Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଓ ଚିଲିକାରେ ତିନି ଦଫା ଦାବି ନେଇ ଗର୍ଜିଲା ପ୍ରାଥମିକ ଶିକ୍ଷକ ସଂଘ

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଆଜି ଓଡ଼ିଶାର ସମସ୍ତ ବ୍ଲକରେ ୩ ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଉଥିବା ବେଳେ ଅନୁରୂପ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସଭାପତି ବିଭୁତି ଭୂଷଣ ସ୍ବାଇଁଙ୍କ ନେତୃତ୍ୱରେ ତିନି ଦଫା ଦାବି ନେଇ ବାଣପୁର ସହରରେ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ବିରାଟ ରାଲି ମା’ ଭଗବତୀ ମନ୍ଦିରରୁ ବାହାରି ସହର ପରିକ୍ରମା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ସଂଘର ସଭାପତି ବିଭୁତି ଭୂଷଣ ସ୍ୱାଇଁ, ସମ୍ପାଦକ ପ୍ରଦୀପ୍ତ କିଶୋର ମହାପାତ୍ର, ସଭ୍ୟ କୈଳାଶ ଚନ୍ଦ୍ର ହୋତା, ବିମଳ ନାୟକ, ନରେଶ ପଣ୍ଡା, ସମୀର ସେଠୀ ଏବଂ ପ୍ରାୟ ତିନିଶହରୁ ଅଧିକ ପ୍ରାଥମିକ ଶିକ୍ଷକ ୬ବର୍ଷର ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ କରି ୬ବର୍ଷର ବର୍ଦ୍ଧିତ ଦରମା ପ୍ରଦାନ କରିବା, କେନ୍ଦ୍ରୀୟ ଅନୁଦାନରେ ସମସ୍ତ ଶିକ୍ଷକଙ୍କୁ ସାମିଲ କରିବା ଓ ନୂତନ ପେନସନ ଉଚ୍ଛେଦ କରି ପୁରାତନ ପେନସନ ଯୋଜନା ଲାଗୁ କରିବା ଭଳି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅନୁପସ୍ଥିତରେ ବିଆରସିସି ସନ୍ଧ୍ୟାରାଣୀ ହରିଚନ୍ଦନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଯଦି ଉକ୍ତ ଦାବିକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରି ପଦକ୍ଷେପ ନ ନିଅନ୍ତି ତେବେ ଆସନ୍ତା ୨୭ତାରିଖରେ ଶିକ୍ଷକ ମାନଙ୍କର ଏକ ବିରାଟ ଆନ୍ଦୋଳନ ସାରା ଓଡିଶା ଦେଖିବ ବୋଲି ସଭାପତି ବିଭୁତି ଭୂଷଣ ସ୍ୱାଇଁ ତାଙ୍କ ପ୍ରତିକ୍ରିୟାରେ କହିବା ସହ ଶିକ୍ଷକ ମାନେ ସରକାରଙ୍କର ପ୍ରକୃତ ବିଦ୍ରୋହୀ ଭାବେ ଛିଡା ହେବେ ବୋଲି ଚେତାବନୀ ଦେଇଥିଲେ।

ଅନୁରୂପ ଭାବେ ଚିଲିକା ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟ ସିଙ୍ଗିପୁର ଶନି ମନ୍ଦିର ନିକଟରୁ ଏକ ବିରାଟ ରାଲି କରି ଗଙ୍ଗାଧରପୁର ସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଉଭୟ ସ୍ଥାନରେ ରାଲି ସମୟରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।