Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗିରକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଚଳିତ ବର୍ଷର ନବମ ପର୍ଯ୍ୟାୟ ଟ୍ରେନ୍‌ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଚଳିତ ବର୍ଷର ନବମ ପର୍ଯ୍ୟାୟରେ ସମ୍ବଲପୁର, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ଦେବଗଡ଼ ଓ ଅନୁଗୋଳର ବରିଷ୍ଠ ନାଗରିକମାନେ ଏହି ଯାତ୍ରାରେ ସାମିଲ ହୋଇ ଆଜ୍‌ମେର ଓ ପୁଷ୍କର ଯାତ୍ରା କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭକାମନା ଜଣାଇବା ସହ ବିଭିନ୍ନ ଅଞ୍ଚଳର ସଂସ୍କୃତି ଓ ତୀର୍ଥସ୍ଥଳ ସଂପର୍କରେ ଏହା ଦ୍ୱାରା ଜାଣିହେବ ବୋଲି କହିଥିଲେ।

୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଅଦ୍ୟାବଧି ରାଜ୍ୟର ପ୍ରାୟ ୨୮ ହଜାରରୁ ଅଧିକ ବରିଷ୍ଠ ନାଗରିକ ସାମିଲ ହୋଇ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରି ଆଧ୍ୟାତ୍ମିକତା ଅନୁଭବ କରିଥିବାର ସେ କହିଥିଲେ। ରାଜ୍ୟ ସରକାର ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଥିଲେ। ଏହି ତୀର୍ଥଯାତ୍ରା ମାଧ୍ୟମରେ ପାରସ୍ପରିକ ସଦ୍‌ଭାବ ଏବଂ ଜାତୀୟ ସଂହତି ବଜାୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ସମ୍ବଲପୁର ରେଳ ଷ୍ଟେସନ୍‌ରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ, ଜଳସଂପଦ ମନ୍ତ୍ରୀ  ଟୁକୁନି ସାହୁ, ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଶ୍ରୀକାନ୍ତ ପୃଷ୍ଟି, ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ଗଡ଼ନାୟକ, ଅଜାମ୍ବର ମହାନ୍ତି, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଉପଦେଷ୍ଟା ଦୁର୍ଗାପ୍ରସାଦ ସାମନ୍ତରାୟ, ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ବାଳମୁକୁନ୍ଦ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇବା ସହ ଏହା ଦ୍ୱାରା ବରିଷ୍ଠ ନାଗରିକମାନଙ୍କର ସ୍ୱପ୍ନ ପୂରଣ ହେବା ସହ ବିଭିନ୍ନ ତୀର୍ଥସ୍ଥାନ ବୁଲିବାର ସୁଯୋଗ ପାଇପାରୁଛନ୍ତି ବୋଲି ସେମାନେ କହିଥିଲେ।

ଆଜିର ଏହି ନବମ ପର୍ଯ୍ୟାୟ ଯାତ୍ରାରେ ୮ଟି ଜିଲ୍ଲାର ୯୭୦ ଜଣ ତୀର୍ଥଯାତ୍ରୀ ଏବଂ ୩୦ ଜଣ ଅଧିକାରୀ ସାମିଲ ଅଛନ୍ତି। ସେମାନେ ଆଜ୍‌ମେର ଓ ପୁଷ୍କରରେ ତୀର୍ଥ କରି ଆସନ୍ତା ୨୪ ତାରିଖରେ ସମ୍ବଲପୁରଠାରେ ପହଞ୍ଚିବେ। ଏ ପର୍ଯ୍ୟନ୍ତ ଆଇଆର୍‌ସିଟିସି ସହଯୋଗରେ ୨୯ଟି ଯାତ୍ରାରେ ୨୮ ହଜାର ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଯାତ୍ରା କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗିରକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଚଳିତ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନ୍‌ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଚଳିତ ବର୍ଷର ଦ୍ୱିତୀୟ ପର୍ଯ୍ୟାୟରେ ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ାର ବରିଷ୍ଠ ନାଗରିକମାନେ ଏହି ଯାତ୍ରାରେ ସାମିଲ ହୋଇ ହରିଦ୍ୱାର ଓ ଋଷିକେଶ ଯାତ୍ରା କରିଛନ୍ତି । ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭକାମନା ଜଣାଇବା ସହ ବିଭିନ୍ନ ଅଞ୍ଚଳର ସଂସ୍କୃତି ଓ ତୀର୍ଥସ୍ଥଳ ସଂପର୍କରେ ଏହା ଦ୍ୱାରା ଜାଣିହେବ ବୋଲି କହିଥିଲେ।

୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ରାଜ୍ୟର ପ୍ରାୟ ୨୦ ହଜାରରୁ ଅଧିକ ବରିଷ୍ଠ ନାଗରିକ ସାମିଲ ହୋଇ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରି ଆଧ୍ୟାତ୍ମିକତା ଅନୁଭବ କରିଥିବାର ସେ କହିଥିଲେ। ରାଜ୍ୟ ସରକାର ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସହ ପୁରୀରେ କାର୍ତ୍ତିକ ମାସରେ ହବିଷ୍ୟାଳିମାନଙ୍କ ନିମନ୍ତେ ସମସ୍ତ ବ୍ୟବସ୍ଥା କରିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଥିଲେ।

ଏହି ଅବସରରେ ଭୁବନେଶ୍ୱରର ରେଳ ଷ୍ଟେସନ୍‌ରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ ମୁଦୁଲି, ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ସୁଶାନ୍ତ କୁମାର ରାଉତ ଯୋଗ ଦେଇଥିଲେ।

ସେହିପରି ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଉପଦେଷ୍ଟା ଶ୍ରୀ ଦୁର୍ଗାପ୍ରସାଦ ସାମନ୍ତରାୟ, ଖୋର୍ଦ୍ଧା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶ୍ରୀ ଗୋପୀନାଥ ମହାରଣା ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇବା ସହ ଏହା ଦ୍ୱାରା ବରିଷ୍ଠ ନାଗରିକମାନଙ୍କର ସ୍ୱପ୍ନ ପୂରଣ ହେବା ସହ ବିଭିନ୍ନ ତୀର୍ଥସ୍ଥାନ ବୁଲିବାର ସୁଯୋଗ ପାଇପାରୁଛନ୍ତି ବୋଲି ସେମାନେ କହିଥିଲେ।

ଆଜିର ଏହି ଦ୍ୱିତୀୟ ପର୍ଯ୍ୟାୟ ଯାତ୍ରାରେ ୬ଟି ଜିଲ୍ଲାର ୯୭୦ ଜଣ ତୀର୍ଥଯାତ୍ରୀ ଏବଂ ୩୦ ଜଣ ଅଧିକାରୀ ସାମିଲ ଅଛନ୍ତି। ସେମାନେ ହରିଦ୍ୱାର ଓ ଋଷିକେଶରେ ତୀର୍ଥ କରି ଆସନ୍ତା ୨୮ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ୱରଠାରେ ପହଞ୍ଚିବେ। ଏ ପର୍ଯ୍ୟନ୍ତ ଆଇଆର୍‌ସିଟିସି ସହଯୋଗରେ ୨୧ଟି ଯାତ୍ରାରେ ୨୦ ହଜାର ୬୬୯ ଜଣ ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଯାତ୍ରା କରିଛନ୍ତି।

ଏହି ଯାତ୍ରା ଶୁଭାରମ୍ଭ ସମୟରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ରନାରାୟଣ ମହାନ୍ତି ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା: ଆସନ୍ତାକାଲି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ଖୋର୍ଦ୍ଧାରୁ ୨୧୧ ତୀର୍ଥ ଯାତ୍ରୀ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୧୧ ଜଣ ତୀର୍ଥ ଯାତ୍ରୀଙ୍କ ସହ ୭ ଜଣ ସୁରକ୍ଷା ଅଧିକାରୀ ଅପରାହ୍ନ ୩.୦୦ ଟାରେ ୪ ଟା ବସ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି। ସମସ୍ତ ତୀର୍ଥଯାତ୍ରୀ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ୟୁନିଟ ୩ ରେ ରହିବେ। ଆସନ୍ତାକାଲି ଭୁବନେଶ୍ୱର ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର. ଟ୍ରେନରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ମୋଟ ୯୭୦ ଜଣ ତୀର୍ଥଯାତ୍ରୀ ଏବଂ ୩୦ ଜଣ ସୁରକ୍ଷା ଅଧିକାରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପତାକା ଉତ୍ତୋଳନ ପରେ ପର୍ଯ୍ୟଟନ ବିଭାଗ ତରଫରୁ ଆଜମୀର ଏବଂ ପୁଷ୍କର ଅଭିମୁଖେ ଯାତ୍ରା କରିବେ।

ଏହି କାର୍ଯ୍ୟକ୍ରମରେ ଆଜି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପତାକା ଉତ୍ତୋଳନ କରି ୪ ଟି ବସକୁ ଭବ୍ୟ ସମ୍ବର୍ଦ୍ଧନା କରି ବିଦାୟ ଦେଇଛନ୍ତି ଏବଂ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ପର୍ଯ୍ୟଟନ ବିଭାଗ ଆଡ଼ଭାଇଜର ଦୁର୍ଗା ସାମନ୍ତରାୟ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମୀରାବାଈ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ମିଡ଼ିଆ ଏବଂ ଜନସାଧାରଣ ସାମିଲ ହୋଇଥିଲେ।