Categories
ଆଜିର ଖବର ଖେଳ ଜାତୀୟ ଖବର

ସନଥ ଜୟସୁରିଆଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା: ସର୍ବାଧିକ ଛକା ମାରିବାରେ ବିଶ୍ଵର ତୃତୀୟ ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ଆଉ ଏକ ସଫଳତା ହାସଲ କରିଛନ୍ତି। ସେ ଦିନିକିଆ କ୍ରିକେଟରେ ସର୍ବାଧିକ ଛକା ମାରି ବିଶ୍ୱର ତୃତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହି ସମୟରେ ସେ ଶ୍ରୀଲଙ୍କାର ପୂର୍ବତନ ଓପନର୍ ସନଥ ଜୟସୁରିଆଙ୍କ ରେକର୍ଡ ଭାଙ୍ଗିଛନ୍ତି। ମ୍ୟାଚ୍ ପୂର୍ବରୁ ରୋହିତଙ୍କୁ ଜୟସୁରିଆଙ୍କ ରେକର୍ଡ ଭାଙ୍ଗିବା ପାଇଁ ଚାରିଟି ଛକା ଆବଶ୍ୟକ ଥିଲା। ଇନିଂସ ଆରମ୍ଭ କରିବାକୁ ଆସିଥିବା ହିଟମ୍ୟାନ୍ ଜୟସୁରିଆଙ୍କୁ ପଛରେ ପକାଇ ଦେଇଥିଲେ। ଜୟସୁରିଆ ତାଙ୍କ ଦିନିକିଆ କ୍ୟାରିୟରରେ ୨୭୦ ଛକା ମାରିଥିଲେ। ଏଥି ସହିତ ରୋହିତ ବର୍ତ୍ତମାନ ଦିନିକିଆ କ୍ରିକେଟରେ ୨୭୨ ଛକା ମାରିଛନ୍ତି। ଇନ୍ଦୋରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଉଥିବା ମ୍ୟାଚରେ ରୋହିତ ଏହି ସଫଳତା ହାସଲ କରିଛନ୍ତି।

ପ୍ରକାଶ ଥାଉକି, ଦିନିକିଆରେ ସର୍ବାଧିକ ଛକା ମାରିବାର ରେକର୍ଡ ପାକିସ୍ତାନର ସହିଦ ଆଫ୍ରିଦିଙ୍କ ନାମରେ ଅଛି। ୩୯୮ ଟି ଦିନିକିଆର ୩୬୯ ଇନିଂସରେ ବ୍ୟାଟିଂ କରି ସହିଦ ଆଫ୍ରିଦି ସର୍ବାଧିକ ୩୫୧ ଛକା ମାରିଥିଲେ। ସହିଦ ଆଫ୍ରିଦି ପ୍ରାୟ ୧୯ ବର୍ଷ ଧରି ପାକିସ୍ତାନ ପାଇଁ ଖେଳିଥିଲେ। ୱେଷ୍ଟଇଣ୍ଡିଜ୍ର କ୍ରିସ୍ ଗେଲ୍ ଦିନିକିଆରେ ସର୍ବାଧିକ ଛକା ମାରିବାରେ ଦୁଇ ନମ୍ବର ସ୍ଥାନରେ ଅଛନ୍ତି। ୩୦୧ ଦିନିକିଆର ୨୯୪ ଇନିଂସରେ ୟୁନିଭର୍ସ ବସ୍ ୩୩୧ ଛକା ମାରିଥିଲେ। ଶ୍ରୀଲଙ୍କାର ପୂର୍ବତନ ଓପନର୍ ସନଥ ଜୟସୁରିଆ ୪୪୫ ଦିନିକିଆର ୪୩୩ ଇନିଂସରେ ୨୭୦ ଛକା ମାରିଥିଲେ।