Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

ପରିବାର ପ୍ରତିପୋଷଣ ପାଇଁ ଚିଲିକାରୁ ଓମାନ ଯାଇଥିଲେ ତିନି ଶ୍ରମିକ: ଦୁର୍ଘଟଣାରେ ଚାଲିଗଲା ଜୀବନ

ସୀତାରାମ ଅଗ୍ରୱାଲ
ବାଣପୁର/ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବହୁ ଶ୍ରମିକ ପରିବାର ପ୍ରତିପୋଷଣ ନିମିତ୍ତ ବାହାର ଦେଶକୁ ଯାଉଥିବା ବେଳେ ସେଠାରେ ବହୁ ସମସ୍ୟାକୁ ନେଇ ମୃତ୍ୟୁ ମୁଖରେ ପଡୁଛନ୍ତି। ସେହିଭଳି ବାଣପୁର ଥାନା ଅଧିନସ୍ଥ ମୁକ୍ତାଦେଇପୁର ଗ୍ରାମର ଵାଲା ମୁଦୁଲି (୫୦ ବର୍ଷ), ବାଲୁଗାଁ ଥାନା ଅଧିନସ୍ଥ ପ୍ରାଣଦେଇପୁର ଗ୍ରାମର ତପନ ବେହେରା (୪୬ବର୍ଷ), ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ରଘୁନାଥପୁର ଗ୍ରାମର ପଠାଣି ବେହେରା ଓମାନ ଦେଶର ଗୁଲଫର ଇଞ୍ଜିନିଅୟରି ଏଲଏଲସି କମ୍ପାନୀରେ କାର୍ଯ୍ୟରତ ଥିଲେ। ଫେବୃୟାରୀ ୧୭ ତାରିଖ ଦିନ ସମୁଦାୟ ୫୩ ଜଣ ଶ୍ରମିକ ବସ ମାଧ୍ୟମରେ ଆକାବା କଣ୍ଟାବରୁ ବୁଷ୍ଟାନ କବିର ରୋଡ଼ ଯାଉଥିଲେ। ଉକ୍ତ ବସଟି ଅନ୍ୟ ଏକ ଗାଡିକୁ ଅତିକ୍ରମ କରୁଥିବା ସମୟରେ ରୋଡରୁ ବହୁ ତଳକୁ ବସଟି ଖସି ପଡିଥିଲା।

ଓମାନ ପୋଲିସର ରିପୋର୍ଟ ମୁତାବକ ସେଠାରେ ଚାରିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରୁ ତିନିଜଣ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଥିଲା। ସେମାନଙ୍କ ମୃତ ଦେହ ଓଡିଶାକୁ ଆଣିବା ପାଇଁ ପରିବାର ଲୋକ ଚିନ୍ତାରେ ପଡିବା ସହ ରୋଜଗା କ୍ଷମ ଲୋକଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି।

ବାଣପୁର ଅଂଚଳର ଚମ୍ପାଦେଇପୁର ଗ୍ରାମର ସମାଜ ସେବୀ ତଥା ଭାରତୀୟ ଜୀବନବୀମା ନିଗମ ପୁରୀ ଶାଖାରେ କାର୍ଯ୍ୟରତ ବାବୁଲି କୁମାର ସାହୁ କମ୍ପାନୀର ମାନବ ସମ୍ବଳ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ଇଭି ସାମଲ କୁମାର, ଭାରତୀୟ ଦୁତାବସର ଅଧିକାରୀ ରେଣୁ ଗୌତମଙ୍କ ସହ ଦୀର୍ଘ ପାଞ୍ଚ ଦିନ ଧରି ଯୋଗାଯୋଗ କରିବା ପରେ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇ ଶେଷରେ ୨୧ ତାରିଖରେ ମସ୍କଟରୁ ଦିଲ୍ଲୀ ଓ ୨୨ ତାରିଖରେ ଦିଲ୍ଲୀରୁ କୋଲକତା ଫ୍ଲାଇଟ ମାଧ୍ୟମରେ ମୃତ ଦେହ ପହଁଚିଥିଲା। ଏବଂ ସେଠାରୁ ଆମ୍ବୁଲାନ୍ସ ମାଧ୍ୟମରେ ତିନିଜଣଙ୍କ ମୃତ ଦେହ ନିଜ ଗ୍ରାମରେ ପହଂଚିବାର ବ୍ୟବସ୍ଥା ହୋଇଛି।

ଦୀର୍ଘ ଦଶ ବର୍ଷ ଧରି ଉକ୍ତ କମ୍ପାନୀରେ କାର୍ଯ୍ୟରତ ଥିବାବେଳେ କମ୍ପାନୀ ତରଫରୁ ସମସ୍ତ ପ୍ରକାର ବୀମା ଓ ବକେୟା ପ୍ରାପ୍ୟ ଯଥା ସମ୍ଭବ ପ୍ରଦାନ କରିବେ ବୋଲି ଓମାନ ଦେଶର ଶ୍ରମ ବିଭାଗ ପ୍ରତିଶୃତି ଦେଇଛି। ସେମାନଙ୍କର ମୃତ୍ୟୁ ଖବର ଶୁଣି ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।