Categories
ଆଜିର ଖବର ଜାତୀୟ ଖବର

ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ଚଢାଉ କଲା ସିବିଆଇ, ଉପ ମୁଖ୍ୟମନ୍ତ୍ରୀ କହିଲେ, ସେମାନଙ୍କୁ ସ୍ୱାଗତ

ନୂଆଦିଲ୍ଲୀ: ଦିଲ୍ଲୀ ସଚିବାଳୟରେ ଅବସ୍ଥିତ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ସିବିଆଇ ଚଢାଉ କରିଛି। ଏହି ସମୟରେ ସେ ଦାବି କରିଛନ୍ତି ଯେ, ସିବିଆଇ ପୂର୍ବରୁ କିଛି ପାଇନାହିଁ ଏବଂ ବର୍ତ୍ତମାନ ମଧ୍ୟ କିଛି ପାଇବ ନାହିଁ।

ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ୱିଟ୍ କରି ଦାବି କରିଛନ୍ତି ଯେ, ଆଜି ପୁଣି ସିବିଆଇ ମୋ ଅଫିସରେ ପହଞ୍ଚିଛି। ସେମାନଙ୍କୁ ସ୍ୱାଗତ। ସେମାନେ ମୋ ଘର ଉପରେ ଚଢାଉ କରିଥିଲେ, ମୋ ଅଫିସରେ ଚଢାଉ କରିଥିଲେ, ମୋ ଲକରକୁ ଖୋଜିଥିଲେ, ମୋ ଗାଁରେ ମଧ୍ୟ ଯାଞ୍ଚ କରିଥିଲେ। ମୋ ବିରୁଦ୍ଧରେ ତାଙ୍କୁ ନା କିଛି ମିଳିଛି ନା ଏବେ କିଛି ମିଳିବ, କାରଣ ମୁଁ କିଛି ଭୁଲ କରି ନାହିଁ। ଦିଲ୍ଲୀର ପିଲାମାନଙ୍କ ଶିକ୍ଷା ପାଇଁ ସଚ୍ଚୋଟତାର ସହିତ କାର୍ଯ୍ୟ କରିଛି।

ଏଥି ସହ ସିବିଆଇ ସୂତ୍ରରୁ ପ୍ରକାଶ ଯେ, ଆମେ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ଚଢାଉ କରିନାହୁଁ। ବର୍ତ୍ତମାନ ସୁଦ୍ଧା ସିବିଆଇରୁ କୌଣସି ସରକାରୀ ସୂଚନା ଆସିନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ଅବକାରୀ ଦୁର୍ନୀତିକୁ ନେଇ ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ଚଢାଉ କରିସାରିଛି। ଏହି ସମୟରେ ସେମାନଙ୍କ ଲକରଗୁଡ଼ିକୁ ମଧ୍ୟ ଯାଞ୍ଚ କରା ଯାଇଥିଲା। ନିକଟରେ ସିବିଆଇ ଏକ୍ସାଇଜ୍ ପଲିସି ସ୍କାମ ସମ୍ପର୍କରେ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ସମୟରେ ସିବିଆଇ କୋର୍ଟରେ କହିଛି ଯେ, ଏହି ମାମଲାରେ ୭ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି, ସେଥିମଧ୍ୟରୁ ୩ ଜଣ ସରକାରୀ କର୍ମଚାରୀ। ଏହା ମଧ୍ୟ କୁହାଯାଇଥିଲା ଯେ, ମନୀଷ ସିସୋଦିଆଙ୍କ ବିରୋଧରେ ତଦନ୍ତ ଚାଲିଛି।