Categories
ଆଜିର ଖବର ଆଞ୍ଚଳିକ

ଦର ଦାମ ବୃଦ୍ଧିକୁ ନେଇ ବାଣପୁରରେ ପ୍ରତିବାଦ: କେନ୍ଦ୍ର ସରକାର ବିରୋଧରେ ବର୍ଷିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ସୀତାରାମ ଅଗ୍ରୱାଲ

ବାଣପୁର: ଅତ୍ୟାବଶ୍ୟକୀ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ଓଡ଼ିଶାର ସମସ୍ତ ବ୍ଲକ/ସହରାଞ୍ଚଳରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପସଭାପତି ତଥା ଚିଲିକା ନିର୍ବାଚନମଣ୍ଡଳୀର ସଂଗଠକ ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଘଣ୍ଟ ବାଡେଇ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଉଦ୍ଦେଶ୍ୟରେ ଏକ ପ୍ରତିବାଦ ସଭାର ମଧ୍ୟ ଆୟୋଜନ କରାଯାଇଥିଲା।

ଉକ୍ତ ପ୍ରତିବାଦ ସଭାରେ ଓଡିଶାର ପୂର୍ବତନ ମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନେତୃବୃନ୍ଦ ଯୋଗଦେଇଥିଲେ। ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ଲାଗି ସୁରେଶ ରାଉତରାୟ ଏବଂ ପ୍ରଦୀପ କୁମାର ସ୍ୱାଇଁ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରବଳ ବର୍ଷିଥିଲେ।

ପ୍ରତିବାଦ ସଭା ପରେ ସୁରେଶ ରାଉତରାୟଙ୍କ ନେତୃତ୍ୱରେ କୋଭିଡ କଟକଣା ଅନୁଯାୟୀ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହା ବାଣପୁର ବ୍ଲକ ସମ୍ମୁଖରୁ ବାହାରି ନଗର ପରିକ୍ରମା କରି ବିଶରପାଟଣା ଛକ ପର୍ଯ୍ୟନ୍ତ ଯାଇଥିଲା। ତେବେ ସୁରେଶ ରାଉତରାୟଙ୍କୁ ଦେଖିବା ପାଇଁ ଜନସାଧାରଣଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବାବେଳେ ଶାନ୍ତିଶୃଙ୍ଖଳା ରକ୍ଷାକରିବା ପାଇଁ ବାଣପୁର ଆଇଆଇସିଙ୍କ ତତ୍ୱାବଧାନରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।