Categories
ଆଜିର ଖବର ଜାତୀୟ ଖବର

ବ୍ରିଟେନରୁ ଦିଲ୍ଲୀକୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରେ ପାଞ୍ଚ ପଜିଟିଭ

ଦିଲ୍ଲୀ: ବ୍ରିଟେନ୍‌ରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ୍‌ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏବେ ବ୍ରିଟେନରୁ ଭାରତ ଫେରିଥିବା 5ଜଣ ଯାତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଥିବା ଜଣାପଡ଼ିଛି। ବ୍ରିଟେନ୍‌ରୁ ନୂଆଦିଲ୍ଲୀର ବିମାନବନ୍ଦରରେ ଆସି ପହଞ୍ଚିଥିବା 266 ଯାତ୍ରୀଙ୍କର ନମୁନା ଯାଞ୍ଚ୍ କରାଯାଇଥିଲା। 5ଜଣଙ୍କ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ତେବେ ଅଧିକ ପରୀକ୍ଷା ପାଇଁ ସମ୍ପୃକ୍ତ ପାଞ୍ଚ ଜଣଙ୍କ ନମୁନାକୁ ନ୍ୟାଶନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲକୁ ପଠାଇ ଦିଆଯାଇଛି।

ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ୍‌ ଅଧିକ ଶକ୍ତିଶାଳୀ ହେବା ସହିତ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବାରୁ ୟୁରୋପୀୟ ରାଷ୍ଟ୍ରମାନେ ବ୍ରିଟେନ୍‌ ସହିତ ବିମାନ ସେବା ବନ୍ଦ ରଖିଛନ୍ତି । ସାଉଦୀ ଆରବ ଏକସପ୍ତାହ ପାଇଁ ଦେଶର ସୀମାକୁ ସିଲ୍‌ କରିଛି । ସେହିପରି ଭାରତ ମଧ୍ୟ ବ୍ରିଟେନ୍‌କୁ ବିମାନସେବା ଉପରେ କଟକଣା ଜାରି ରଖିଛି । ବ୍ରିଟେନ୍‌ରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଆର୍‌ଟିପିସିଆର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କଠାରେ ନୂଆ କରୋନା ଭୂତାଣୁ ରହିଛି କି ନାହିଁ ତାହାର ପରୀକ୍ଷା କରାଯିବ। ଏନେଇ ଖବର ପ୍ରଚାରିତ ହେବା ପରେ ଦିଲ୍ଲୀରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି।