Categories
ଆଜିର ଖବର

ଇଭିଏମ୍ ଓ ଭିଭିପାଟ୍ ପ୍ରଦର୍ଶନ କେନ୍ଦ୍ର ଉଦ୍‌ଘାଟିତ, ଆଞ୍ଚଳିକ ପରିବହନ ବିଭାଗର ଦସ୍ତଖତ ଅଭିଯାନ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଭୋଟର କିପରି ନିର୍ଭୁଲ ଭାବେ ଇଭିଏମରେ ନିଜର ମତଦାନ କରିପାରିବେ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡ଼ିୟମ ତଥା କଳାହାଣ୍ଡି ଉତ୍ସବ ପଡ଼ିଆରେ ଇଭିଏମ୍ ଏବଂ ଭିଭିପାଟ୍ ପ୍ରଦର୍ଶନ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜୀ, ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର, ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ବଜିତ ଦାସ, ଡେପୁଟି କଲେକ୍ଟର ରମେଶ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ କୁମାର ବେହେରା, ସୁକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ଏଇ ଅବସରରେ ଅତିଥି ମାନେ ଇଭିଏମ୍, ଭିଭିପାଟ ସଚେତନ କରିବା ସମ୍ପର୍କରେ ଉପସ୍ଥିତ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।

ସେହିପରି ଆଞ୍ଚଳିକ ପରିବହନ ବିଭାଗ ଦ୍ବାରା ପରିଚାଳିତ ଦସ୍ତଖତ ଅଭିଯାନରେ ନିଜର ବାର୍ତ୍ତା ଦେଇଥିଲେ। ପରେପରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଦ୍ବାରା ରାଷ୍ଟ୍ରୀୟ ପୋଷଣ ଅଭିଯାନ, ଜିଲ୍ଲା ସ୍ବାସ୍ଥ୍ୟ ସମିତି ଦ୍ବାରା ସ୍ବାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ କକ୍ଷ, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ସମଗ୍ର ଶିକ୍ଷା କଳାହାଣ୍ଡି, ଜିଲ୍ଲା ଯୋଜନା ଓ ସମ୍ମନ୍ବୟ କାର୍ଯ୍ୟାଳୟ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ସ୍ଥାପିତ ଷ୍ଟଲମାନ ପରିଦର୍ଶନ କରିଥିଲେ। ଷ୍ଟଲ ଗୁଡିକରେ ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ, ମିଥୁନ ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀ ସ୍ୱାଗତ କରିଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର, ଜିଲ୍ଲା ଯୋଜନା ଉପ ନିର୍ଦେଶକ ଶ୍ରୀକାନ୍ତ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନବୀନଙ୍କୁ ‘ଭାରତ ରତ୍ନ’ ପ୍ରଦାନ ପାଇଁ ଦସ୍ତଖତ ଅଭିଯାନକୁ ପ୍ରଶଂସା କଲେ ବିଜେଡ଼ି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ପ୍ରଦାନ ପାଇଁ ସାମାଜିକ ଅନୁଷ୍ଠାନ ସୋସିଆଲ ଏଣ୍ଡ କଲଚରାଲ ଏଡ଼ଭାନ୍ସ ନେଟୱର୍କ (ସ୍କାନ) ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମକୁ ବିଜେଡ଼ି ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଭୂୟସୀ ପ୍ରଶଂସା କରିଛନ୍ତି।

ଆଜି ଭୁବନେଶ୍ୱରସ୍ଥିତ ବାସଭବନ କାର୍ଯ୍ୟାଳୟରେ ପ୍ରଣବ ପ୍ରକାଶ ଦାସଙ୍କୁ ‘ସ୍କାନ’ର ଅଧ୍ୟକ୍ଷ ତଥା ରାଜ୍ୟ ଆବାହକ ସୁଧାଂଶୁ ଶେଖର ମହାରଣା ଏବଂ ରାଜ୍ୟ ସଂଯୋଜକ ସରୋଜ ସାହୁ ଭେଟି ସାକ୍ଷାତ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଅଗ୍ରଗତି ସମ୍ପର୍କରେ ଶ୍ରୀ ଦାସଙ୍କୁ ଅବଗତ କରାଯାଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ପ୍ରତି ଘରୁ ଦୀର୍ଘ ୫ ମାସ ବ୍ୟାପୀ ହେବାକୁ ଥିବା ଏହି ଦସ୍ତଖତ ଅଭିଯାନ ୧୪୭ ବିଧାନସଭା କ୍ଷେତ୍ର ଅନ୍ତଗର୍ତ ୫ ମହାନଗର ନିଗମ, ୩୪ ମ୍ୟୁନିସିପାଲିଟି, ୬୭ ଏନ୍‌ଏସି ଅଞ୍ଚଳ ସହ ୩୧୪ ବ୍ଲକର ୫୩,୮୪୫ ଗ୍ରାମ ପରିକ୍ରମା କରି ପ୍ରାୟ ୧ କୋଟି ଦସ୍ତଖତ ସଂଗ୍ରହ କରାଯିବାର କାର୍ଯ୍ୟକ୍ରମ ରହିଛି।

ଏହା ଆସନ୍ତା ବର୍ଷ ଜାନୁୟାରୀ ୧୫ ତାରିଖ ଦିନ ଶେଷ ହେବାକୁ ଥିବାବେଳେ ଜାନୁୟାରୀ ୨୩ ତାରିଖ ଦିନ ମହାମହୀମ ରାଷ୍ଟ୍ରପତିଙ୍କୁ ସମସ୍ତ ଦସ୍ତଖତ ପତ୍ର ଗୁଡ଼ିକ ପ୍ରଦାନ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ପ୍ରଦାନ ପାଇଁ ନିବେଦନ କରାଯିବ। ଏହି ଆଲୋଚନା ସମୟରେ ସମ୍ବଲପୁର ଜିଲ୍ଲା ସଂଯୋଜକ ହୀରାଲାଲ ବେହେରା ସାମିଲ ଥିଲେ।

ଏହି ଅବସରରେ ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଭେଟି କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବ୍ରହ୍ମପୁରଠାରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଦସ୍ତଖତ ଅଭିଯାନ ଜାରି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବ୍ରହ୍ମପୁରଠାରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ମଂଚର ସଭାପତି ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ ପାଞ୍ଚଦିନ ହେଲା ସହରର ବିଭିନ୍ନ ସାହିର ଘରକୁ ଘର ବୁଲି ଦସ୍ତଖତ ସଂଗ୍ରହ ପ୍ରକ୍ରିୟା ଚାଲିଛି।

ଆଜି ବିଜିପୁର ରଥାସାହି, ବଜାର ସାହି, କାଳୁଆ ସାହି, ନୂଆ କାଳୁଆ ସାହି ଏବଂ ପଥପ୍ରାନ୍ତ ସଭା ମାଧ୍ୟମରେ ବିମାନବନ୍ଦର ଆବଶ୍ୟକତା ସଂପର୍କରେ ଲୋକଙ୍କୁ ସଚେତନ କରି ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା। ଦସ୍ତଖତ ଅଭିଯାନରେ ଯୁଗ୍ମ-ସଂପାଦକ ଲଳିତମୋହନ ସାହୁ, ଅଶୋକ କୁମାର ରଥ, ରବି ନାରାୟଣ ସାବତ, କ୍ଷେତ୍ରୀ ନରସିଂହ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସଭାପତି ଶ୍ରୀ ମହାରଣା କହିଥିଲେ ଆସନ୍ତା ୨୪ ତାରିଖ ମଧ୍ୟରେ ସରକାର ଏହି ଦାବିକୁ ଗ୍ରହଣ ନକଲେ ତେବେ ୨୬ ତାରିଖ ଦିନ ଆର୍‌ଡ଼ିସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦିଆଯିବ। ଏହାସହ ସମସ୍ତ ସ୍ୱାକ୍ଷରିତ ଦାବିପତ୍ରକୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ଚଳିତ ମାସ ୨ ତାରିଖ ପର୍ଯ୍ୟନ୍ତ ଏହି ଦସ୍ତଖତ ଅଭିଯାନ ଜାରି ରହିବ ବୋଲି ଶ୍ରୀ ମହାରଣା ସୂଚନା ଦେଇଛନ୍ତି।