Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନ: ଚାରି ବିଜେପି ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବିତ, କଂଗ୍ରେସକୁ ତୀବ୍ର ଟାର୍ଗେଟ କଲା ବିରୋଧୀ

ଜୟପୁର: ରାଜସ୍ଥାନ ବିଧାନସଭାରେ ଆଜି ମୁଖ୍ୟ ବିରୋଧୀ ବିଜେପି ସ୍ଲୋଗାନ ଦେଇ ହଙ୍ଗମା ସୃଷ୍ଟି କରିଛି। ଯେଉଁଥିରେ ରାଜ୍ୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (REET) ୨୦୨୧ ରେ ହୋଇଥିବା ଅନିୟମିତତା ଘଟଣାର ସିବିଆଇ ଯାଞ୍ଚ କରିବାକୁ ବିଜେପି ଦାବି କରିଛି। ହଙ୍ଗମା ଯୋଗୁଁ ଗୃହକୁ ବାଚସ୍ପତି ୪ ଥର ମୁଲତବୀ କରିଛନ୍ତି। ଏବଂ ଚାରିଜଣ ବିଜେପି ବିଧାୟକଙ୍କୁ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରାଯାଇଛି।

ବିଜେପି ବିଧାୟକମାନେ ଗୃହ ଆରମ୍ଭରୁ ରାଜ୍ୟ ଶିକ୍ଷକ ଯୋଗ୍ୟତା ପରୀକ୍ଷାର ଅନିୟମିତତାକୁ ନେଇ ବିଭିନ୍ନ ସ୍ଲୋଗାନ ଏବଂ ହଙ୍ଗମା କରିଥିଲା। ଏହି କାରଣରୁ ଗୃହ କାର୍ଯ୍ୟକୁ ଚାରିଥର ମୁଲତବୀ କରିବାକୁ ପଡିଥିଲା। ଯେତେବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା, ସେତେବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧାରିୱାଲ ବିଜେପିର ୪ ଜଣ ବିଧାୟକଙ୍କୁ ନିଲମ୍ବିତ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ସିପିଆଇ (ଏମ) ବିଧାୟକ ବଲୱାନ ପୁନିଆଙ୍କ ଅଭିଭାଷଣକୁ ବାଧା ଦେଇଥିବା ଯୋଗୁଁ ବିଜେପି ବିଧାୟକ ରାମଲାଲ, ମଦନ ଦିଲୱର, ଅବିନାଶ ଗେହଲୋତ ଏବଂ ଚନ୍ଦ୍ରବାନ୍ ସିଂ ଆକ୍ୟାଙ୍କୁ ଗୃହର ଅବଶିଷ୍ଟ ସମୟରୁ ନିଲମ୍ବିତ କରାଯାଉ ବୋଲି ମନ୍ତ୍ରୀ ପ୍ରସ୍ତାବ ରଖିଥିଲେ।

ଧ୍ୱନି ମତ ଦ୍ୱାରା ଗୃହରେ ଏହି ପ୍ରସ୍ତାବ ପାରିତ ହୋଇଥିଲା। ଅଧ୍ୟକ୍ଷ ରାଜେନ୍ଦ୍ର ପ୍ୟାରୀ କହିଛନ୍ତି ଯେ, ବିରୋଧୀ ଦଳର ଏପରି ଲଜ୍ଜାଜନକ ଆଚରଣ ସେ କେବେ ଦେଖି ନାହାଁନ୍ତି ଏବଂ ସେ ଉପରୋକ୍ତ ଚାରିଜଣ ବିଜେପି ବିଧାୟକଙ୍କୁ ବାହାରକୁ ଯିବାକୁ କହିଛନ୍ତି। ଏହା ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ବିତର୍କ ଜାରି ରହିଲା। ତେବେ ବିଜେପି ବିଧାୟକମାନେ ସେମାନଙ୍କ ସ୍ଲୋଗାନ ଓ ଉତ୍ତେଜନା ଜାରି ରଖିଥିଲେ।

ଏଥିସହିତ ବିଜେପି ରାଜ୍ୟ ସଭାପତି ତଥା ବିଧାୟକ ସତୀଶ ପୁନିଆ ଟୁଇଟ୍ କରି କହିଛନ୍ତି ଯେ, ଆଜି ଶାସକ ଦଳ ଗୃହର ଦିନକୁ କଳଙ୍କିତ କରିଛି ଏବଂ REET ପରୀକ୍ଷାରେ ସିବିଆଇ ତଦନ୍ତ ଦାବିରେ ଗଣତାନ୍ତ୍ରିକ ବିରୋଧ କରୁଥିବା ବିଜେପି (ବିରୋଧୀ) ସଦସ୍ୟଙ୍କୁ ହଟାଇ ଦେଇଛି। ମନ୍ତ୍ରୀଙ୍କ ଉପସ୍ଥିତିରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।