Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: କ୍ରିକେଟ ଖେଳ ସମୟରେ ଖେଳାଳିଙ୍କୁ ଅତର୍କିତ ଆକ୍ରମଣ, ଦୁଇ ଗୁରୁତର

ବାଣପୁର (ସୀତାରାମ ଅଗ୍ରୱାଲ): କ୍ରିକେଟ ଟୁର୍ଣ୍ଣାମେଣ୍ଟ ସମୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଅଘଟଣ ଘଟିଯାଇଛି। ଖେଳ ଶେଷ ହେବା ପରେ ବାଲୁଗାଁରୁ ଆସିଥିବା ଖେଳାଳିଙ୍କୁ ଅତର୍କିତ ଆକ୍ରମଣ କରାଯାଇଛି। ଯାହାଫଳରେ ଦୁଇଜଣ ଖେଳାଳି ଗୁରୁତର ଆହତ ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ବାଣପୁର କପିଳେଶ୍ଵର ସାହିରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ଦିନ ବାଲୁଗାଁ ସହ ବିଂଝଳା ଗ୍ରାମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଖେଳ ସରିବା ପରେ ବାଲୁଗାଁ ଖେଳାଳି ମାନେ ପଡିଆ ଭିତରୁ ବାହାରକୁ ଯାଉଥିଲେ। ତେବେ ପୂର୍ବରୁ ଅଟୋରେ ଆସି ଲୁଚି ରହିଥିବା ଘନ ନାୟକ, ରାକ ନାୟକ, ଏବଂ ୱାର୍ଲଡ ନାୟକ ସମେତ ୭ରୁ ୮ଜଣ ଯୁବକ ସେମାନଙ୍କ ଉପରେ ଲୁହା ରଡ଼ରେ ଅତର୍କିତ ଆକ୍ରମଣ କରିଥିଲେ ବୋଲି ଆହତ ମାନେ ପ୍ରକାଶ କରିଛନ୍ତି। ଯାହାଫଳରେ ବାଲୁଗାଁ ଟିମର ଦୁଇଜଣ ଖେଳାଳି ଗୁରତର ଆହତ ହେବା ସହ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ଜଣାଯାଇଛି। ଆହତମାନଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବ ବେଳେ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ସେମାନଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଥିଲା।

ତେବେ ଅଭିଯୁକ୍ତମାନେ ବିଂଝଳା ଗ୍ରାମର ହୋଇଥିବା ବେଳେ ଉକ୍ତ ଗ୍ରାମର ଖେଳାଳି ମାନେ ଏଥିରେ ସମ୍ପୃକ୍ତ ନଥିବା ଜଣାପଡିଛି। ଅଭିଯୁକ୍ତମାନଙ୍କ ସହ କୌଣସି ପୂର୍ବ ଶତ୍ରୁତା ନଥିବା ଆହତ ଯୁବକମାନେ ପ୍ରକାଶ କରିଛନ୍ତି। ଆହତ ପରିବାରଙ୍କ ତରଫରୁ ବାଣପୁର ଥାନାରେ ଏତଲା ଦିଆଯାଇଛି। ପୋଲିସ ତଦନ୍ତ କଲାପରେ ଅଭିଯୁକ୍ତମାନେ କଣ ପାଇଁ ଆକ୍ରମଣ କଲେ, ତାହାର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ମାଣିକପୁର-ପ୍ରତାପ ରୋଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମାଣିକପୁର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଖବର ମୁତାବକ ପ୍ରତାପ ଗ୍ରାମର ହୁଲାସ ବାରିକଙ୍କ ପୁତ୍ର ନିବାସୀ ବାରିକ (୨୧) ଏବଂ କାଳିଆ ବେହେରାଙ୍କ ପୁତ୍ର ଶିବୁନ ବେହେରା (୧୭) ଏକ ଆପାଚି ବାଇକ ଯୋଗେ ମାଣିକପୁର ଗ୍ରାମରୁ ପ୍ରତାପ ଅଭିମୁଖେ ଯାଉଥିବା ବେଳେ ଉକ୍ତ ଗ୍ରାମର କୈଳାସ ସ୍ୱାଇଁଙ୍କ ପୁତ୍ର କାଁହୁଚରଣ ସ୍ୱାଇଁ (୨୮) ଏକ ହିରୋହୋଣ୍ଡା ବାଇକରେ ବାଣପୁର ଅଭିମୁଖେ ଆସୁଥିଲେ। ଠିକ ସେତିକି ବେଳେ ମାଣିକପୁର ସ୍କୁଲ ନିକଟରେ ଉଭୟ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ କାଁହୁଚରଣଙ୍କ ମୃତ୍ୟୁ ହୋଇଥିବା ବେଳେ ନିବାସୀ ଓ ଶିବୁନଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ସ୍ପଷ୍ଟ ଦିବାଲୋକରେ ମାରଣାସ୍ତ୍ରରେ ଆକ୍ରମଣ, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦୁଇ ଜଣ ଯୁବକଙ୍କୁ ମରଣାସ୍ତ୍ରରେ ଆକ୍ରମଣ ହୋଇଥିବା ଖବର ହସ୍ତଗତ ହୋଇଛି।

ଖବରରୁ ପ୍ରକାଶ ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମର ରାଜେଶ ପ୍ରଧାନ ଏବଂ ରାଜେନ୍ଦ୍ର ସାହୁଙ୍କୁ ଦୁର୍ବୁତ୍ତମାନେ ସ୍ପଷ୍ଟ ଦିବାଲୋକରେ ପଲଟନ ପଡିଆଠାରେ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଉଭୟ ଗୁରୁତର ଆହତ ହୋଇ ବାଣପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ। ତେବେ ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।

ତେବେ ଖବର ଲେଖା ହେଲା ବେଳକୁ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି। ତେବେ ସ୍ପଷ୍ଟ ଦିବାଲୋକରେ ବାଣପୁର ବଜାରରେ ଏପରି କାଣ୍ଡ ସାଧାରଣରେ କୋକୁଆ ଭୟ ସୃଷ୍ଟି କରିଛି।

Categories
ଆଞ୍ଚଳିକ

ବାଣପୁର: ବିଦ୍ୟୁତ ଖୁଣ୍ଟରେ ପିଟି ହେଲା କାର, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ
ବାଣପୁର: ରବିବାର ଅପରାହ୍ନରେ ବାଣପୁର ମେଡିକାଲ ଛକ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଖବରରୁ ଜଣାଯାଇଛି ଓଡି ୦୨ ବିଡି ୧୫୪୪ ନମ୍ବର ବିଶିଷ୍ଟ ଏକ ଟାଟାନିଅମ କାରରେ ଭୁବନେଶ୍ୱରରୁ ଚାଳକ ତାଙ୍କର ମାଙ୍କୁ ନେଇ ବାଣପୁର ଅଂଚଳର ତାଙ୍କ ବନ୍ଧୁଙ୍କ ଘରକୁ ଆସିଥିଲେ।

ଭୁବନେଶ୍ୱର ଫେରୁଥିବା ବେଳେ ଚାଳକଙ୍କ ଅସାବଧାନତା ପାଇଁ ବଜାର ଅଂଚଳରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ କାରଟି ପିଟି ହୋଇଯାଇଥିଲା। ଯାହାଫଳରେ ଦୁର୍ଘଟଣାରେ ଚାଳକ ଏବଂ ତାଙ୍କ ମାଙ୍କର ଗଭୀର ଆଘାତ ହୋଇଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ପ୍ରତ୍ୟେକ୍ଷ ଦର୍ଶୀ କହିଛନ୍ତି। ରିପୋର୍ଟ ଲେଖା ହେଲାବେଳକୁ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବଜ୍ରାଘାତରେ ମୃତ ମହିଳାଙ୍କ ଦଶାହ କ୍ରିୟା ବେଳେ ତୁଠରେ ହେଲା ବଜ୍ରାଘାତ: ଦୁଇ ଗୁରୁତର

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ହରିପୂର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ତୁଠରେ ଦଶାହ କ୍ରିୟା ଚାଲିଥିବା ବେଳେ ବଜ୍ରାଘାତ ହୋଇଛି। ଯାହାଫଳରେ କ୍ରିୟା କାର୍ଯ୍ୟ ଯୋଗ ଦେଇଥିବା ୨ ଜଣ ଗୁରୁତର ଆହାତ ହୋଇଛନ୍ତି।

ସୂଚନା ଅନୁଯାୟୀ, ହରିପୁର ଗ୍ରାମର ମାଝି ସାହିର ବିନି ମାଝି ଘରେ ବସି ଚା ପିଉଥିବା ବେଳେ ବଜ୍ରାଘାତରେ ଗୁରୁତର ହୋଇ ମୃତ୍ୟୁବରଣ କରିଥିଲେ। ହେଲେ ତାଙ୍କର ଆଜି ଦଶାହ କାର୍ଯ୍ୟ ଚାଲିଥିଲା। ଦଶାହ କାର୍ଯ୍ୟ ଗାଁ ପୋଖରୀରେ ଚାଲିଥିଵା ବେଳେ ବଜ୍ରାଘାତ ହୋଇ ଦୁଇ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଟାଙ୍ଗୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗୁରୁତର ବ୍ୟକ୍ତି ଦ୍ୱୟ ମୃତ ମହିଳାଙ୍କର ଜ୍ୱାଇଁ ହେବେ ବୋଲି ଜଣା ପଡିଛି। ବର୍ତ୍ତମାନ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା ଖବର ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ସାମାନ୍ୟ ବଚସାରୁ ସାଙ୍ଗକୁ ପଥରରେ ଆକ୍ରମଣ କଲା ସାଙ୍ଗ, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ସାମାନ୍ୟ ବଚସାରୁ ସାଙ୍ଗକୁ ପଥରରେ ଆକ୍ରମଣ କଲା ଉତ୍ୟକ୍ତ ସାଙ୍ଗ। ବଂଚାଇବାକୁ ଯାଇ ୨ ଗୁରୁତର ସହ ଜଣେ ସାମାନ୍ୟ ଆହତ। ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଭୁଷଣ୍ଡପୁର ଫାଣ୍ଡି ଅଧିନସ୍ଥ ଜଗନ୍ନାଥ ପୁର ଗ୍ରାମରେ ଏଭଳି ଘଟଣା ଘଟିଛି। ଗୁରୁତର ଦ୍ୱୟ ହେଲେ ଜଗନ୍ନାଥ ପୁର ଗ୍ରାମର ସଂଗ୍ରାମ ବେହେରା (୧୯) ଏବଂ ତାଙ୍କ ବଡ ବାପା ଜୟ ବେହେରା (୬୫। ଉକ୍ତ ଘଟଣାରେ ମଧ୍ୟ୍ୟ ସଂଗ୍ରାମ ବେହେରାଙ୍କ ପିତା ସୁବାସ ବେହେରା ଆହତ ହୋଇଥିବା ଜଣା ପଡିଛି। ଏ ନେଇ ଭୁଷଣ୍ଡପୁର ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି।

ଗତ ୩ ମାସ ତଳେ ଭୁଷଣ୍ଡପୁର ଜଗନ୍ନାଥ ପୁର ଗ୍ରାମର ସଂଗ୍ରାମ ବେହେରା ଓ ତାଙ୍କର ଜଣେ ସାଙ୍ଗ ସହ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ତେବେ ଏହି ଗଣ୍ଡଗୋଳ ଘଟଣାର ସ୍ଥାନୀୟ ଲୋକଙ୍କ ଉପସ୍ଥିତିର ଆପୋଷ ସମାଧାନ କରାଯାଇଥିଲା। ସେହି ଦିନ ଠାରୁ ସଂଗ୍ରାମ ଓ ତାଙ୍କର ସାଙ୍ଗଙ୍କ ମଧ୍ୟ୍ୟରେ କଥାବାର୍ତ୍ତା ବନ୍ଦ ରହିଥିଲା।

ତେବେ ଗତକାଲି ସଂଗ୍ରାମ ଏକ ଦୋକାନ ନିକଟରେ ବସିଥିବା ବେଳେ ତାଙ୍କର ସାଙ୍ଗ ଅମ୍ବୁରା ବେହେରା ଓ ଅମ୍ବୁରାଙ୍କ ବଡ ଭାଇ ସାଗର ବେହେରା ସଂଗ୍ରାମ ନିକଟରେ ପହଂଚି ଆମସହ କଣ ପାଇଁ କଥାବାର୍ତ୍ତା କରୁନାହିଁ ବୋଲି ସଂଗ୍ରାମକୁ ପଚାରିଥିଲେ। କ୍ରମେ ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟ୍ୟରେ ବଚସା ହୋଇଥିଲା। ଏଥିରେ ଅମ୍ବୁରା ଓ ସାଗର ଦୁଇ ଭାଇ ଉତ୍ୟକ୍ତ ହୋଇ ସଂଗ୍ରାମଙ୍କୁ ପଥରରେ ଆକ୍ରମଣ କରିଥିଲେ।

ସଂଗ୍ରାମଙ୍କୁ ଏଥିରୁ ବଂଚାଇବାକୁ ଯାଇ ତାଙ୍କ ବଡ ବାପା ଜୟ ବେହେରା ଗୁରୁତର ଆହତ ହୋଇଛନ୍ତି। ଜୟ ବେହେରାଙ୍କ ଛାତି ଓ ବେକରେ ଗଭୀର କ୍ଷତ ହୋଇଥିବା ବେଳେ ସଂଗ୍ରାମଙ୍କ ମଧ୍ୟ୍ୟ ମୁଖରେ ଗଭୀର କ୍ଷତି ହୋଇଛି। ଏ ନେଇ ଭୁଷଣ୍ଡପୁର ଫାଣ୍ଡିରେ ଅଭିଯୋଗ କରାଯାଇଥିବା ଜଣା ପଡିଛି। ବର୍ତ୍ତମାନ ଆହତଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Categories
ଆଞ୍ଚଳିକ

ବାଲୁଗାଁ: ଜାତୀୟ ରାଜପଥରେ ପାଟ୍ରୋଲିଂ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ହାଇୱେ ପାଟ୍ରୋଲିଂ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି।

ଘଟଣା ମୁତାବକ ଆଜି ଅପରାହ୍ନରେ ସୁବୁଦ୍ଧିପାଟଣା ଛକରେ ହାଇୱେ ପାଟ୍ରୋଲିଂ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସିପଡ଼ିଛି। ତେବେ ଦୁର୍ଘଟଣାର କାରଣ ଜଣାପଡିନଥିଲେ ସୁଦ୍ଧା ଗାଡିର ସମ୍ମୁଖ ଭାଗଟି କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡ଼ିଛି।

ଖବର ପାଇ ନାଭାଲ ଫାଣ୍ଡି ଅଧିକାରୀ ଗାଡ଼ିରୁ ଦୁଇ ଜଣ କର୍ମଚାରୀଙ୍କୁ ଗୁରୁତର ଭାବେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଛନ୍ତି। ଆହତ କର୍ମଚାରୀ ଦ୍ବୟ ହେଲେ ଏସପିଓ ବିଶ୍ୱରଞ୍ଜନ ନାୟକ ଏବଂ ଡ୍ରାଇଭର ଭାଗିରଥି ସେଠି।

ସୂଚନା ଥାଉକି ଗାଡ଼ିରେ ଉକ୍ତ ଦୁଇ ଜଣଙ୍କ ସମେତ ହୋମଗାର୍ଡ ବିଦ୍ୟାଧର ସେଠି ମଧ୍ୟ ଉପସ୍ଥିତ ଥିବା ବେଳେ ତାଙ୍କର କିଛି କ୍ଷତି ହୋଇନାହିଁ।

ତେବେ ପ୍ରାପ୍ତ ସୂଚନା ଅନୁଯାୟୀ, ଭୁବନେଶ୍ଵରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଗୋଟିଏ ବସ ଭ୍ୟାନଟିକୁ ଡାହାଣ ପାର୍ଶ୍ଵରୁ ଧକ୍କା ଦେଇଥିଲା। ଯାହାଫଳରେ ଭ୍ୟାନଟି ଭାରସାମ୍ୟ ହରାଇ ଗୋଟିଏ ଗଛରେ ଧକ୍କା ଦେଇଥିଲା। ବର୍ତ୍ତମାନ ଦୁର୍ଘଟଣା ଘଟାଇଥିବା ବସଟିକୁ ପୋଲିସ ଧରିବା ପାଇଁ ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଞ୍ଚଳିକ

ବାଲୁଗାଁ ରେଳ ଓଭରବ୍ରିଜ ଉପରେ କାର-ବାଇକ ମୁହାଁମୁହିଁ: ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଣପୁର-ବାଲୁଗାଁ ରେଳ ଓଭରବ୍ରିଜ ଉପରେ ଏକ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଫଳରେ ୨ ଜଣ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ ଆଜି ରାତ୍ର ୮ ଘଟିକା ସମୟରେ ବାଣପୁର ଆଡୁ ବାଲୁଗାଁ ଯାଉଥିବା ଏକ ହୁଣ୍ଡାଇ କାରଟି ରେଳ ଓଭରବ୍ରିଜ ଉପରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକରେ ଥିବା ୨ ଯୁବକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ବାଇକଟି ଭାଙ୍ଗିରୁଜି ଯାଇଛି।

ଖବର ପାଇ ବାଲୁଗାଁ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ କାର ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ନିକଟରେ ସଡ଼କ ଦୁର୍ଘଟଣା, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ଥାନା ଅନ୍ତର୍ଗତ ବ୍ରାହ୍ମଣକୋଷଡିହ ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଏକାଧିକ ଆହତ ହୋଇଛନ୍ତି।

ଖବର ମୁତାବକ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଏକ କୋରିଅର ପିକ ଭ୍ୟାନ ଯାଉଥିବା ବେଳେ ବ୍ରାହ୍ମଣକୋଷଡିହ ଛକରେ ଉକ୍ତ ଭ୍ୟାନଟିକୁ ପଛପଟୁ ଏକ ବୋଲେରୋଟି ଶକ୍ତ ଧକ୍କା ଦେଇଥିଲା। ବୋଲେରୋଟି ମଧ୍ୟ ସମାନ ଦିଗରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଫଳରେ ଉଭୟ ଗାଡ଼ି ଜାତୀୟ ରାଜପଥରେ ପଲଟି ଯାଇଥିଲା। ବୋଲେରୋ ମଧ୍ୟରେ ଛୋଟ ବଡ଼ ସମୁଦାୟ ୧୪ ଜଣ ବ୍ୟକ୍ତି ଥିବା ବେଳେ କୋରିଅର ଗାଡ଼ିରେ କେବଳ ଗାଡ଼ି ଚାଳକ ଉପସ୍ଥିତ ଥିଲେ।

ବର୍ତ୍ତମାନ ସମସ୍ତ ଆହତଙ୍କୁ ନିକଟସ୍ଥ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କାନାଡା: ସଡ଼କ ଦୁର୍ଘଟଣାରେ ୫ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ଦୁଇ ଗୁରୁତର

ନୂଆଦିଲ୍ଲୀ: ଶନିବାର ଦିନ କାନାଡାରେ ଏକ ସଡକ ଦୁର୍ଘଟଣାରେ ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଦୁଇଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ଯେ, ଏହି ଛାତ୍ରମାନେ ଯେଉଁ ଗାଡିରେ ଯାତ୍ରା କରୁଥିଲେ, ସେହି ଗାଡିଟି ଓଣ୍ଟାରିଓ ରାଜପଥରେ ଏକ ଟ୍ରାକ୍ଟର-ଟ୍ରେଲର ସହ ମୁହାଁମୁହିଁ ହୋଇଥିଲା। ଏହି ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା। କାନାଡାର ଭାରତୀୟ ହାଇ କମିଶନର ଅଜୟ ବିସାରିୟା ସୋମବାର ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ଏବଂ ପୀଡିତାର ବନ୍ଧୁମାନଙ୍କ ସହ ତାଙ୍କ ଟିମ୍ ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନାବାଳକ ମୃତ, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବାଳକ ପ୍ରାଣ ହରାଇଛନ୍ତି। ଖବର ମୁତାବକ ଆଜି ମଧ୍ୟାହ୍ନରେ ଘାସେଡିହ ଅଞ୍ଚଳରୁ ଶ୍ରୀତମ ନାୟକ (୧୭) ଏକ ବାଇକରେ ପିଙ୍କନ ନାୟକ (୧୪) ଏବଂ ବିଳାସ ନାୟକ (୧୫) ଙ୍କୁ ବସାଇ ବାଣପୁର ଅଭିମୁଖେ ଯାଉଥିଲେ। କିନ୍ତୁ ସାଲୁଣି ଛକ ମୋଡ଼ରେ ଭାରସାମ୍ୟ ହରାଇ ବାଇକଟିକୁ ଶ୍ରୀତମ ଏକ ଗଛରେ ପିଟିଦେଇଥିଲେ। ଫଳରେ ୩ ଜଣ ଯାକ ବାଇକରୁ ଛିଟିକି ତଳେ ପଡିଯାଇଥିଲେ।

ଖବର ପାଇ ସଙ୍ଗେସଙ୍ଗେ ସ୍ଥାନୀୟ ଲୋକମାନେ ଆହତଙ୍କୁ ବାଣପୁର ମେଡିକାଲକୁ ଆଣିଥିବା ବେଳେ ପିଙ୍କନଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ପିଙ୍କନ ଘାଷେଡିହ ଗ୍ରାମ ସଞ୍ଜୟ ନାୟକଙ୍କ ପୁତ୍ର ବୋଲି ଜଣାପଡିଛି। ଅନ୍ୟ ଦୁଇ ଆହତଙ୍କ ଅବସ୍ଥା ସଂକଟପନ୍ନ ଥିବା ବେଳେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ପିଙ୍କନଙ୍କ ମୃତ ଶରୀର ବାଣପୁର ମେଡିକାଲ ମଧ୍ୟରେ ପଡ଼ିରହିଥିବା ବେଳେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ଗଛକୁ ପିଟିଲା ଏସୟୁଭି କାର, ଦୁଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତରିତ

ସୀତାରାମ ଅଗ୍ରୱାଲ

ବାଣପୁର: ଗଛକୁ ଏସୟୁଭି କାର ପିଟି ଦୁଇ ଜଣ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବରଡ଼ି ଛକ ନିକଟରେ।

ସୂଚନା ମୁତାବକ ବାଣପୁର ବ୍ଲକ ଓଡଗାଁ ଗ୍ରାମର ଲକ୍ଷ୍ମଣ ପ୍ରଧାନଙ୍କ ପୁତ୍ର ପବିତ୍ର ପ୍ରଧାନ (୨୭) ଆଜି ପୂର୍ବାହ୍ନରେ ନିଜ ମହିନ୍ଦ୍ରା ଏସୟୁଭି-୫୦୦ ରେ ବାଲୁଗାଁରୁ ଓଡଗାଁ ଫେରୁଥିଲେ। ଉକ୍ତ ଗାଡ଼ିରେ ପବିତ୍ରଙ୍କ ସହଯୋଗୀ ତଥା ଓଡଗାଁ ଗ୍ରାମର ବିଦ୍ୟାଧର ସାହୁ (୫୦) ମଧ୍ୟ ଉପସ୍ଥିତ ଥିଲେ। ତେବେ ଅସାବଧାନତା ବଶତଃ ପବିତ୍ର ବରଡ଼ି ଛକ ନିକଟରେ ଏକ ଗଛକୁ ନିଜ ଗାଡିକୁ ପିଟିଦେଇଥିଲେ। ଯାହାଦ୍ୱାରା ଗାଡ଼ିରେ ଉପସ୍ଥିତ ଥିବା ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଗାଡିର ସମ୍ମୁଖ ପାର୍ଶ୍ଵ ସମ୍ପୂର୍ଣ ନଷ୍ଟ ହୋଇଯାଇଛି।

ତେବେ ସ୍ଥାନୀୟ ଅଞ୍ଚଳବାସୀ ଓ ପରିବାରବର୍ଗ ସଙ୍ଗେସଙ୍ଗେ ଖବର ପାଇ ଉଭୟଙ୍କୁ ବାଣପୁର ଡାକ୍ତରଖାନା ନେଇଥିବାବେଳେ ଉଭୟଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଥିବାର ଅନୁମାନ କରାଯାଉଛି। ଅନୁରୂପ ଭାବେ ଉଭୟଙ୍କ ଶରୀରରେ ଏକାଧିକ କ୍ଷତ ହୋଇଥିବାର ଜଣାପଡ଼ିଛି। ଡାକ୍ତର ଦୁଇ ଗୁରୁତରଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପଠାଇଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଶିମିଳିପାଳରେ ବାଇକ୍ ଦୁର୍ଘଟଣା: ଦୁଇ ଗୁରୁତର, ଜଣେ ଆହତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲ ଥାନା ଶିମିଳିପାଳରେ ବାଇକ୍ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର ଆହତ ହେବା ସହ ଆଉ ଜଣେ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି।

ଆଜି ଅପରାହ୍ନ ପ୍ରାୟ ୨ ଟା ସମୟରେ ରେଢ଼ାଖୋଲରୁ ନାକଚିଦେଉଳକୁ ବାଇକ୍ ରେ ଫେରୁଥିବା ବେଳେ ଶିମଳିପାଳ ଠାରେ ଭାରସାମ୍ୟ ହରାଇ ଲୁହା ବାରିକେଟ୍ ରେ ପିଟି ହୋଇ ତଳେ ପଡ଼ିଯାଇଥିଲେ। ଆହତମାନେ ହେଲେ ନାକଟିଦେଉଳ ଗ୍ରାମର ପପୁ କୁରେଶୀ (୩୭), ଶେହଜାଦ ଅଳ୍ଲି କୁରେଶୀ ( ୩୨) ଗୁରୁତର ଆହତ ଓ କାଦର ହାସନ (୨୫) ସାମାନ୍ୟ ଆହତ ହୋଇଅଛନ୍ତି।

ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରି ଥିଲେ। ପପୁ କୁରେଶୀ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ନାଭାଲ ଫାଣ୍ଡି ଅନ୍ତର୍ଗତ ସୁବୁଦ୍ଧି ପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନ ୪ ଟାରେ ଏକ ଘରୋଇ କାର( ଓ ଆର ୨୪ ବି ୫୨୯୩) ଯୋଗେ କଟକ ବଡ଼ ମେଡ଼ିକାଲରୁ ଚିକିତ୍ସିତ ହୋଇ ଜୟପୁର ଫେରୁଥିବା ବେଳେ ସୁବୁଦ୍ଧି ପାଟଣା ଛକ ନିକଟରେ ଅଚାନକ ଚଳନ୍ତା କାରର ପଛ ଚକା ଛିଣ୍ଡି ଯିବାରୁ ରାସ୍ତା ମଝିରେ ବାରମ୍ଵାର ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।

ସମ୍ପୃକ୍ତ କାରରେ ଡ୍ରାଇଭର ସମେତ ଦୁଇ ଜଣ ଯାତ୍ରା କରୁଥିଲେ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ଅନିଲ କୁମାର ପାତ୍ର ବୋଲି ଜଣାପଡିଛି।

ଖବର ପାଇ ବାଲୁଗାଁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ସମେତ ଗୁରୁତର ଆହାତ ଦ୍ଵୟଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସଂପୂକ୍ତ କାରକୁ ଜବତ କରିବା ସହ ମୃତକଙ୍କ ପରିବାରକୁ ଅବଗତ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କେହି ଆସିନଥିବା ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼ା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ସୋଲରି ଜାତୀୟ ରାଜପଥରେ ସିରିଜ ସଡ଼କ ଦୁର୍ଘଟଣା: ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ସୋଲରି ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ପ୍ରାଣଦେଇପୁର ଛକରେ ଏକ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଦୁଇ ଜଣ ଗୁରୁତର ଆହତ ହୋଇ ଚିକିତ୍ସତ ହେଉଛନ୍ତି।

ସଂଗୃହିତ ତଥ୍ୟ ମୁତାବକ ଦୁଇ ଦିନ ପୂର୍ବରୁ ରାଉରକେଲାରୁ ବାଣପୁର ଯାଉଥିବା ସରିଆ ବୋଝେଇ ଟ୍ରକଟି (ଓଡି-୧୪ବି ୧୩୮୩) ପ୍ରାଣଦେଇପୁର ଛକରେ ଖରାପ ହୋଇଯିବାରୁ ସେଠାରେ ଅଟକିଯାଇଥିଲା। ତେବେ ସଂଧ୍ୟାରେ ଟ୍ରକଟିକୁ ମରାମତି କରି ଟ୍ରକ ଚାଳକ ବାଣପୁର ଯିବା ଉଦ୍ଦେଶ୍ୟରେ ସୋଲରି ୧୬ ନମ୍ବର ଜାତୀୟ ରାଜପଥ ଜଗନ୍ନାଥ ରାଇସ ମିଲ ସମ୍ମୁଖରେ ଠିଆ କରିଥିଲେ। ଗତକାଲି ପାଖପାଖି ରାତ୍ରି ୮ ଘଟିକା ସମୟରେ ରାଉରକେଲାରୁ ଗୋପାଳପୁର ପୋର୍ଟ ଯାଉଥିବା ଏକ ଆଇରନ ବୋଝଇ ଟ୍ରକ (ଓଡି-୦୭ ଏଏ ୧୦୪୭) ପୂର୍ବରୁ ଠିଆ ହୋଇଥିବା ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଯାହାଫଳରେ ଟ୍ରକର ଆଗ ପାର୍ଶ୍ଵ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲାବେଳେ ଟ୍ରକ ହେଲ୍ପର ଚାପି ହୋଇ ରହିଯାଇଥିଲେ।

ତେବେ ଟ୍ରାଫିକ ଜାମ ହୋଇଯାଇଥିବାରୁ ସ୍ଥାନୀୟ ଜୀବନଦେଇପୁର ଗ୍ରାମର ଜଣେ ବାଇକ ଚାଳକ ( ଓଡି-୦୨ ଭି ୬୦୬୪) ବାଲୁଗାଁ ଆଡକୁ ଆସୁଥିବାବେଳେ ଭାରସାମ୍ୟ ହରାଇ ଅନ୍ୟ ଏକ ଡିଜେଲ ଲୋଡ଼ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ବାଇକଟି ଭାଙ୍ଗିଯିବା ସହ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ବାଲୁଗାଁ ପୋଲିସ ଘଟଣାସ୍ଥଳରେ ପହଁଚି ଉଭୟ ଗୁରୁତର ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ପୋଲିସ ସମସ୍ତ ଗାଡ଼ିଗୁଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜମିଜମା ବିବାଦକୁ ନେଇ ବାଣପୁରରେ ଖଣ୍ଡା ବୁଲିଲା: ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅନ୍ତରକିଆରୀ ଛକରେ ଦୁଇ ଜଣ ବ୍ୟକ୍ତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଦୁଇ ଜଣଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଅଛି।

ସୂଚନା ମୁତାବକ ଗତକାଲି ରାତି ପାଖାପାଖି ୧୦.୩୦ ସମୟରେ ବାଣପୁର  ଅନ୍ତରକିଆରୀ ଛକରେ ରହୁଥିବା ଶରତ ବଳିୟାରସିଂ ନିଜ  ଘରେ ଖାଇବସିଥିବାବେଳେ  ତାଙ୍କୁ  ଏକ ଅଜଣା ନମ୍ବରରୁ ଘରୁ ବାହାରକୁ ଆସିବାପାଇଁ  ଫୋନ ଆସିଥିଲା। ଶରତ ବାହାରକୁ ଆସିଲାପରେ ପୂର୍ବରୁ ଛପିକି ରହିଥିବା  ୮ ରୁ ୧୦ ଜଣ ଦୁର୍ବୃତ୍ତ ତାଙ୍କୁ ଖଣ୍ଡା ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଦ୍ୱାରା ସଂଘବଦ୍ଧ ଭାବେ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ, ପିଠି  ଏବଂ ଗୋଡ଼କୁ ଖଣ୍ଡାରେ ଚୋଟ ପକାଇଥିଲେ। ଏହା ଦେଖି ଶରତଙ୍କ ପରିବାରବର୍ଗ ଦୁର୍ବୃତ୍ତଙ୍କ କବଳରୁ ଛଡାଇବାକୁ ଚେଷ୍ଟା କରୁଥୁବାବେଳେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।

ଶରତଙ୍କ ପରିବାରବର୍ଗଙ୍କ ନିବେଦନକ୍ରମେ  ପରବର୍ତ୍ତୀ ସମୟରେ ଅନ୍ତରକିଆରୀ ଗ୍ରାମର ମିଟୁ ଦାସ ସହଯୋଗ ଉଦ୍ଦେଶ୍ୟରେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଁଚି ଶରତଙ୍କୁ ଚିକିତ୍ସା ପାଇଁ ବାଣପୁର ମେଡ଼ିକାଲକୁ ନେବାପାଇଁ ଉଦ୍ୟତ ହେଉଥିବାସ୍ଥଳେ ଦୁର୍ବୁତ୍ତ ମାନେ ତାଙ୍କୁ ମଧ୍ୟ ବିଭତ୍ସ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଯାହାଦ୍ୱାରା ମିଟୁଙ୍କ ମୁଣ୍ଡ, କାନ ଏବଂ ମୁହଁରେ ଗଭୀର ଆଘାତ ଲାଗିଛି। ସଙ୍ଗେ ସଙ୍ଗେ ଉଭୟଙ୍କୁ ଗ୍ରାମବାସୀ ମାନେ ଗୁରୁତର ଅବସ୍ଥାରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ଉଭୟଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି। ଅପରପକ୍ଷେ ଖବର ପାଇ ବାଣପୁର ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ସଦଳବଳେ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛନ୍ତି।

ତେବେ ପୋଲିସ ବର୍ତ୍ତମାନ ସୁଦ୍ଧା ଏ ସଂକ୍ରାନ୍ତରେ ତିନି ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ଜମିଜମା ବିବାଦକୁ ନେଇ ଏପରି ଘଟଣା ଘଟିଛି ବୋଲି  ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ଦୁଇ ଗୁରୁତର

 ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ଦୁଇ ଜଣ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ଆଜି ରାତି ୧୦ ଘଟିକା ସମୟରେ ବାଲୁଗାଁ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସମ୍ମୁଖରେ ଦ୍ରୁତଗତିରେ ଆସୁଥିବା ଦୁଇ ଗୋଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ଉଭୟ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। ଜଣଙ୍କର ଗ୍ରାମ ବାଲୁଗାଁ ବିଦ୍ୟାଧରପୁର ସାହି ହୋଇଥିବାସ୍ଥଳେ ଅନ୍ୟ ଜଣେ ମଠପାଟଣାର ବୋଲି ଜଣାପଡିଛି।

ତେବେ ଖବର ପାଇ ବାଲୁଗାଁ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନା ଘଟଣାସ୍ଥଳରେ ପହଁଚି ଉଭୟଙ୍କୁ ଉଦ୍ଧାରକରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।  ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିବା ପାଇଁ ପ୍ରକ୍ରିୟା ଜାରି ରହିଥିବାର ସୂଚନା ମିଳିଛି।