Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ତିର୍ତ୍ତୋଲ ବିଧାନସଭା: ବିଧାନସଭା ନିର୍ବାଚନ ଲଢ଼ିବାକୁ ୩ ସାଂସଦ ଆଶାୟୀ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବିଧାନସଭା ଆସନ ସବୁବେଳେ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ଏହି ଆସନରୁ ନିଶାମଣି ଖୁଣ୍ଟିଆ, ପ୍ରତାପ ଚନ୍ଦ୍ର ମହାନ୍ତି ଓ ବସନ୍ତ କୁମାର ବିଶ୍ୱାଳଙ୍କ ଭଳି ନେତାମାନେ ବିଧାନସଭାକୁ ବାରମ୍ବାର ନିର୍ବାଚିତ ହୋଇ ସବୁବେଳେ ରାଜନୀତିକ ଚର୍ଚ୍ଚାରେ ରହିଥିଲେ। ଏବର ବିଧାୟକ ମଧ୍ୟ ଚର୍ଚ୍ଚାରେ ଭିନ୍ନ କାରଣରୁ ରହିଛନ୍ତି।
ବିଧାୟକମାନଙ୍କ ଭଳି ଏହି ନିର୍ବାଚନ ମଣ୍ଡଳୀଟି ମଧ୍ୟ ଏବେ ଚର୍ଚ୍ଚାରେ ରହିଛି। କାରଣ ଏହି ବିଧାନସଭା ଆସନରୁ ଆଗାମୀ ନିର୍ବାଚନ ଲଢ଼ିବା ପାଇଁ ବିଜେଡି ଓ ବିଜେପିର ବହୁ ନେତାମାନଙ୍କ ସମେତ ତିନିଜଣ ପୂର୍ବତନ ସାଂସଦ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ସେମାନେ ହେଲେ ଶାସକ ଦଳ ବିଜେଡିର ବର୍ତ୍ତମାନର ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ଦଳର ପୂର୍ବତନ ସାଂସଦ ଡ. କୁଳମଣି ସାମଲ ଓ ଗତଥର ବିଜେପି ଟିକଟରେ ଲୋକସଭା ନିର୍ବାଚନ ଲଢ଼ିଥିବା ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ।

ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ୨୦୨୦ରେ ତାଙ୍କ ପୁତ୍ର ବିଜୟଶଙ୍କର ଦାସ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ। ନିର୍ବାଚନ ପରଠାରୁ ବର୍ତ୍ତମାନର ବିଧାୟକ ବିଜୟଶଙ୍କର ଦାସ ବିବାଦରେ ଛନ୍ଦି ହୋଇପଡ଼ିଥିବାରୁ ତାଙ୍କୁ ଆଗାମୀ ନିର୍ବାଚନରେ ଦଳ ପକ୍ଷରୁ ଆଉ ପ୍ରାର୍ଥୀ କରାଯିବ ନାହିଁ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି। ଏହାକୁ ଆଖି ଆଗରେ ରଖି ବର୍ତ୍ତମାନ ସାଂସଦ ତଥା ସେଠାକାର ପୂର୍ବତନ ବିଧାୟିକା ଡା. ରାଜଶ୍ରୀ ମଲ୍ଲିକ ପୁଣିଥରେ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଦଳୀୟ କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ମତ ଜଣାଇ ଦେଇଥିବା କୁହାଯାଉଛି।

ସେହିପରି ୨୦୧୪ର ବିଜେଡି ସାଂସଦ ଡ. କୁଳମଣି ସାମଲ ମଧ୍ୟ ପ୍ରାର୍ଥୀ ହେବାକୁ ଲବି ଚଳାଇଥିବା କୁହାଯାଉଛି। ଏଠାରୁ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଡ. ରମାକାନ୍ତ ଭୋଇ, ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରା, ତିର୍ତ୍ତୋଲ ବ୍ଲକ୍ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଜିଲ୍ଲାପରିଷଦ ସଭାପତି ମନୋଜ ଭୋଇ, କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ତିର୍ତ୍ତୋଲ ବ୍ଲକ୍‌ର ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖଙ୍କ ନାଁ ବି ବିଜେଡି ଟିକେଟ ଆଶାୟୀ ତାଲିକାରେ ରହିଛି।

ବିଜେପି ଏହି ଆସନରୁ କେବେବି ଜିତି ପାରିନାହିଁ। ବିଗତ ୩ଟି ନିର୍ବାଚନ ଓ ଗୋଟିଏ ଉପ ନିର୍ବାଚନ ମଧ୍ୟରୁ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ଡ. ରମାକାନ୍ତ ଭୋଇ ଓ ୨୦୨୦ ଉପ ନିର୍ବାଚନରେ ରାଜକିଶୋର ବେହେରା ପ୍ରାର୍ଥୀ ହୋଇ ଦ୍ୱିତୀୟ ସ୍ଥାନକୁ ଉଠି ପାରିଥିଲେ ହେଁ ସେମାନେ ୪୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହାରିଯାଇଥିଲେ। ତେଣୁ ୨୦୦୯ରେ ସିପିଆଇ ଟିକଟରେ ବିଜେଡି-ସିପିଆଇ ମେଣ୍ଟ ପ୍ରାର୍ଥୀଭାବେ ସଂସଦକୁ ନିର୍ବାଚିତ ହୋଇଥିବା ବିଭୁପ୍ରସାଦ ତରାଇ ଏବେ ବିଜେପିରେ ଅଛନ୍ତି। ସେ ୨୦୧୪ ନିର୍ବାଚନ କଂଗ୍ରେସ ଟିକଟ ଓ ୨୦୧୯ ନିର୍ବାଚନରେ ବିଜେପି ପକ୍ଷରୁ ଲୋକସଭା ନିର୍ବାଚନରେ ଲଢ଼ି ପରାଜିତ ହୋଇଛନ୍ତି। ତେଣୁ ସେ ଆଉ ଲୋକସଭା ନିର୍ବାଚନ ନ ଲଢ଼ି ଆଗାମୀ ନିର୍ବାଚନ ତିର୍ତ୍ତୋଲ ବିଧାନସଭା ଆସନରୁ ଲଢ଼ିବାକୁ ଦଳୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଥିବା କୁହାଯାଉଛି। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ରାଜକିଶୋର ବେହେରା, ସ୍ମିତା ପ୍ରଧାନ, ଇଂ. ପ୍ରକାଶ ଚନ୍ଦ୍ର ଦଳାଇ ପ୍ରମୁଖ ଟିକେଟ ଦୌଡ଼ରେ ରହିଛନ୍ତି।

ଦିନେ ଏହି ବିଧାନସଭା ଆସନଟି କଂଗ୍ରେସର ଗଡ଼ ଭାବରେ ବିବେଚିତ ଥିଲା। ୨୦୦୯ରେ ନୂତନଭାବେ ଗଠନ ହେବାପରେ ଏହି ଆସନକୁ ସଂରକ୍ଷିତ ରଖାଯାଇଛି। ୨୦୦୯ ପରଠାରୁ ଏହି ଆସନରୁ କଂଗ୍ରେସ ବିଜୟୀ ହୋଇପାରିନାହିଁ। କଂଗ୍ରେସ ଏବେ ଏଠାରେ ପ୍ରତିଦ୍ୱନ୍ଦ୍ୱୀତାରେ ୩ୟ ସ୍ଥାନକୁ ଖସି ଆସିଛି। କଂଗ୍ରେସରୁ ୨୦୨୦ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଯୁବନେତା ହିମାଂଶୁ ଭୂଷଣ ମଲ୍ଲିକ ପୁଣି ସୁଯୋଗ ପାଇବେ ବୋଲି ଆଶା କରାଯାଉଥିବାବେଳେ ପ୍ରତିମା ମଲ୍ଲିକଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଉପନିର୍ବାଚନ ପାଇଁ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବୁଥ୍ ପରିଦର୍ଶନ କଲେ ସାଧାରଣ ପର୍ଯ୍ୟବେକ୍ଷକ ପି.ରାଜେନ୍ଦ୍ର ଚୋଲନ୍

ରମେଶ ମହାନ୍ତି

ଜଗତସିଂହପୁର: ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନର ସୁପରିଚାଳନା ଓ ତଦାରଖ ନିମନ୍ତେ ନିଯୁକ୍ତି ପାଇଥିବା ସାଧାରଣ ପର୍ଯ୍ୟବେକ୍ଷକ ପି.ରାଜେନ୍ଦ୍ର ଚୋଲନ୍ ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି। ସେ ଗତ ଅକ୍ଟୋବର ୨୧ ତାରିଖରେ ରଘୁନାଥପୁର ବ୍ଲକର ରଘୁନାଥପୁର, ଗୋପାଳପୁର, ମଧୁସୂଦନପୁର, ୨୨ ତାରିଖରେ ତିର୍ତ୍ତୋଲ ବ୍ଳକର ତିର୍ତ୍ତୋଲ, ଆଖଣ୍ଡଳ, ତରଜଙ୍ଗା, ଗୋବିନ୍ଦପୁର, ସଅଁରା ଏବଂ ୨୩ ତାରିଖରେ ବିରିଡ଼ି ବ୍ଲକର ତେନ୍ତୁଳିଆ, ଉତ୍ତରଶାସନ, ହାଜିପୁର, ବଡଖଣ୍ଡେଇତା, ଅଣଖିଆ, ଜୟଶୋଳ ଆଦି ଅଞ୍ଚଳରେ ବିଭିନ୍ନ ବୁଥ୍ ପରିଦର୍ଶନ କରି ନ୍ୟୁନତମ ମୌଳିକ ସୁବିଧା ଯଥା-ପାନୀୟଜଳ, ଭିନ୍ନକ୍ଷମ ଭୋଟର ମାନଙ୍କ ପାଇଁ କ୍ୟାମ୍ପସ୍, ବୁଥ୍ ଭିତରେ ଓ ବାହାରେ ବିଦ୍ୟୁତ ସଂଯୋଗ ଓ ଶୌଚାଳୟର ସୁବିଧା ଏବଂ ସଂଗରୋଧ ଗୃହ ପ୍ରସ୍ତୁତି ସଂମ୍ପର୍କରେ ପଚାରି ବୁଝିଥିଲେ। ଅକ୍ଟୋବର ୨୫ ତାରିଖ ସୁଦ୍ଧା ବୁଥରେ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସର୍ବସାଧାରଣ ସ୍ଥାନ, ମନ୍ଦିର ଇତ୍ୟାଦିରେ ନିର୍ବାଚନ ପ୍ରଚାର ନିମନ୍ତେ ପୋଷ୍ଟର୍ ହୋଡିଂ ଆଦି ନ ଲଗାଇବାକୁ ପରାମର୍ଶ ଦେଇଥିଲେ।

ଏହା ସହିତ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ହୋଇଥିବା କୃଷ୍ଣାନନ୍ଦପୁର, ତାରପୁର ବାଇପାସ୍, ଝାରପଡା ଓ କଇଜଙ୍ଗା ଠାରେ ପୋଲିସ୍ ଚେକ୍ ପୋଷ୍ଟ ଅନୁଧ୍ୟାନ କରିଥିଲେ। ସାଧାରଣ ପର୍ଯ୍ୟବେକ୍ଷକଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ସଚିଦାନନ୍ଦ ସାହୁ, ବାଲିକୁଦା ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁ, ଡେପୁଟି କଲେକ୍ଟର ଅଜୟ କୁମାର ମହାନ୍ତି, ବିରିଡ଼ି ତହସିଲଦାର ସାଗରିକା ମଲ୍ଲିକ ଓ ସାଧାରଣ ପର୍ଯ୍ୟବେକ୍ଷକଙ୍କ ଯୋଗସୂତ୍ର ଅଧିକାରୀ ଉଦୟନାଥ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟର ଦୁଇଟି ଆସନରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ, କୋଭିଡ ଆକ୍ରାନ୍ତ ମଧ୍ୟ ଦେଇପାରିବେ ଭୋଟ

ଭୁବନେଶ୍ୱର,  ଭାରତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ବିହାର ବିଧାନସଭା ନିର୍ବାଚନ ସହିତ ଓଡ଼ିଶାର ଦୁଇଟି ବିଧାନସଭା ଆସନ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ବାଲେଶ୍ୱର ଓ ଜଗତସିଂହ ପୁରର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ ଉପନିର୍ବାଚନ ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ କରାଇଥିଲେ।

ସଂପ୍ରତି କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ସୁରୁଖୁରୁରେ ଉପନିର୍ବାଚନ ପରିଚାଳନା କରିବା ଆମ ସମସ୍ତଙ୍କ ପାଇଁ ଏକ ଚାଲେଞ୍ଜ ହେବ ଓ ନିର୍ବାଚନ ସମୟରେ କୋଭିଡ୍‌-୧୯ ନିୟମକୁ କଡ଼ାକଡ଼ି ଭାବେ ପାଳନ ସହ ସାମାଜିକ ଦୂରତ୍ୱ, ଥର୍ମାଲ୍‌ ସ୍କ୍ରିନିଂ, ମାସ୍କ ପିନ୍ଧିବା, ଗ୍ଲୋବସ୍‌ ପରିଧାନ, ସାନିଟାଇଜର ବ୍ୟବହାର, ଉଭୟ ଭୋଟର ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଆରୋପ କରିଥିଲେ।

କୋଭିଡ୍‌-୧୯ ମହାମାରୀ ଦୃଷ୍ଟିରୁ ନିର୍ବାଚନ ସମୟରେ ଜଣେ ଅଭିଜ୍ଞ ଡାକ୍ତରଙ୍କୁ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ସ୍ତରରେ ନୋଡ଼ାଲ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଲୋହାନୀ ଗୁରୁତ୍ୱ ଆରୋପ କରିଥିଲେ। କୋଭିଡ୍‌-୧୯ ମହାମାରୀ ଦୃଷ୍ଟିରୁ ନିର୍ବାଚନ ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ଗୋଟିଏ ବୁଥ୍‌ରେ ସର୍ବାଧିକ ଏକ ହଜାର ମତଦାତା ମତଦାନ କରି ପାରିବେ ଓ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ସଂପୃକ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରି ଅତିରିକ୍ତ ବୁଥ୍‌ ଗଠନ ଉପରେ ଗୁରୁତ୍ୱ ଦିଆଯିବ।

କୋଭିଡ୍‌ ଆକ୍ରାନ୍ତ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଆଇସୋଲେସନ୍‌ ସେଣ୍ଟର ଓ କୋଭିଡ୍‌ ସଂକ୍ରମିତ ଭୋଟରଙ୍କୁ ଭୋଟଦାନ ସମୟରେ ଶେଷ ପର୍ଯ୍ୟାୟରେ ମତଦାନ କରିବାକୁ ଅନୁମତି ପ୍ରଦାନ କରାଯିବ। ନିର୍ବାଚନ କାର୍ଯ୍ୟକ୍ରମରେ ନିୟୋଜିତ କର୍ମଚାରୀ ଓ ସେମାନଙ୍କୁ ତାଲିମ ବ୍ୟବ ସ୍ଥା, ଯାନବାହନର ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଷ୍ଟ୍ରଙ୍ଗରୁମ୍‌ ଓ ଭୋଟ ଗଣତି କେନ୍ଦ୍ର ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।