Categories
ବିଶେଷ ଖବର

ବିଜେଡି ଓଡିଶାରେ ନିର୍ବାଚନ ଜିଣି ସାରିଛି , ଚତୁର୍ଥ ପର୍ଯ୍ୟାୟ ଏବେ କେବଳ ଅତିରିକ୍ତ ବୋନସ ମାତ୍ର !

ସମୀକ୍ଷା ବ୍ୟୁରୋ

ଗତ ୨୩ ଏପ୍ରିଲରେ ଓଡିଶାର ୬ ଟି ଲୋକସଭା ଓ ୪୨ ଟି ବିଧାନସଭା ପାଇଁ ନିର୍ବାଚନ ଚାଲିଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡାରେ ଏକ ନିର୍ବାଚନ ସଭାରେ ସମ୍ବୋଧିତ କରି କହିଥିଲେ ଯେ, ନବୀନ ବାବୁକା ଓଡିଶା ସେ ଜାନା ତୟ ହୈ- ଅର୍ଥାତ ଓଡିଶା ଶାସନରୁ ନବୀନ ପଟ୍ଟନାୟକଙ୍କ ବିଦାୟ ଏଥର ନିଧାର୍ଯ୍ୟ। ଯେତେବେଳେ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ବଡ ଇଜ୍ଜତଦାର ଢଙ୍ଗରେ ଏ କଥା କହୁଥିଲେ, ସେତେବେଳେ ଓଡିଶାର ଜନ ସାଧାରଣ ଓଡିଶା ଶାସନର ଭବିଷ୍ୟତ ବିଷୟରେ ନିର୍ଣ୍ଣାୟକ ନିଷ୍ପତ୍ତି ନେଇସାରିଥିଲେ। ୧୦୫ଟି ବିଧାନସଭା ପାଇଁ ଅନୁଷ୍ଠିତ ହୋଇସାରିଥିବା ନିର୍ବାଚନରେ ୧୯ ବର୍ଷ ଧରି ଶାସନ କରୁଥିବା ବିଜୁ ଜନତା ଦଳ କୁ ପୁଣି ଥରେ ବହୁମତ ମିଳିସାରିଛି ବୋଲି ବିଭିନ୍ନ ସୂତ୍ରରୁ ଜଣା ପଡୁଛି। ଗତ ମାସେ ଧରି ଆମର କ୍ଷେତ୍ର ଅଧ୍ୟୟନ, ବିଭିନ୍ନ ସାମ୍ବାଦିକ ଓ ସମାଜସେବୀଙ୍କ ସୂଚନା ତଥା କେତୋଟି ଗୋପନୀୟ ସୂତ୍ରରୁ ଯାହା ଜଣା ପଡୁଛି, ପ୍ରଥମ ତିନୋଟି ପର୍ୟାୟରେ ବିଜେଡି ସରକାର ଗଢିବା ଲାଗି ଆବଶ୍ୟକ ହେଉଥିବା ୭୪ ସଂଖ୍ୟା ଟପି ସାରିଛି। ଚତୁର୍ଥ ପର୍ଯ୍ୟାୟରେ ଆଉ ଯେତିକି ଆସନ ମିଳିବ ତାହା ବିଜେଡି ପାଇଁ କେବଳ ଅତିରିକ୍ତ ବୋନସ ବୋଲି କୁହା ଯାଇପାରେ।

ଏକଥା କହିଲା ବେଳେ ଅନ୍ୟ ଦଳର ସମର୍ଥକ ଓ ଭକ୍ତଙ୍କର ସ୍ଵାଭାବିକ ପ୍ରତିକ୍ରିୟା କଣ ହେବ ଆମେ ଜାଣୁ। କିନ୍ତୁ ସତ୍ୟ କୁ ଅଣଦେଖା  କରି ସାମ୍ବାଦିକତା କରିବା  ଆମର ଧର୍ମ ନୁହେଁ। ଏହି ନିର୍ବାଚନ ସ୍ଥିତାବସ୍ଥା ସପକ୍ଷରେ ଏକ ନିର୍ବାଚନ, ଏହି ସତ୍ୟ କୁ ଆମକୁ ସ୍ଵୀକାର କରିବାକୁ ପଡିବ। ଏକଥା ସର୍ବ ସାଧାରଣରେ ଲେଖିଲା ବେଳେ ଆମେ ଏଥି ପ୍ରତି ମଧ୍ୟ ସତର୍କ ଯେ, ନିର୍ବାଚନ ସମ୍ପର୍କିତ କୌଣସି ବି ଭବିଷ୍ୟତବାଣୀ ୧୦୦% ସତ୍ୟ ହୋଇ ନପାରେ। ତଥାପି ଆମେ ଆମ ସୂତ୍ରକୁ ନେଇ ବେଶ ବିଶ୍ଵସ୍ତ ତଥା ଆଶ୍ଵସ୍ତ । ପ୍ରଥମ ଦୁଇଟି ପର୍ଯ୍ୟାୟରେ ବିଜେଡି କୁ ୪୫ ରୁ ୫୦ ଆସନ ମିଳିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ଏହା ୨୫-୨୮ ଆସନ ହାସଲ କରିବାରେ ସମର୍ଥ ହୋଇଛି। ବିଜେପି ଓ କଂଗ୍ରେସ ଭିତରେ ଦ୍ଵିତୀୟ ସ୍ଥାନ ଲାଗି କଡା ମୁକାବିଲା ଅଛି। ତେବେ କଂଗ୍ରେସ ଓ ବିଜେପି ବିଜେଡ଼ିର ପାଖାପାଖି ହୋଇ ପାରିବେ ବୋଲି ଆଶା କରା ଯାଉନାହିଁ।

ଆଉ ଗୋଟେ କଥା ଏଥି ସ୍ପଷ୍ଟ କରିଦେବା ଠିକ ହେବ। ଏଥର ଓଡିଶାରେ ବିଜେପିର ଭୋଟ ହାର ଅତି କମରେ ୭ ରୁ ୧୦ % ବଢିପାରେ। ତେବେ ଏହି ଅଭିବୃଦ୍ଧି ଆସନ ଜିଣିବାରେ ସହାୟକ ହେବନାହିଁ। କଂଗ୍ରେସ ଆଜି ମଧ୍ୟ ନିଜର ୧୫% ଭୋଟ ଆଧାରକୁ ଅକ୍ଷୁଣ୍ଣ ରଖିଛି। ତାହା ହିଁ ବିଜପି ଲାଗି ଚିନ୍ତାର କାରଣ। ଏ ପର୍ୟନ୍ତ ବିଜେଡ଼ିର ଭୋଟ ଆଧାର ଉପରେ ବିଜେପି ହାତ ମାରି ପାରିନାହିଁ। ଯାହାର ପରିଣତି ସ୍ଵରୂପ ପ୍ରଥମ ଦୁଇଟି ପର୍ୟାୟରେ ବିଜେଡି ଅନେକ ବିଧାନସଭା ଆସନ ପୋଛି ନେଇଛି। ଏପରିକି କଳାହାଣ୍ଡି ଓ ନବରଂଗପୁର ଲୋକସଭା କ୍ଷେତ୍ର, ଯେଉଁଠି ବିଜେପି ଓ କଂଗ୍ରେସର ସ୍ଥିତି ନିର୍ବାଚନ ପୂର୍ବରୁ ବେଶ ସୁଦୃଢ ଲାଗୁଥିଲା, ସେଠାରେ ମଧ୍ୟ ବିଜେଡ଼ିର ପ୍ରଦର୍ଶନ ଯଥେଷ୍ଟ ଭଲ ହୋଇଛି ବୋଲି ରିପୋର୍ଟ ମିଳୁଛି। କଳାହାଣ୍ଡିରେ ୫ ଟି ଆସନ ବିଜେଡ଼ିକୁ ଓ ଗୋଟିଏ ଲେଖାଏଁ ଆସନ କଂଗ୍ରେସ ଓ ବିଜେପି ହାତକୁ ଯାଇଛି ବୋଲି ଅନୁମାନ କରାଯାଉଛି। ନବରଙ୍ଗପୁରରେ ମଧ୍ୟ ସ୍ଥିତି ଆପାତତଃ ସମାନ ରହିଛି। ମାଲକାନଗିରିରେ ବିଜେପି ଓ ବିଜେଡି ମଧ୍ୟରେ ତୀବ୍ର ମୁକାବିଲା ଥିବା ବେଳେ ନବରଙ୍ଗପୁର ବିଧାନସଭା ଆସନ କଂଗ୍ରେସ ପାଇଛି ବୋଲି କୁହା ଯାଉଛି। ବାକି ସବୁ ଆସନରେ ବିଜେଡ଼ିର ପ୍ରଦର୍ଶନ ଭଲ ରହିଛି।

ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ବିଜେପିର ପ୍ରଦର୍ଶନ ଭଲ ହୋଇଥିବାର ରିପୋର୍ଟ ଆସୁଛି। ବଲାଙ୍ଗିରର ଲୋଇସିଂହା ଓ ପାଟଣାଗଡ ଆସନ ବିଜେପି ପାଉଛି ବୋଲି ସୂଚନା ମିଳୁଥିବା ବେଳେ କଣ୍ଟାବାଞ୍ଜିରେ ପୁରୁଖା କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଅଗ୍ରଣୀ ରହିଛନ୍ତି।

ଆମେ କେବଳ କେତୋଟି ନିର୍ଦ୍ଦିଷ୍ଟ କ୍ଷେତ୍ର ବିଷୟରେ ଏଠାରେ ସୂଚନା ଦେଇ ମଇ ୨୩ ର ଫଳାଫଳ ବିଷୟରେ ଏକ ସଙ୍କେତ ପ୍ରଦାନ କରୁଛୁ। ଆମର ପାଠକ ଆସନ୍ତା ୨୩ ତାରିଖରେ ଆମର ଅନୁମାନ ଓ ସତ୍ୟତାର ଏକ ତୁଳନା କରିବାର ସୁଯୋଗ ନିଶ୍ଚୟ ପାଇବେ। ଆମର ଅନୁମାନ କୁ ନେଇ ଆପଣଙ୍କର ତାଳି ଓ ଗାଳି, ଉଭୟକୁ ଆମର ସ୍ବାଗତ।

( ମୋବାଇଲରେ ଫଟାଫଟ ଖବର ପଢିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ବିଶେଷ ଖବର ମତାମତ

ଦଳବଦଳ ତଥା ଅବସର ପରେ ରାଜନୀତିରେ ଯୋଗଦାନ, ରାଜନୀତି ପ୍ରତି ପ୍ରତିବଦ୍ଧତା ନା ରାଜନୀତି ଉଦ୍ଦେଶ୍ୟ ପ୍ରଣୋଦିତ!

ସମୀକ୍ଷାବ୍ୟୁରୋ

ଭାରତର ସପ୍ତଦଶ ଲୋକସଭା ନିର୍ବାଚନର ଦୁଇଟି ପର୍ଯ୍ୟାୟ ଇତିମଧ୍ୟରେ ସମାପ୍ତ ହୋଇଗଲାଣି। ଏ ପର୍ଯ୍ୟନ୍ତ ହୋଇଥିବା ନିର୍ବାଚନୀ ପ୍ରକ୍ରିୟାରେ ସାରାଂଶ ଆମେ ଏଇୟା ଲକ୍ଷ୍ୟ କଲୁ ଯେ,  ରାଜନୀତିରେ କୌଣସି ବ୍ୟକ୍ତିବିଶେଷ ବା କୌଣସି ଅନୁଷ୍ଠାନ ବିରୋଧରେ ଅଭିଯୋଗ କରିବା କୌଣସି ମୌଳିକ ବିଧିଶସ୍ତ୍ର ଭିତରେ ଆସେ ନାହିଁ। ଆଜିର ନୈତିକତା ହୁଏତ ଆସନ୍ତାକାଲିର ରୁଗ୍ଣ ମାନସିକତା ହୋଇପାରେ। ସବୁ ନିଜ ନିଜର ପସନ୍ଦ ଉପରେ ନିର୍ଭର କରେ। ଚଳିତ ଥର ଓଡ଼ିଶା ରାଜନୀତିରେ ବହୁତ ବ୍ୟତିକ୍ରମ ଦେଖାଦେଇଛି। ବହୁ ରାଜନୈତିକ ବ୍ୟକ୍ତିବିଶେଷ ମାନେ ନିଜ ନିଜର ଦଳ ପରିବର୍ତ୍ତନ କରିଛନ୍ତି।  କିନ୍ତୁ ଅନେକ ସମୟରେ ଦେଖାଦେଇଛି ଯେ, ବର୍ଷ ବର୍ଷ ଧରି ରାଜନୈତିକ ଦଳ ଦ୍ଵାରା ଉପକୃତ ହୋଇଥିବା ବ୍ୟକ୍ତି ହଠାତ ଦଳ ଛାଡିବା ଓ ଅନ୍ୟ ଦଳକୁ  ଯିବା ପରେ ପୂର୍ବ ଦଳରେ କେବଳ ଖଳ ପ୍ରକୃତି ର ଲୋକ ଅଛନ୍ତି ବୋଲି ହଠାତ ଆବିଷ୍କାର କରିବା  ହୁଏତ ସମ୍ପୃକ୍ତ ବ୍ୟକ୍ତିକୁ ବ୍ୟାକ ଫୁଟ କୁ ନେଇ ଯାଇପାରେ। କେବଳ ସ୍ମୃତି ରେ ସୀମିତ କରି ଦେଇ ପାରେ।  ସିଧା ସିଧା କହିବାକୁ ଗଲେ ଦଳ ଛାଡିଲା ପରେ ଦିନେ ଯେଉଁମାନେ ସମ୍ପୃକ୍ତ ଦଳରେ ରହି ଶାସନ କରୁଥିଲେ ତାଙ୍କୁ ଏବେ ସେହି ଦଳରେ କେବଳ ଖଳ ପ୍ରକୃତିର ଲୋକ ଥିବା ଭଳି ଅନୁଭୂତ ହେଉଛି ଯାହା କି ଦରକାର କରୁଥିବା ଏକ ପ୍ରକୃତ ଦକ୍ଷତା ପଛରେ ବିଜ୍ଞତା ର ଦୃଶ୍ୟମାନ ହୁଏ।

ବର୍ତ୍ତମାନ ଅନେକ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଅବସର ପରେ ରାଜନୀତିରେ ଯୋଗ ଦେଇଛନ୍ତି ବା ଦେବାକୁ ଉତ୍ସୁକ ଅଛନ୍ତି। କୌଣସି ଦଳରେ ଯୋଗଦାନ ପରେ ସେମାନେ ଅତୀତରେ ଯେଉଁ ସରକାର ଭିତରେ ରହି କାମ କରିଥିଲେ ସେହି ସରକାର ବିରୋଧରେ ସେମାନେ ହଠାତ ପ୍ରତିକ୍ରିୟାଶୀଳ ହୋଇ କ୍ରୁର ଯୁକ୍ତି ବାଢୁଛନ୍ତି ସତେ ଯେମିତି ସେମାନେ ଏତେ ବର୍ଷ ଧରି ସରକାରୀ ସୁବିଧାକୁ ଉପଭୋଗ କଲା ପରେ ଏକପ୍ରକାର ଅଣନିଶ୍ବାସୀ ହୋଇ ଯାଇଥିଲେ। ବର୍ତ୍ତମାନ ସେହିଦିନକୁ ମନେ ପକାଇ ସେହି ଦିନ ଗୁଡିକ ଭୟାନକ ଏବଂ ଏକ ଦୁଃସ୍ଵପ୍ନ ଥିଲା ବୋଲି ବଖାଣିବାରେ ଲାଗିଛନ୍ତି।

ତେବେ  ପ୍ରଶ୍ନ ଉଠେ ଏତେ ଦିନ ଧରି ସେମାନେ ରାଜ୍ୟରେ ହେଉ କି କେନ୍ଦ୍ର ରେ ହେଉ ରହି ପାରିଲେ କେମିତି, ଯଦି ସମଗ୍ର ରାଜନୈତିକ କଳ ଆଜି ରୋଗଗ୍ରସ୍ତ ଏବଂ ପ୍ରଦୂଷିତ। ସେମାନେ ସେହି ସମୟରେ କୌଣସି ଛଳନାର ପ୍ରଶୟ ନ ନେଇ  ଚାକିରି ଛାଡି ରାଜନୀତିକୁ ଆସି ପାରିଥାନ୍ତେ।

ଆଇଏଏସ ଏବଂ ଆଇପିଏସ ଭଳି ପଦବୀରେ ଥାଇ ମୌଳିକ ରାଜନୀତି ସହ ନିଜର ବୃତ୍ତିଗତ ଲକ୍ଷ୍ୟକୁ ମେଳ ଖୁଆଇ ନ ପାରି ସରକାରକୁ ଭର୍ତ୍ସନା କରି ଦୁଇଜଣ ପୂର୍ବତନ ଅଧିକାରୀ ଏବେ ରାଜନୀତିରେ ଯୋଗ ଦେଇଛନ୍ତି। ସେମାନେ ସାଧାରଣ ଲୋକଙ୍କ ସମସ୍ୟା ଓ  କଥା କୁ ନେଇ ରାଜନୀତି କରିବା ପରିବର୍ତ୍ତେ  ଅତୀତରେ ଶାସନ କଳ ସହିତ ଥିବା ଆକ୍ରୋଶ କୁ ନେଇ ରାଜନୀତି କରୁଛନ୍ତି। ଯେତେବେଳେ ଶିକ୍ଷାନୁଷ୍ଠାନ ପାଇଁ ନୂତନ ଡ୍ରେସ କୋଡ ଲାଗୁ କରାଗଲା,ସମ୍ପୃକ୍ତ ବିଭାଗ ଶାଢୀଗୁଡିକ ଓଡିଶା ବାହାରୁ ଆମଦାନୀ କରିଥିଲା କିନ୍ତୁ ପ୍ରକୃତରେ ଆମ ଓଡିଶାର ସମ୍ବଲପୁରୀ ବସ୍ତ୍ର ଯାହାର ସାରା ଭାରତରେ ଏକ ସ୍ଵତନ୍ତ୍ର ସ୍ଥାନ ରହିଛି ତାକୁ ଜାଣିଶୁଣି ନିଜ ଲାଭ ପାଇଁ ଅଣଦେଖା କରାଯାଇଥିଲା। ଲୋକେ କିଛି ଜାଣି ପାରୁନାହାନ୍ତି ଭାବି ଲୋକଙ୍କୁ ଭକୁଆ ବନେଇବାର ମାନସିକତା  କୌଣସି ବର୍ତ୍ତମାନ ରାଜନୈତିକ ଦଳ ଦ୍ଵାରା ଅନୁପ୍ରାଣିତ ହୋଇ ଆଜିକାଲି ରାଜନୀତି ରେ ଏକ ରୁଗ୍ଣ ଦାର୍ଶନିକତା ରେ ପରିଣତ ହେଲାଣି।

ତେବେ ଓଡ଼ିଶାର ରାଜନୀତିରେ ଏଥର ଛଅଜଣ ରାଜ୍ୟ ପ୍ରଶାସକମାନେ ମଇଦାନକୁ ଓହ୍ଲାଇଛନ୍ତି। ଓଡ଼ିଶାର ପ୍ରମୁଖ ଦଳ ବିଜେଡ଼ି ଓ ବିଜେପିର ପ୍ରମୁଖ ପ୍ରାର୍ଥୀ ଭାବେ ରାଜ୍ୟ ପ୍ରଶାସନର ପ୍ରମୁଖ ଶାସକମାନେ ଉଭା ହୋଇଛନ୍ତି। ବିଜେପିର ଭୁବେନଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ଆଇଏଏସ୍ ଅଫିସର ଅପରାଜିତା ଷଡଙ୍ଗୀ ରାଜନୀତିକୁ ଓହ୍ଲାଇଥିବାବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ବିଜେଡ଼ିର ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକ। ସେହିପରି ବିଜେପି ତରଫରୁ ସିଆରପିଏଫ୍‌ ଡିଜିପି ପ୍ରକାଶ ମିଶ୍ରଙ୍କୁ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଥିବାବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ଦୁଇ ପ୍ରମୁଖ ଦଳର ଦୁଇ ବରିଷ୍ଠ ନେତା। ବିଜେଡ଼ି ତରଫରୁ ଭର୍ତ୍ତୃହରି ମହତାବ ଓ କଂଗ୍ରେସରୁ ରହିଛନ୍ତି ପଞ୍ଚାନନ କାନୁନ୍‌ଗୋ। ସେହିପରି ବିଜେଡ଼ିର ଅନ୍ୟତମ ଲୋକସଭା ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ପୂର୍ତ୍ତ ବିଭାଗର ସଚିବ ଥିବା ନଳିନକାନ୍ତ ନିକଟରେ ପ୍ରଶାସନିକ ସେବାରୁ ଅବ୍ୟାହତି ନେଇ ରାଜନୀତିରେ ପ୍ରବେଶ କରିଛନ୍ତି। ତାଙ୍କୁ ସମ୍ବଲପରୁ ଆସନରୁ ବିଜେଡ଼ି ପ୍ରାର୍ଥୀ କରାଇଛି। ସେହିପରି ବିଜେଡ଼ିର ଅନ୍ୟତମ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ମଧ୍ୟ ଯାଜପୁର ଲୋକସଭା ସିଟ୍‌ରୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ତାଙ୍କ ବିପକ୍ଷରେ ଅଛନ୍ତି ବିଜେପି ତରଫରୁ ଅମୀୟ ମଲ୍ଲିକ ଓ କଂଗ୍ରେସର ମାନସ ଜେନା। ବିଜେଡ଼ିର ଆଠମଲ୍ଲିକରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ପ୍ରଶାସକ ରମେଶ ଚନ୍ଦ୍ର ସାଇ। ତାଙ୍କ ବିରୋଧରେ ରହିଛନ୍ତି ବିଜେପିର ଭାଗିରଥୀ ପ୍ରଧାନ ଓ କଂଗ୍ରେସର ବିଜୟାନନ୍ଦ। ତେବେ ଏହି ପ୍ରମୁଖ ପ୍ରଶାସକମାନେ ପ୍ରଶାସନିକ ସେବାରେ ଯେପରି ନିଜକୁ ଯୋଗ୍ୟ ରୂପେ ପ୍ରତିପାଦିତ କରିଥିଲେ, ସେପରି ରାଜନୀତି କ୍ଷେତ୍ରରେ ପ୍ରମାଣିତ କରିବେ, ନା ରାଜନୀତି କରିବେ ସେ କଥା ଆଗାମୀ ସମୟ କହିବ!!

( ଫଟାଫଟ ଖବର ଜାଣିବା ପାଇଁ ଆପଣଙ୍କ ମୋବାଇଲର ପ୍ଲେ-ଷ୍ଟୋରକୁ ଯାଇ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ମୋବାଇଲ ସ୍କ୍ରିନକୁ ଆଙ୍ଗୁଠିରେ ତଳୁ ଉପରକୁ ଘଷି ପଢି ଚାଲନ୍ତୁ ଖବର ପରେ ଖବର )