Categories
ଆଞ୍ଚଳିକ

ବାଣପୁର: ଦେଢଶୁରର କଟୁରୀ ଚୋଟରେ ଭାଇବୋହୁ ଗୁରୁତର, ବ୍ରହ୍ମପୁର ସ୍ଥାନାନ୍ତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗ୍ରାମରେ ଭାଇବୋହୁଙ୍କୁ ଦେଢଶୁର କଟୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଭାଇବୋହୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ବାଣପୁର ଥାନାରେ ଅଭିଯୋଗ ମୁତାବକ ବୁଧବାର ସକାଳେ ଉକ୍ତ ଗ୍ରାମର ଶ୍ରୀମତୀ ସାମନ୍ତରାୟ ଓ ତାଙ୍କ ବଡ ଯାଆଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ଲାଗିଥିଲା। ସେତେବେଳେ ଦେଢ଼ଶୁର ପ୍ରମୋଦ ସାମନ୍ତରାୟ ହଠାତ ଉତକ୍ଷିପ୍ତ ହୋଇ ଏକ କଟୁରୀରେ ଶ୍ରୀମତୀ ସାମନ୍ତରାୟଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ଶ୍ରୀମତୀଙ୍କର ମୁଣ୍ଡରୁ ରକ୍ତସ୍ରାବ ହେବାରୁ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ।

ଉକ୍ତ ଘଟଣାକୁ ନେଇ ଥାନାରେ ଶ୍ରୀମତୀ ଲିଖିତ ଏତଲା ଦେଲା ପରେ ପୋଲିସ ମାମଲା ରୁଜୁକରି ତଦନ୍ତ ଚାଲୁ ରଖିଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ତୋରସିଂହ ଗ୍ରାମରେ ହୋଇଥିବା ଲକ୍ଷାଧିକ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାଶ: ଦୁଇ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ପୋଲିସକୁ ମିଳିଛି ସଫଳତା। ତୋରସିଂହ ଗ୍ରାମରେ ଘଟିଥିବା ଲକ୍ଷାଧିକ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ବାଣପୁର ପୋଲିସ। ଏ ନେଇ ଆଜି ଅପରାହ୍ନରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ। ଉକ୍ତ ଚୋରି ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କ ଗିରଫ କରିଛି। ସେମାନେ ହେଲେ ଗୋପୀନାଥପୁର ଗ୍ରାମର କୁନା ରାଉତ(୨୪) ଏବଂ ପଙ୍କାଳ ଗ୍ରାମର ସୁଶାନ୍ତ କୁମାର ବରାଳ(୨୪)।

ତେବେ ଉକ୍ତ ଲୁଟ ଘଟଣାରେ ଆଉ ଜଣେ ଅଭିଯୁକ୍ତ ତପନ ବେହେରା ଫେରାର ଅଛନ୍ତି। ଉକ୍ତ ତିନି ଜଣ ଅଭିଯୁକ୍ତ ଗତ ମାସ ୩୦ ତାରିଖ ମଧ୍ୟରାତ୍ରିରେ ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗ୍ରାମର ସଞ୍ଜୟ ସ୍ୱାଇଁଙ୍କ ଘରେ ସ୍କାଏ ଲାଇଟ ବାଟେ ପଶି ତାଙ୍କ ଘର ଆଲମିରାରୁ ଲକ୍ଷାଧିକ ତାଙ୍କର ସୁନା ଗହଣା ଲୁଟିବା ସହ ନକଦ ପଇସା ମଧ୍ୟ ଲୁଟିନେଇଥିଲେ।

ପରବର୍ତ୍ତୀ ସମୟରେ ତିନି ଜଣ ପରସ୍ପର ମଧ୍ୟରେ ଚୋରି ଜିନିଷକୁ ବାଣ୍ଟିନେଇଥିଲେ। ତେବେ କେତେକ ଅଳଙ୍କାର ସେମାନେ ଅଜଣା ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିବା ସ୍ଥଳେ ଆଉ କେତେକ ଅଳଙ୍କାର ବାଜାଜ ଫାଇନାନ୍ସ ରେ ବନ୍ଧା ପକାଇଥିଲେ।

ଦୀର୍ଘ ପନ୍ଦର ଦିନ ହେବ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ତଦନ୍ତକାରୀ ଅଧିକାରୀ ଏସଆଇ ରାଜକିଶୋର ବେହେରା ଏବଂ ଏସଆଇ ବିଜୟ କୁମାର ମଲ୍ଲିକ ଉକ୍ତ ଘଟଣାର ଅନୁସନ୍ଧାନରେ ଲାଗିପଡ଼ିଥିବା  ସ୍ଥଳେ ଗତକାଲି ଉଭୟଙ୍କୁ ସେମାନଙ୍କ ଗ୍ରାମରୁ ଗିରଫ କରିଛନ୍ତି।

ସେମାନଙ୍କ ନିକଟରୁ ୧ ଟି ସୁନା ହାର, ଏକ ଯୋଡି ସୁନା ଶଙ୍ଖା, ୧ ଟି ସୁନା ଲକେଟ, ୧ ଟି ସୁନା ମୁଦି, ଏକ ଯୋଡି ସୁନା କାନ ଫୁଲ, ୧ ଟି ସୁନା ଚେନ, ନକଦ ୨୦ ହଜାର ଟଙ୍କା, ୩ ଟି ମୋବାଇଲ ଫୋନ ଏବଂ ଗୋଟେ ମଟରସାଇକେଲ ପୋଲିସ ଜବତ କରିଛି। ଉକ୍ତ ଦୁଇ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ବାଣପୁର ପୋଲିସ କେସ ନମ୍ବର ୧୧୮/୨୧ ରେ ମାମଲା ରୁଜୁକରି ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଅନ୍ୟ ଜଣେ ଫେରାର ଅଭିଯୁକ୍ତ ଖୁବ ଶୀଘ୍ର ଧରାପଡିବ ବୋଲି ଏସଡ଼ିପିଓ ଶ୍ରୀ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।