Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ତ୍ଵରିତ ପଦକ୍ଷେପ: ଚିଲିକାର ଗରିବ ରୋଗିଙ୍କୁ ବଢାଇଲେ ସହାୟତାର ହାତ

ସୀତାରାମ ଅଗ୍ରୱାଲ

ଚିଲିକା: ଗରିବ ରୋଗିଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସହାୟ ହୋଇଛନ୍ତି। ଉକ୍ତ ରୋଗୀଙ୍କୁ ଆର୍ଥିକ ସହାୟତା ଯୋଗାଇଛନ୍ତି।

ସୂଚନା ମୁତାବକ ଆଜି ସକାଳେ ‘ସମୀକ୍ଷା’ ରେ ‘ମା’ ର ଚିକିତ୍ସା ପାଇଁ ଗରିବ ପୁଅର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ’ ଶୀର୍ଷକରେ ଏକ ଖବର ପ୍ରସାରଣ କରାଯାଇଥିଲା। ଯେଉଁଥିରେ କି ଚିଲିକା ବ୍ଲକ୍ ଅନ୍ତର୍ଗତ ବଉଳାବନ୍ଧ ପଞ୍ଚାୟତ ଗୋଡ଼ି ସାହିରେ ବସବାସ କରୁଥିବା ଭାସ୍କର ପୃଷ୍ଟିଙ୍କ ପତ୍ନୀ ପ୍ରଫୁଲୀ ପୃଷ୍ଟି ଆଜକୁ ଦୀର୍ଘ ୮ ବର୍ଷ ଧରି ଟ୍ୟୁମର ରୋଗରେ ପୀଡ଼ିତ ଅଛନ୍ତି ଏବଂ ତାଙ୍କ ଗରିବ ପୁଅ ଚିକିତ୍ସାପାଇଁ ସରକାରୀ ସାହାଯ୍ୟ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ କରିଥିଲେ।

ତେବେ ଖବରକୁ ଗୁରୁତର ସହ ନେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଆଜି ଅପରାହ୍ନରେ ପ୍ରଫୁଲୀଙ୍କ ଚିକିତ୍ସା ନିମନ୍ତେ ଓସୱାସ ଜରିଆରେ ରେଡ଼କ୍ରସ ପାଣ୍ଠିରୁ ତୁରନ୍ତ ୧୦ ହଜାର ଟଙ୍କାର ସହାୟତା ରାଶି ଅନୁମୋଦନ କରିଛନ୍ତି ଜିଲ୍ଲାପାଳ। ଏ ନେଇ ଜିଲ୍ଲାପାଳ ଆମ ଚିଲିକା ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ତେବେ ଉକ୍ତ ଅର୍ଥରାଶି ଆସନ୍ତାକାଲି ରୋଗୀଙ୍କ ନିକଟକୁ ପହଂଚିବ ବୋଲି ଜଣାପଡିଛି।

ସେହିପରି ଭାବେ ରୋଗିଙ୍କୁ ଚିକିତ୍ସା ପାଇଁ ମୁଖମନ୍ତ୍ରୀ ରିଲିଫ ପାଣ୍ଠି ସହାୟତା ଯୋଜନାରେ ଆବେଦନ କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ। ଆବେଦନ ପରେ ଜିଲ୍ଲାପାଳ ରୋଗୀଙ୍କ ଚିକିତ୍ସାପାଇଁ ଯଥାସମ୍ଭବ ଅନୁଦାନ ଅନୁମୋଦନ ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି। ତେବେ ଜିଲ୍ଲାପାଳଙ୍କ ଉକ୍ତ ତ୍ଵରିତ ପଦକ୍ଷେପକୁ ସମସ୍ତ ଚିଲିକାବାସି ଭୂୟସୀ ପ୍ରଶଂସା କରିଛନ୍ତି। ଅନୁରୂପ ଭାବେ ରୋଗୀଙ୍କ ପରିବାର ପକ୍ଷରୁ ‘ସମୀକ୍ଷା’ ମାଧ୍ୟମରେ ଜିଲ୍ଲାପାଳଙ୍କୁ କୃତଜ୍ଞତା ମଧ୍ୟ ଜ୍ଞାପନ କରାଯାଇଛି।