Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭିଡ ଟିକାର ପାର୍ଶ୍ଵ ପ୍ରତିକ୍ରିୟା ମାମଲା: ଜାଣନ୍ତୁ କ’ଣ ରହିଛି ସତ୍ୟତା

ନୂଆଦିଲ୍ଲୀ: ‘ଦି ଇକନମିକ୍ ଟାଇମ୍ସ’ରେ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କୋଭିଡ-୧୯ ଟିକାର ପାର୍ଶ୍ଵ ପ୍ରତିକ୍ରିୟା ରହିଥିବା କଥା ଆଇସିଏମ୍‌ଆର ଓ ସିଡିଏସ୍‌ସିଓ ଅଧିକାରୀଙ୍କ ସୂତ୍ର ଉଦ୍ଧାର କରି ପ୍ରକାଶିତ ହୋଇଛି। ଏହି ଖବର ଉପରେ ସ୍ପଷ୍ଟୀକରଣ ଦେଇ ସମ୍ପୃକ୍ତ ଦୁଇ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ପ୍ରକାଶିତ ଖବର ତ୍ରୁଟିପୂର୍ଣ୍ଣ ଏବଂ ବିଭ୍ରାନ୍ତିକର। ଏଥିରେ କୌଣସି ସତ୍ୟତା ନାହିଁ। ଏହି ଖବର ମାଧ୍ୟମରେ ଭୁଲ ତଥ୍ୟ ପରିବେଷଣ କରିବାକୁ ଅପଚେଷ୍ଟା କରାଯାଇଛି।

ଏହି ସ୍ପଷ୍ଟୀକରଣରେ ଆହୁରି କୁହାଯାଇଛି ଯେ, କୋଭିଡ୍ ଟିକାର ବିଭିନ୍ନ ପାର୍ଶ୍ଵ ପ୍ରତିକ୍ରିୟା ଥିବା କଥା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଓ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ପ୍ରତିଷ୍ଠାନ(ସିଡିଏସ୍‌ସିଓ)ର ଅଧିକାରୀ ସ୍ୱୀକାର କରିଥିବା ଯାହା ରିପୋର୍ଟରେ କୁହାଯାଇଛି ତାହା ଅସତ୍ୟ। କୌଣସି ଅଧିକାରୀ ଏପରି କିଛି ତଥ୍ୟ ସମ୍ପୃକ୍ତ ସମ୍ବାଦପତ୍ରକୁ ଦେଇନାହାନ୍ତି। ସେହି ଖବର କାଗଜ ପୁଣି ଏକ ଆର୍‌ଟିଆଇ ତଥ୍ୟ ଅନୁସାରେ ରିପୋର୍ଟ ପ୍ରସ୍ତୁତ କରିଥିବା ଉଲ୍ଲେଖ କରିଛି।

ଦୁଇ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁସାରେ କୋଭିଡ ଟିକାର ଗୁଣମାନ ଓ ନିରାପତା ସମ୍ପର୍କରେ ଲବ୍ଧ ବୈଜ୍ଞାନିକ ପ୍ରମାଣକୁ ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର କରାଯାଇଛି। ଏ ସମ୍ପର୍କୀତ ତଥ୍ୟ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ଅନ୍ୟାନ୍ୟ ବୈଶ୍ୱିକ ସଂସ୍ଥାକୁ ଦିଆଯାଇଛି।

ଆରଟିଆଇର ଜବାବରେ ଆଇସିଏମ୍‌ଆର ଯେଉଁ ନଥି ଓ ଲିଙ୍କ୍‌ସ ପ୍ରଦାନ କରିଛି ତା’ଉପରେ କୌଣସି ମତାମତ ଦିଆଯାଇନାହିଁ ବୋଲି ଏହି ସ୍ପଷ୍ଟୀକରଣରେ କୁହାଯାଇଛି। ସେହିଭଳି କୋଭିଡ ଟିକା ନେଲେ ଅନ୍ୟାନ୍ୟ ଟିକା ଭଳି ସାଧାରଣ ପ୍ରତିକ୍ରିୟା ଯଥା ଟିକାସ୍ଥାନ ସାମାନ୍ୟ ଦରଜ ହେବା, ସ୍ୱଳ୍ପ ଯନ୍ତ୍ରଣା, ମୁଣ୍ଡବ୍ୟଥା, ସାମୟିକ ଥକାପଣ, ଶୀତୁଆ ଲାଗିବା ଆଦି ପ୍ରତିକ୍ରିୟା ସୃଷ୍ଟି ହୁଏ ଏବଂ ଏହା ସାଧାରଣ କଥା। ତେବେ ସମ୍ପୃକ୍ତ ଖବରକାଗଜକୁ ଏହି ଟିକାର ବିଭିନ୍ନ ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ଥିବା ସମ୍ପର୍କରେ ଦୁଇସଂସ୍ଥା ପକ୍ଷରୁ କିଛି କୁହାଯାଇନାହିଁ।

ବିଶ୍ୱସ୍ତରୀୟ ଗବେଷଣା କହୁଛି ଯେ କୋଭିଡ ଟିକା ନିରାପଦ ଏବଂ ଏହାର ଗୁୁରୁତର ପାଶ୍ୱର୍ ପ୍ରତିକ୍ରିୟା ନାହିଁ ବୋଲି ସ୍ପଷ୍ଟୀକରଣରେ କୁହାଯାଇଛି।