Categories
ଆଜିର ଖବର ଜାତୀୟ ଖବର

ରଣପୁର: ଘରୁ ଭିଡି ଆଣି ଦଳି ମାରି ଦେଲା ଦନ୍ତା, ଯୁବକ ମୃତ

ରଣପୁର: ଘରୁ ଭିଡି ଆଣି ଦଳି ମାରି ଦେଲା ଦନ୍ତା। ଟାଙ୍ଗୀ ରେଂଜ୍ ପଟିଆ ସେକସନ ଅନ୍ତର୍ଗତ ରଣ୍ଡା ଗ୍ରାମରେ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ରଣ୍ଡା ଗ୍ରାମର ଦିଲିପ କୁମାର ଜେନାଙ୍କ ଖଳା ବାଡିରେ ପଶି ଗୋଠ ଛଡା ଦନ୍ତା ଧାନ ଛଣ ଖାଉଥିବା ବେଳେ ଦିଲିପ ଜେନା ଦନ୍ତାକୁ ଘଉଡାଇବା ପାଇଁ ପାଟି କରିବାରୁ ଦନ୍ତା ହଠାତ୍ ଉଗ୍ର ହୋଇଥିଲା। ହଠାତ୍ ଘରେ ପଶି ଦନ୍ତା ଦିଲିପଙ୍କୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ଦିଲିପଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା। ଏବେ ମଧ୍ୟ ଶବଟି ସେଠାରେ ପଡି ରହିଛି। ଏହି ଘଟଣାକୁ ନେଇ ଲୋକେ ଉତ୍ତେଜିତ ହୋଇଛନ୍ତି। ଏପର୍ଯ୍ୟନ୍ତ ବନ ବିଭାଗ ଘଟଣା ସ୍ଥଳରେ ପହଂଚି ନାହିଁ। ମୃତକ ପରିବାରକୁ ସରକାରୀ ସହାୟତା ଦେବାକୁ ଲୋକେ ଦାବି କରିଛନ୍ତି।  ବନ ବିଭାଗ ହାତୀ ଘଉଡାଇବାକୁ କୌଣସି ପଦକ୍ଷେପ ନେଉନଥିବା ଲୋକେ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ପୁଣି ଦନ୍ତା ହାତୀ ଆକ୍ରମଣରେ ଗୁରୁତର ହେଲେ ଚାଷୀ, ଭୁବନେଶ୍ଵର ସ୍ଥାନାନ୍ତରିତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦନ୍ତା ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇପଡିଛନ୍ତି।

ସୂଚନା ଅନୁଯାୟୀ, ଆଜି ଭୋର୍ ସମୟରେ ଟାଙ୍ଗୀ ବ୍ଲକ ନର ମାନବୀ ଗ୍ରାମର ଚାଷୀ ଗୋପାଳ ଚନ୍ଦ୍ର ରାଉତ (୫୦) ଘରେ ଶୋଇଥିଲେ। ଠିକ ସମୟରେ ଘର ଦୁଆରେ ବନ୍ଧା ଯାଇଥିବା ଗାଇ ଗୁଡିକ ରଡି ପକାଇଥିଲେ। ତେଣୁ ଘଟଣା ଜାଣିବାକୁ ଗୋପାଳ ନିଦରୁ ଉଠି ଘର ବାହାରକୁ ଆସିଥିଲେ। କିନ୍ତୁ ସେ ଦୂଆରେ ଛିଡା ହୋଇଥିବା ବେଳେ ହଠାତ ଏକ ଦନ୍ତା ହାତୀ ତାଙ୍କୁ ଶୁଣ୍ଢରେ ଧରି କଚାଡି ଦେଇଥିଲା। ତାଙ୍କର ଚିତ୍କାର ଶୁଣି ପଡୋଶୀ ଲୋକେ ହାତୀକୁ ଘଉଡାଇ ଦେଇଥିଲେ। ଏବଂ ଅତି ଗୁରୁତର ଅବସ୍ଥାରେ ଗୋପାଳଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଗୋପାଳଙ୍କୁ ଭୁବନେଶ୍ୱର ଏମସ୍ କୁ ସ୍ଥାନାନ୍ତର କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, କିଛି ମାସ ହେଲା ଟାଙ୍ଗୀ ରେଂଜ୍ ର ବିଭିନ୍ନ ସ୍ଥାନରେ ୩୨ ଟିକିଆ ହାତୀ ପଲ ଆତଙ୍କ ରାଜ ସୃଷ୍ଟି କରିଛନ୍ତି। ହାତୀ ମାନଙ୍କ ଆକ୍ରମଣରେ ୮ ଜଣଙ୍କ ଜୀବନ ଯାଇଥିବା ବେଳେ ଟ୍ରେନ ଧକ୍କରେ ୨ ଟି ହାତୀ ମୃତ୍ୟୁବରଣ କରିଥିବା ସୂଚନା ରହିଛି। ତେବେ ଟାଙ୍ଗୀ ବନ ବିଭାଗ ଗତ କିଛି ଦିନ ତଳେ ସମସ୍ତ ହାତୀ ଗୁଡିକୁ ପଟିଆ ଜଙ୍ଗଲକୁ ଘଉଡାଇଵାରେ ସଫଳ ହୋଇଥିବା ବେଳେ ୪ ରୁ ୫ ଟି ଗୋଠ ଛଡା ଦନ୍ତା ହାତୀ ବିଭିନ୍ନ ସ୍ଥାନରେ ଆତଙ୍କ ସ୍ରୁଷ୍ଟି କରୁଛନ୍ତି। ତେଣୁ ବନ ବିଭାଗ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ, ୨ ଆହତ: ଗ୍ରାମରେ ଉତ୍ତେଜନା

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ରାତିରେ ରେଢାଖୋଲ ରେଞ୍ଜ ଅଧିନସ୍ଥ ଲୁହାପଙ୍କ ପଂଚାୟତର ଗାଡୁମୁଣ୍ଡା ଗ୍ରାମ ପତ୍ର ଫଡିରେ ହାତୀ ଆକ୍ରମଣରେ ଜଣେ ପତ୍ର ବନ୍ଧାଳିର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇ ବୁର୍ଲା ରେ ଚିକିତ୍ସିତ ହେଉଥିବା ଖବର ହସ୍ତଗତ ହୋଇଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ରେଞ ଅଧିନସ୍ଥ ଲୁହାପଙ୍କ ଗ୍ରାମରେ ଗତକାଲି ରାତି ପ୍ରାୟ ୧୧ଟାରେ ବନବିଭାଗର କର୍ମଚାରୀମାନେ ହାତୀ ଘଉଡାଉଥିଲେ। ଗାଡୁମୁଣ୍ଡା ପତ୍ରଫଡିରେ ପ୍ରାୟ ୧୩ ଜଣ ପତ୍ର ବନ୍ଧାଳି କେନ୍ଦୁପତ୍ର ବନ୍ଧା କାମରେ ନିୟୋଜିତ ଥିଲେ। ସେମାନେ ରାତିରେ ଖାଇ ପିଇ ନିଘୋଡ ନିଦ୍ରାରେ ଶୋଇ ପଡିଥିଲେ। ସେଇ ସମୟରେ ଗାଡୁମୁଣ୍ଡା ପତ୍ର ଫଡିରେ ଦନ୍ତା ହାତୀଟି ପତ୍ର ବନ୍ଧାଳି ଅନୁଗୋଳ ଜିଲ୍ଲା ବାମୁର ଥାନା ବାଦିବାହାଳ ଗ୍ରାମର ବିମ୍ବାଧର ନାଏକ (୫୦)କୁ ଶୋଇ ଥିବା ଅବସ୍ଥାରେ ଶୁଣ୍ଡରେ ଟାଣିଆଣି ଦଳି ଦେଇଥିଲା। ଘଟଣା ସ୍ଥଳରେ ହିଁ ବିମ୍ବାଧରଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ୨ ଜଣ ପତ୍ର ବନ୍ଧାଳି ପବିତ୍ର ଦେହୁରୀ(୫୩), ବିନାୟକ ନାଏକ(୫୦)କୁ ମଧ୍ୟ ହାତୀଟି ଆକ୍ରମଣ କରିଥିଲା। ଅନ୍ୟମାନେ ଜୀବନକୁ ବଂଚାଇ ପ୍ରାଣ ବିକଳରେ ଦୈାଡି ପଳାଇଥିଲେ।

ଖବର ପାଇ ଗ୍ରାମବାସୀ ଓ ବନବିଭାଗ ଘଟଣା ସ୍ଥଳକୁ ତୁରନ୍ତ ଯାଇ ସେମାନଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବୁର୍ଲା ଡାକ୍ତରଖାନାକୁ ପଠାଇଥିଲେ। କେନ୍ଦୁପତ୍ର ବିଭାଗ କର୍ମଚାରୀ ସେମାନଙ୍କୁ ପତ୍ର ବନ୍ଧା କାର୍ଯ୍ୟରେ ନିୟୋଜିତ କରିଥିଲେ ମଧ୍ୟ ସେଠାରେ ଦେଖିବାକୁ ମିଳି ନ ଥିଲା। ପୂର୍ବରୁ ବନବିଭାଗ ସେଇ ଫଡିରେ ରାତିରେ ପତ୍ର ବନ୍ଧାଳିମାନେ ନ ରହିବାକୁ ମନା କରିଥିଲେ ମଧ୍ୟ ସେମାନେ ମାନି ନ ଥିଲେ ବୋଲି ବନବିଭାଗର ଜନୈକ କର୍ମଚାରୀ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

ଘଟଣା ସ୍ଥଳରେ ରେଢାଖୋଲ ରେଞ୍ଜ ଅଧିକାରୀ ମୈତ୍ରୀମଞିତ ବିଶ୍ୱାଳଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ସରକାରଙ୍କ ତରଫରୁ ଦିଆଯାଉଥିବା ସହଯୋଗ ରାଶି ମୃତକଙ୍କ ପରିବାରକୁ ଖୁବ୍ ଶିଘ୍ର ଦିଆଯିବ ବୋଲି ବନବିଭାଗ ପ୍ରକାଶ କରିଛି। ସେଇ ଦନ୍ତାହାତୀଟି ରେଢାଖୋଲ ଓ ନାକଟିଦେଉଳ ଅଂଚଳରେ ଆତଙ୍କ ଚଳାଇଥିଲେ ମଧ୍ୟ ବନ ବିଭାଗ ତାକୁ ଟ୍ରାଙ୍କୁଲାଇଜର ଦେଇ ନିଜ ଆୟତକୁ ଆଣିବାରେ ବିଫଳ ହୋଇଛି ଯା’ ଫଳରେ ବହୁ ଜଣଙ୍କର ଜୀବନ ଯାଉଛି।