Categories
ଆଜିର ଖବର ଜାତୀୟ ଖବର

ସଂସଦର ଶୀତକାଳୀନ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ, ପାରିତ ହେଲା ୭ ଟି ବିଲ୍

ନୂଆଦିଲ୍ଲୀ: ୧୭ ତମ ଲୋକସଭାର ଦଶମ ଅଧିବେଶନ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯାଇଛି। ଶୀତ ଅଧିବେଶନରେ ଲୋକସଭାର ପ୍ରକ୍ରିୟା ନିର୍ଦ୍ଧାରିତ ସମୟର ୬ ଦିନ ପୂର୍ବରୁ ଶେଷ ହୋଇଛି। ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ, ସଂସଦର ଶୀତକାଳୀନ ଅଧିବେଶନରେ ୧୩ ଟି ବୈଠକରେ ୬୮ ଘଣ୍ଟା ୪୨ ମିନିଟ୍ କାର୍ଯ୍ୟ କରାଯାଇଛି। ଲୋକସଭା ବାଚସ୍ପତି ବିର୍ଲା ଏହା ମଧ୍ୟ କହିଛନ୍ତି ଯେ, ଏହି ସମୟ ମଧ୍ୟରେ ପ୍ରାୟ ୯୭ ପ୍ରତିଶତ କାର୍ଯ୍ୟ ହୋଇଥିଲା। ଏହି ସମୟରେ ୯ ଟି ବିଲ୍ ଆଗତ କରାଯାଇଥିଲା ଏବଂ ୭ ଟି ବିଲ୍ ପାରିତ ହୋଇଥିଲା।

ସଂସଦରେ କେଉଁ ବିଲ୍ ପାରିତ ହେଲା?:

ଶୀତ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରାଯାଇଥିଲା। ସେଥିମଧ୍ୟରୁ ୭ ଟି ବିଲ୍ ପାରିତ ହୋଇଛି। ‘ସାମୁଦ୍ରିକ ଡକାୟତି ବିରୋଧୀ ବିଲ୍ ୨୦୨୨’, ‘ସମ୍ବିଧାନ (ଅନୁସୂଚିତ ଜନଜାତି) ଆଦେଶ (ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ ସଂଶୋଧନ) ବିଲ୍ ୨୦୨୨’ ଅନୁମୋଦିତହୋଇଛି। ଏହା ସହିତ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୩.୨୫ ଲକ୍ଷ କୋଟି ଟଙ୍କା ଅନୁଦାନ ଏବଂ ୨୦୧୯-୨୦ ପାଇଁ ଅନୁଦାନ ପାଇଁ ଅତିରିକ୍ତ ଦାବି ଅନୁମୋଦନ କରାଯାଇଥିଲା। ଓମ ବିର୍ଲା ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ମଲ୍ଟି ଷ୍ଟେଟ କୋ-ଅପରେଟିଭ ସୋସାଇଟ (ସଂଶୋଧନ) ବିଲ୍ ଏବଂ ଜନ ବିଶ୍ବାସ (ସଂଶୋଧନ) ବିଲ୍ ଉଭୟ ସଂସଦର ମିଳିତ କମିଟି ନିକଟକୁ ପଠାଯାଇଛି।