Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭଗବାନ ବିଷ୍ଣୁଙ୍କ ‘ସ୍ନାନ’ ପାଇଁ ପାଞ୍ଚ ଘଣ୍ଟା ବନ୍ଦ ରହିଲା ଥିରୁବନନ୍ତପୁରମ୍ ବିମାନବନ୍ଦର

ନୂଆଦିଲ୍ଲୀ: ତିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦର ମଙ୍ଗଳବାର ଅପରାହ୍ନରେ ପାଞ୍ଚ ଘଣ୍ଟା ପାଇଁ ବିମାନ ସେବା ବନ୍ଦ କରି ଦେଇଥିଲା। ପ୍ରସିଦ୍ଧ ପଦ୍ମନାଭ ସ୍ଵାମୀ ମନ୍ଦିରର ପୁରୁଣା ପରମ୍ପରାକୁ ଦୃଷ୍ଟିରେ ରଖି ବିମାନବନ୍ଦର ପ୍ରତିବର୍ଷ ଦୁଇଥର ବିମାନ ଉଡ଼ାଣ ସୂଚୀ ପରିବର୍ତ୍ତନ କରିଥାଏ। ମନ୍ଦିରର ଏହି ଶୋଭାଯାତ୍ରା ରନୱେ ନିକଟରେ ଯାଇଥାଏ। ମଙ୍ଗଳବାର ଦିନ ମନ୍ଦିରକୁ “ଅରଟୁ” ଶୋଭାଯାତ୍ରା ସହିତ ଅଲପସୀ ପର୍ବ ସମାପ୍ତ ହୋଇଥିଲା। ବିମାନବନ୍ଦର କର୍ତ୍ତୃପକ୍ଷ ଏଠାରେ କହିଛନ୍ତି ଯେ, ଅପରାହ୍ନ ୪ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ବିମାନ ସେବା ପାଞ୍ଚ ଘଣ୍ଟା ପାଇଁ ସ୍ଥଗିତ ରହିଥିଲା।

ତିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବଂ ଏୟାର ଆରବିୟା ସମେତ ଅତି କମରେ ୧୦ ଟି ପ୍ରମୁଖ ପରିବହନକାରୀ ବିମାନକୁ ବାତିଲ କରିଦିଆଯାଇଥିବାରୁ ସେବାଗୁଡିକ ଅପରାହ୍ନ ୪ଟାରୁ ରାତି ୯ ଟା ପର୍ଯ୍ୟନ୍ତ ସ୍ଥଗିତ ରହିଥିଲା ​​ବୋଲି ବିମାନବନ୍ଦର ସୂତ୍ରରୁ ପ୍ରକାଶ। ଏହି ପରମ୍ପରା ପାଇଁ ବିମାନ ବନ୍ଦର ବନ୍ଦ କରିବାର ଏହି ଅଭ୍ୟାସ ଦଶନ୍ଧି ଧରି ଚାଲିଆସୁଛି ଏବଂ ଗତ ବର୍ଷ ଆଦାନୀ ଗ୍ରୁପ୍ ବିମାନବନ୍ଦରର ପରିଚାଳନା ଦାୟିତ୍ଵ ଗ୍ରହଣ କରିବା ପରେ ମଧ୍ୟ ଏହି ପ୍ରଥା ବନ୍ଦ ହୋଇନାହିଁ।