Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁର୍ବ ଶତ୍ରୁତା ଯୋଗୁଁ ଯୁବକକୁ ହତ୍ୟା, ତିନି ଅଟକ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ଗ୍ରାମ ରେ ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକକୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ପରିବାର ଲୋକଙ୍କ ଠାରୁ ଅଭିଯୋଗ ପାଇ ପୋଲିସ ୩ ଜଣଙ୍କୁ ଥାନାରେ ରଖି ପଚରାଉଚରା କରୁଛି।

ସୁଚନା ଅନୁଯାୟୀ, ମୃତ ଯୁବକ ଜଣକ ସୁଶାନ୍ତ ପାତ୍ର ଓ ତାଙ୍କ ଘର କରଚୁଲି ଗ୍ରାମରେ। କିଛି ଲୋକଙ୍କ ସହ ତାଙ୍କର ପ୍ରଥମେ ବଚସା ହୋଇଥିଲା ଓ ପରେ କିଛି ଲୋକ ବିଭିନ୍ନ ମାରଣାସ୍ତ୍ର ରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ କରଚୁଲି କିରାମ୍ବା ରାସ୍ତାରେ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ପରିବାର ଲୋକେ ଖବର ପାଇ ପୋଲିସକୁ ଜଣାଇଥିଲେ ଓ ପରିବାର ଲୋକଙ୍କ ସହ ମିଶି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଶାନ୍ତକୁ ଉଦ୍ଧାର କରି ଚିକିତ୍ସା ପାଇଁ ବୁଗୁଡ଼ା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ।

କିନ୍ତୁ ସେଠାରେ ତାଙ୍କର ବିୟୋଗ ଘଟିଛି। ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପରିବାର ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆକ୍ସନ ମୁଡ଼ରେ ବାଲୁଗାଁ ଏସଡ଼ିପିଓ: ଛଦ୍ମବେଶରେ ବିଭିନ୍ନ ସ୍ଥାନରେ କଲେ ଚଢ଼ାଉ, ୩ ଅଟକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ପ୍ରଶାସନର ଅପାରଗତା ଯୋଗୁଁ ମାଙ୍କଡା ପଥର ମାଫିଆ ମାନେ ଟାଙ୍ଗୀ ତହସିଲର ବିଭିନ୍ନ ଅଞ୍ଚଳରେ ଚଲାଇଛନ୍ତି ବେଧଡକ ଚୋରା ପଥର କାରବାର। ମାଫିଆ ମାନେ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର ମୁନାଫା। କାଁ ଭାଁ କ୍ୱଚିତ୍ ତହସିଲ ପ୍ରଶାସନ ଲୋକ ଦେଖାଣିଆ ଚଢାଉ କରି ସ୍ୱଳ୍ପ ଜରିମାନା ଆଦାୟ କରି ଗାଡି ଗୁଡିକୁ ଛାଡି ଦେଉଥିବାରୁ ମାଫିଆ ମାନେ ରହୁଛନ୍ତି ବେଫିକର।

ସୂଚନା ମୁତାବକ ଟାଙ୍ଗୀ ତହସିଲ ଚଣ୍ଡେଶ୍ୱର ନିକଟ କୁହୁଡି ତଳଗଡ ମୌଜାରେ କେତେକ ଖଣି ମାଫିଆ ଗାଁ ର ଗୋଚର ଅନାବାଦି ଜମିକୁ ପଥର ଖଣି ଭାବେ ବ୍ୟବହାର କରି ଶହ ଶହ ଟ୍ରିପ୍ ପଥର ଚୋରା ଚାଲାଣ କରିଆସୁଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ପରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ୍ ଆଜି ମଧ୍ୟାହ୍ନରେ ଛଦ୍ମ ବେଶରେ ବାଇକ୍ ରେ ଆସି ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ। ଚଢାଉ କରି ମାଙ୍କଡା ପଥର ଖଣିରେ ଥିବା ୩ ଟି ବାଇକ୍ ସହ ୨ ଟି କଟର୍ ଜବତ କରିଛନ୍ତି। ଏବଂ ଜଣେ ପଥର କଟାଳିଙ୍କୁ ଅଟକ ରଖିଛନ୍ତି। ତେବେ ଉକ୍ତ ଚୋରା ଖଣି ମାଲିକଙ୍କ ପତା ମିଳିସାରିଥିବାର ସୂଚନା ଦେଇଛନ୍ତି ଏସଡ଼ିପିଓ।

ସେହିପରି ଭାବେ ଟାଙ୍ଗୀ ଠିପି ବନ୍ଦ ବିଦେଶୀ ମଦ ଦୋକ‍ାନ ନିକଟରେ ଚାଲିଥିଲା ମଦୁଆଙ୍କ ଉତ୍ପାତ। ମଦୁଆ ମଦ ପିଇ ସ୍ଥାନୀୟ ଲୋକଙ୍କୁ ଗାଳି ଗୁଲଜ କରିବା ସହ ସ୍ଥାନୀୟ ଝିଅ ବୋହୁଙ୍କ ପ୍ରତି ଅଶାଳୀନ ଆଚରଣ କରି ଆସୁଥିଲେ। ଫଳରେ ସ୍ଥାନୀୟ ଲୋକେ ଅସ୍ତବ୍ୟସ୍ତ ହୋଇ ପୋଲିସ୍ କୁ କରିଥିଲେ ଅଭିଯୋଗ। ଅଭିଯୋଗ ପାଇବା ପରେ ଆଜି ବାଲୁଗାଁ ଏସଡିପିଓ ଛଦ୍ମ ବେଶରେ ବାଇକ୍ ରେ ଆସି ଟାଙ୍ଗୀ ବିଦେଶୀ ମଦ ଦୋକାନରେ କରିଥିଲେ ଚଢାଉ। ଚଢାଉ ପରେ ସେଠାରୁ ମଦୁଆ ଛତ୍ରଭଙ୍ଗ ଦେଇଥିଲେ। ମଦ ଦୋକାନ ନିକିଟରେ ଚାଖଣା ଦୋକାନ ଖୋଲି ମଦୁଆଙ୍କୁ ଚାଖଣା ପରଷି ଦେଉଥିଵା ୨ ଦୋକାନୀଙ୍କୁ ଅଟକ ରଖି ଘଟଣ‍ାର ଅଧିକ ଛାନବିନ୍ ଜାରି ରଖିଛନ୍ତି ଏସଡିପିଓ ଶ୍ରୀ ବାରିକ। ତେବେ ବାଲୁଗାଁ ଏସଡିପିଓଙ୍କ ଏପରି କାର୍ଯ୍ୟାନୁଷ୍ଠାନ ଦେଖି ଅପରାଧୀ ଓ ଅସାମାଜିକ ବ୍ୟକ୍ତିମାନେ ଭୟରେ ପ୍ରମାଦ ଗଣୁଥିବାର ଦେଖାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ସୁନା ଚେନ୍ ନମିଳିବାରୁ ନବ ବିବାହିତାକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ, ୩ ଅଟକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କୁମାର ପୂର୍ଣ୍ଣିମାରେ ଅଘଟଣ ଘଟିଛି। ସୁନା ଚେନ୍ ଦାବି କରି ନବ ବିବାହିତାକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଥାନାରେ ଏତଲା ପରେ ପୋଲିସ୍ ର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ଚିଲିକା ସାହିରେ ଏଭଳି ଏକ ଅବାବନୀୟ ଘଟଣା ଘଟିଯାଇଛି।

ଅଭିଯୋଗ ମୁତାବକ, ୪/୫ ମାସ ତଳେ ଟାଙ୍ଗୀ ଥାନା କୁହୁଡି ଗ୍ରାମର ଦଣ୍ଡପାଣୀ ମହାପାତ୍ରଙ୍କ ଝିଅ ମୀନତୀ ଜରିପଡା ଚିଲିକା ସାହିର ଗଂଗାଧର ଉଦଣ୍ଡରାୟଙ୍କ ପୁତ୍ର ତୋଫାନ୍ ଉଦଣ୍ଡ ରାୟଙ୍କୁ ବିବାହ କରିଥିଲେ। ତେବେ ଅଧିକ ଯୌତୁକ ଦାବି କରି ତୋଫାନଙ୍କ ପରିବାର ଲୋକେ ମୀନତୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିଲେ। ଏନେଇ ମୀନତୀଙ୍କ ବାପ ଘର ଲୋକେ ଜରିପଡାରେ ପହଂଚି ତୋଫାନଙ୍କୁ ବାରମ୍ବାର ବୁଝାଶୁଝା କରିଆସୁଥିଲେ।

ହେଲେ ଗତ ୩ ଦିନ ତଳେ ମୀନତୀଙ୍କ ବାପ ଘର ପକ୍ଷରୁ ମୀନତୀ ଓ ତାଙ୍କ ସ୍ୱାମୀ ତୋଫାନଙ୍କ ପାଇଁ କୂମାରପୂର୍ଣ୍ଣିମା ଭାର ପଠାଇ ଥିଲେ। ତେବେ ଗତ କାଲି ରାତିରେ ମୀନତିଙ୍କୁ ବାପ ଘରୁ ସୁନା ଚେନ୍ ଆଣିବା ପାଇଁ ଦାବି କରିଥିଲେ। ତେବେ ଏଥିରେ ବିଫଳ ହେବାରୁ ଶାଶୁ ଘର ଲୋକେ ମୀନତିଙ୍କ ତଣ୍ଟି ଚିପି ମାରି ଦେଇଥିବା ମୀନତୀଙ୍କ ବାପ ଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲିକଙ୍କ ନିର୍ଦ୍ଦେଶ କ୍ରମେ କେସ ନମ୍ବର ୪୦୩/୨୧ରେ ଏକ ମାମଲା ରୁଜ୍ଜୁ କରାଯିବା ସହ  ଶାଶୁ, ଶ୍ୱଶୁର ଓ ସ୍ୱାମୀଙ୍କୁ ଅଟକ ରଖି ପୋଲିସ୍ ତଦନ୍ତ ଚଳାଇଛି।

ତେବେ ବର୍ତ୍ତମାନ ଘଟଣାସ୍ଥଳରେ ଖୋର୍ଦ୍ଧା ସାଇଣ୍ଟିଫିକ ଟିମ, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ଟାଙ୍ଗି ଆଇଆଇସି ବିଜୟ ମଲ୍ଲିକ ଆଦି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ ଜାରି ରଖିଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ଆଇଆଇସି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।