Categories
ଆଜିର ଖବର ଜାତୀୟ ଖବର

ବେଙ୍ଗାଲୁରୁ ଠାରେ ରାଜ୍ୟ କୃଷି ଏବଂ ଉଦ୍ୟାନ କୃଷି ମନ୍ତ୍ରୀମାନଙ୍କର ଦୁଇ ଦିନିଆ ସମ୍ମିଳନୀ ଉଦଯାପିତ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆୟୋଜିତ ରାଜ୍ୟ କୃଷି ଏବଂ ଉଦ୍ୟାନ କୃଷି ମନ୍ତ୍ରୀମାନଙ୍କର ଦୁଇ ଦିନିଆ ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ କର୍ଣ୍ଣାଟକ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀ ଅବସରରେ ବିଭିନ୍ନ ପ୍ରସଙ୍ଗ ଉପରେ ଏକାଧିକ ଅଧିବେଶନ ମାଧ୍ୟମରେ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା। ପ୍ରାକୃତିକ କୃଷି, ଡିଜିଟାଲ କୃଷି, ଫସଲ ବୀମା, କୃଷକ ଉତ୍ପାଦକ ସଂଗଠନ (ଏଫପିଓ)ଗୁଡ଼ିକୁ ପ୍ରୋତ୍ସାହନ ଏବଂ କୃଷି ଭିତ୍ତିଭୂମି ପାଣ୍ଠି ଭଳି କ୍ଷେତ୍ରରେ ଅଧିକ ଯୋଗଦାନ ଦେବା ଲାଗି ରାଜ୍ୟମାନେ ସହମତ ହୋଇଥିଲେ। ଦୀର୍ଘସ୍ଥାୟୀ କୃଷି ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ହାସଲ ନିମନ୍ତେ କୃଷି ଭିତ୍ତିଭୂମି ପାଣ୍ଠିର ଯୋଗଦାନ ବିଷୟରେ ମଧ୍ୟ ସମ୍ମିଳନୀରେ ଆଲୋଚନା ହୋଇଥିଲା। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ ସାବ୍ୟସ୍ତ ହେବ।

ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଥିଲେ ଯେ, କୃଷି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି। ତେବେ ନବୋନ୍ମେଷ ଏବଂ ଆଧୁନିକ ଜ୍ଞାନକୌଶଳ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।  ସେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟବଦ୍ଧ ହସ୍ତକ୍ଷେପ କାରଣରୁ ମହାମାରୀ କାଳରେ ଅନ୍ୟାନ୍ୟ କ୍ଷେତ୍ର ଅପେକ୍ଷା କୃଷି କ୍ଷେତ୍ର ସକାରାତ୍ମକ ପ୍ରଗତି ହାସଲ କରିଥିଲା। କୋଭିଡ ପ୍ରତିବନ୍ଧକରୁ କୃଷି କାର୍ଯ୍ୟକୁ କୋହଳ କରାଯାଇଥିଲା। କିସାନ ରେଳ ଚଳାଚଳ ଯୋଗୁ କୃଷି କ୍ଷେତ୍ର ଏବଂ ଚାଷୀ ଲାଭାନ୍ବିତ ହୋଇଥିବା କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ। ଭାରତ ସରକାରଙ୍କ ଯୋଜନା ଏବଂ ନୀତିକୁ ରାଜ୍ୟ ସରକାରଙ୍କ ସହଯୋଗରେ ଭଲ ଭାବେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ଡିଜିଟାଲ କୃଷି ମିଶନ, ଏଫପିଓକୁ ପ୍ରୋତ୍ସାହନ, ଇ-ନାମ ଜରିଆରେ କୃଷି ଉତ୍ପାଦ ବିପଣନ ପାଇଁ ଅଧିକ ବାଣିଜ୍ୟ ପ୍ରଣାଳୀ ବିକଶିତ କରିବା, ପିଏମ କିଷାନ ସମ୍ମାନ ନିଧିର ସଦୁପଯୋଗ, ଗ୍ରାମାଞ୍ଚଳରେ କୃଷି ଭିତ୍ତିଭୂମି ବିକାଶ ଲାଗି କୃଷି ଭିତ୍ତିଭୂମି ପାଣ୍ଠି ଉପଯୋଗ ଉପରେ କୃଷି ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଉଚ୍ଚ ମୂଲ୍ୟଯୁକ୍ତ ଫସଲର ଚାହିଦା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କ ଆୟ ବୃଦ୍ଧି ନିମନ୍ତେ ଫସଲ ବିବିଧକରଣ ଉପରେ ଗୁରୁତ୍ବାରୋପ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏଥିପ୍ରତି ଗୁରୁତ୍ବ ଦେବାକୁ କୃଷି ମନ୍ତ୍ରୀ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ, କର୍ଣ୍ଣାଟକ କୃଷି ମନ୍ତ୍ରୀ ଶ୍ରୀ ବି.ସି ପାଟିଲ ଉପସ୍ଥିତ ଥିଲେ।

ଏହି ଦୁଇଦିନିଆ ସମ୍ମିଳନୀ ଅବସରରେ ସାରା ଦେଶରେ କୃଷିର ସାମଗ୍ରିକ ବିକାଶ ନିମନ୍ତେ ରାଜ୍ୟ ଆଧାରିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଚାଷୀ ସମୁଦାୟଙ୍କ ଲାଭ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣିତ ସବୁ ଯୋଜନାର ସୁଗମ କାର୍ଯ୍ୟାନ୍ବୟନ ନିମନ୍ତେ ରାଜ୍ୟ କୃଷି ଓ ଉଦ୍ୟାନ କୃଷି ମନ୍ତ୍ରୀ ଏବଂ ବରିଷ୍ଠ କୃଷି ଅଧିକାରୀମାନଙ୍କ ସହିତ ଆଲୋଚନା କରାଯାଇଥିଲା। ଆସନ୍ତାବର୍ଷ ଅନ୍ତର୍ଜାତୀୟ ମିଲେଟ୍‌ (ପୋଷକ ଶସ୍ୟ) ବର୍ଷ -୨୦୨୩ ପାଳନ କରାଯିବାକୁ ଯାଉଥିବାରୁ ଏହି ପ୍ରସଙ୍ଗ ଉପରେ ସମ୍ମିଳନୀରେ ଆଲୋଚନା କରାଯାଉଥିଲା। ପୋଷକ ଶସ୍ୟର ଗୁରୁତ୍ବକୁ ଦୃଷ୍ଟିରେ ରଖି ଏହାର ଉତ୍ପାଦନ ବଢ଼ାଇବା ଲାଗି ରାଜ୍ୟମାନେ ସହମତ ହୋଇଥିଲେ। ପୋଷକ ଶସ୍ୟର ପ୍ରକ୍ରିୟାକରଣ, ମୂଲ୍ୟ ବୃଦ୍ଧି ଏବଂ ବିପଣନ ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ‘ଉତ୍ତମ ପ୍ରଶାସନ ବ୍ୟବସ୍ଥାର ପ୍ରତିଫଳନ’ ସମ୍ପର୍କିତ ଦୁଇ ଦିନିଆ ସମ୍ମିଳନୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି) ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଏକ ଆଞ୍ଚଳିକ ସମ୍ମିଳନୀ ଆୟୋଜିତ ହେବ। ଡିସେମ୍ବର ୩-୪ ତାରିଖ ଦୁଇ ଦିନ ଧରି ଅର୍ଦ୍ଧ-ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହେବାକୁ ଏହି ସମ୍ମିଳନୀର ବିଷୟବସ୍ତୁ ରଖାଯାଇଛି : “ଉତ୍ତମ ପ୍ରଶାସନ ବ୍ୟବସ୍ଥାର ପ୍ରତିଫଳନ”। ଏହି ସମ୍ମିଳନୀର ଉଦଯାପନୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ଉଦବୋଧନ ଦେବେ।

ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଡିଏଆରପିଜି ସଚିବ ସଞ୍ଜୟ ସିଂ ମଧ୍ୟ ଉଦଘାଟନୀ ଓ ଉଦଯାପନୀ ଅଧିବେଶନରେ ଉପସ୍ଥିତ ରହିବେ। ବିଭିନ୍ନ ଅଧିବେଶନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ନୀତି ଆୟୋଗ ଭଳି ପ୍ରତିଷ୍ଠାନର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଅଧିବେଶନରେ ଯୋଗ ଦେଇ ପରସ୍ପର ମଧ୍ୟରେ ବିଚାରବିମର୍ଶ କରିବେ।

ସାଧାରଣ ପ୍ରଶାସନ କ୍ଷେତ୍ରରେ ନବୋନ୍ମେଷ ଆଣିବା, ଜୀବନ ଧାରଣ ମାନରେ ସୁଧାର ଆଣିବା ଲାଗି ଭବିଷ୍ୟତର ଜନ ସମାଧାନ ପ୍ରକ୍ରିୟାରେ ସୁଧାର, ଇ-ଗଭର୍ଣ୍ଣାନ୍ସ, ଡିଜିଟାଲ ଗଭର୍ଣ୍ଣାନ୍ସ ଆଦି କ୍ଷେତ୍ରରେ ଅଭିଜ୍ଞତା ବିନିମୟ ପାଇଁ ଜାତୀୟ ଓ ରାଜ୍ୟ ସ୍ତରୀୟ ସାଧାରଣ ପ୍ରଶାସନ ସଂଗଠନଗୁଡ଼ିକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏହି ସମ୍ମିଳନୀରେ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ମଣିପୁର, ସିକିମ, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ ଆଦି ୧୪ ରାଜ୍ୟର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ।