Categories
ଆଜିର ଖବର ଜାତୀୟ ଖବର

ଅଭିଯୋଗ ପରେ ହେଲା କାର୍ଯ୍ୟାନୁଷ୍ଠାନ: ବିଏସପିରୁ ଆସି ବିଜେପିରେ ସାମିଲ ହୋଇଥିବା ନେତାଙ୍କୁ କରାଗଲା ବହିଷ୍କାର

ଲକ୍ଷ୍ନୌ: ବିଜେପିକୁ ବିଏସପିରୁ ଆସିଥିବା ଜିତେନ୍ଦ୍ର ସିଂ ବବଲୁଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଜିତେନ୍ଦ୍ର ସିଂ ବବଲୁ କିଛି ଦିନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ଯାହାକୁ ବିଜେପିର ରୀତା ବହୁଗୁଣା ବିରୋଧ କରିଥିଲେ। ବାସ୍ତବରେ ରୀତା ବହୁଗୁଣାଙ୍କ ଘର ଜିତେନ୍ଦ୍ର ସିଂ ବବଲୁ ପୋଡି ଦେଇଥିବା ଅଭିଯୋଗ ହୋଇଛି। ବବୁଲୁ ସେତେବେଳେ ବିଏସପିରେ ଥିଲେ ଏବଂ ଗତ ସପ୍ତାହରେ ବିଜେପିରେ ଯୋଗ ଦେଇଥିଲେ। ଏବେ ରୀତା ବହୁଗୁଣାଙ୍କ ଅଭିଯୋଗରେ ବିଜେପି ତାଙ୍କୁ ଦଳରୁ ବାହାର କରିଦେଇଛି।

ବହୁ ମାମଲାର ସମ୍ମୁଖୀନ ହୋଇଥିବା ଜିତେନ୍ଦ୍ର ସିଂ ବବଲୁ ମାୟାବତୀ ସରକାରରେ ଜଣେ ବିଏସପିର ଦବଙ୍ଗ ବିଧାୟକ ଥିଲେ। ଅଯୋଧ୍ୟାଠାରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ତାଙ୍କର ଦବଦବା ରହୁଥିଲା। ସେ ମାୟାବତୀଙ୍କ ଅତି ଘନିଷ୍ଠ ନେତାଙ୍କ ମଧ୍ୟରେ ଗଣତି ହେଉଥିଲେ। ମାୟାବତୀଙ୍କ ଦ୍ୱାରା ତାଙ୍କ ଭାଇଙ୍କୁ ଏମଏଲସି କରାଯାଇଥିଲା। ଏହା ଭିତରେ ଏପରି ଘଟଣା ଘଟିଥିଲା ​​ଯେ, ବବଲୁ ସାରା ଦେଶରେ ହେଡଲାଇନରେ ଆସିଥିଲେ। ଲକ୍ଷ୍ନୌରେ ତତ୍କାଳୀନ ରାଜ୍ୟ କଂଗ୍ରେସ ସଭାପତି ରୀତା ବହୁଗୁଣାଙ୍କ ଘର ଜାଳିଦେବାକୁ ଉଦ୍ୟମ ହୋଇଥିଲା। ବବଲୁ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ତାଙ୍କୁ ମଧ୍ୟ ଜେଲ ଯିବାକୁ ପଡିଥିଲା। ରୀତା ବହୁଗୁଣା ବର୍ତ୍ତମାନ ବିଜେପିରେ ଅଛନ୍ତି। ସେ ହେଉଛନ୍ତି ପ୍ରୟାଗରାଜରୁ ଦଳର ଲୋକସଭା ସାଂସଦ।

ଉଲ୍ଲେଖ ଯୋଗ୍ୟ ଯେ, ଅଗଷ୍ଟ ୪ ତାରିଖରେ ଲକ୍ଷ୍ନୌରେ ବିଜେପି ରାଜ୍ୟ ସଭାପତି ସ୍ଵତନ୍ତ୍ର ଦେବ ସିଂ ଜିତେନ୍ଦ୍ର ସିଂଙ୍କୁ ଏକ ବଡ କାର୍ଯ୍ୟକ୍ରମରେ ଦଳରେ ସାମିଲ କରିଥିଲେ। ସେତେବେଳେ ରୀତା ବହୁଗୁଣା ଯୋଶୀ ଆପତ୍ତି କରିଥିଲେ। ଯୋଶୀ ଏହି ବିଷୟରେ ଦଳର ନେତୃତ୍ୱଙ୍କୁ ଅବଗତ କରାଇଥିଲେ। ଗତ ବର୍ଷ ମଧ୍ୟ ବବଲୁଙ୍କୁ ଦଳକୁ ଆଣିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଦଳର କର୍ମୀଙ୍କ ତୀବ୍ର ବିରୋଧ ଯୋଗୁଁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ପଡିଥିଲା।