Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପି ଛାଡିଲେ ବରିଷ୍ଠ ନେତା ରବି ପାଣି

ଭୁବନେଶ୍ବର: ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରବି ପାଣି। ସେ ଆଜି ସଭାପତି ମନମୋହନ ସାମଲଙ୍କ ନିକଟକୁ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଦଳରେ ନୀତି ଆଦର୍ଶ କିଛି ନାହିଁ। ଯାହାକୁ ପାରେ ତାକୁ ଦଳରେ ମିଶେଇ ଦିଆଯାଇଛି। ବରିଷ୍ଠ ନେତାଙ୍କୁ କେହି ପଚାରୁ ନାହାଁନ୍ତି। ସେଥିପାଇଁ ଦଳ ଛାଡିଲି ବୋଲି କହିଛନ୍ତି।

ରବି ପାଣି ଗତ ୨୦୧୯ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ତାପୂର୍ବରୁ ସେ ବିଜେଡି ବିଧାୟକ ଥିଲେ। ହେଲେ ସେତେବେଳେ ଦଳ ଟିକେଟ ନ ଦେବାରୁ ସେବିଜେପିରେ ସାମିଲ ହୋଇଥିଲେ। ସେ ୧୯୮୯ରୁ ୧୯୯୧ ଯାଏ ସେ ଦେବଗଡ଼ରୁ ଜନତା ଦଳ ସାଂସଦ ଥିଲେ। ୨୦୦୯ରେ ବିଜେଡି ଟିକଟରେ ପାଲଲହଡ଼ାରୁ ବିଧାୟକ ହୋଇଥିଲେ। ଏପରିକି ଦଳର ମୁଖ୍ୟ ସଚେତକ ମଧ୍ୟ ଥିଲେ।

Categories
ବିଶେଷ ଖବର

ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ପାଇଁ ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି।

ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଳଚେର ହେଉଛି ସଂଗ୍ରାମ ଓ ସ୍ୱାଭିମାନର ଭୂମି। ମହାନ ସଂଗ୍ରାମୀ ନେତା ପବିତ୍ର ମୋହନ ପ୍ରଧାନ ଏ ମାଟିରେ ଜନ୍ମ ନେଇଥିଲେ। ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭକରି ରାଜ୍ୟର ବିକାଶ କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ସ୍ୱର୍ଗତ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି ହସ୍ପିଟାଲକୁ ଆଗାମୀ ଦିନରେ ଏକ ମେଡିକାଲ୍ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟସେବା ସବୁବେଳେ ଆମର ଫୋକସ୍ ହୋଇ ରହିଛି। ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ମେଡିକାଲ୍‌ କଲେଜ ସଂଖ୍ୟା ବଢିଛି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସଂଖ୍ୟା ବଢିଛି। ନୂଆ ନୂଆ ଚିକିତ୍ସା ସେବା ମଧ୍ୟ ଉପଲବ୍ଧ ହେଉଛି। ସରକାରୀ ହସ୍ପିଟାଲ ଉପରେ ଏବେ ଲୋକଙ୍କ ଆସ୍ଥା ବଢିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ସେ କହିଲେ ଯେ ଏ ଯୋଜନାରେ ପ୍ରତିମାସରେ ଲକ୍ଷ ଲକ୍ଷ ଲୋକ ଉତ୍ତମ ଚିକିତ୍ସା ସେବା ପାଉଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଜି ଯେଉଁ ରୂପାନ୍ତର ଆସିଛି ତାହା ଲୋକମାନଙ୍କ ସହଯୋଗ ଯୋଗୁ ସମ୍ଭବ ହୋଇଛି ବୋଲି ସେ କହିଥିଲେ ଏବଂ ଏଥିପାଇଁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ।

ପ୍ରତି ଜୀବନ ମୂଲ୍ୟବାନ ମନ୍ତ୍ରକୁ ଆଦର୍ଶ କରି ଏହି ହସ୍ପିଟାଲ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ସଫଳ ହେବ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଲେ ଯେ ଏହି ହସ୍ପିଟାଲ ତାଳଚେର ଓ ଅନୁଗୋଳବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ବହୁ ଉପଯୋଗୀ ହେବ । ଏହି ହସ୍ପିଟାଲ ପାଇଁ କୋଲ ଇଣ୍ଡିଆର ବହୁ ଅବଦାନ ରହିଛି ଏବଂ ଆଗାମୀ ଦିନରେ ଏହି ହସ୍ପିଟାଲକୁ ମେଡିକାଲ୍‌ କଲେଜରେ ପରିଣତ କରିବା ପାଇଁ କୋଲ ଇଣ୍ଡିଆ ସମସ୍ତ ସହଯୋଗ ଦେବ। ଏହି ହସ୍ପିଟାଲ ପାଇଁ ସମସ୍ତ ସହାୟତା ଓ ସହଯୋଗ ଯୋଗାଇ ଦେଇଥିବାରୁ ଓଡିଶା ସରକାର ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇବା ସହିତ ଆଗାମୀ ୫ ବର୍ଷ ପାଇଁ ଏହି ହସ୍ପିଟାଲ ପରିଚାଳନା ପାଇଁ ଏମ୍.ସି.ଏଲ୍ ୬୨୮ କୋଟି ଟଙ୍କା ସହାୟତା ଯୋଗାଇଦେବ ବୋଲି ଶ୍ରୀ ଯୋଶୀ ପ୍ରକାଶ କରିଥିଲେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହା ଏକ ଗୌରବର ଦିନ ଓ ସ୍ମରଣୀୟ ହୋଇ ରହିବ। ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଦ୍ୱାରା ଏ ମାଟି ତାଙ୍କୁ ଉପଯୁକ୍ତ ସମ୍ମାନ ଦେଲା। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଦେଇ ଖୁବ୍ ଶୀଘ୍ର ମେଡିକାଲ୍‌ କଲେଜ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଏ ଦିଗରେ ଆମକୁ ଅଧିକ ପ୍ରେରଣା ଯୋଗାଉଛି।

ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏବଂ କୋଲ ଇଣ୍ଡିଆ ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଓ ମହାନଦୀ କୋଲ ଫିଲ୍ଡର ସି.ଏମ୍.ଡି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ତାଳଚେର ଅଂଚଳ ପରିଦର୍ଶନ ଓ ନିର୍ମାଣ କାର୍ଯ୍ୟର ନୀରିକ୍ଷଣ

ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ତାଳଚେର ଅଞ୍ଚଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ରେଳ ଭିତ୍ତିଭୂମି କାର୍ଯ୍ୟ ଗୁଡିକ ନୀରିକ୍ଷଣ କରିଛନ୍ତି। ଏହି ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ.ଏସ. ବାଜୱା ମଧ୍ୟ ଉପସ୍ଥିତ ଥିଲେ।

ନୀରିକ୍ଷଣ ସମୟରେ ଶ୍ରୀ ଶର୍ମା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିବା ସହିତ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତି ନିଶ୍ଚିତ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଶ୍ରୀ ଶର୍ମା ମଧ୍ୟ ଉନ୍ନତ ରେଳ ଚଳାଚଳ ପାଇଁ ତାଳଚେର ଅଞ୍ଚଳର ରେଳ ସାଇଡିଂ ନିରୀକ୍ଷଣ କରିବା ସହିତ ସହଭାଗୀ ଏବଂ ଶିଳ୍ପସଂସ୍ଥା ଗୁଡିକ ହିତ ପାଇଁ ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ। ଟ୍ରାଫିକ ସୁବିଧା କାର୍ଯ୍ୟ ସମୀକ୍ଷା କରି ମହାପ୍ରବନ୍ଧକ ଏହି ଅଂଚଳରେ ରେଳ ଚଳାଚଳ କ୍ଷେତ୍ରରେ ବ୍ୟାଘାତ ନହେବା ସୁନିଶ୍ଚିତ କରାଇବାପାଇଁ ଅଧିକାରୀ ମାନଙ୍କୁ ଆଦେଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୁନାଖଣି-ଖମାର ରେଳ ସେକ୍ସନ ନିର୍ମାଣ କାର୍ଯ୍ୟର ନୀରିକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ତାଳଚେର ଅଞ୍ଚଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ତାଳଚେର-ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପର ସୁନାଖଣି-ଖମାର ରେଳ ସେକ୍ସନ ନୀରିକ୍ଷଣ କରିଛନ୍ତି। ଏହି ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ମଧ୍ୟ ଉପସ୍ଥିତ ଥିଲେ।

ନୀରିକ୍ଷଣ ସମୟରେ ଶ୍ରୀ ଶର୍ମା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିବା ସହିତ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତି ନିଶ୍ଚିତ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ୧୫୦ କିଲୋମିଟର ଦୈର୍ଘ୍ୟ ତାଳଚେର-ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସୁଦୂର ଅଞ୍ଚଳରେ ଚାଲୁରହିଛି ଏବଂ ଏହାକୁ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ନିୟମିତ ଭାବେ ତଦାରଖ କରୁଛନ୍ତି।

ତାଳଚେର ଏବଂ ସୁନାଖଣି ମଧ୍ୟରେ ୧୭.୬୨ କି.ମି. ଦୈର୍ଘ୍ୟ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଅଛି। ସୁନାଖଣି-ସାମଲ-ପାରାବିଲ ମଧ୍ୟରେ ୧୬.୩୧ କି.ମି. ଦୈର୍ଘ୍ୟ ରେଳ ଲାଇନ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଅଛି। ଜମି ଅଧିଗ୍ରହଣରେ ବିଳମ୍ବ ଏବଂ ଅନେକ ଜମି ସମ୍ବନ୍ଧୀୟ ବିବାଦ ଏବଂ ଅଦାଲତ ମାମଲାଗୁଡ଼ିକର ବଳବତ୍ତର ଯୋଗୁଁ ନିର୍ମାଣ କାର୍ଯ୍ୟ ମନ୍ଥର ଗତି ଘଟାଉଥିଲା ଯାହା ବର୍ତ୍ତମାନ ସମାଧାନ ପନ୍ଥାରେ ଅଛି ଏବଂ ଜମି ହସ୍ତାନ୍ତର ପ୍ରକ୍ରିୟାକରଣ ସ୍ପଷ୍ଟ ହେବା ପରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ।

ଉନ୍ନତ ଯାତାୟାତ ଗତିବିଧି ତଥା ହିତାଧିକାରୀ ଏବଂ ଶିଳ୍ପସଂସ୍ଥାକୁ ସୁବିଧା ଯୋଗାଇଦେବା ପାଇଁ ଶ୍ରୀ ଶର୍ମା ତାଳଚେରରେ ରେଳ ସାଇଡିଙ୍ଗ ନୀରିକ୍ଷଣ କରିଥିଲେ। ଟ୍ରାଫିକ୍ ଓ ଟ୍ରେନ ଯାତାୟାତ ସୁବିଧା କାର୍ଯ୍ୟର ସମୀକ୍ଷା କରି ମହାପ୍ରବନ୍ଧକ ଶ୍ରୀ ଶର୍ମା ସମ୍ପୃକ୍ତ ଅଧିକାରୀମାନଙ୍କୁ ଏହି ଅଞ୍ଚଳରେ ଅସୁବିଧା ମୁକ୍ତ ଟ୍ରାଫିକ୍ ଗତିବିଧି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାରା ଓଡ଼ିଶାର ୧୩ଟି ସହରରେ ପହଂଚିଲା ଟ୍ରୁ-୫ଜି: ତାଳଚେରରେ ସେବାର ଶୁଭାରମ୍ଭ କଲା ଜିଓ

ଭୁବନେଶ୍ୱର/ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ତାଳଚେର ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯିବା ସହ ରାଜ୍ୟର ୧୩ଟି ସହରରେ ଟ୍ରୁ-୫ଜିର ଲାଭ ପହଂଚିଛି। ପୂର୍ବରୁ ଜିଓ ପକ୍ଷରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର ଓ ଅନୁଗୁଳର ନାଲ୍‌କୋ ଭଳି ୧୨ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିଲା। ଏହି ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ଜିଓ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବେ ୫ଜି ସେବାର ଶୁଭାରମ୍ଭ କରିଛି।

ଜାତୀୟ ସ୍ତରରେ ୧୦ଟି ଅଧିକ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ବିଷୟରେ ଆଜି ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେଉଁଥିରେ ସାମିଲ ରହିଛି ତାଳଚେର (ଓଡ଼ିଶା), ହିନ୍ଦୁପୁର, ମଦନପଲ୍ଲୀ, ପ୍ରୋଡାତୁର (ଆନ୍ଧ୍ରପ୍ରଦେଶ), ରାୟଗଡ଼ (ଛତିଶଗଡ଼), ପଟିଆଲା (ପଂଜାବ), ଅଲୱର (ରାଜସ୍ଥାନ), ମଂଚେରିଆଲ (ତେଲେଙ୍ଗାନା), ଗୋରଖପୁର (ଉତରପ୍ରଦେଶ) ଓ ରୁର୍‌କି (ଉତରାଖଣ୍ଡ)। ଏଥି ସହିତ ଦେଶରେ ଜିଓ ଟ୍ରୁ-୫ଜି ସେବା ଉପଭୋଗ କରୁଥିବା ମୋଟ ସହର ସଂଖ୍ୟା ୨୩୬ରେ ପହଂଚିଛି।

ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବେ ଜିଓ ପକ୍ଷରୁ ୫ଜି ସେବାର ଶୁଭରମ୍ଭ କରାଯାଇଛି। ଆଜିଠାରୁ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ପର୍ଯ୍ୟନ୍ତର ଅସୀମିତ ଡାଟା ଅନୁଭୂତି ହାସଲ କରିବା ଲାଗି ଏହି ସହରଗୁଡ଼ିକରେ ଜିଓ ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଆଠଟି ରାଜ୍ୟର ଏହି ୧୦ଟି ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ। ଏହି ଶୁଭାରମ୍ଭ ସହିତ ୨୩୬ଟି ସହରରେ ଜିଓ ଗ୍ରାହକମାନେ ୨୦୨୩ ନୂଆବର୍ଷରେ ଜିଓ ଟ୍ରୁ-୫ଜିର ରୂପାନ୍ତରିତ ଲାଭକୁ ଉପଭୋଗ କରିପାରିବେ।’’

ନୂତନ ଭାବେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ସହରଗୁଡ଼ିକ ହେଉଛି ଆମ ଦେଶର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ଓ ବାଣିଜ୍ୟିକ ସ୍ଥଳ ତଥା ପ୍ରମୁଖ ଶିକ୍ଷା ହବ୍ ମଧ୍ୟ। ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବାରୁ ଏହି ଅଂଚଳର ଗ୍ରାହକମାନେ ଶ୍ରେଷ୍ଠ ଟେଲିଯୋଗାଯୋଗ ନେଟ୍‌ୱର୍କ ସମେତ ଇ-ଗଭର୍ଣ୍ଣାସ, ଶିକ୍ଷା, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ, ସ୍ୱାସ୍ଥ୍ୟ ସେବା, କୃଷି, ଆଇଟି ଓ ଏସ୍‌ଏମ୍‌ଇ କ୍ଷେତ୍ରରେ ଅସୀମିତ ଅଭିବୃଦ୍ଧି ସୁଯୋଗ ପାଇବେ।

ଆମ ଦେଶକୁ ଡିଜିଟାଇଜ୍ କରିବାରେ ଆମକୁ ନିରନ୍ତର ସହଯୋଗ ପ୍ରଦାନ କରୁଥିବାରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଓଡ଼ିଶା, ପଂଜାବ, ରାଜସ୍ଥାନ, ତେଲେଙ୍ଗାନା, ଉତରପ୍ରଦେଶ ଓ ଉତରାଖଣ୍ଡ ରାଜ୍ୟ ସରକାରଙ୍କ ନିକଟରେ ଆମେ କୃତଜ୍ଞ।’’

ଜିଓ ଟ୍ରୁ-୫ଜିର ତିନି ପ୍ରକାର ବିଶେଷ ଫାଇଦା ରହିଛି ଯାହା ଏହାକୁ ଭାରତରେ ଏକମାତ୍ର ଟ୍ରୁ-୫ଜି ନେଟୱର୍କ କରି ଗଢିତୋଳିଛି:

୧. ୪ଜି ନେଟୱର୍କ ଉପରେ ଶୂନ୍ୟ ନିର୍ଭରଶୀଳତା ସହିତ ଷ୍ଟାଣ୍ଡ୍‌-ଏଲୋନ ୫ଜି ସଂରଚନା

୨. ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ, ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ସର୍ବବୃହତ ଏବଂ ସର୍ବୋତମ ୫ଜି ସ୍ପେକ୍ଟ୍ରମର ସମ୍ମିଶ୍ରଣ

୩. କ୍ୟାରିୟର ଆଗ୍ରିଗେସନ୍ ଭଳି ଏକ ନୂତନ ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗରେ ପ୍ରତିବନ୍ଧକଶୂନ୍ୟ ଭାବରେ ଏହି ୫ଜି ଫ୍ରିକ୍ୱେନ୍ସିଗୁଡିକୁ ଗୋଟିଏ ମଜଭୁତ ‘ଡାଟା ହାଇୱେ’ରେ ପରିଣତ କରୁଛି

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତାଳଚେର ସାର କାରଖାନାର ଅଗ୍ରଗତି ନେଇ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସହ ଅନୁଗୋଳ ଜିଲ୍ଲା ଗସ୍ତ କରି ତାଳଚେର ସାର କାରଖାନା ପରିଦର୍ଶନ କରିବା ସହ ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟ ନେଇ ସମୀକ୍ଷା କରିଛନ୍ତି।

ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ ତାଳଚେର ସାର କାରଖାନା ୟୁରିଆ ଓ ସାର ଉତ୍ପାଦନରେ ଭାରତକୁ ଆତ୍ମନିର୍ଭର କରିବ ବୋଲି ଶ୍ରୀ ପ୍ରଧାନ ସମୀକ୍ଷା କରିବା ପରେ କହିଛନ୍ତି। ସେହିପରି ୨୦୨୪ ଅକ୍ଟୋବର ମାସ ପୂର୍ବରୁ ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଶେଷ ହେବ ଓ ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯିବ  ବୋଲି ଶ୍ରୀ ମାଣ୍ଡଭିୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି  ପ୍ରକଳ୍ପର ନିରନ୍ତର ସମୀକ୍ଷା ଜାରୀ ରହିଛି। ୧୭,୦୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣାଧୀନ ଦେଶର ପ୍ରଥମ କୋଲ ଗ୍ୟାସିଫିକେସନ ଟେକ୍ନୋଲୋଜି ଆଧାରିତ ତାଳଚେର ସାର କାରଖାନା ୟୁରିଆ ଉତ୍ପାଦନ କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବୀ କରିବ। ଚାଷୀଙ୍କୁ ସୁବିଧା ଦେବ। ସହ ଏବଂ ଭାରତକୁ ଆତ୍ମନିର୍ଭର କରିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ କଳ୍ପନାରେ ସାର ଓ ୟୁରିଆ ଉତ୍ପାଦନକୁ ବଢାଇବା ସହ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟିକ ବାତାବରଣକୁ ବଢାଇବାରେ ଏହି ପ୍ରକଳ୍ପ ସହାୟକ ହେବ।

ସେ କହିଛନ୍ତି ଯେ ଦେଶରେ ବହୁଳ ପରିମାଣରେ କୋଇଲା ଗଚ୍ଛିତ ରହିଛି। ପର୍ଯ୍ୟାବରଣ ସମସ୍ୟାକୁ ଦୃଷ୍ଟିରେ ରଖି ସେହି କୋଇଲାକୁ କୋଇଲାକୁ ଅନ୍ୟ କେଉଁ ଉପାୟରେ ଉପଯୋଗ କରାଯିବ ସେ ନେଇ ଚିନ୍ତା କରାଯାଉଛି। ଏହି ପରିପ୍ରେକ୍ଷୀରେ କୋଲ ଟୁ ସିନ ଗ୍ୟାସ ପ୍ରକଳ୍ପ ବିଶ୍ୱରେ ପ୍ରତିପାଦିତ ହୋଇପାରିଛି। ଏ ଟେକ୍ନୋଲୋଜିକୁ ଭାରତରେ ଉପଯୋଗ କରି କୋଲ ଇଣ୍ଡିଆ, ଗେଲ ଓ  ରାଷ୍ଟ୍ରୀୟ ଫର୍ଟିଲାଇଜର କର୍ପୋରେସନ ମିଳିତ ଉଦ୍ୟୋଗରେ ତାଳଚେର ସାର କାରଖାନା ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ଖୁବ ଶୀଘ୍ର ଶେଷ ହେବା ନେଇ ଅପେକ୍ଷା ରଖାଯାଇଛି। ସ୍ଥାନୀୟ ଅର୍ଥନୀତି, ରୋଜଗାର, ବ୍ୟବସାୟିକ ବାତାବରଣ ତିଆରି କରିବାରେ ଏହି ପ୍ରକଳ୍ପର ବହୁତ ବଡ ଯୋଗଦାନ ରହିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଶ୍ରୀ ମାଣ୍ଡଭିୟ କହିଛନ୍ତି ଯେ ଭାରତର ନିଜସ୍ୱ କୋଇଲାକୁ ବ୍ୟବହାର କରି ସେଥିରୁ ଗ୍ୟାସ ଉତ୍ପାଦନ କରି ସେହି ଗ୍ୟାସରୁ ୟୁରିଆ ତିଆରି କରିବା ଉଦ୍ଦେଶ୍ୟ ନେଇ ତାଳଚେର ଠାରେ ପ୍ରଧାନମନ୍ତ୍ରୀ କୋଲ୍ ଗ୍ୟାସିଫିକେସନ ପ୍ଲାଣ୍ଟର ଶିଳାନ୍ୟାସ କରିଥିଲେ। କାମ ତୀବ୍ର ଗତିରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱପ୍ନ ଦେଖିଥିବା ୫ଟି ୟୁରିଆ ପ୍ଲାଣ୍ଟରୁ ୪ଟି ଉତ୍ପାଦନକ୍ଷମ ହୋଇଗଲାଣି, ତାଳଚେର ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ମଧ୍ୟ ଖୁବଶୀଘ୍ର ଶେଷ ହେବ। ଆମ ଦେଶ ପାଖରେ ନିଜସ୍ୱ ଏନର୍ଜି ଚାହିଦା ପୂରଣ କରିବାର କ୍ଷମତା ଅଛି। କିନ୍ତୁ ଏନର୍ଜିକୁ ଗ୍ୟାସରେ ଏବଂ ଗ୍ୟାସକୁ କନଭର୍ଟ କରିବା ପାଇଁ ଅନେକ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ସେହି ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପ। କୋଇଲାରୁ ଗ୍ୟାସ, ଗ୍ୟାସରୁ ୟୁରିଆ ଏବଂ ୟୁରିଆରୁ କୃଷକଙ୍କ ଆବଶ୍ୟକତାକୁ ପୂରଣ କରାଯିବ।

ଏହି ଅବସରରେ ଶ୍ରୀ ପ୍ରଧାନ ଡା. ମାଣ୍ଡଭିୟଙ୍କ ସହ ତାଳଚେର ସାର କାରଖାନା ପରିସରରେ ଚାରାରୋପଣ ମଧ୍ୟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସମ୍ବଲପୁରରୁ ଏହି ଷ୍ଟେସନ ଦେଇ କୋଲକତାକୁ ଚାଲିବ ନୂଆ ଟ୍ରେନ: ପ୍ରକଳ୍ପ ତଦାରଖ କଲେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ/ଢ଼େଙ୍କାନାଳ: ଖୁବ ଶୀଘ୍ର ସମ୍ବଲପୁରରୁ ଏକ ନୂଆ ଟ୍ରେନ ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକତାକୁ ଚଳାଚଳ କରିବ ବୋଲି ରବିବାର ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢ଼େଙ୍କାନାଳରେ କ୍ରିୟାନ୍ୱୟନ ହେଉଥିବା ବିଭିନ୍ନ ରେଳବାଇ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିବା ଅବସରରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରୁ ଟ୍ରେନ୍ ଯୋଗେ ଏକ ସ୍ୱତନ୍ତ୍ର ବଗିରେ ପୂର୍ବତଟ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଥିଲେ। ସେ ତାଳଚେର ରୋଡ, ଅନୁଗୋଳ, ଏମସିଏଲର ବଳରାମ ସାଇଟ, ତାଳଚେର, ସୁନାଖଣି, ବୁଢ଼ାପଙ୍କ, ମେରାମୁଣ୍ଡଳି, ହିନ୍ଦୋଳ ରୋଡ, ସଦାଶିବପୁର ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ରେଳ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଏହାବ୍ୟତିତ ବଅଁରପାଳ ବ୍ଲକର ବ୍ରିଜ ନଂ ୫ ଏବଂ ନତଡ଼ା ଗ୍ରାମ ପଞ୍ଚାୟତରେ ଥିବା ହିଙ୍ଗୁଳା ଅଞ୍ଚଳରେ ନିର୍ମାଣାଧୀନ ରେଲ୍ ଲିଙ୍କର କାର୍ଯ୍ୟ ଦେଖିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଅନୁରୂପ ଭାବେ ଢ଼େଙ୍କାନାଳ, ଶ୍ୟାମଚରଣପୁର, ଜୋରନ୍ଦା ରୋଡ ରେଳ ଷ୍ଟେସନରେ ହୋଇଥିବା ଅଗ୍ରଗତି କାର୍ଯ୍ୟ ଗୁଡ଼ିକ ପ୍ରତ୍ୟକ୍ଷ ଭାବେ ବୁଲି ଦେଖିଥିଲେ।  ଶ୍ରୀ ପ୍ରଧାନ ଷ୍ଟେସନରେ ଚାଲିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ରେଳ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସବୁ ଷ୍ଟେସନରେ ସ୍ଥାନୀୟ ଲୋକଙ୍କୁ ଭେଟି ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ।

ଏହି ଅବସରରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳରୁ କୋଲକତା ପର୍ଯ୍ୟନ୍ତ ସିଧାସଳଖ ଟ୍ରେନ ଚଳାଚଳ କରିବା ପାଇଁ ଜିଲ୍ଲାବାସୀଙ୍କ ଥିବା ଦୀର୍ଘ ଦିନର ଦାବୀ ରହିଥିଲା। ଏହାକୁ ମୋଦି ସରକାର ସ୍ୱୀକୃତି ଦେଇଛନ୍ତି। ଖୁବ ଶୀଘ୍ର ଏକ ନୂଆ ଟ୍ରେନ ସମ୍ବଲପୁରରୁ ଅନୁଗୋଳ, ତାଳଚେର ଓ ଢ଼େଙ୍କାନାଳ ଦେଇ କୋଲକାତା ଯିବ । ଅନୁଗୋଳ ଓ ଢ଼େଙ୍କାନାଳ ମଧ୍ୟରେ ନୂଆ ରେଳ ଚଳାଚଳ କରିବାର ଦାୟିତ୍ୱ ନେଇ ଜିଲ୍ଲାବାସୀଙ୍କୁ ପୂଜା ଉପହାର ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓ  କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ରେଳ ବିଭାଗ ତରଫରୁ ଅନୁଗୋଳ ଓ ଢ଼େଙ୍କାନାଳ ଅଞ୍ଚଳରେ ପ୍ରାୟ ୨,୫୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର କାମ ଜାରୀ ରହିଛି। ଅନୁଗୋଳର ବହୃତ ଶିଳ୍ପାଞ୍ଚଳରେ କୋଇଲା ଭଳି ମାଲ୍ ପରିବହନ ପାଇଁ ରେଳ ବିଭାଗ ପ୍ରାଥମିକତା ଦେଉଅଛି। ତାଳଚେର, ତାଳଚେର ରୋଡ, ଅନୁଗୋଳ, ଢ଼େଙ୍କାନାଳ ଏହି ଚରୋଟି ରେଳ ଷ୍ଟେସନର ପୁନରୁଦ୍ଧାର ସହ ଅନେକ ଷ୍ଟେସନରେ ରେଳ ଲାଇନର ଦୋହରୀକରଣ, ତୃତୀୟ ଲାଇନ, ଚତୁର୍ଥ ଲାଇନର କାମ ଚାଲୁ ରହିଛି। ଖୁବ ଶୀଘ୍ର ତାଳଚେରରୁ ଅନୁଗୋଳ ପର୍ଯ୍ୟନ୍ତ ଗୋଟିଏ ପାସେଞ୍ଜର ଓ ଦୁଇଟି ମାଲବାହୀ ରେଳ ଲାଇନର କାମ ଶେଷ ହେବ। ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ତାଳଚେରରୁ ଭାୟା ଏଫସିଆଇ ଓ ନାଲକୋ ଦେଇ ଅନୁଗୋଳ ପର୍ଯ୍ୟନ୍ତ ଯାତ୍ରୀବାହୀ ରେଳ ଲାଇନର କାମ ଆସନ୍ତା ନଭେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ରେଳ ବିଭାଗର ଅଧିକାରୀମାନେ ସୂଚନା ଦେଇଛନ୍ତି। ଅନୁଗୋଳ ଓ ଢ଼େଙ୍କାନାଳରେ କ୍ରିୟାନ୍ୱୟନ ହେଉଥିବା ରେଳ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ନାଗରିକ ଓ ଯାତ୍ରୀମାନେ ବିଶେଷ ଭାବରେ ଉପକୃତ ହେବେ।

ସେ ଆହୁରି କହିଛନ୍ତି ଯେ ଶିଳ୍ପ ସମୃଦ୍ଧ ଅଞ୍ଚଳ ଅନୁଗୋଳ ଏବଂ ତାଳଚେରକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ମୋଦି ସରକାର ରେଳ କ୍ଷେତ୍ରରେ ବିପୁଳ ଆର୍ଥିକ ଅନୁଦାନ ଓ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି। ମୋଦି ସରକାରରେ ରେଳ ଯୋଗେ ମାଲ ପରିବହନ ସହ ଯାତ୍ରୀ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏହାବ୍ୟତିତ ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଅନୁଗୋଳ ଭଳି ଖଣି ଖଦାନ ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି(ଡ଼ିଏମଏଫ)ର ବ୍ୟବସ୍ଥା କରିଛନ୍ତି । ମୋଦି ସରକାରଙ୍କ ବ୍ୟବସ୍ଥା କାରଣରୁ ଏହି ଜିଲ୍ଲାକୁ ଡ଼ିଏମଏଫରେ ବାର୍ଷିକ ୩୫୦ କୋଟି ଟଙ୍କା ଆସୁଛି। ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ୱରୂପା ମା’ ହିଙ୍ଗୁଳା ମନ୍ଦିରର ଉନ୍ନତିକରଣ ପାଇଁ ଏମସିଏଲ ୮ କୋଟିରୁ ଅଧିକ ଟଙ୍କା ଦେଇଛି। ତାଳଚେର ଗୋପାଳଗଡ଼ କଣିହାଁ ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟତ ଏବଂ କୋଇଲା ପରିବହନ ପାଇଁ ପୃଥକ ପୃଥକ ରାସ୍ତା କରିବା ପାଇଁ ମଧ୍ୟ ଯୋଜନା କରାଯିବ।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁଗୋଳ ଓ ଢ଼େଙ୍କାନାଳର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ତାଳଚେର କୋଇଲା କ୍ଷେତ୍ରରୁ ଦ୍ରୁତ କୋଇଲା ପରିବହନ ପାଇଁ ମାର୍ଗ ପ୍ରଶସ୍ତ କରିବ ଏମସିଆରଏଲ ରେଳ କରିଡର

ଭୁବନେଶ୍ବର: ତାଳଚେର କୋଇଲା କ୍ଷେତ୍ରରୁ ଦ୍ରୁତ ଏବଂ ପ୍ରଭାବୀ କୋଇଲା ପରିବହନ ନିମନ୍ତେ ମହାନଦୀ କୋଇଲା ରେଳବାଇ ଲିଃ (ଏମସିଆରଏଲ) ଅଧୀନରେ ରେଳ କରିଡର ନିର୍ମାଣ କରାଯାଉଛି। ତାଳଚେର କୋଇଲା କ୍ଷେତ୍ରରୁ କୋଇଲା ପରିବହନ କ୍ଷେତ୍ରରେ ଏମସିଆରଏଲର ରେଳ କରିଡର ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ। ଏହି ରେଳ କରିଡର ଧାମରା ଏବଂ ପାରାଦୀପ ବନ୍ଦରକୁ ଦ୍ରୁତ ଗତିରେ ଅଧିକ ସଂଖ୍ୟାରେ କୋଇଲା ରେକ୍‌ ପରିବହନ ପାଇଁ ଆବଶ୍ୟକ ସୁବିଧା ଯୋଗାଇବ। ଭିଡ଼ମୁକ୍ତ ରେଳ ନେଟୱର୍କ ପ୍ରତିଷ୍ଠା ହେବା ଫଳରେ କୋଇଲା ପରିବହନ ବାବଦ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ। ଅନ୍ୟପଟେ ବନ୍ଦର ନିକଟରେ ସହଜରେ କୋଇଲା ପହଞ୍ଚିବା ଫଳରେ ଜାହାଜ ଯୋଗେ ଦେଶର ଦକ୍ଷିଣ ଏବଂ ପଶ୍ଚିମ କ୍ଷେତ୍ରକୁ ସହଜରେ କୋଇଲା ପଠାଇବା ସମ୍ଭବ ହୋଇପାରିବ। ସାମୁଦ୍ରିକ ମାର୍ଗରେ କୋଇଲା ପରିବହନ ରେଳ ନେଟୱର୍କରେ ପରିବହନ ତୁଳନାରେ ଅପେକ୍ଷାକୃତ ଶସ୍ତା ବିକଳ୍ପ ହେବ।

ତାଳଚେର କୋଇଲା କ୍ଷେତ୍ରରୁ ପ୍ରଭାବୀ କୋଇଲା ପରିବହନ ନିମନ୍ତେ ଏମସିଆରଏଲ ଅଧୀନରେ ପର୍ଯ୍ୟାୟକ୍ରମେ ରେଳ ଲାଇନ ନିର୍ମାଣ କରାଯାଉଛି। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅଧୀନରେ ଉଚ୍ଚ ପ୍ରଭାବଯୁକ୍ତ ପ୍ରକଳ୍ପ ଅଧୀନରେ ଏମସିଆରଏଲ ପର୍ଯ୍ୟାୟ ୧ ଏବଂ ପର୍ଯ୍ୟାୟ ୨ ପ୍ରକଳ୍ପ ନିର୍ମାଣ ପାଇଁ କୋଇଲା ମନ୍ତ୍ରଣାଳୟ ପୂର୍ବରୁ ସ୍ଥାନ ଚିହ୍ନଟ କରିସାରିଛି।

ଅନ୍ୟପକ୍ଷରେ ୩୧.୦୮.୨୦୧୫ରେ ଏମସିଆରଏଲ ଗଠନ କରାଯାଇଥିଲା। ଏଥିରେ ମହାନଦୀ କୋଇଲାଫିଲ୍ଡସ୍‌ ଲିମିଟେଡ (ଏମସିଏଲ)ର ୬୪%, ଆଇଆରସିଓଏନର ୨୬% ଏବଂ ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ (ଇଡକୋ)ର ୧୦% ଅଂଶଧନ ରହିଛି।

ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଦେଇ ଏମସିଆରଏଲ ଅଧୀନରେ ରେଳ ଲାଇନ ନିର୍ମାଣ କରାଯାଉଛି। ଭାରତୀୟ ରେଳ ନେଟୱର୍କର ଅନୁଗୁଳ ଏବଂ ଜରପଡ଼ା ଷ୍ଟେସନ ଏହି ପ୍ରକଳ୍ପ ଅଧୀନରେ ଆସୁଛି । ଅନ୍ୟପଟେ ଏମସିଏଲର ତାଳଚେର-ବଳରାମ ଘରୋଇ ସାଇଡିଂ ଅଧୀନରେ ବଳରାମ ଷ୍ଟେସନକୁ ବର୍ତ୍ତମାନର ଲୋଡିଂ ଷ୍ଟେସନ ଭାବେ ସାମିଲ କରାଯାଇଛି।

ଚଳିତ ବର୍ଷ ସୁଦ୍ଧା ଏମସିଆରଏଲ ପର୍ଯ୍ୟାୟ -୧ (ଅନୁଗୁଳ-ବଳରାମ) ୧୪ କିମି ଲମ୍ବ ରେଳ ଲାଇନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ। ତାଳଚେର କୋଇଲା ଖଣିରେ ଥିବା ଏମସିଏଲ ଖଣିରୁ ଏହି ରେଳ ଲାଇନ ଜରିଆରେ ୨୫ ନିୟୁତ ଟନ୍‌ କୋଇଲା ପରିବହନ କରାଯିବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ଏମସିଆରଏଲ ପର୍ଯ୍ୟାୟ-୨ ପ୍ରକଳ୍ପ ଅଧୀନରେ ୫୪ କିଲୋମିଟର ଲମ୍ବର ବଳରାମ-ଜରପଡ଼ା-ତେନ୍ତୁଲୋଇ ରେଳ ଲାଇନ ଡିସେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। ଏହି ପ୍ରକଳ୍ପ ତାଳଚେର କୋଇଲା କ୍ଷେତ୍ରର ଦକ୍ଷିଣ ପାର୍ଶ୍ବ ଏବଂ କେନ୍ଦ୍ରୀୟ ଭାଗରେ ଥିବା ଆବଣ୍ଟିତ କୋଇଲା ଖଣିକୁ ରେଳ ସଂଯୋଗ କରିବ।

ଦ୍ବିତୀୟ ପର୍ଯ୍ୟାୟ ପ୍ରକଳ୍ପ କାମ ଦ୍ରୁତ ଗତିରେ ଜାରି ରହିଛି, ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଜଙ୍ଗଲ ମଞ୍ଜୁରି ମିଳିସାରିଛି। ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ତାଳଚେର କୋଇଲା କ୍ଷେତ୍ରରେ ଥିବା ସିଆଇଏଲ ଏବଂ ଅଣ-ସିଆଇଏଲ ~୫୮ ନିୟୁତ ଟନ, କୋଇଲା ଖଣିରୁ କୋଇଲା ପରିବହନ ପାଇଁ ସୁବିଧା ମିଳିପାରିବ।

ସୂଚନା ଯୋଗ୍ୟ ଯେ, ମହାନଦୀ କୋଲ୍‌ ଫିଲ୍ଡସ୍‌ର ତାଳଚେର କୋଇଲା କ୍ଷେତ୍ର ଦେଶର ଅନ୍ୟତମ ବୃହତ କୋଇଲା କ୍ଷେତ୍ର ପାଇଁ ପରିଗଣିତ ହୋଇଥାଏ। ଏଠାରେ ଦେଶର ମୋଟ୍‌ ଆନୁମାନିକ କୋଇଲା ସମ୍ପଦର ୧୫% ଅର୍ଥାତ୍‌ ୫୨ ବିଲିୟନ ଟନ କୋଇଲା ଗଚ୍ଛିତ ହୋଇ ରହିଛି। ତାଳଚେର କୋଇଲା କ୍ଷେତ୍ରରେ ଥିବା ଖଣିଜ ସମ୍ପଦ ମଧ୍ୟରୁ, ୬୩%ରୁ ଅଧିକ (୩୩ ବିଲିୟନ ଟନ) ୩୦୦ ମିଟର ଗଭୀରତା ମଧ୍ୟରେ ରହିଛି, ଫଳରେ ଏଠାରେ ଓପନକାଷ୍ଟ ମାଇନିଂ ଜରିଆରେ କୋଇଲା ଉତ୍ତୋଳନ କରାଯାଇପାରିବ।

ତାଳଚେର କୋଇଲା କ୍ଷେତ୍ରରେ ଥିବା ମହାନଦୀ କୋଲ ଫିଲ୍ଡସ ଲିମିଟେଡ ଏବଂ ଆବଣ୍ଟିତ କୋଇଲା ଖଣିରୁ ୨୦୨୨ ଆର୍ଥିକ ବର୍ଷରେ ୯୫ ନିୟୁତ ଟନରୁ ଅଧିକ କୋଇଲା ଉତ୍ପାଦନ ହୋଇଥିଲା। ୨୦୨୪-୨୫ ଆର୍ଥିକ ବର୍ଷରେ ୨୦୦ ନିୟତୁ ଟନ ଏବଂ ୨୦୩୦ ଆର୍ଥିକ ବର୍ଷରେ ୩୦୦ ନିୟୁତ ଟନ କୋଇଲା ଉତ୍ପାଦନ ହେବ ବୋଲି ଆଶା କରାଯାଉଛି।

Categories
ବିଶେଷ ଖବର

ତାଳଚେର ମେଡ଼ିକାଲ କଲେଜକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ତାଳଚେର ସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ୍ ରିସର୍ଚ୍ଚ(ମିମସାର)କୁ ଓଡ଼ିଶା ସରକାର ଓ ମହାନଦୀ କୋଲଡ ଫିଲ୍ଡ(ଏମସିଏଲ) ସମନ୍ୱୟ ରକ୍ଷା କରି ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଜ୍ୟ ସରକାରଙ୍କ ଦ୍ୱାରା ତାଳଚେର ମେଡିକାଲ କଲେଜ ପରିଚାଳନା ନିଷ୍ପତି ପ୍ରସଙ୍ଗ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ତାଳଚେର ଠାରେ ଏମସିଏଲ ଦ୍ୱାରା ନିର୍ମିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ୍ ରିସର୍ଚ୍ଚକୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ହସ୍ତକ୍ଷେପ ପରେ ଓଡ଼ିଶା ସରକାର, ଏମସିଏଲର ସହଯୋଗରେ କାର୍ଯ୍ୟକାରୀ କରିବା ପାଇଁ ନେଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ। ସମସ୍ତଙ୍କୁ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ମେଡ଼ିକାଲ କଲେଜ ସ୍ଥାପନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ରହିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ତାଳଚେର ଠାରେ ଭାରତ ସରକାରଙ୍କ ଏମସିଏଲ ଦ୍ୱାରା ୪୯୨ କୋଟି ଟଙ୍କା ବ୍ୟୟରେ ଏହି ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯାଉଛି।

ଓଡ଼ିଶା ସରକାର ଓ ଏମସିଏଲ ସମନ୍ୱୟ ରକ୍ଷା କରି ଯଥାଶୀଘ୍ର ମେଡ଼ିକାଲକୁ କାର୍ଯ୍ୟକ୍ଷମ କରିବେ ବୋଲି ଆଶା କରୁଛି। ତାଳଚେର ମେଡିକାଲ କଲେଜ କାର୍ଯ୍ୟକାରୀ ହେବା ଦ୍ୱାରା ଅନୁଗୋଳ ଜିଲ୍ଲା ସମେତ ଢ଼େଙ୍କାନାଳ, ଦେବଗଡ, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ ଓ ନୟାଗଡ ଜିଲ୍ଲାର ପ୍ରାୟ ୭୦ ଲକ୍ଷ ଲୋକମାନେ ଉତମ ସ୍ୱାସ୍ଥ୍ୟ ସୁବିଧା ପାଇବା ସହ ରାଜ୍ୟର ଛାତ୍ରଛାତ୍ରୀମାନେ ମେଡ଼ିକାଲ ପଢ଼ିବାର ସୁଯୋଗ ପାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

ସୂଚନାଯୋଗ୍ୟ, ମହନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ ରିସର୍ଚ୍ଚ (ମିମସାର)ରେ ଏମସିଏଲ ତରଫରୁ ୧୦୦ ଏମବିବିଏସ ସିଟ୍ ଓ ୫୦୦ଟି ମେଡ଼ିକାଲ ଶଯ୍ୟା ସହ ସମସ୍ତ ଆନୁଷାଙ୍ଗିକ ବ୍ୟବସ୍ଥା କରାଯାଇଛି। ହସ୍ପିଟାଲକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବ୍ୟକ୍ତିଗତ ଭାବରେ ଭାରତ ସରକାରଙ୍କ କୋଇଲା ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସହ ଗତ ମାର୍ଚ୍ଚ ୯ ତାରିଖରେ ତାଙ୍କୁ ପତ୍ର ଲେଖି ଓଡିଶା ସରକାରଙ୍କୁ କଲେଜର ପରିଚାଳନା ଦାୟିତ୍ୱ ଦେବା ନେଇ ଅବଗତ କରିଥିଲେ। ଓଡ଼ିଶା ସରକାରଙ୍କ ଦ୍ୱାରା ଏହି ହସ୍ପିଟାଲର ପରିଚାଳନା, ରକ୍ଷଣାବେକ୍ଷଣ, ପ୍ରଶାସନିକ ଦାୟିତ୍ୱ ନେବାକୁ ଚିଠି ଲେଖିବା ପାଇଁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। ଏହି ମର୍ମରେ ମେଡ଼ିକାଲ କଲେଜର ପରିଚାଳନା ଦାୟିତ୍ୱ ନେବା ପାଇଁ ଏମସିଏଲର ସିଏମଡ଼ି ଗତ ଏପ୍ରିଲ ୨୧ ତାରିଖରେ ପତ୍ର ଲେଖି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତାଳଚେର ଠାରୁ ଦିନକରେ ସର୍ବୋଚ୍ଚ ୬୬ ଟି ରେକ କୋଇଲା ପରିବହନ ରେକର୍ଡ

ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ଗତ କାଲି ଅର୍ଥାତ ଗତ ରବିବାର ଦିନ ତାଳଚେର ଅଞ୍ଚଳରୁ ଦେଶର ବିଭିନ୍ନ ରାଜ୍ୟକୁ ୬୬ ଟି ଟ୍ରେନ ରେକ ଦ୍ୱାରା କୋଇଲା ପରିବହନ କରାଯାଇଅଛି (୬୫ଟି କଚ୍ଚା ଓ ଗୋଟିଏ ପ୍ରଖ୍ୟାଲନ କରାଯାଇଥିବା) ଯାହାକି ଗୋଟିଏ ଦିନରେ ସର୍ବାଧିକ ପଣ୍ୟ ବୋଝେଇ ରେକର୍ଡ ଅଟେ। ଦେଶର ବିଭିନ୍ନ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ବିଦ୍ୟୁତ୍ ସଙ୍କଟକୁ ଏଡ଼ାଇବା ପାଇଁ ତଥା ଗ୍ରାହକଙ୍କୁ ନିରନ୍ତର ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ ଏହି ପଦକ୍ଷେପ ନିଆଯାଇଥିଲା। ଗତ ରବିବାର ଦିନ, ପୂର୍ବ ତଟ ରେଳପଥର କେବଳ ତାଳଚେର ଲୋଡିଂ ପଏଣ୍ଟରୁ ଦିଲ୍ଲୀ, ପଞ୍ଜାବ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶକୁ କୋଇଲା ପରିବହନ କରାଯାଇଛି।

ମୋଟ ଉପରେ, ପୂର୍ବ ତଟ ରେଳପଥ ଗତ ରବିବାରରେ ୧୮୧ ଟି ରେକ ଦ୍ୱାରା ପଣ୍ୟ ପରିବହନ ବା ବୋଝେଇ କରିଛି; ଯେଉଁଥିରେ ୧୦୭ ଟି ରେକ ଦ୍ୱାରା କୋଇଲା, ୩୧ ଟି ରେକ ଦ୍ୱାରା ଖଣିଜ ପଦାର୍ଥ, ୧୪ ଟି ରେକ ଦ୍ୱାରା ଆଇରନ୍ ଆଣ୍ଡ ଷ୍ଟିଲ୍, ୦୮ ଟି କଣ୍ଟେନର ରେକ ଏବଂ ୨୧ ଟି ରେକ ଦ୍ୱାରା ଅନ୍ୟ ପଣ୍ୟ ପରିବହନ ଅନ୍ତର୍ଭୁକ୍ତ। ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଗତ ରବିବାର ଦିନ ଉଲ୍ଲେଖନୀୟ ପଣ୍ୟ ବୋଝେଇ ପାଇଁ ଜଡିତ ଥିବା ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶର ଉନ୍ନତି ପାଇଁ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏବର୍ଷ ତାଳଚେରରେ ହେବ ନାହିଁ ପ୍ରସିଦ୍ଧ ଗଣେଶ ପୂଜା

ତାଳଚେର : କରୋନା ପାଇଁ ସବୁ ପୂଜା ପର୍ବାଣୀ ଉପରେ କଟକଣା ଜାରି କରାଯାଇଛି । ଚଳିତ ବର୍ଷ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ଉପରେ କିନ୍ତୁ ରୋକ୍ ଲାଗିଛି । କରୋନାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ପୂଜା ଉପରେ ରୋକ୍ ଲଗାଇଛନ୍ତି ଉପଜିଲ୍ଲାପାଳ । ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ସାମୁହିକ ପୂଜା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶନାମା ଜାରି ହୋଇଛି ।

ଚଳିତ ବର୍ଷ ତାଳଚେରରେ କୌଣସି ସର୍ବସାଧାରଣ ସ୍ଥାନ, ମଣ୍ଡପ, କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ ବୋଲି ଅନୁଷ୍ଠିତ ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଛି ।

ସୂଚନାଯୋଗ୍ୟ, ଗତକାଲି କମିସନ୍‌ରେଟ ପୁଲିସ ଟୁଇନ୍‌ ସିଟିରେ ସାମୂହିକ ଗଣେଶ ପୂଜା ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି । କୌଣସି ମଣ୍ଡପରେ ଚଳିତ ଥର ଗଣେଶ ପୂଜା ହୋଇପାରିବନି ବୋଲି ନିର୍ଦ୍ଦେଶ ରହିଛି ।