Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟ ଅନୁଧ୍ୟାନ କଲେ କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ସାର ଓ ରସାୟନ, ନୂତନ ଓ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଭଗୱନ୍ତ ଖୁବା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି।

ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି କେନ୍ଦ୍ର ମନ୍ତ୍ରୀ ତାଳଚେର ଠାରେ ସାର କାରଖାନା ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନିରୀକ୍ଷଣ କରିବା ସହ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ସେ ପ୍ରକଳ୍ପ ପରିଚାଳନା ସମୀକ୍ଷା କରିବା ସହିତ ତାଳଚେର ସାର କାରଖାନା ଏବଂ ପିଡିଆଇଏଲର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ଜରୁରୀ ସମୀକ୍ଷା ବୈଠକ କରିଥିଲେ। କେନ୍ଦ୍ର ମନ୍ତ୍ରୀ ସେମାନଙ୍କ ଠାରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ସେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ନିୟୋଜିତ କଣ୍ଟ୍ରାକ୍ଟର ଓ ସହାୟକମାନଙ୍କ ସହିତ ଆଲୋଚନା କରିଥିଲେ। ସେମାନଙ୍କର କାର୍ଯ୍ୟ ଏବଂ ପ୍ରକଳ୍ପର ପ୍ରଗତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ପଚାରି ବୁଝିଥିଲେ।

କେନ୍ଦ୍ର ମନ୍ତ୍ରୀ କାରଖାନା ପ୍ରକଳ୍ପ କ୍ଷେତ୍ର ବୁଲିବା ସହିତ ସବୁ ୟୁନିଟର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ। ଏହାପରେ ସେ ରେଳ କରିଡର, ପାଣି ପାଇପଲାଇନ କରିଡର ଏବଂ ବ୍ରାହ୍ମଣୀ ନଦୀ ଠାରେ ଇନଟେକ ୱେଲ୍ ପମ୍ପହାଉସ ସୁବିଧା ପରିଦର୍ଶନ କରିଥିଲେ।

ନିର୍ଦ୍ଧାରିତ ସମୟରେ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ କରିବା ଏବଂ ଏଠାରୁ ଯଥାଶୀଘ୍ର ୟୁରିଆ ଉତ୍ପାଦନ ଆରମ୍ଭ କରିବା ଉପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଖୁବା ଗୁରୁତ୍ବାରୋପ କରିଥିଲେ। ଏଥିପାଇଁ ପୁନରୁଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ଟିଏଫଏଲ ଏବଂ ପିଡିଆଇଏଲର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ଆରସିଏଫର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀନିବାସ ସି. ମୁଦଗେରିକର, ଟିଏଫଏଲର ଅଧ୍ୟକ୍ଷ ଦେବାଶିଷ ନନ୍ଦ, ଆରସିଏଫଏଲର ବୈଷୟିକ ନିର୍ଦ୍ଦେଶକ ମିଲିନ୍ଦ ଏମ ଦେଓ, ଟିଏଫଏଲର ପରିଚାଳନା ନିର୍ଦ୍ଦେଶକ ଏସ ଏନ ଯାଦବ, ସିଆଇଏଲର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଏ କେ ସାମନ୍ତରାୟଙ୍କ ସମେତ ତାଳଚେର ସାର କାରଖାନା ପ୍ରକଳ୍ପ, ଜିଲ୍ଲା ପ୍ରଶାସନ, କୋଲ ଇଣ୍ଡିଆର ବରିଷ୍ଠ ଅଧିକାରୀମାନଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ବୈଠକରେ ଆଲୋଚନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ତାଳଚେର ସାର କାରଖାନାକୁ ନେଇ କେନ୍ଦ୍ର କ୍ୟାବିନେଟରେ ନିଆଗଲା ବଡ ନିଷ୍ପତି

ନୂଆଦିଲ୍ଲୀ, ତାଳଚେର ସାରକାରଖାନା (ଟିଏଫଏଲ) ଦ୍ୱାରା କୋଇଲା ବାଷ୍ପୀକରଣ (କୋଲ ଗ୍ୟାସିଫିକେସନ) ବ୍ୟବସ୍ଥାରେ ଉତ୍ପାଦିତ ୟୁରିଆ ନିମନ୍ତେ ସ୍ୱତନ୍ତ୍ର ସବ୍‌ସିଡି ନୀତି ପ୍ରବର୍ତ୍ତନ କରିବାକୁ କେନ୍ଦ୍ର ସାର ମନ୍ତ୍ରଣାଳୟ ଯେଉଁ ପ୍ରସ୍ତାବ ଉପସ୍ଥାପିତ କରିଥିଲା ତାହାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି ।

ଉଦ୍ଦେଶ୍ୟ: ଦେଶରେ ରଣ କୌଶଳାତ୍ମକ ଊର୍ଜ୍ଜା ନିରାପତ୍ତା ନୀତି, ୟୁରିଆ ସାର କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଓ ଦେଶରେ ଗଚ୍ଛିତ ଥିବା ବିପୁଳ କୋଇଲା ସମ୍ପଦକୁ ବିଚାରକୁ ନେଇ କେନ୍ଦ୍ର ସରକାର କୋଲ ଗ୍ୟାସିଫିକେସନ ବ୍ୟବସ୍ଥାରେ ୟୁରିଆ ଉତ୍ପାଦନ କରିବାକୁ ତାଳଚେର କାରଖାନାକୁ ଅନୁମତି ଦେବାକୁ ନୀତିଗତଭାବେ ନିଷ୍ପତି ନେଇଥିଲେ ।

ଏହାଦ୍ୱାରା ଦେଶର ଚାଷୀଙ୍କ ୟୁରିଆ ଆବଶ୍ୟକତା ଅନେକାଂଶରେ ପୂରଣ ହୋଇପାରିବ । ଏଥିସହିତ ଦେଶର ପୂର୍ବାଞ୍ଚଳରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହିତ ପୂର୍ବ ଭାରତକୁ ପଠାଯାଉଥିବା ସାର ପରିବହନ ବାବଦ ସବ୍‌ସିଡି ଯଥେଷ୍ଟ ହ୍ରାସ ପାଇବ । ଏହା ଫଳରେ ସରକାରଙ୍କର ବିପୁଳ ଅର୍ଥ ସଞ୍ଚୟ ହେବ । ଆହୁରି ମଧ୍ୟ ୟୁରିଆ ଆମଦାନୀ ପରିମାଣ ବାର୍ଷିକ ୧୨.୭ଲକ୍ଷ ମେଟ୍ରିକଟନ୍ ହ୍ରାସ ପାଇବ । ୟୁରିଆ ଆମଦାନୀ କମିବା ଦ୍ୱାରା ସରକାର ବିପୁଳ ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟ କରିପାରିବେ ।

ତାଳଚେର ସାର ପ୍ରକଳ୍ପ ମଧ୍ୟ ‘ମେକ୍ ଇନ୍ ଇଣ୍ଡିଆ’ ଓ ଆତ୍ମନିର୍ଭର ଭାରତ କାର‌୍ୟ୍ୟକ୍ରମକୁ ପ୍ରୋତ୍ସହିତ କରିବ । ଏହାଦ୍ୱାରା ପୂର୍ବ ଭାରତର ସଡକ, ରେଳପଥ, ଜଳଯୋଗାଣ ବ୍ୟବସ୍ଥା ଭଳି ଭିତ୍ତିଭୂମି କ୍ଷେତ୍ର ଲାଭବାନ ହେବ ଏବଂ ଅନେକ ଅନୁସାରୀ ଶିଳ୍ପ ସଂସ୍ଥା ଗଢି ଉଠିବ । ଏହି ପ୍ରକଳ୍ପ ମଧ୍ୟ ତାଳଚେରର ପାଶ୍ୱର୍ବର୍ତୀ ଅଂଚଳରେ ନୂଆ ଉଦ୍ୟୋଗ ଓ ବ୍ୟାପାର ବଣିଜକୁ ପ୍ରୋତ୍ସାହିତ କରିବ ।

କୋଲ ଗ୍ୟାସିଫିକେସନ ପ୍ଳାଣ୍ଟଗୁଡିକ ବ୍ୟବସାୟ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । କୋଇଲା ମୂଲ୍ୟ ପ୍ରାୟତଃ ସ୍ଥିର ରହୁଥିବାରୁ ଏବଂ ଏହା ଦେଶରେ ପ୍ରଚୁର ପରିମାଣରେ ମିଳୁଥିବାରୁ ଏହାର ସଦ୍‌ବିନିଯୋଗ ଲୋଡା । ତାଳଚେର ପ୍ଳାଣ୍ଟ ୟୁରିଆ ଉତ୍ପାଦନ ପାଇଁ ଆବଶ୍ୟକ ପଡୁଥିବା ପ୍ରାକୃତିକ ଗ୍ୟାସ ଆମଦାନୀକୁ ଯଥେଷ୍ଟ କମାଇବ । ଏଠାରୁ ଉତ୍ପାଦିତ କୋଲ ଗ୍ୟାସ ସେ ଆବଶ୍ୟକତା ଅନେକାଂଶରେ ପୂରଣ କରିବ ।

ଏହା ଫଳରେ ଭାରତର ଏଲଏନ୍‌ଜି (ପ୍ରାକୃତିକ ଗ୍ୟାସ) ଆମଦାନୀଜନିତ ବ୍ୟୟ ଯଥେଷ୍ଟ କମିବ । ତାଳଚେର ସାର କାରଖାନାରେ ଯେଉଁ କୋଇଲା ବାଷ୍ପୀକରଣ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ତାହା ସ୍ପଳ୍ପ ଓ ପ୍ରଦୂଷଣ ମୁକ୍ତ ।ଏଥିରେ ଯେଉଁ ଦୂଷିତ ଏମ୍‌ଓଏକ୍ସ, ଏନ୍‌ଓଏକ୍ସ ଏବଂ ଅନ୍ୟାନ୍ୟ କଣିକା ନିର୍ଗତ ହେଉଚି ତାହାର ପରିମାଣ ନଗନ୍ୟ । ପୁରୁଣା କୋଇଲା ଦହନ ପ୍ରକ୍ରିୟାରେ ପ୍ରଦୂଷଣ ଅଧକ ହେଉଥିଲା ।

ପୃଷ୍ଠଭୂମି- ରାଷ୍ଟ୍ରୀୟ କେମିକାଲ୍ସ ଓ ଫର୍ଟିଲାଇଜର, ଗେଲ ଇଣ୍ଡିଆ ଲିମିଟେଡ, କୋଲ ଇଣ୍ଡିଆ ଲିମିଟେଡ ଓ ଭାରତୀୟ ସାର ନିଗମ ଆଦି ଚାରିଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ମିଳିତ ସହଯୋଗରେ ତାଳଚେର ଫର୍ଟିଲାଇଜର ଲିମିଟେଡ ଗଠିତ । ୨୦୧୫ ନଭେମ୍ବର ୧୩ରେ ଏହି ଯୌଥ ଉଦ୍ୟୋଗଟି ଗଠିତ ହୋଇଥିଲା ।

ପୂର୍ବରୁ ତାଳଚେର ସାର କାରଖାନା ଭାରତୀୟ ସାର ନିଗମ ଅଧୀନରେ କାର‌୍ୟ୍ୟ କରୁଥିଲା । ସେହି ପୁରୁଣା ୟୁନିଟ୍ ବଦଳରେ ତାଳଚେରରେ ଏକ ନୂଆ କୋଲ ଗ୍ୟାସିଫିକେସନ ୟୁରିଆ ପ୍ଳାଣ୍ଟ ପ୍ରତିଷ୍ଠା କରାଯାଇଛି । ଏହି କାରଖାନାରେ ବାର୍ଷିକ ୟୁରିଆ ଉତ୍ପାଦନ କ୍ଷମତା ୧୨.୭ ଲକ୍ଷ ମେଟ୍ରିକ ଟନ୍ । ଏହି ୟୁରିଆ ପ୍ରକଳ୍ପର ମୋଟ ନିର୍ମାଣ ଖର୍ଚ୍ଚ ୧୩୨୭୭.୨୧କୋଟି ଟଙ୍କା ରଖାଯାଇଛି । ଏଥିରେ ଅନୁମାନିକ କମ୍ ବେଶୀ ଖର୍ଚ୍ଚ ପରିମାଣ ୧୦% ଧାର୍ଯ୍ୟ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତାଳଚେର ସାର କାରଖାନା ହେବ ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ କାରଖାନା- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ତାଳଚେର ସାର କାରଖାନା(ଟିଏଫ୍‌ଏଲ୍‌) ଦ୍ୱାରା କାର୍ଯ୍ୟକାରୀ ହେଉଥିବା କୋଇଲା ଗ୍ୟାସିଫିକେସନ ଏବଂ ୟୁରିଆ ଉତ୍ପାଦନ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟ ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେଲେ ଏହା ପେଟକୋକ୍‌ ବ୍ଲେଣ୍ଡିଂ ସହ ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ ସାର କାରଖାନା ହେବ। ଏହାସହ ଏହି କାରଖାନା ଓଡିଶା ଏବଂ ପୂର୍ବ ଭାରତର ବିଭିନ୍ନ ଅଂଚଳରେ ୟୁରିଆ ତଥା ସାରର ସହଜ ଯୋଗାଣ ଉପଲବ୍ଧିକୁ ସୁନିଶ୍ଚିତ କରିବ।

ଉକ୍ତ ବୈଠକରେ ତାଳଚେର ସାର କାରଖାନା ପାଇଁ ଥିବା ଚ୍ୟାଲେଞ୍ଜ ଏବଂ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉପାୟ ଉପରେ ବିଚାରବିମର୍ଷ କରାଯାଇଛି। ତାଳଚେର ସାର କାରଖାନା ସଫଳତାର ସହ କାର୍ଯ୍ୟକ୍ଷମ ହେବା ପରେ ଏହା ଓଡିଶା ତଥା ଭାରତକୁ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭର କରିବ। ଏହାସହ ଓଡିଶାରେ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ସଙ୍ଗେସଙ୍ଗେ ରାଜ୍ୟର ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଉଲ୍ଲେଖନୀୟ ଯେ, ଏହି ବୈଠକରେ କୋଇଲା ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ, ପେଟ୍ରୋଲିୟମ ମନ୍ତ୍ରଣାଳୟ, ସାର ବିଭାଗ ଏବଂ ଏସବିଆଇ ବ୍ୟାଙ୍କର ବରିଷ୍ଠ ଅଫିସରମାନେ ମଧ୍ୟ ସାମିଲ ହୋଇଥିଲେ।