Categories
ବିଶେଷ ଖବର ରାଜ୍ୟ ଖବର

ପୁରୀ ଜିଲ୍ଲା ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି, ମିଳିବ 33 କୋଟି ଟଙ୍କାର ସହାୟତା

ଭୁବନେଶ୍ବର: ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନେ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ବିଷୟ ଘୋଷଣା କରିଛନ୍ତି। ଜିଲ୍ଲାର ୧ ଲକ୍ଷ ୬୫ ହଜାର ୧୩୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ 33.03 କୋଟି ଟଙ୍କା ପାଇବେ । ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ ।

ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ୩୭ ଲକ୍ଷ ୧୨ ହଜାର ୯୪୧ ଜଣ ଚାଷୀଙ୍କୁ ୭୪୨ କୋଟି ୫୮ ଲକ୍ଷ ଟଙ୍କାର କାଳିଆ ସହାୟତା ବଣ୍ଟନ କରିଥିଲେ । ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇପାରି ନ ଥିଲା ।

ରାଜ୍ୟର କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ପରିବାରମାନଙ୍କୁ କୃଷି କାର୍ଯ୍ୟରେ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସାରା ଦେଶରେ ଚାଷମାନଙ୍କ କଲ୍ୟାଣ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ।

ଏଥିରେ ଚାଷୀମାନେ ବିଭିନ୍ନ କୃଷିସାମଗ୍ରୀ ଯଥା – ବିହନ, ସାର ତଥା କୀଟନାଶକ ଓ କୃଷି ଯନ୍ତ୍ରପାତି କିଣିବା ପାଇଁ ଆନୁସଂଗିକ ଆର୍ଥିକ ସୁବିଧା ପାଇପାରୁଛନ୍ତି। ସେହିପରି ଭୂମିହୀନ କୃଷି ପରିବାରମାନେ ମଧ୍ୟ ରୋଜଗାର ବୃଦ୍ଧି ପାଇଁ ବିଭିନ୍ନ ଆନୁସଂଗିକ କୃଷି କାର୍ଯ୍ୟ କରିପାରୁଛନ୍ତି ।

ଚାଷମାନଙ୍କ ଋଣ ଭାର କମ୍ କରିବାରେ ମଧ୍ୟ ଏହା ବିଶେଷ ସହାୟକ ସାବ୍ୟସ୍ତ ହୋଇ ପାରିଛି ।

Categories
ବିଶେଷ ଖବର ରାଜ୍ୟ ଖବର

ଆଉଟସୋରସିଂ ସଂସ୍ଥା ତଥା ଚୁକ୍ତିଭିତ୍ତିରେ ନିୟୋଜିତ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋରସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଏହାଦ୍ବାରା ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ନିୟୋଜିତ ପ୍ରାୟ ୩୩ ହଜାର ବ୍ୟକ୍ତି ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ଅଧିକ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଆଉଟସୋରସିଂ ଓ ଚୁକ୍ତିଭିତ୍ତିରେ ନିୟୋଜିତ ଏହି ବ୍ୟକ୍ତି ମାନଙ୍କର ଇ.ପି.ଏଫ ଓ ଇ.ଏସ୍‌.ଆଇ ପରି ବୈଧାନିକ ଦେୟ ସଂପୃକ୍ତ ସଂସ୍ଥା ପୈଠ କରିବେ। ସେମାନେ କାମ କରୁଥିବା ବିଭାଗର କର୍ତ୍ତୃପକ୍ଷ ଏହା ସୁନିଶ୍ଚିତ କରିବେ ।

ଉପରୋକ୍ତ ବୈଧାନିକ ଦେୟ ପୈଠ କରିବାରେ ହେଳା କରୁଥିବା ସଂସ୍ଥା ଗୁଡିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏତଦ୍‌ବ୍ୟତୀତ ସେମାନଙ୍କୁ ବର୍ଷକୁ ସର୍ବାଧିକ ୧୨ ଦିନ ଛୁଟି ମଞ୍ଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ମାତୃତ୍ବ ଛୁଟି ପ୍ରଦାନ ବିଷୟ ବିଚାର କରି ଯଥାଶୀଘ୍ର ନିଷ୍ପତ୍ତି ନେବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।