Categories
ଆଜିର ଖବର ଜାତୀୟ ଖବର

ନଦୀକୁ ରାସ୍ତା ଦର୍ଶାଇଲା ଜିପିଏସ୍, ୨ ଡାକ୍ତରଙ୍କ ମୃତ୍ୟୁ, ତିନି ଆହତ

ନୂଆଦିଲ୍ଲୀ: ଅନ୍ଧ ଭାବରେ ବିଶ୍ଵାସ କରୁଥିବା ଟେକ୍ନୋଲୋଜି ମଧ୍ୟ ଆପଣଙ୍କ ଜୀବନ ନେଇପାରେ। କେରଳରେ ମଧ୍ୟ ଏଭଳି ଘଟଣା ଘଟିଛି, ଯେଉଁଠାରେ ଗୁଗୁଲ୍ ମାନଚିତ୍ର ଦ୍ୱାରା ଭୁଲ୍ ମାର୍ଗରେ ଦୁଇ ଜଣ ପ୍ରାଣ ହରାଇଛନ୍ତି।ସୂଚନା ଅନୁଯାୟୀ, କେରଳର କୋଚି ନିକଟ ଗୋଥୁରୁଥରେ ଥିବା ପେରିୟାର୍ ନଦୀରେ କାର ଖସିଯିବା ଯୋଗୁଁ ଦୁଇ ଡାକ୍ତରଙ୍କ ମୃତ୍ୟୁ ଘଟିଛି ​​ଏବଂ ଗୁଗୁଲ୍ ମ୍ୟାପ୍ ମୃତ୍ୟୁର କାରଣ ପାଲଟିଛି। କାରରେ ଉପସ୍ଥିତ ଯୁବକମାନେ ଗୁଗୁଲ୍ ମ୍ୟାପ୍ ସାହାଯ୍ୟରେ ଆଗକୁ ବଢୁଥିଲେ, ଯେଉଁଠାରେ ଭୁଲ୍ ମାର୍ଗରେ ରହିବା ପରେ ସେମାନଙ୍କ କାର ଖାଲରେ ଖସିପଡି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା।

ସମଗ୍ର ବିଷୟ କ’ଣ?:

ପିଟିଆଇ ଏଜେନ୍ସି ଅନୁଯାୟୀ ପୋଲିସ କହିଛି ଯେ, କାରରେ ଯାତ୍ରା କରୁଥିବା ଦୁଇ ଡାକ୍ତର ଶନିବାର ବିଳମ୍ବିତ ରାତିରେ ସେମାନଙ୍କ କାର କେରଳର କୋଚି ନିକଟ ପେରିୟାର ନଦୀରେ ଖସିଯିବା ପରେ ମୃତ୍ୟୁ ଘଟିଛି। ଏହି ଡାକ୍ତର ଦ୍ୱୟ ହେଲେ ଅଦୈତ (୨୯) ଏବଂ ଅଜମଲ (୨୯) ବୋଲି ଜିଲ୍ଲାର ଏକ ଘରୋଇ ଡାକ୍ତରଖାନାରେ ନିଶ୍ଚିତ କରାଯାଇଛି। ଶନିବାର ରାତି ୧୨.୩୦ ସମୟରେ ଘଟିଥିବା ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି।

ପୋଲିସ ଆହୁରି ମଧ୍ୟ କହିଛି ଯେ, ଏହି ଦୁର୍ଘଟଣାରେ ଡାକ୍ତରଙ୍କ ସହ ଯାତ୍ରା କରୁଥିବା ଅନ୍ୟ ତିନିଜଣ ମଧ୍ୟ ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୋଲିସ କହିଛି ଯେ କାର ଡ୍ରାଇଭର ଗୁଗୁଲ ମ୍ୟାପ୍ସର ନିର୍ଦ୍ଦେଶକୁ ଅନୁସରଣ କରି ନଦୀ ପର୍ଯ୍ୟନ୍ତ ପହଂଚିଯାଇଥିଲେ, ଯାହା ସେମାନଙ୍କୁ ରାସ୍ତାରେ ଯିବା କଥା।

ପୋଲିସ ଆହୁରି ମଧ୍ୟ କହିଛି ଯେ, ପ୍ରବଳ ବର୍ଷା ହେତୁ ସେହି ସମୟରେ ଦୃଶ୍ୟମାନତା ବହୁତ କମ୍ ଥିଲା। ସେମାନେ ଗୁଗୁଲ୍ ମ୍ୟାପ୍ ଦ୍ୱାରା ପ୍ରଦର୍ଶିତ ମାର୍ଗରେ ଯାଉଥିଲେ, କିନ୍ତୁ ମନେହେଉଛି ମାନଚିତ୍ରରେ ଦେଖାଯାଇଥିବା ବାମ ପଟେ ବଦଳରେ ସେମାନେ ଭୁଲ୍ ଭାବରେ ଆଗକୁ ଯାଇ ନଦୀରେ ପଡ଼ିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକ ଆସି ଅଗ୍ନିଶମ ସେବା ଏବଂ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଆହତଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

Categories
ଆଞ୍ଚଳିକ

ନାଚୁଣୀ: କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ତିନି ଆହତ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ କଉଡ଼ିଖଣି ଛକରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣ ଆହତ ହୋଇଛନ୍ତି।

ସୂଚନା ମୁତାବକ ଖୋର୍ଦ୍ଧାରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ, ଅନୁରୂପ ଭାବେ ତାମିଲନାଡୁରୁ ପୁରୀ ଅଭିମୁଖେ ଯାଉଥିବା ଏକ କାରଟି ନାଚୁଣୀ କଉଡ଼ିଖଣି ଛକରେ ମୁହାଁମୁଁହିଁ ଧକ୍କା ହୋଇଥିଲା। ଫଳରେ କାରରେ ଥିବା ତିନି ଜଣ ବ୍ୟକ୍ତି ଆହତ ହୋଇଥିଲେ। ଆହତଙ୍କୁ ସ୍ଥାନୀୟ ଜନସାଧାରଣ ମେଡିକାଲ ପଠାଇଥିବାବେଳେ ଘଟଣାସ୍ଥଳରେ ନାଚୁଣୀ ପୋଲିସ ପହଞ୍ଚି ଉଭୟ ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀବାହୀ ଅଟୋ ରିକ୍ସା ସହ ଟ୍ରକ୍ ମୁହାଁମୁହିଁ ଧକ୍କା: ମହିଳା ମୃତ, ତିନି ଆହତ

ନୟାଗଡ/ରଣପୁର: ନୟାଗଡ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଗୋଟିଏ ଯାତ୍ରୀବାହୀ ଅଟୋ ରିକ୍ସା ସହ ଟ୍ରକ୍ ମୁହାଁ ମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଲୋଧାଚୁଆ ନିକଟସ୍ଥ ବଜ୍ରକୋଟ ଠାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ଓଡ଼ଗାଁରୁ ଅଟୋ ରିକ୍ସା ଯୋଗେ ଗୋଟିଏ ପରିଵାରର ଲୋକ ଏକ ବାହାଘର ଉତ୍ସବରେ ଯୋଗ ଦେବା ପାଇଁ ଟାଙ୍ଗୀ ଥାନା କୁହୁଡ଼ି ଯାଉଥିଲେ। କିନ୍ତୁ ରଣପୁର ବ୍ଲକ୍ ଅନ୍ତର୍ଗତ ବାଜ୍ରକୋଟ ଗାଁ ନିକଟରେ ସେମାନଙ୍କ ଅଟୋଟି ଗୋଟିଏ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ସାମ୍ନାରୁ ଧକ୍କାଦେବା ଫଳରେ ଅଟୋରୁ ଜଣେ ମହିଳା  ଛିଟିକି ଯାଇ ଟ୍ରକ୍ ଚକା ତଳେ ପଡିଯାଇଥିଲେ। ଫଳରେ ମହିଳାଙ୍କ ଦେହରୁ ହାତ ଅଲଗା ହେବା ସହ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଯାହା ଦ୍ୱାରା ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ତିନିଜଣ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ରଣପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।