Categories
ବିଶେଷ ଖବର

୨୧ ତୃଣମୂଳ କଂଗ୍ରେସ ବିଧାୟକ ମୋ ସହ ଯୋଗାଯୋଗରେ ଅଛନ୍ତି: ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ

କୋଲକାତା: ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମିଥୁନ ଚକ୍ରବର୍ତ୍ତୀ ଶନିବାର ଦାବି କରିଛନ୍ତି ଯେ, ୨୧ ତୃଣମୂଳ କଂଗ୍ରେସ (ଟିଏମସି) ବିଧାୟକ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ବଲିଉଡ ଅଭିନେତା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେ ଜୁଲାଇରେ କରିଥିବା ଦାବି ଉପରେ କାୟମ ରହିଛନ୍ତି। ଶାସକ ଟିଏମସିର ୩୮ଜଣ ବିଧାୟକ ବିରୋଧୀ ଦଳ ସହ ଯୋଗାଯୋଗ କରୁଛନ୍ତି, ସେଥିମଧ୍ୟରୁ ୨୧ ଜଣ ତାଙ୍କ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି ବୋଲି ମିଥୁନ କହିଛନ୍ତି। ଗତ ବର୍ଷ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଚକ୍ରବର୍ତ୍ତୀ ବିଜେପିରେ ଯୋଗ ଦେଇଥିଲେ।

ସେ କହିଛନ୍ତି ଯେ, ମୁଁ ଜୁଲାଇରେ ଯାହା କହିଥିଲି ତାହା ସତ୍ୟ। ବର୍ତ୍ତମାନ ସୁଦ୍ଧା ୨୧ ଟିଏମସି ବିଧାୟକ ମୋ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି। ଦୟାକରି କିଛି ସମୟ ଅପେକ୍ଷା କର ଏବଂ ଆପଣମାନେ ସବୁକିଛି ଜାଣିବେ। “ସେ କହିଛନ୍ତି ଯେ, ପାର୍ଟି ଭିତରେ ଥିବା ଆପତ୍ତି ବିଷୟରେ ମୁଁ ଅବଗତ ଅଛି। କିନ୍ତୁ, ମୁଁ କହିବାକୁ ଚାହେଁ ଯେ ମୁଁ ମୂର୍ଖ ନୁହେଁ ଏବଂ ସମାନ ଭୁଲ ପୁନରାବୃତ୍ତି ହେବ ନାହିଁ।

ଏହାପୂର୍ବରୁ ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି ଯେ, ବଙ୍ଗଳାର ଟିଏମସି ସରକାର ଏହାର ପାଞ୍ଚ ବର୍ଷ କାର୍ଯ୍ୟ ଶେଷ କରି ପାରିବେ ନାହିଁ ଏବଂ ୨୦୨୪ ସୁଦ୍ଧା କ୍ଷମତାରୁ ବହିଷ୍କୃତ ହେବେ। ଏଥି ସହିତ ଟିଏମସି ଏହାର ପାଲଟା ଆକ୍ରମଣ କରି କହିଛି ଯେ, ତାଙ୍କର ବିଧାୟକମାନେ ବିକ୍ରି ହେବେ ନାହିଁ।

ଟିଏମସି ରାଜ୍ୟ ସାଧାରଣ ସମ୍ପାଦକ କୁନାଲ ଘୋଷ କହିଛନ୍ତି ଯେ, ଏଭଳି ବିବୃତ୍ତି ଲୋକଙ୍କୁ ବୋକା ବନେଇବାର ପ୍ରୟାସ। ବାସ୍ତବତା ସହିତ ଏହାର କୌଣସି ସମ୍ପର୍କ ନାହିଁ। ମୁଁ ଭାବୁଛି ଏଭଳି ମନ୍ତବ୍ୟ ଯୋଗୁଁ ବିଜେପିରେ କଳହ ବୃଦ୍ଧି ପାଇବ। ଟିଏମସି ବିଧାୟକମାନେ ବିଜେପି ନେତାଙ୍କ ପରି ବିକ୍ରି ହେବାକୁ ଯାଉନାହାଁନ୍ତି।