Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ କଂଗ୍ରେସ ସାଂସଦ ନିରୋଜ ଡାଙ୍ଗି, ମୋଦି ସରକାରଙ୍କୁ କଲେ ତୀବ୍ର ସମାଲୋଚନା

ଭୁବନେଶ୍ବର:  ମୋଦିଙ୍କ ସମୟରେ ଉତ୍କଟ ଦରଦାମ ବୃଦ୍ଧି ଅତୀତର ସମସ୍ତ ରେକର୍ଡ ଭାଙ୍ଗିବା ସହ ବେକାରୀ ସମସ୍ୟା ମଧ୍ୟ ଗତ ୪୫ ବର୍ଷର ରେକର୍ଡକୁ ଭାଙ୍ଗିଛି। ମୋଦି ସରକାରଙ୍କର ଏହି ଜନ ବିରୋଧି ଓ ଯୁବ ବିରୋଧରେ କଂଗ୍ରେସ ଲଗାତାର ସଂଗ୍ରାମ ଜାରି ରଖିଥିବା ବେଳେ ଆଗାମୀ ଦିନରେ ଏହାକୁ ତୀବ୍ରତର କରାଯିବ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ କେନ୍ଦ୍ରୀୟ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ନିରୋଜ ଡାଙ୍ଗି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଶ୍ରୀ ଡାଙ୍ଗି କହିଛନ୍ତି ଯେ ୨୦୧୪ ମସିହାରେ ଯେତେବେଳେ ମୋଦି ସରକାର ପ୍ରଥମ କରି ଆରମ୍ଭ ହେଲା ସେତେବେଳେ ସିଲିଣ୍ଡର ପିଛା ଏଲପିଜି ଗ୍ୟାସ ୪୧୦ ଟଙ୍କା ଥିବା ବେଳେ ଏବେ ସିଲିଣ୍ଡର ପିଛା ୧୫୬ ପ୍ରତିଶତ ବୃଦ୍ଧିପାଇ ୧୦୫୩ ରୁ ୧୨୪୦ ଟଙ୍କାରେ ପଂହଚିଛି। ସେହିପରି ପେଟ୍ରୋଲ ଦର ୭୧ ଟଙ୍କା ଥିବାବେଳେ ଏବେ ତାହା ୪୦ ପ୍ରତିଶତ ବୃଦ୍ଧି ପାଇ ୯୫ ରୁ ୧୧୨ ଟଙ୍କାରେ ପହଂଚିଲାଣି ।

ଅନୁରପ ଭାବେ ଡିଜେଲ ଲିଟର ପିଛା ୨୦୧୪ ରେ ୫୫ ଟଙ୍କାଥିବା ବେଳେ ଏବେ ତାହା ୭୫ ପ୍ରତିଶତ ବୃଦ୍ଧି ପାଇ ୯୦ ରୁ ୧୦୦ ଟଙ୍କା ଛୁଇଁଲାଣି । ସାଧାରଣ ଲୋକଙ୍କ ଅତ୍ୟାବଶକୀୟ ସୋରିଷ ତେଲ ଲିଟର ପ୍ରତି ୯୦ ଟଙ୍କାରୁ ୧୨୨ ପ୍ରତିଶତ ବୃଦ୍ଧି ପାଇଁ ୨୦୦ ଟଙ୍କା ହେଲାଣି । ସେହିପରି ଅଟା ୮୧ ପ୍ରତିଶତ ବୃଦ୍ଧି ପାଇ ୨୨ ଟଙ୍କାରୁ ୪୦ ଟଙ୍କାରେ ପହଂଚିଲାଣି। କ୍ଷୀର ମଧ୍ୟ ୭୧ ପ୍ରତିଶତ ବୃଦ୍ଧି ପାଇ ଲିଟର ପିଛା ୩୫ ଟଙ୍କାରୁ ୬୦ ଟଙ୍କାରେ ପହଂଚିଲାଣି ।

କେତେକ ଅତ୍ୟାବଶକୀୟ ସାମଗ୍ରୀ ଉପରେ ମୋଦି ସରକାର ଅତ୍ୟନ୍ତ ଅମାନବୀୟ ଭାବେ ଜିଏସଟି ଲାଗୁ କଲେ। ୨୦୧୯ ନିର୍ବାଚନ ପ୍ରଚାର ବେଳେ ମଧ୍ୟ ଭୋଟ ହାତେଇବା ପାଇଁ ଉଜ୍ଜଳା ଯୋଜନାର ଖୁବ ପ୍ରଚାର କରିଥିଲେ । ହେଲେ ନିର୍ବାଚନ ସରିବା ପରେ ଅତ୍ୟନ୍ତ ସମ୍ବେଦନହୀନ ଭାବେ ରନ୍ଧନ ଗ୍ୟାସ ଉପରୁ ସବସିଡ୍ ପ୍ରତ୍ୟାହାର କରିନେଲେ। ମୋଦି ସରକାରଙ୍କ ଏହି ଜନବିରୋଧି ନିଷ୍ପତି ଫଳରେ ରନ୍ଧନ ଗ୍ୟାସ ଦର ଦୁଇଗୁଣରୁ ଅଧିକ ହେଲା । ଫଳରେ କୋଟି କୋଟି ଉପଭୋକ୍ତା ଆଜି ନିଜ ଖାଲି ସିଲିଣ୍ଡର ଭର୍ତି କରିବାକୁ ସମର୍ଥ ନୁହଁନ୍ତି ।

ଭାରତୀୟ ଜାତୀୟ କଂଗ୍ରେସ ଏଭଳି କଠିନି ପରିସ୍ଥିତିରେ ଲୋକଙ୍କ ସହିତ ସଂସଦରୁ ସଡ଼କ ପର୍ଯ୍ୟନ୍ତ ଠିଆହୋଇ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ମୋଦି ସରକାରଙ୍କ ବିଫଳତା, ତ୍ରୁଟିପୂର୍ଣ୍ଣ ନୀତି, ଦରବୃଦ୍ଧି, ବେକାରୀ, ମୁଦ୍ରାସ୍ପିତି ଆଦି ବିରୋଧରେ ଲଢ଼େଇ କରି ଆସୁଛି । ଜୁନ ୨୦୨୧ ରୁ ଅଦ୍ୟାବଧି କଂଗ୍ରେସ ଦେଶବ୍ୟାପି ବରୋଧ ପ୍ରଦର୍ଶନ ଓ ଜନଜାଗରଣ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛି ।

୫ ଅଗଷ୍ଟରେ ଦରବୃଦ୍ଧି ବିରୋଧରେ ରାଷ୍ଟ୍ରପତି ଅଭିମୁଖେ ମାନନୀୟ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ଓ ନେତୃବୃନ୍ଦ ଆସୁଥିବା ବେଳେ ମୋଦି ସରକାର ପୋଲିସ ବଳ ପ୍ରୟୋଗ କରି ସେମାନଙ୍କୁ ଅନ୍ୟାୟ ଭାବରେ ଅଟକ ରଖିଥିଲା । ଦରବୃଦ୍ଧି ବିରୋଧରେ ଏହି ଦେଶବ୍ୟାପି ପ୍ରଦର୍ଶନ ପରେ ଆସନ୍ତା ସେପ୍ଟେମ୍ବର ୪ ତାରିଖ ଦିନ ଦିଲ୍ଲୀର ରାମଲୀଳା ମୈଦାନରେ କଂଗ୍ରେସ ପକ୍ଷରୁ “ମହଙ୍ଗାଇ ପର ହାଲାବୋଲ” ର‌୍ୟାଲି ଆୟୋଜିତ ହେବାକୁ ଯାଉଛି ।

ଏହି ପ୍ରରୀପେକ୍ଷୀରେ ଦରବୃଦ୍ଧି ଉପରେ ତୁରନ୍ତ ଅଂକୁଶ ଲଗାଇବା ସହ ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାର ପୂର୍ବ ପ୍ରତିଶ୍ରୁତିକୁ ସରକାର ପୂରଣ କରିବାପାଇଁ କଂଗ୍ରେସ ଦାବି କରୁଛି । ସେହିପରି ଓଡ଼ିଶାର ବେକାରୀ ସମସ୍ୟା ସଂପର୍କରେ ଆଲୋକପାତ କରି ଶ୍ରୀ ଡାଙ୍ଗି କହିଲେ ଯେ ଓଡ଼ିଶାରେ ମଧ୍ୟ ୧ଲକ୍ଷ ୬୨ ହଜାରୁ ଉର୍ଦ୍ଧ୍ୱ ପଦବୀ ଖାଲିଥିବା ବେଳେ ସେଥିମଧ୍ୟରୁ ୮୦ ପ୍ରତିଶତ ପଦବୀ ଏଣ୍ଟ୍ରି ଲେବୁଲର । ଉଭୟ ମୋଦି ଓ ନବୀନ ସରକାରଙ୍କ ଯୁବ ବିରୋଧି ନୀତି ବିରୋଧରେ କଂଗ୍ରେସ ସଂଗ୍ରାମ କରିବ । ଏ ଲଢ଼େଇ କେବଳ କଂଗ୍ରେସର ନୁହେଁ ଓଡ଼ିଶା ତଥା ଦେଶର ସମସ୍ତ ଜନସାଧାରଣଙ୍କ ଲଢ଼େଇ ।

ଏହା ସହିତ ସରକାରଙ୍କ ଜନବିରୋଧି ଓ ଯୁବ ବିରୋଧି ଆଭିମୁଖ୍ୟ ବିରୋଧରେ ସ୍ୱରଉତୋଳନ କରି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାପାଇଁ କଂଗ୍ରେସ ଅନୁରୋଧ କରୁଛି ବୋଲି ଶ୍ରୀ ଡାଙ୍ଗି ପ୍ରକାଶ କରିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ, ପୂର୍ବତନ ବିଧାୟକ ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଓ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବିଭୁତି ମିଶ୍ର ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ: ଦିଲ୍ଲୀ ଚଲୋ ଅଭିଯାନ ଡ଼ାକରା

ଭୁବନେଶ୍ୱର: ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି ଓ ପାଇକ ରେଜିମେଣ୍ଟ ଗଠନ ଆଦି ଦାବି ନେଇ ଭୁବନେଶ୍ୱରରେ ବିଶାଳ ପାଇକ ଆଖଡ଼ା ଜନଗଜର୍ନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ମାଷ୍ଟର କ୍ୟାଣ୍ଟିନ ଛକରୁ ହଜାର ହଜାର ପାଇକ ଏକ ବିରାଟ ଶୋଭାଯାତ୍ରାରେ ପାରମ୍ପରିକ ବେଶପୋଷକ ପରିଧାନ କରି ଖଣ୍ଡା, ତଲୱାର, ଗଦା, ମୁଦ୍‌ଗର ଆଦି ଧରି ପାଇକ ଆଖଡ଼ା ପ୍ରଦର୍ଶନ କରି, ରଣ କୁହାଟ ଦେଇ ରାମ ମନ୍ଦିର ଛକ ଅତିକ୍ରମ କରି ପ୍ରଦର୍ଶନୀ ପଡ଼ିଆରେ ପହଞ୍ôଚଥିଲା। ସେଠାରେ ଏକ ବିରାଟ ସମାବେଶ ଅନୁଷ୍ଠିତ ହୋଇଥିଲା।

ଏହି ସମାବେଶରେ ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ ଓ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ ଯେ, ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ବ୍ରିଟିଶମାନଙ୍କ ବିରୁଦ୍ଧରେ ଆରମ୍ଭ ହୋଇଥିଲା ଓଡ଼ିଶାର ଖୋର୍ଦ୍ଧା ମାଟିରୁ । ତେଣୁ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ଉତ୍ସବ ଦିଲ୍ଲୀର ବିଜ୍ଞାନ ଭବନରେ ପାଳନ ଅବସରରେ ମତବ୍ୟକ୍ତ କରିଥିଲେ।

ସେହି ଆଧାରରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇ ପାହାଡ଼ ପାଦଦେଶରେ ଆସି ପାଇକ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ଓ ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ନିଜର ମନ୍ତବ୍ୟ ରଖିଥିଲେ। କିନ୍ତୁ ବର୍ତ୍ତମାନ ଏହାକୁ ଅସ୍ୱୀକାର କରାଯିବା ଓଡ଼ିଶାର ଜନସାଧାରଣଙ୍କ ସ୍ୱାଭିମାନ ପ୍ରତି ଏହା ଏକ ବିଶେଷ କୁଠାରଘାତ।

ସେମାନେ ଦାବି କରିଛନ୍ତି ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରିବା ସହିତ ପଞ୍ଜାବ ରେଜିମେଣ୍ଟ, ଗୁର୍ଖା ରେଜିମେଣ୍ଟ ଓ ଆସାମ ରେଜିମେଣ୍ଟ ପରି ଯଥାଶୀଘ୍ର ଓଡ଼ିଶାରେ ପାଇକ ରେଜିମେଣ୍ଟ ଗଠନ କରାଯାଉ। ଯାହାଦ୍ୱାରା ଓଡ଼ିଶା ଯୁବକମାନଙ୍କର ବେକାରୀ ସମସ୍ୟାର ସମାଧାନ ହେବା ସହ ସେମାନେ ଦେଶମାତୃକାର ସେବା ପାଇଁ ସୈନ୍ୟବାହିନୀରେ ଯୋଗ ଦେଇପାରିବେ,ଏହା ଆମର ହକ୍ ଦାବି। ଯେପର୍ଯ୍ୟନ୍ତ ଆମର ଦାବି ପୂରଣ ନହୋଇଛି, ପର୍ଯ୍ୟାୟକ୍ରମେ ଏହିଭଳି ଆନ୍ଦୋଳନ ଆଗାମୀ ଦିନରେ ଭୟଙ୍କର ଭାବେ କରାଯିବ ବୋଲି ସେମାନେ ଦୃଢ ଚେତାବନୀ ଦେଇଛନ୍ତି। ପ୍ରୟୋଜନ ହେଲେ ଏହି ଦାବି ପୂରଣ ପାଇଁ ଦିଲ୍ଲୀର ରାମଲୀଳା ମୈଦାନ, ଲାଲକିଲ୍ଲା ଆଦିରେ ହଜାର ହଜାର ପାଇକ ଯାଇ ବିପ୍ଲବ କରିବା ସହିତ ସମସ୍ତ ଐତିହାସିକ ତଥ୍ୟ ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ।

ଏଥିରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଯୋଗଦେଇ କହିଲେ ଯେ, ଏହିସବୁ ଦାବି ସହ ରାଜ୍ୟ ସରକାର ଯଥାଶୀଘ୍ର ବରୁଣେଇ ଠାରେ ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ବିନା ମୂଲ୍ୟରେ ଯୋଗାଇ ଦିଅନ୍ତୁ। ଯାହାଦ୍ୱାରା ଯଥାଶୀଘ୍ର ପାଇକ ସ୍ମୃତି ସ୍କାରକୀ ନିର୍ମାଣ ହୋଇପାରିବ।

ଏହି ସମାବେଶ ପାଇଁ ପୁରୀରୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଆଣି ଆସିଥିଲେ ବିଶିଷ୍ଟ ସଂଗଠକ ଓ ଗୀତିକାର ବଦ୍ରୀନାରାୟଣ ମିଶ୍ର। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମର ସଂଯୋଜକ ନରେନ୍ଦ୍ର ପୃଷ୍ଟି, ଅନ୍ୟତମ ସଂଯୋଜକ ଡଃ ଅଶୋକ ସୁନ୍ଦରାୟ, ଗଣେଶ ସାମନ୍ତ, ରାମାକାନ୍ତ ମହାପାତ୍ର, ବିଶ୍ୱଭୂଷଣ ଛୋଟରାୟ, ଅବନିକାନ୍ତ ଜେନା, ପଦ୍ମଚରଣ ରାୟ ତଥା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ବହୁ ଦଳବେହେରା, ଦଳେଇ, ପାଇକ ଆଖଡ଼ା ଗୁରୁ ଓ ହଜାର ହଜାର ପାଇକ ଆଖଡ଼ା ଦଳ ଯୋଗଦାନ କରି ଏହିସବୁ ଦାବି ପ୍ରତି ନିଜର ସମର୍ଥନ ଜ୍ଞାପନ କରିଥିଲେ।

ପ୍ରାରମ୍ଭରେ ଏହି ସମାବେଶ ପାଇଁ ଶୋଭାଯାତ୍ରା ଖୋର୍ଦ୍ଧାର ମା’ ବରୁଣେଇ ପୀଠରୁ ପୂଜାର୍ଚ୍ଚନା ପରେ ବାହାରିଥିବା ବେଳେ ଖୋର୍ଦ୍ଧା ନାଗରିକ ମଞ୍ଚର ଶହ ଶହ ମହିଳା ଏଥିରେ ଯୋଗଦାନ କରି ଏହି ସମାବେଶ ପ୍ରତି ନିଜର ସମର୍ଥନ ମଧ୍ୟ ଜ୍ଞାପନ କରିଥିଲେ।