Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗଦେଲେ ଦଶପଲ୍ଲା ପୌରପାଳିକାର ଅଧ୍ୟକ୍ଷା ଇଂ ପୁନମ ପ୍ରିୟଦର୍ଶିନୀ

ଭୁବନେଶ୍ୱର: ଦଶପଲ୍ଲା ପୌରପାଳିକାର ଅଧ୍ୟକ୍ଷା ଇଂ ପୁନମ ପ୍ରିୟଦର୍ଶିନୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଅରୁଣ ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ୨୦୨୨ ପୌର ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ ଇଂ ପୁନମ ପ୍ରିୟଦର୍ଶିନୀ।

ଦଳରେ ସାମିଲ୍ ହୋଇଥିବା ଇଂ ପୁନମ ପ୍ରିୟଦର୍ଶିନୀଙ୍କୁ ଶ୍ରୀ ସାହୁ, ଶ୍ରୀ ବେହେରା ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ଇଂ ପୁନମ ପ୍ରିୟଦର୍ଶୀନୀଙ୍କ ଯୋଗଦାନ ଫଳରେ ବିଶେଷକରି ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ସାହୁ, ଶ୍ରୀ ବେହେରା ଓ ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଇଂ ପୁନମ ପ୍ରିୟଦର୍ଶିନୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ସ୍ୱାଧୀନ ଭାବେ ଲଢ଼ି ମଧ୍ୟ ବିଜେଡ଼ିକୁ କେବେ ବିରୋଧୀ କରି ନାହିଁ।

ନବୀନ ପଟ୍ଟନାୟକ ଓ ବିଜୁ ବାବୁଙ୍କୁ ଆଦର୍ଶ ଭାବି ନିର୍ବାଚନ ଲଢ଼ିଛି। ନବୀନ ବାବୁଙ୍କ ହାତମୁଠା ଟାଣ କରିବି। ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ପ୍ରୟାସ କରିବି। ଦଶପଲ୍ଲା ପୌରପାଳିକାକୁ ଆହୁରି ଆଗକୁ ନେବାକୁ ପ୍ରୟାସ କରିବି। ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି।

ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ବୋଲି ସେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ: ନୂଆଗାଁ ରୋଡ଼-ଦଶପଲ୍ଲା ରେଳ ସେକ୍ସନ ଉଦ୍ଘାଟନ

ଭୁବନେଶ୍ଵର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ତିନି ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ଆସି 5 ଜାନୁୟାରୀ 2024 ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ।

ତାଙ୍କ ଗସ୍ତ ସମୟରେ ଅଶ୍ୱିନୀ ବୈଷ୍ଣବ ଦଶପଲ୍ଲା ଠାରେ ରେଳବାଇ କାର୍ଯ୍ୟକ୍ରମରେ ଏବଂ କଣ୍ଟିଲୋରେ ଡାକ ବିଭାଗ କାର୍ଯ୍ୟକ୍ରମରେ ଯୋଗଦେବେ।

6 ଜାନୁଆରୀ 2024 ରେ ଖଣ୍ଡପଡ଼ା ଠାରେ ଏବଂ 7 ଜାନୁଆରୀ 2024 ରେ ଆଠଗଡ଼, ବଡମ୍ବା ଏବଂ ନରସିଂହପୁର ଅଞ୍ଚଳରେ କିଛି ସ୍ଥାନୀୟ କାର୍ଯ୍ୟକ୍ରମରେ ଶ୍ରୀ ବୈଷ୍ଣବ ଯୋଗଦେବେ।

ଅଶ୍ୱିନୀ ବୈଷ୍ଣବ 6 ଜାନୁଆରୀ 2024 ରେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଦଶପଲ୍ଲା ରେଳ ଷ୍ଟେସନ ବିଲଡିଂ ଏବଂ ନବ ନିର୍ମିତ ନୂଆଗାଁ-ଦଶପଲ୍ଲା ରେଳ ସେକ୍ସନର ଉଦଘାଟନ କରିବା ସହିତ ଚାରିଟି ଟ୍ରେନର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ।

18423/18424 ଭୁବନେଶ୍ୱର-ନୟାଗଡ଼ ଟାଉନ-ଭୁବନେଶ୍ୱର ଏକ୍ସପ୍ରେସ, 08429/08430 ଭୁବନେଶ୍ୱର-ନୂଆଗାଁ ରୋଡ-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ, 08423/08424 ପୁରୀ-ନୂଆଗାଁ ରୋଡ-ପୁରୀ ପାସେଞ୍ଜର ସ୍ପେଶାଲ ଏବଂ 08555/08556 ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ ଗୁଡିକର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ।

ଶ୍ରୀ ବୈଷ୍ଣବ ଜାନୁଆରୀ 6 ଅପରାହ୍ନରେ କଣ୍ଟିଲୋ ଠାରେ ଡାକ ବିଭାଗର କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି ଜାନୁଆରୀ 7 ତାରିଖ ଦିନ ଶ୍ରୀ ବୈଷ୍ଣବ ଆଠଗଡ଼, ବଡମ୍ବା ଓ ନରସିଂହପୁର ଅଞ୍ଚଳରେ କିଛି ସ୍ଥାନୀୟ କାର୍ଯ୍ୟକ୍ରମରେ ଯୋଗଦେବେ।

Categories
ଆଜିର ଖବର ରାଜ୍ୟ ଖବର

ନୂଆଗାଁ ରୋଡ୍-ଦଶପଲ୍ଲା ରେଳ ସେକ୍ସନ ମଧ୍ୟରେ ରେଳ ନିରାପତ୍ତା ଆୟୁକ୍ତଙ୍କ ଦ୍ୱାରା ନୀରିକ୍ଷଣ

ଭୁବନେଶ୍ଵର: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଅଂଶ ଭାବରେ ନୂଆଗାଁ ରୋଡ୍-ଦଶପଲ୍ଲା ରେଳ ସେକ୍ସନର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ କାର୍ଯ୍ୟକ୍ଷମ ପାଇଁ ରେଳ ସୁରକ୍ଷା ଆୟୁକ୍ତଙ୍କ ଅନୁମତିକୁ ଅପେକ୍ଷା କରିଛି।

କୋଲକାତା ସ୍ଥିତ ଦକ୍ଷିଣ ପୂର୍ବ ସର୍କଲ ରେଳ ନିରାପତ୍ତା ଆୟୁକ୍ତ (CRS) ଏ.ଏମ.ଚୌଧୁରୀ ନୂତନ ଲାଇନରେ ଥିବା ସମସ୍ତ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟଗୁଡିକ ନୀରିକ୍ଷଣ କରିବା ସହିତ କାର୍ଯ୍ୟକ୍ଷମ ହେବା ପୂର୍ବରୁ ପୁଙ୍ଖାନୁପୁଙ୍ଖ ଭାବେ ନୀରିକ୍ଷଣ କରିଛନ୍ତି।

ଶ୍ରୀ ଚୌଧୁରୀ ନିରାପତ୍ତା ଦିଗଗୁଡିକ ଯେପରିକି ଓଭରହେଡ୍ ଇକୁଇପମେଣ୍ଟ, ବ୍ରିଜ୍, ସିଗନାଲ୍ ଏବଂ ଟେଲିକମ୍ ଯୋଗାଯୋଗ ଉପକରଣ, ରେଳ ଟ୍ରାକ୍ ଏବଂ ମାନବ ରହିତ ଲେବଲ କ୍ରସିଂ। ଏହା ସହିତ, ରେଳ ସେକ୍ସନର ନିରାପତ୍ତା ଦିଗଗୁଡିକୁ ସମୀକ୍ଷା କରିବା ପାଇଁ ଦଶପଲ୍ଲା ଏବଂ ନୂଆଗାଁ ରୋଡ୍ ଷ୍ଟେସନ୍ ମଧ୍ୟରେ ଏକ ସ୍ପିଡ୍ ଟ୍ରାଏଲ୍ ମଧ୍ୟ କରାଯାଇଥିଲା।

ଏହି ସଫଳତା ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଙ୍କ ଦ୍ୱାରା ନିରନ୍ତର ଭାବେ ପ୍ରକଳ୍ପ ସମୀକ୍ଷାର ଫଳାଫଳ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସମ୍ପୃକ୍ତ ଅଧିକାରୀମାନଙ୍କୁ ଏହି ଅଞ୍ଚଳର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଶୀଘ୍ର ସମାପ୍ତିକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ସମେତ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ମଧ୍ୟ ଶ୍ରୀ ଶର୍ମା ଗୁରୁତ୍ୱାରୋପ କରିଛନ୍ତି।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ବ୍ୟତୀତ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ପଶ୍ଚିମ ଓଡିଶା ଏବଂ ଉପକୂଳ ଓଡିଶା ମଧ୍ୟରେ ସାମାଜିକ-ସାଂସ୍କୃତିକ ସଂଯୋଗ ବୃଦ୍ଧି କରାଇବ।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର 301 କିଲୋମିଟର ଦୈର୍ଘ୍ୟ ରେଳ ଲାଇନ ମଧ୍ୟରୁ ମୋଟ 142.505 କିଲୋମିଟର କାର୍ଯ୍ୟ ସମାପ୍ତ ହୋଇଛି, ସେଥିମଧ୍ୟରୁ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ 106 କିଲୋମିଟର ଏବଂ ବଲାଙ୍ଗୀରରୁ ଖମ୍ବେଶ୍ବରପାଲ୍ଲୀ ପର୍ଯ୍ୟନ୍ତ 36 କିଲୋମିଟର ଦୈର୍ଘ୍ୟ ରେଳ ଲାଇନ ଅନ୍ତର୍ଭୁକ୍ତ ରହିଛି। ପୂର୍ବତଟ ରେଳପଥ ମଧ୍ୟ 2023-24 ଆର୍ଥିକ ବର୍ଷରେ ଖମ୍ବେଶ୍ବରପାଲ୍ଲୀରୁ ପୁରୁଣାକଟକ ପର୍ଯ୍ୟନ୍ତ 84 କିଲୋମିଟର ଅଧିକ ରେଳ ଲାଇନ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବାଲୁଗାଁ ଓ ଦଶପଲ୍ଲା ସହରରେ ଖୋଲିଲା ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସ

ଭୁବନେଶ୍ୱର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ବାଲୁଗାଁ ଓ ଦଶପଲ୍ଲା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି।

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି । ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି।

ବାଲୁଗାଁ ଓ ଦଶପଲ୍ଲା ସହରରେ ଏହି ଟ୍ରେଣ୍ଡ୍‌ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ବାଲୁଗାଁ ଓ ଦଶପଲ୍ଲା ଓ ନିକଟବର୍ତୀ ଅଂଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡସ ୱିୟର ଏବଂ ଫ୍ୟାସନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣି ଅନୁଭୂତି ସହିତ ପାଇପାରିବେ।

ବାଲୁଗାଁରେ ୭,୭୪୪ ବର୍ଗଫୁଟ ପରିମିତ ଟ୍ରେଣ୍ଡ୍‌ସ ଷ୍ଟୋର୍ ଓ ଦଶପଲ୍ଲାରେ ୫,୩୮୭ ବର୍ଗଫୁଟର ଟ୍ରେଣ୍ଡ୍‌ସ ଷ୍ଟୋର୍ ଯେଉଁଥିରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଫ୍ୟାସନ ଓ ଲୋଭନୀୟ ମୂଲ୍ୟ ସହିତ ସ୍ୱତନ୍ତ୍ର ପ୍ରାରମ୍ଭିକ ଅଫର ରହିଛି। ଯେପରିକି ୩୪୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ୧୯୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ।

ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୁତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ବାଲୁଗାଁ ଓ ଦଶପଲ୍ଲାରେ ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍।