Categories
ଆଞ୍ଚଳିକ

ବାଣପୁର: ବିଶ୍ୱ ଦୃଷ୍ଟିଶକ୍ତି ଦିବସ ଉପଲକ୍ଷେ ମାଗଣା ଚକ୍ଷୁ ଚିକିତ୍ସା ଶିବର

ବାଣପୁର (ସୀତାରାମ ଅଗ୍ରୱାଲ): ବିଶ୍ୱ ଦୃଷ୍ଟିଶକ୍ତି ଦିବସ ଉପଲକ୍ଷେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାୟତର ରାଣୀପଡ଼ା ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବର ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ର ଉପଦେଷ୍ଟା ଗୋପୀନାଥ ସାହୁଙ୍କ ତତ୍ୱାବଧାନରେ ଉକ୍ତ ଚିକିତ୍ସା ଶିବିରର ଆୟୋଜନ ହୋଇଥିଲା।

ଉକ୍ତ ଶିବିରକୁ ବାଣପୁର ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ, ସମାଜସେବୀ ଜିତେନ୍ଦ୍ର କୁମାର ଭୋଳ ଏବଂ ପ୍ରକାଶ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଲୋକମାନଙ୍କୁ ଉନ୍ନତ ମାନର ଦୃଷ୍ଟିଶକ୍ତି ପ୍ରଦାନ କରିବା ଲକ୍ଷରେ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ସେଣ୍ଟର ଫର ସାଇଟ ହସ୍ପିଟାଲର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଅଞ୍ଚଳର ଲୋକମାନଙ୍କୁ ମାଗଣା ଚିକିତ୍ସା କରାଯାଇଥିଲା।

ଡାକ୍ତର ସୁଧାଂଶୁ ଶେଖର ମହାପାତ୍ର, ମୁରଲୀ ମନୋହର ଏବଂ ସ୍ୱାସ୍ଥ୍ୟ ସହାୟକ ପ୍ରଦୀପ କୁମାର ସାହୁ ଉକ୍ତ ଶିବିରରେ ଯୋଗଦେଇ ରୋଗୀ ମାନଙ୍କ ଚିକିତ୍ସା କରିଥିଲେ। ଉକ୍ତ ଶିବିରରେ ସ୍ଥାନୀୟ ଅଞ୍ଚଳବାସି ଯୋଗଦେଇ ଏହାର ଲାଭ ଉଠାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଅରବିନ୍ଦ ଆଶ୍ରମ ପରିଚାଳକ ଦୁର୍ଯ୍ୟୋଧନ ସାହୁ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ବିଜେପିରେ ଯୋଗ ଦେଲେ ତୁମୁରାପୁଟ ପଞ୍ଚାୟତର ଶତାଧିକ ମହିଳା

ସୀତାରାମ ଅଗ୍ରୱାଲ

ବାଣପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁଠି ମାହୋଲ ସରଗରମ ହେବାରେ ଲାଗିଛି। ଗାଁ ଗଣ୍ଡା, ରାସ୍ତାଘାଟ ସବୁଠି ନିର୍ବାଚନୀ ଚର୍ଚ୍ଚା। ସେହିପରିଭାବେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳିରେ ମଧ୍ୟ ନିର୍ବାଚନୀ ଉଷ୍ମତା ବଢ଼ିବାରେ ଲାଗିଛି। ମୈଦାନରେ ଉଭୟ ଶାସକ ବିଜେଡି ଏବଂ ବିରୋଧୀ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବାବେଳେ ନିଜର ସ୍ଥିତିକୁ କଂଗ୍ରେସ ମଜବୁତ କରିବା ଲାଗି ପ୍ରୟାସ କରୁଛି।

ତେବେ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ପ୍ରାର୍ଥୀଙ୍କ ହୃଦସ୍ପନ୍ଦନ ସେତେ ବଢ଼ି ବଢ଼ି ଯାଉଛି। ନିଜ ଦଳୀୟ ଏବଂ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦିନ ରାତି ଏକ କରିଦେଉଛନ୍ତି ନେତାମାନେ। ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ବାଣପୁର ବ୍ଲକ ତୁମୁରାପୁଟ ପଞ୍ଚାୟତର ଶତାଧିକ ମହିଳା ମାନେ ବିଜେପିରେ ଯୋଗଦେଇଛନ୍ତି।

ଉକ୍ତ ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ଥାନୀୟ ଝିଣ୍ଟିକାପଲ୍ଲୀ ସ୍ଥିତ ମା’ ତାରିଣୀ ମନ୍ଦିର ପରିସରରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି।

ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ଏବଂ ମହିଳା ସଶକ୍ତିକରଣକୁ ଲକ୍ଷ୍ୟ ରଖି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ଉଦ୍ଦେଶ୍ୟରେ କାର୍ଯ୍ୟ ଆରମ୍ଭ କରିଦେଇଥିବାର ମହିଳାମାନେ କହିଛନ୍ତି। ସେହିପରି ଭାବେ ବିଜେପି ସଦାବେଳେ ମହିଳାମାନଙ୍କୁ ପ୍ରାଧାନ୍ୟ ଦେଇଆସୁଛି ଏବଂ ଆଜି ଉକ୍ତ ମହିଳାଙ୍କ ଦଳରେ ମିଶିବା ଫଳରେ ତୁମୁରାପୁଟ ପଞ୍ଚାୟତରେ ବିଜେପିର ଶକ୍ତି ନିଶ୍ଚିତଭାବେ ବୃଦ୍ଧି ପାଇଛି ଓ ଆଗାମି ନିର୍ବାଚନରେ ତୁମୁରାପୁଟ ପଞ୍ଚାୟତରେ ଦଳୀୟ ଏବଂ ଦଳ ସମର୍ଥିତ ସମସ୍ତ ପ୍ରାର୍ଥୀମାନେ ନିଶ୍ଚୟ ବିଜୟଲାଭ କରିବେ ବୋଲି ବିଜେପି ନେତା ପୃଥ୍ଵୀରାଜ ହରିଚନ୍ଦନ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଉକ୍ତ ମିଶ୍ରଣ ପର୍ବରେ ପୂର୍ବତନ ବାଣପୁର ବ୍ଲକ ଅଧ୍ୟକ୍ଷ ମାଧବ ଚନ୍ଦ୍ର ଦଳେଇ, ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଏବଂ ଅନ୍ୟ ବିଜେପି ନେତାମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ତୁମୁରାପୁଟ ପଞ୍ଚାୟତରେ ଅଫିସର ରାଜ: ମଧୁବାବୁ ପେନସନ ଯୋଜନାରୁ ବଞ୍ଚିତ ଅନେକ ଯୋଗ୍ୟ ହିତାଧିକାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଦେଶ ସ୍ୱାଧୀନ ହେବାର ୭୩ ବର୍ଷ ବିତିଗଲାଣି କିନ୍ତୁ ଆଜି ବି ଏପରି ଗରିବ ଅସହାୟ ବ୍ୟକ୍ତିମାନେ ଅଛନ୍ତି ଯେଉଁମାନେ କି ସରକାରୀ କର୍ମଚାରୀଙ୍କ ଆକ୍ରୋଶର ଶିକାର ହୋଇ ନିଜ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୁମୁରାପୁଟ ଗ୍ରାମ ପଞ୍ଚାୟତରେଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଉକ୍ତ ପଞ୍ଚାୟତର ପାଖାପାଖି ୧୫ ଜଣ ବୟସ୍କ ବ୍ୟକ୍ତି ମଧୁବାବୁ ପେନସନ ଯୋଜନାରୁ ଆଜି ପର୍ଯ୍ୟନ୍ତ ବଞ୍ଚିତ ଥିବାବେଳେ ଆଜି ପୂର୍ବାହ୍ନରେ ସମସ୍ତେ ବାଣପୁର ବି.ଡ଼ି.ଓ ଙ୍କୁ ଏ ବିଷୟ ନେଇ ଲିଖିତ ଅଭିଯୋଗ ଜଣାଇଛନ୍ତି।

ଅଭିଯୋଗ ଅନୁଯାୟୀ, ସେମାନେ ବିଗତ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ହେଲାଣି ବାରମ୍ବାର ମଧୁବାବୁ ପେନସନ ଯୋଜନା ପାଇଁ ଫର୍ମ ଆବେଦନ କରୁଛନ୍ତି। ଏପରିକି କରୋନା କାଳରେ ମଧ୍ୟ ଅନଲାଇନରେ ପୁଣି ଫର୍ମ ଆବେଦନ କରିଛନ୍ତି। ଏବଂ ତାହାର ଏକକିତା ନକଲ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦେବାର ମାସ ମାସ ବିତିଯାଇଥିଲେ ମଧ୍ୟ ସେ ଜାଣିଶୁଣି ଫର୍ମ ଗୁଡିକୁ ପକାଇ ରଖୁଛନ୍ତି। ଏଠି ପ୍ରଶ୍ନ ଉଠୁଛି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାହା ଇଙ୍ଗିତରେ କାମ କରୁଛନ୍ତି? କଣ ପାଈଁ ଯୋଗ୍ୟ ଗରିବ ହିତାଧିକାରୀଙ୍କୁ ସେମାନଙ୍କ ହକରୁ ବଞ୍ଚିତ ରଖୁଛନ୍ତି? ଅନୁରୂପ ଭାବେ ଅଭିଯୋଗକାରିଗଣ ମାନେ ସରପଞ୍ଚଙ୍କ ନାମରେ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି।

ତେବେ ଏ ନେଇ ବାଣପୁର ବି.ଡ଼ି.ଓ ଶୁଭଶ୍ରୀ ତ୍ରିପାଠୀଙ୍କ ସହ ଯୋଗାଯୋଗ କରିବାରୁ ସେ ଗ୍ରାମବାସୀଙ୍କ ଠୁ ଆଜି ଉକ୍ତ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ସଙ୍ଗେ ସଙ୍ଗେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଯେତେ ଶୀଘ୍ର ହେବ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କ ଭତ୍ତା ପ୍ରଦାନ କରିବା ଦିଗରେ ଯଥାସମ୍ଭବ ଚେଷ୍ଟା କରିବେ ବୋଲି ବି.ଡ଼ି.ଓ କହିଛନ୍ତି। ଯଦି ପଞ୍ଚାୟତ ଅଧିକାରୀ ଆକ୍ରୋଶମୂଳକ ଭାବେ ଭତ୍ତା କରେଇଦେଉନଥିବେ ତେବେ ମାନନୀୟା ବି.ଡ଼ି.ଓ ତାଙ୍କ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଦେଖିବା ବାକି ରହିଲା।