୍ତି ପାଇପାରିବେ ସେଥିପାଇଁ “ପ୍ଲେସମେଣ୍ଟ” କାର୍ଯ୍ୟକ୍ରମ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଉଛି।

ଆଗ୍ରହୀ ପ୍ରାର୍ଥୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟ www.worldskillcenter.org ମାଧ୍ୟମରେ ନାମଲେଖା ପାଇଁ ସିଧାସଳଖ ଆବେଦନ କରିପାରିବେ। ଏ ବିଷୟରେ ଅଧିକ ଜାଣିବା ପାଇଁ ୧୮୦୦ ୨୬୬ ୬୦୦୨ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ଅନୁରୋଧ କରାଯାଇଛି।