Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୌତୁକ ଜନିତ ହତ୍ୟା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କଲା ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମାଳିଗୋବିନ୍ଦ ପୁର ଗ୍ରାମରେ ଏକ ବିବାହିତା ମହିଳାଙ୍କ ଅଭାବନୀୟ ମୃତ୍ୟୁ ଘଟିଛି। ଘଟଣା ପଛରେ ଯୌତୁକ ଜନିତ ହତ୍ୟା ବୋଲି ଝିଅର ପରିବାର ଲୋକେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଥାନାରେ ଲିଖିତ ଏତଲା ମୁତାବକ ବାଣପୁର ଏନଏସି ଦକ୍ଷ ପ୍ରଜାପତି ସାହି ନିବାସୀ ସୁକାନ୍ତ ନାୟକଙ୍କ ବଡ଼ ଝିଅ ରିଙ୍କି ନାୟକଙ୍କ ମାଳିଗୋବିନ୍ଦ ପୁର ଗ୍ରାମର ସ୍ୱର୍ଗତ ମହେଶ୍ବର ରଣାଙ୍କ ସାନପୁଅ ଟିଟୁ ରଣାଙ୍କ ସହ ଚାରି ବର୍ଷ ତଳେ ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ସମୟରେ ବରପକ୍ଷର ଦାବି ମୁତାବକ ୩୦ ହଜାର ଟଙ୍କା ସହ ପାଖାପାଖି ୨ ଲକ୍ଷ ଟଙ୍କାର ସୁନା ଗହଣା ସାଙ୍ଗକୁ ଆସବାବପତ୍ର କନ୍ୟାପିତା ପ୍ରଦାନ କରିଥିଲେ।

ତେବେ ଦୀର୍ଘ ଦିନ ଧରି ସ୍ୱାମୀ ଟିଟୁ ରଣା, ଶାଶୁ ପ୍ରମିଳା ବେୱା, ଦେଢଶୁର ବିନାୟକ ରଣା ଏବଂ ଅନ୍ୟ ସଦସ୍ୟମାନେ ରିଙ୍କିକୁ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଅଧିକ ଏକ ଲକ୍ଷ ଟଙ୍କା ଯୌତୁକ ଦାବିରେ ଶଶୁର ଘର ଲୋକ ରିଙ୍କିକୁ ନିର୍ଯାତନା ଦେଉଥିବା ବେଳେ ରିଙ୍କି ଦାମ୍ପତ୍ୟ ସଂସାର ଉଜୁଡିଯିବା ଆଶାରେ ସବୁ ସହିଆସୁଥିଲେ। ତେବେ ଗତ ୧୦ ତାରିଖ ଶନିବାର ରାତି ୧୧ ଘଟିକାରେ ଏକ ଲକ୍ଷ ଟଙ୍କା ଯୌତୁକ ଦେବା ଘଟଣାକୁ କେନ୍ଦ୍ର କରି ରିଙ୍କି ଶୋଇଥିବା ବେଳେ ଶ୍ୱଶୁର ଘର ଲୋକେ ରିଙ୍କିଙ୍କ ଉପରେ କିରୋସିନି ଢାଳି ନିଆଁ ଲଗେଇ ଦେଲେ।

ଖବର ପାଇ ବାପାଘର ଲୋକେ ପହଞ୍ଚି ରିଙ୍କିଙ୍କୁ ତୁରନ୍ତ ବାଣପୁର ମେଡିକାଲ ଆଣିଥିଲେ।ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ପ୍ରଥମେ ଭୁବନେଶ୍ୱର ଏମ୍ସ ଓ ପରେ କଟକ ଏସ ସି ବି କୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ରବିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ରାତି ଗୋଟାଏ ସମୟରେ ରିଙ୍କିଙ୍କ ମୃତ୍ୟୁ ହୋଇଥିଲା।

ଏହାପରେ ଗତକାଲି ରାତିରେ ଶ୍ୱଶୁର ଘର ଲୋକେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ରିଙ୍କିଙ୍କ ଶବକୁ ମାଳି ଗୋବିନ୍ଦପୁର ଗ୍ରାମ ସ୍ମଶାନରେ ଦାହ କରିଦେଇଛନ୍ତି। ଏ ନେଇ ତାଙ୍କ ମାଆ ରଂଜନା ନାୟକ ବାଣପୁର ଥାନାରେ ଆଜି ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ୨୪୬/୨୧ ରେ ଯୌତୁକ ଜନିତ ହତ୍ୟା ମାମଲା ରୁଜ୍ଜୁ କରି ଆଜି ସ୍ୱାମୀ ଟିଟୁ ରଣା, ଦେଢଶୁର ବିନାୟକ ରଣା ଓ ଶାଶୁ ପ୍ରମିଳା ରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଚଳାଇଛି। ପ୍ରକାଶ ଥାଉକି ରିଙ୍କିଙ୍କ ଏକ ଦେଢ଼ ବର୍ଷର ଶିଶୁପୁତ୍ର ଅଛି।