Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ଉପ-ନିର୍ବାଚନ: ଜାଣନ୍ତୁ ଭୋଟର ତାଲିକାରେ ନାମ ଖୋଜିବା ପାଇଁ କ’ଣ ରହିଛି ସ୍ଵତନ୍ତ୍ର ବ୍ୟବସ୍ଥା

ରମେଶ ମହାନ୍ତି
ଜଗତସିଂହପୁର: ଆଜି ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଉକ୍ତ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ନାମ ଅଛି କି ନାହିଁ ତାହା ଜାଣିବା ପାଇଁ ‘ନ୍ୟାସନାଲ ଭୋଟର୍ସ ସର୍ଭିସ୍ ପୋର୍ଟାଲ’ କୁ ଯାଇ ଯେକୌଣସି ଭୋଟର ତାଙ୍କର ନାମ ଯାଂଚ କରିପାରିବେ। ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଏହି ସେବା ଯୋଗାଇ ଦିଆଯାଇଛି। କେଉଁ ବୁଥ୍‌ରେ ଆପଣଙ୍କ ନାମ ଭୋଟର ତାଲିକାରେ ଅଛି ତାହା ଜାଣି ପାରିବେ। ଏହି ପୋର୍ଟାଲରେ ନିଜ ରାଜ୍ୟର ନିର୍ବାଚନୀୟ ତଥ୍ୟ ଯଥା – ନାମ, ପିତାଙ୍କ ନାମ, ରାଜ୍ୟ, ନିର୍ବାଚନମଣ୍ଡଳୀ, ବୟସ, ଲିଙ୍ଗକୁ ଉପଯୋଗ କରି ଯେକୌଣସି ଭୋଟର ତାଙ୍କର କେଉଁ ବୁଥ୍‌ରେ ନାମ ଅଛି ତାହା ଜାଣିପାରିବେ।

ଏତଦ୍‌ବ୍ୟତୀତ ନିଶୁକ୍ଳ ନମ୍ବର ୧୮୦୦୩୪୫୧୨୭୯ ଜଗତସିଂହପୁରକୁ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଜଣାଇଛନ୍ତି।

ଏହାସହିତ ମତଦାନ ପାଇଁ କେବଳ ଚିରିକୁଟି କିମ୍ବା ଫଟୋ ଭୋଟର ସ୍ଲିପ୍ ଯଥେଷ୍ଟ ନୁହେଁ। ଏହାବ୍ୟତୀତ ୧୨ ଗୋଟି ବିକଳ୍ପ ପରିଚୟ ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ର ଥିଲେ, ଜଣେ ଭୋଟର ବା ବ୍ୟକ୍ତି ଭୋଟଗ୍ରହଣ କେନ୍ଦ୍ରରେ ନିଜର ମତଦାନ କରିପାରିବେ। ସେଗୁଡ଼ିକ ହେଲା- ୧. ଭୋଟର ପରିଚୟ ପତ୍ର, ୨. ଡ୍ରାଇଭିଂ ଲାଇସେନ୍‌ସ, ୩. ଫଟୋଥିବା ସରକାରୀ ଚାକିରୀକ୍ଷେତ୍ରର ପରିଚୟ, ୪. ଫଟୋ ସଂଲଗ୍ନ ଥିବା ବ୍ୟାଙ୍କ୍ ଓ ପୋଷ୍ଟ ଅଫିସ୍‌ର ପାସ୍ ବୁକ୍‌, ୫. ଶ୍ରମ ମନ୍ତ୍ରଣଳାୟ ପକ୍ଷରୁ ଦିଆଯାଇଥିବା ସ୍ୱାସ୍ଥ୍ୟବୀମା ସ୍ମାର୍ଟକାର୍ଡ, ୬. ସାଂସଦ, ବିଧାୟକଙ୍କୁ ଦିଆଯାଇଥିବା ସରକାରୀ ପରିଚୟ ପତ୍ର, ୭.ଏମ୍‌.ଏନ୍‌.ଆର୍‌.ଜି.ଏର ଜବକାର୍ଡ, ୮. ଫଟୋଥିବା ପେନ୍‌ସନ ଦସ୍ତାବିଜ୍‌, ୯. ଏନ୍‌.ପି.ଆର୍ ସ୍ମାର୍ଟକାର୍ଡ, ୧୦. ପାସ୍‌ପୋର୍ଟ, ୧୧.ପାନକାର୍ଡ ଏବଂ ୧୨. ଆଧାର କାର୍ଡ ଇତ୍ୟାଦି।

ଉପରୋକ୍ତ ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ର ଥିଲେ ଜଣେ ଭୋଟର ଭୋଟଗ୍ରହଣ କେନ୍ଦ୍ରରେ ମତଦାନ କରିପାରିବେ ବୋଲି ନିର୍ବାଚନ ଆୟୋଗ ଏକ ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲ ଉପ-ନିର୍ବାଚନର ପ୍ରସ୍ତୁତି ଓ ଅଗ୍ରଗତି ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ

ରମେଶ ମହାନ୍ତି
ଜଗତସିଂହପୁର: ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଜଗତସିଂହପୁର ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦ୍‌ଭାବନା ସଭାଗୃହ ଠାରେ ତିର୍ତ୍ତୋଲ ଉପ-ନିର୍ବାଚନର ପ୍ରସ୍ତୁତି ଓ ଅଗ୍ରଗତି ସମ୍ପର୍କରେ ବିଭିନ୍ନ ନୋଡାଲ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ଉପ-ନିର୍ବାଚନକୁ ଅବାଧ, ମୁକ୍ତ, ନିରପେକ୍ଷ ଓ କୋଭିଡ ମାର୍ଗ ଦର୍ଶିକା ଅନୁଯାୟୀ କରିବାକୁ ବିଭିନ୍ନ ନୋଡାଲ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ନିର୍ବାଚନରେ ନିୟୋଜିତ ସମସ୍ତ ପ୍ରିଜାଇଡିଂ ଓ ପୋଲିଙ୍ଗ ଅଧିକାରୀଙ୍କ ଥର୍ମାଲ ସ୍କାନିଂ କରାଯିବ। କୋଭିଡ ଆକ୍ରାନ୍ତ କର୍ମଚାରୀଙ୍କୁ ବାଦ ଦିଆଯାଇ ରିଜର୍ଭରେ ଥିବା କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯିବ। ନିର୍ବାଚନ ଦିନ ପ୍ରତ୍ୟେକ ବୁଥ୍‌ରେ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ସାମାଜିକ ଦ୍ୱରତା ବଜାୟ ରଖିବା, ମାସ୍କ ପରିଧାନ, ହାତ ସାନିଟାଇଜ୍ କରିବା, ଗ୍ଲୋଭ୍‌ସ ପିନ୍ଧିବା, ଥର୍ମାଲ ସ୍କାନିଂ କରିବାକୁ ବାଧ୍ୟତାମୂଳକ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଥିଲେ।

ଏତଦ୍‌ବ୍ୟତୀତ କ୍ଲଷ୍ଟର ବୁଥ୍‌ମାନଙ୍କରେ ଆସ୍କା ଲାଇଟ୍ ଲଗାଇବା, ଭୋଟ ଗ୍ରହଣ ଦିନ ବୁଥ୍ ବାହାରେ ସାନିଟାଇଜ୍ କରିବା, ୫ଟି ବୁଥ୍‌ର ସ୍ଥାନ ପରିବର୍ତନ ସମ୍ପର୍କରେ ଭୋଟରମାନଙ୍କୁ ସଚେତନତା କରାଇବା ନିମନ୍ତେ ଗୁରୁତ୍ୱାରୋପ କରିଥିଲେ। ନିର୍ବାଚନ ପୂର୍ବଦିନ ଅର୍ଥାତ୍ ୨ ତାରିଖ ଦିନ ସମସ୍ତ ବୁଥ୍‌କୁ ସାନିଟାଇଜ୍ କରାଯିବ। ପ୍ରତ୍ୟେକ ବୁଥ୍ ପାଇଁ ଜଣେ ଲେଖାଏଁ ଆଶାକର୍ମୀଙ୍କୁ ନିୟୋଜିତ କରାଯିବ। ସେମାନେ ଭୋଟରମାନଙ୍କର ଥର୍ମାଲ ସ୍କାନିଂ ଓ ସାନିଟାଇଜ୍ କରିବେ। ଚଳିତ ବର୍ଷ ନୂତନଭାବେ ୫ଟି ବୁଥ୍‌ର ସ୍ଥାନ ପରିବର୍ତନ କରାଯାଇଛି। ଭୋଟରମାନେ ଯେପରି ସେହି ନୂତନ ବୁଥ୍‌କୁ ଭୋଟ ଦେବାକୁ ସହଜରେ ଯାଇ ପାରିବେ ସେଥିପାଇଁ ସେମାନଙ୍କୁ ସଚେତନତା ଦେବା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱାରୋପ କରିଥିଲେ।

ଏହି ବୈଠକରେ ଯୋଗଦେଇ ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସରୋଜ କୁମାର ମିଶ୍ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତିର୍ତୋଲ ଉପ-ନିର୍ବାଚନର ପ୍ରସ୍ତୁତି ଓ ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ବୈଠକର ବିବରଣୀରୁ ଜଣାଯାଏ ଯେ ତିର୍ତୋଲ ଉପ-ନିର୍ବାଚନରେ ୨,୩୯,୧୫୩ ଜଣ ଭୋଟରଙ୍କ ମଧ୍ୟରୁ ୧,୨୪,୧୬୮ ଜଣ ପୁରୁଷ ଭୋଟର ଓ ୧,୧୪,୯୫୬ ଜଣ ମହିଳା ଭୋଟର ଅଛନ୍ତି। ତିର୍ତୋଲ ଉପ-ନିର୍ବାଚନ ପାଇଁ ମୋଟ ୩୭୩ଟି ବୁଥ୍ କରାଯାଇଛି। ସେଥିମଧ୍ୟରୁ ବିରିଡ଼ି ବ୍ଲକ୍‌ରେ ୧୦୩ଟି, ତିର୍ତୋଲ ବ୍ଲକ୍‌ରେ ୧୬୦ଟି ଓ ରଘୁନାଥପୁର ବ୍ଲକ୍‌ରେ ୧୧୦ଟି ବୁଥ୍ କରାଯାଇଛି। ସମସ୍ତ ବୁଥ୍‌ରେ ସର୍ବନିମ୍ନ ମୌଳିକ ସୁବିଧା ଯଥା – ର‌୍ୟାମ୍ପ୍‌, ପାନୀୟଜଳର ବ୍ୟବସ୍ଥା, ବିଦ୍ୟୁତ୍ ସଂଯୋଗ, ଶୌଚାଳୟ, ଦୁଇଦ୍ୱାର ବିଶିଷ୍ଟ ଭୋଟ କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ୧୫୫ଟି ବୁଥ୍‌କୁ କ୍ରିଟିକାଲ ବୁଥ୍ ଭାବେ ଚିହ୍ନଟ କରାଯାଇଛି। ଉପ-ନିର୍ବାଚନ ନିମନ୍ତେ ୬୨ ଜଣ ସି.ଏ.ପି.ଏଫ୍‌, ୩୭ ଜଣ ୱେବ୍ କାଷ୍ଟିଙ୍ଗ୍‌, ୪୦ ଜଣ ମାଇକ୍ରୋ ଅବଜରଭର, ୫ ଜଣ ଭିଡ଼ିଓ ଗ୍ରାଫି ନିୟୋଜିତ ହୋଇଥିବା ବେଳେ ୧୧ଟି ସି.ସି.ଟି.ଭି ଲାଗିବାର ବ୍ୟବସ୍ଥା କରାଯାଇଛି। ନିର୍ବାଚନ ମଣ୍ଡଳୀରେ ୧୯୪୦ ଜଣ ପ୍ରିଜାଇଡିଂ ଓ ପୋଲିଙ୍ଗ ଅଧିକାରୀ ନିୟୋଜିତ ହୋଇଛନ୍ତି। ତିର୍ତୋଲ ଉପ-ନିର୍ବାଚନ ନିମନ୍ତେ ୩୩ ଜଣ ସେକ୍ଟର ଅଫିସର୍‌ଙ୍କୁ ନିୟୋଜିତ କରାଯାଇଛି। ଏସ.ଭି.ଏମ୍ କଲେଜରେ ୩୭ ଗୋଟି ଡିସ୍‌ପର୍ସାଲ ଓ ରିସିଭିଙ୍ଗ୍ କେନ୍ଦ୍ର କରାଯାଇଛି। ପୋଲିଙ୍ଗ୍ ପାର୍ଟିଙ୍କୁ ନେବା ଆଣିବା କରିବା ପାଇଁ ୧୫୭ଟି ବସ୍‌, ସେକ୍ଟର ଅଫିସରଙ୍କ ନିମନ୍ତେ ୩୦ଟି ବୋଲେରୋ ଗାଡ଼ିର ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ୩୦୩୨ ଜଣ ୮୦ ବର୍ଷରୁ ଉର୍ଦ୍ଧ୍ୱ ଭୋଟର, କୋଭିଡ ସଂକ୍ରମିତ ଓ ସନ୍ଦିଗ୍ଧ ଏବଂ ଭିନ୍ନକ୍ଷମ ଭୋଟର ପୋଷ୍ଟାଲ ବାଲାଟ୍ ପେପର ମାଧ୍ୟମରେ ଭୋଟ ଦେବାକୁ ସମ୍ମତି ଜଣାଇ ଥିବା ବେଳେ ୨୭ ତାରିଖ ସୁଦ୍ଧା ୨୫୬୪ ଜଣ ଭୋଟଦାନ କରି ସାରିଛନ୍ତି।

ଏହି ବୈଠକରେ ଆଇ.ଜି ଶ୍ରୀ ପରବିନ୍ କୁମାର, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଆର, ଅତିରିକ୍ତ ଜିଲ୍ଲାପାଳ-ତଥା-ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ସାହୁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ, ଯୁଗ୍ମ ନିର୍ବାଚନ ଅଧିକାରୀ-ତଥା-ଯୁଗ୍ମ ଶାସନ ସଚିବ ଶ୍ରୀ ଶତୃଘ୍ନ କର, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜକାନ୍ତ ମହାନ୍ତି, ଉପ-ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଶ୍ୱନାଥ ମିଶ୍ର, ନିର୍ବାଚନ ନିମନ୍ତେ ନିୟୋଜିତ ବିଭିନ୍ନ ନୋଡାଲ ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।