Categories
ଆଜିର ଖବର ଜାତୀୟ ଖବର

ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ବିକାଶ ପାଇଁ ସଂଶୋଧିତ ଜାତୀୟ କାର୍ଯ୍ୟକ୍ରମକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ବିକାଶ ପାଇଁ ସଂଶୋଧିତ ଜାତୀୟ କାର୍ଯ୍ୟକ୍ରମ (ଏନପିଡିଡି)କୁ ମଞ୍ଜୁରି ମିଳିଛି।

ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଭାବେ ସଂଶୋଧିତ ଏନପିଡିଡିରେ ଅତିରିକ୍ତ ୧ହଜାର କୋଟି ଟଙ୍କାର ପୁଞ୍ଜି ମିଶାଇ ଏହାର ମୋଟ୍‌ ବଜେଟ୍‌ ପରିମାଣ ୨ହଜାର ୭୯୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ପଞ୍ଚଦଶ ଅର୍ଥ ଆୟୋଗ ଚକ୍ର ଅର୍ଥାତ୍‌ ୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ ଏହି ଅର୍ଥ ବିନିଯୋଗ କରାଯିବ। ଏହି ପଦକ୍ଷେପ ଦୁଗ୍ଧ ଉତ୍ପାଦନ ଭିତ୍ତିଭୂମିର ଆଧୁନିକୀକରଣ ଏବଂ ସମ୍ପ୍ରସାରଣ ଉପରେ ଧ୍ୟାନ ଦେଇଥାଏ, ଯାହା ଏହି କ୍ଷେତ୍ରର ନିରନ୍ତର ଅଭିବୃଦ୍ଧି ଏବଂ ଉତ୍ପାଦକତା ସୁନିଶ୍ଚିତ କରିଥାଏ।

ସଂଶୋଧିତ ଏନପିଡିଡି ଦୁଗ୍ଧ କ୍ରୟ, ପ୍ରକ୍ରିୟାକରଣ କ୍ଷମତା ଏବଂ ଉନ୍ନତ ମାନ ନିୟନ୍ତ୍ରଣ ପାଇଁ ଭିତ୍ତିଭୂମି ସୃଷ୍ଟି କରି ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବ। ଏହାର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ବଜାର ପର୍ଯ୍ୟନ୍ତ ଉନ୍ନତ ପହଞ୍ଚ ହାସଲ କରିବାରେ ସାହାଯ୍ୟ କରିବା, ମୂଲ୍ୟ ସଂଯୋଜନ ମାଧ୍ୟମରେ ଉନ୍ନତ ମୂଲ୍ୟ ନିର୍ଦ୍ଧାରଣ ସୁନିଶ୍ଚିତ କରିବା ଏବଂ ଯୋଗାଣ ଶୃଙ୍ଖଳାର ଦକ୍ଷତାରେ ଉନ୍ନତି ଆଣିବା, ଯାହାଦ୍ୱାରା ଅଧିକ ଆୟ ଓ ଗ୍ରାମୀଣ ବିକାଶ ହୋଇପାରିବ।

ଯୋଜନାରେ ଦୁଇଟି ପ୍ରମୁଖ ଉପାଦାନ ରହିଛି:

. ଉପାଦାନ କ :  ଏହି ଉପାଦାନ ଦୁଗ୍ଧ ଶୀତଳୀକରଣ କାରଖାନା, ଉନ୍ନତ ଦୁଗ୍ଧ ପରୀକ୍ଷଣ ପରୀକ୍ଷାଗାର ଏବଂ ପ୍ରମାଣିକରଣ ବ୍ୟବସ୍ଥା ପରି ଅତ୍ୟାବଶ୍ୟକ ଦୁଗ୍ଧ ଭିତ୍ତିଭୂମିର ଉନ୍ନତି ପାଇଁ ଉତ୍ସର୍ଗୀକୃତ। ଏହା ନୂତନ ଗ୍ରାମ ଦୁଗ୍ଧ ସମବାୟ ସମିତି ଗଠନକୁ ମଧ୍ୟ ସମର୍ଥନ କରେ ଏବଂ ଉତ୍ତର-ପୂର୍ବ ଅଞ୍ଚଳ (ଏନଇଆର), ପାର୍ବତ୍ୟାଞ୍ଚଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (ୟୁଟି), ବିଶେଷ କରି ଦୁର୍ଗମ ଏବଂ ପଛୁଆ ଅଞ୍ଚଳରେ ଦୁଗ୍ଧ କ୍ରୟ ଏବଂ ପ୍ରକ୍ରିୟାକରଣକୁ ମଜବୁତ କରିଥାଏ। ଏହାବ୍ୟତୀତ ଉତ୍ସର୍ଗୀକୃତ ଅନୁଦାନ ସହାୟତାରେ ୨ଟି ଦୁଗ୍ଧ ଉତ୍ପାଦକ କମ୍ପାନୀ (ଏମପିସି) ଗଠନ କରେ।

. ଉପାଦାନ ଖ: ‘‘ସମବାୟ ମାଧ୍ୟମରେ ଦୁଗ୍ଧ ଉତ୍ପାଦନ (ଡିଟିସି)’’ ନାମରେ ପରିଚିତ ଏହି ଉପାଦାନରେ ସ୍ୱାକ୍ଷରିତ ରାଜିନାମା ଅନୁଯାୟୀ ଜାପାନ ସରକାର ଏବଂ ଜାପାନ ଅନ୍ତର୍ଜାତୀୟ ସହଯୋଗ ଏଜେନ୍ସି (ଜାଇକା) ସହିତ ସହଯୋଗ ମାଧ୍ୟମରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ବିକାଶକୁ ପ୍ରୋତ୍ସାହନ ଜାରି ରଖିବ। ଏହି ଉପାଦାନ ଦୁଗ୍ଧ ସମବାୟ ସମିତିର ନିରନ୍ତର ବିକାଶ, ନଅଟି ରାଜ୍ୟ (ଆନ୍ଧ୍ର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ତେଲଙ୍ଗାନା, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ) ରେ ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ବିପଣନ ଭିତ୍ତିଭୂମିରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦେଇଥାଏ।

ଏନପିଡିଡିର କାର୍ଯ୍ୟକାରିତା ପୂର୍ବରୁ ଆରମ୍ଭ ହୋଇସାରିଛି। ଏହା ୧୮ ଲକ୍ଷ ୭୪ ହଜାର ଚାଷୀଙ୍କୁ ଲାଭ ପହଞ୍ଚାଉଛି। ଏହା ୩୦ ହଜାରରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିଛି ଏବଂ ଦୈନିକ ଅତିରିକ୍ତ ୧୦୦.୯୫ ଲକ୍ଷ ଲିଟର ଦୁଗ୍ଧ କ୍ରୟ କ୍ଷମତା ବୃଦ୍ଧି କରିଛି। ଉନ୍ନତ ଦୁଗ୍ଧ ପରୀକ୍ଷଣ ଏବଂ ଗୁଣବତ୍ତା ନିୟନ୍ତ୍ରଣ ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବାରେ ମଧ୍ୟ ଏନପିଡିଡି ସହାୟତା କରିଛି। ୫୧ ହଜାର ୭୭୭ରୁ ଅଧିକ ଗ୍ରାମ ସ୍ତରୀୟ ଦୁଗ୍ଧ ପରୀକ୍ଷଣ ପରୀକ୍ଷାଗାରକୁ ସୁଦୃଢ଼ କରାଯାଇଛି। ଅନ୍ୟପକ୍ଷରେ ୧୨୩.୩୩ ଲକ୍ଷ ଲିଟରର ମିଳିତ କ୍ଷମତା ସହିତ ୫,୧୨୩ ବଡ଼ ଦୁଗ୍ଧ କୁଲର୍ ସ୍ଥାପନ କରାଯାଇଛି। ଏହାବ୍ୟତୀତ, ୧୬୯ଟି ପରୀକ୍ଷାଗାରକୁ ଫୁରିୟର ଟ୍ରାନ୍ସଫର୍ମ ଇନ୍ଫ୍ରାରେଡ (ଏଫଟିଆଇଆର) ଦୁଗ୍ଧ ବିଶ୍ଳେଷକ ଦ୍ୱାରା ଉନ୍ନତ କରାଯାଇଛି ଏବଂ ୨୩୨ଟି ଦୁଗ୍ଧ କାରଖାନାରେ ଏବେ ଅପମିଶ୍ରଣ ଚିହ୍ନଟ କରିବା ପାଇଁ ଉନ୍ନତ ବ୍ୟବସ୍ଥା ରହିଛି।

ସଂଶୋଧିତ ଏନପିଡିଡି ଦ୍ୱାରା ଦେଶର ଉତ୍ତର-ପୂର୍ବାଞ୍ଚଳରେ ୧୦ ହଜାର ନୂତନ ଦୁଗ୍ଧ ସମବାୟ ସମିତି ପ୍ରତିଷ୍ଠା ହୋଇଛି । ଏହାସହିତ ଏନପିଡିଡିର କାର୍ଯ୍ୟକ୍ଷମ ପ୍ରକଳ୍ପଗୁଡ଼ିକ ବ୍ୟତୀତ ଉତ୍ସର୍ଗୀକୃତ ଅନୁଦାନ ସହାୟତା ସହିତ ୨ଟି ଦୁଗ୍ଧ ଉତ୍ପାଦକ କମ୍ପାନୀ (ଏମପିସି) ଗଠନ ହେବାର ଆଶା କରାଯାଉଛି, ଯାହାଦ୍ୱାରା ଅତିରିକ୍ତ ୩.୨ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବିଶେଷ କରି ଏହା ମହିଳାମାନଙ୍କୁ ଉପକୃତ କରିବ, ଯେଉଁମାନେ ଦୁଗ୍ଧ କାର୍ଯ୍ୟବଳର ୭୦ ପ୍ରତିଶତ ଗଠନ କରିଥାନ୍ତି।

ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ବିକାଶ ପାଇଁ ସଂଶୋଧିତ ଜାତୀୟ କାର୍ଯ୍ୟକ୍ରମ ଦ୍ୱିତୀୟ ପର୍ଯ୍ୟାୟ ଶ୍ୱେତ ବିପ୍ଳବ ସହିତ ତାଳ ଦେଇ ଭାରତର ଆଧୁନିକ ଭିତ୍ତିଭୂମିରେ ପରିବର୍ତ୍ତନ ଆଣିବ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ଓ ଗୁଣାତ୍ମକ ପରୀକ୍ଷଣ ପରୀକ୍ଷାଗାର ପ୍ରଦାନ କରି ନବଗଠିତ ସମବାୟ ସମିତିକୁ ଅଧିକ ସହାୟତା କରିବ। ଏହି କାର୍ଯ୍ୟକ୍ରମ ଗ୍ରାମୀଣ ଜୀବିକା ନିର୍ବାହରେ ଉନ୍ନତି ଆଣିବ, ନିଯୁକ୍ତି ସୃଷ୍ଟି କରିବ ଏବଂ ଏକ ଶକ୍ତିଶାଳୀ, ଅଧିକ ନମନୀୟ ଦୁଗ୍ଧ ଶିଳ୍ପ ନିର୍ମାଣ କରିବାରେ ସାହାଯ୍ୟ କରିବ ଯାହା ସାରା ଦେଶର ଲକ୍ଷ ଲକ୍ଷ କୃଷକ ଓ ଏହି କ୍ଷେତ୍ରର ଅଂଶୀଦାରମାନଙ୍କୁ ଉପକୃତ କରିବ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ମିଳିବ ରିହାତି: ପଶୁ ଚିକିତ୍ସା ହେବ ଦେୟମୁକ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗାଈ, ମଇଁଷି କିମ୍ବା କୁକୁଡା ଫାର୍ମ କଲେ 1 କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। କେବଳ ସେତିକି ନୁହେଁ, ଚଳିତ ମାସ 1 ତାରିଖରୁ ପଶୁ ଚିକିତ୍ସା ପାଇଁ ଏଣିକି କୌଣସି ଦେୟ ଦେବାକୁ ପଡିବ ନାହିଁ ବୋଲି କହିଛନ୍ତି ମତ୍ସ ପ୍ରାଣିସଂପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନ କକ୍ଷରେ ଆୟୋଜିତ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ଓମଫେଡ୍ ପକ୍ଷରୁ ଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହି କଥା କହିଛନ୍ତି। ଓମଫେଡ୍ ହେଉଛି ରାଜ୍ୟ ସରକାରଙ୍କ ପରିଚାଳନାଧିନ ଏକ ସମବାୟ ସଂସ୍ଥା। ଏହା 1980 ମସିହାରେ ଗଠିତ ହୋଇଥିଲା। ଦୀର୍ଘ 45 ବର୍ଷ ହେଲା ଏହି ସଂସ୍ଥା ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କୁ ଲାଭ ଦେଇ ଆସିଛି। ତାଙ୍କର ଭଲମନ୍ଦ, ସୁଖଦୁଃରେ ଠିଆ ହୋଇଛି। ଆଜିର ଦିନରେ ସମଗ୍ର ରାଜ୍ୟରେ ମୋଟ 4 ହାଜର 5ଟି ସମବାୟ ସମିତି ଗଠନ ହୋଇଛି। ଏଥିରେ 3 ଲକ୍ଷ 32 ହାଜର 107 ସଦସ୍ୟ ପ୍ରତ୍ୟକ୍ଷ ଭାବେ ଜଡିତ ରହିଛନ୍ତି। ପରୋକ୍ଷରେ ଦେଖିବାକୁ ଗଲେ, ବିକ୍ରେତା, କର୍ମଚାରୀ, ଡିଷ୍ଟ୍ରିବ୍ୟୁଟର, ଘରୋଇ ଡ୍ରାଇଭର ଶହ ଶହ ଗାଡିର ମାଲିକ ଆଦି ଆହୁରି ଦୁଇ ଲକ୍ଷରୁ ଅଧିକ ପରିବାର ଜଡିତ ଅଛନ୍ତି। ଏହା ଏକ ବିଶାଳ ସଂସ୍ଥା ଭାବେ ରାଜ୍ୟରେ ଠିଆ ହୋଇଛି ଏବଂ ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇ ଆସୁଛି । ଏବେ ରାଜ୍ୟରେ 13ଟି ଡେରୀ ପ୍ଲାଣ୍ଟ ରହିଥିବା ବେଳେ 397ଟି ଚିଲ୍ଲିଙ୍ଗ ପ୍ଲାଣ୍ଟ ବା ବଲ୍କ ମିଲ୍କ ଚିଲିଙ୍ଗ ପ୍ଲାଣ୍ଟ ରହିଛି।

ରାଜ୍ୟ ସରକାର ସେ ଏହି ସଂସ୍ଥାକୁ ଆଗକୁ ନେବା ପାଇଁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଛନ୍ତି। ଖାଲି ଉଦ୍ୟମ ନୁହେଁ, ଏଥିପାଇଁ ଆର୍ଥିକ ସହାୟତା ମଧ୍ୟ ଦେଇଛନ୍ତି। ଚଳିତ ବଜେଟରେ ଓମଫେଡ୍ ପାଇଁ 65 କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। କାମଧେନୁ ଯୋଜନାରେ ମଧ୍ୟ ଓମଫେଡକୁ ସାମିଲ କରିଛନ୍ତି। ଦୁଗ୍ଧ ଉତ୍ପାଦନର ତିରୋଟ ସମୟରେ ଚାଷୀମାନଙ୍କୁ ଲିଟର ପିଛା  5 ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ସହାୟତା ପ୍ରଦାନ ପାଇଁ ସ୍ୱୀକୃତି ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ଚାଷୀଭାଇମାନଙ୍କୁ ଦୁଗ୍ଧର ଗୁଣବତ୍ତା ମାପିବା ପାଇଁ ଅତ୍ୟାଧୁନିକ ଯନ୍ତ୍ର କ୍ରୟ ବାବଦରେ ଜିଲ୍ଲାପାଳ 45 ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। ଗଞ୍ଜାମ-ଗଜପତି ଜିଲ୍ଲାର ଓମଫେଡ୍ ଦୁଗ୍ଧ ଚାଷୀମାନଙ୍କୁ ଦୁଗ୍ଧ ବିଲ୍ ବାବଦକୁ ବିଭାଗୀୟ ମନ୍ତ୍ରୀ 68 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା  କାର୍ଯ୍ୟକାରୀ ହେବା ଆମ ସରକାରର ଏକ ଯୁଗାନ୍ତକାରୀ ପଦକ୍ଷେପ। ବିକଶିତ ଓଡିଶାର ଭିତ୍ତି ପ୍ରସ୍ତର ସ୍ଥାପନ ହେବ ଏହି କାମଧେନୁ ଯୋଜନା। କାରଣ ଚାଷୀର ବିକାଶ ହେଲେ, ରାଜ୍ୟ ବିକଶିତ ହେବ। ଏଣୁ ସରକାର ଚାଷୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ତା ମଧ୍ୟରେ ଏହି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ୟତମ। ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବ। ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଆମ ରାଜ୍ୟ ସ୍ୱାବଲମ୍ବି ହେବା ସହ ଚାଷୀମାନଙ୍କର ଆର୍ଥିକ ମାନଦଣ୍ଡ ସୁଦୃଢ ହେବ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ଦ୍ୱାରା ଗୋପାଳକଙ୍କ ପାଇଁ ଏକାଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।

  • ଗୋପାଳନ, ମଇଁଷ ପାଳନ, ଗାଈ ମିଇଁଷିଙ୍କ ବୀମାକରଣ, ମାଈ ବାଛୁରୀ ପାଳନ ଏବଂ ଘାସ ଚାଷ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି ।
  • ଗୋପାଳନ ଓ ମଇଁଷି ପାଳନ ପାଇଁ 60ରୁ 70 ପ୍ରତିଶତ ରିହାତି ଦିଆଯାଉଛି ।
  • ଗାଈ ମଇଁଷିଙ୍କ ବୀମାକରମ ପାଇଁ 85 ପ୍ରତିଶତ ରିହାତି ଦିଆଯାଉଛି ।
  • ଅଭାବୀ ସମୟରେ ଓମ୍ଫେଡ୍, ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ଅତିରିକ୍ତ 5 ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିବ । ଏହା ଦ୍ୱାରା ଯେଉଁ ଦୁଗ୍ଧଚାଷୀମାନେ ସମବାୟ ସମିତି ଜରିଆରେ ଓମ୍ଫେଡକୁ ନିୟମତ କ୍ଷୀର ଦେଉଥିବେ ଏବଂ ଦୁଗ୍ଧର ସର୍ବନିମ୍ନ ଗୁଣବତ୍ତା ମାନକ ରକ୍ଷାକରୁଥିବେ, ସେମାନେ ଏହି ଅତିରିକ୍ତ ଅର୍ଥ ପାଇପାରିବେ । ଏହି ଅର୍ଥ ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ ।
  • ଘାସ ଚାଷ ପାଇଁ ବାର୍ଷିକ 2 ଲକ୍ଷ ମିନ୍ କିଟ୍ ବିନା ଦେୟରେ ପ୍ରଦାନ କରାଯାଇଛି ।
  • ଘାସଚାଷ ଉଦ୍ୟୋଗ ପାଇଁ ଏକର ପ୍ରତି 3 ବର୍ଷରେ 35 ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି।

ଏହାର ଲାଭ ଚାଷୀମାନେ ଉଠାଇବା ଦରକାର । ଗଞ୍ଜାମ ଜିଲ୍ଲାରେ କ୍ଷୀର ଘୋର ଅଭାବ ରହିଛି । ଅନ୍ୟ ଜିଲ୍ଲାରୁ ଦୁଗ୍ଧ ଆସୁଛି ଗଞ୍ଜାମ ଜିଲ୍ଲାକୁ । କେବଳ ସେତିକି ନୁହେଁ, ଖାସ୍ ଗଞ୍ଜାମ ଜିଲ୍ଲାର ଚାଷୀଙ୍କୁ ପୁନଃ ସଂଗଠିତ କରିବା ପାଇଁ ଓମ୍ଫେଡ୍ ପକ୍ଷରୁ ବିଭିନ୍ନ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଛି । ଏବେ ଗଞ୍ଜାମ ଜିଲ୍ଲାରେ 127ଟି ସମବାୟ ସମିତି କାର୍ଯ୍ୟକ୍ଷମ ରହିଥିବା ବେଳେ 60ରୁ ଅଧିକ ସମବାୟ ସମିତି ଅଚଳ ହୋଇଯାଇଛି । ସେଗୁଡିକୁ ପୁନଃ ସଂଗଠିତ କରିବା ସହ ଆହୁରି ନୂଆ ସମବାୟ ସମିତି ଗଠନ କରିବାକୁ ନିଷ୍ପତ୍ତି ହୋଇଛି । ଜିଲ୍ଲାର 22ଟି ବ୍ଲକରୁ 20ଟିରେ 127ଟି ସମବାୟ ସମିତି ରହିଛି । ଏଥିରେ ମୋଟ 148ଟି ଗ୍ରାମ ପଞ୍ଚାୟତରୁ ଓମ୍ଫେଡ୍ ଦୁଗ୍ଧ ସଂଗ୍ରହ କରୁଛି । ଏବେ ଜିଲ୍ଲାରେ ଦୈନିକ ପ୍ରାୟ 40 ହଜାର ଲିଟର ଦୁଗ୍ଧର ଆବଶ୍ୟକତା ରହିଥିବା ବେଳେ ଉତ୍ପାଦନ ହେଉଛି ମାତ୍ର 7ରୁ 8 ହଜାର ଲିଟର । ଅବଶିଷ୍ଟ ଦୁଗ୍ଧ ଆସୁଛି ଅନ୍ୟ ଜିଲ୍ଲାରୁ  ।

ବ୍ରହ୍ମପୁରରେ ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ର ରହିଛି । ଦୈନିକ 50 ହଜାର ଲିଟର ଦୁଗ୍ଧ ପ୍ରକ୍ରିୟାକରଣ ହେବାର କ୍ଷମତା ମଧ୍ୟ ରହିଛି । ଦୁଗ୍ଧଜାତ ପଦାର୍ଥ ଯଥା-ଖଟା ଓ ମିଠା ଦହି, ଖୁଆ, ପନୀର, ଛେନାପୋଡ, ଘୋଳ ଦହି, ଫ୍ଲେଭର ମିଲ୍କ ଆଦି ଉତ୍ପାଦନ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟ ରହିଛି । ମାତ୍ର ଆବଶ୍ୟକ ପରିମାଣର ଦୁଗ୍ଧ ଉତ୍ପାଦନ ହୋଇପାରୁ ନାହିଁ । ଚାଷୀମାନଙ୍କୁ ସକ୍ରିୟ କରିବା ପାଇଁ ସରକାର ସବୁ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି । ଚାଷୀମାନେ ଏଥିପାଇଁ ଆଗେଇ ଆସିବା ଦରକାର ବୋଲି କହିଛନ୍ତି ମାନ୍ୟବର ମତ୍ସ୍ୟ ଓ ପ୍ରାଣିସଂପଦ ମନ୍ତ୍ରୀ । ଯୁବଗୋଷ୍ଠୀ ଚାକିରୀ ପଛରେ ନଯାଇ ଚାଷ ପ୍ରତି ମନ ବଳାଇବାର ସମୟ ଆସିଯାଇଛି । ଗୋପାଳନ, ଘାସ ଚାଷ ଆଦି କରି ଉଭୟ ବାଣିଜ୍ୟ ଓ ଚାଷକୁ ଆପଣେଇ ନେବା ଉଚିତ୍ । ବିକଶିତ ଓଡିଶାର ସ୍ୱପ୍ନ ସେତେବେଳେ ସାକାର ହେବ, ଯେତେବେଳେ ଶିକ୍ଷିତ ଯୁବକ ଯୁବତୀମାନେ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗୋ-ମଇଁଷି ଫାର୍ମ ପାଇଁ  1 କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି । ତେଣୁ ଯୁବଗୋଷ୍ଠୀ ଚାଷ କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ । ଏଣିକି ପଶୁମାନଙ୍କୁ ମାଗଣାରେ ଚିକିତ୍ସା କରାଯିବ ବୋଲି ଘୋଷଣା କରିଛନ୍ତି ।

ଖାସ୍ କରି ଗଞ୍ଜାମ ଜିଲ୍ଲାରେ ଆଗାମୀ ତିନି ବର୍ଷ ମଧ୍ୟରେ ଅତିରିକ୍ତ 157ଟି ସମବାୟ ସମିତି ଗଠନ କରିବାକୁ ଲକ୍ଷ୍ୟ ରଖିଛୁ । ଏଥିରେ ପ୍ରାୟ 6 ହଜାର ଚାଷୀ ରହିବେ । ଏଥିରେ 2 ହଜାରର 355 ଜଣ ସଦସ୍ୟ ରହିବେ । ଦୁଗ୍ଧ ଉତ୍ପାଦନ ଦୈନିକ 15 ହଜାର ଲିଟରକୁ ବୃଦ୍ଧି କରିବା ପାଇଁ ଯୋଜନା କରାଯାଇଛି । ଉଭୟ ପ୍ରାଣୀ ସଂପଦ ଓ ଓମ୍ଫେଡ୍ ପକ୍ଷରୁ ବିଭିନ୍ନ ସୁବିଧା ଓ ସହାୟତା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ଗୋପାଳନକୁ ପ୍ରୋତ୍ସାହିତ କରିବା ସହ ତାର ଆନୁସଂଗୀକ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓମ୍ଫେଡକୁ 65 କୋଟି ଟଙ୍କା ଦିଆଯାଇଛି । ବନ୍ଦ ହୋଇପଡିଥିବା 60ଟି ସମବାୟ ସମିତିଗୁଡିକୁ ପୁନଃଗଠନ ସହ ନୂଆ ସମବାୟ ସମିତି ଗଠନ କରାଯିବ । ଏହା ଦ୍ୱାରା ଦୁଗ୍ଧ ଉତ୍ପାଦନ କ୍ଷମତା 8 ହଜାର ଲିଟରରୁ 15 ହଜାର ଲିଟରକୁ ବୃଦ୍ଧି ପାଇବ । ଚାଷୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ ।

ଗୁଜୁରାଟର ଆନନ୍ଦ ପ୍ରଣାଳୀରେ ଦୁଗ୍ଧଚାଷୀମାନଙ୍କଠାରୁ ସଂଗୃହୀତ ଦୁଗ୍ଧର ମାନ ପରୀକ୍ଷା କରିବା ଏବଂ ଦୁଗ୍ଧ ବିଲ୍ ବ୍ୟାଙ୍କ ଜରିଆରେ ପଇଠ କରିବାକୁ ପ୍ରଥମ ପର୍ଯ୍ୟାୟରେ 60 ଗୋଟି ଅତ୍ୟାଧୁନିକ ଦୁଗ୍ଧ ପରୀକ୍ଷା ଯନ୍ତ୍ର ପ୍ରଦାନ କରାଯାଇଛି । ସେହି ପରି 53 ଜଣ ଚାଷୀଙ୍କୁ  କାର୍ଯ୍ୟ ଆଗେଇ ନେବା ପତ୍ର (Go Ahead Letter) । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ 3 ଟି ସୋସାଇଟକୁ 70 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଥିବା ବେଳେ 17ଟି ସୋସାଇଟକୁ ପୁନଃ ଗଠନ ପାଇଁ 68 ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ମତ୍ସ୍ୟ, ପ୍ରାଣିସଂପଦ ବିକାଶ ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମାନ୍ୟବର ବିଧାୟକ, ଚିକିଟି ମନୋରଂଜନ ଦ୍ୟାନ ସାମନ୍ତରାୟ, ମାନ୍ୟବର ବିଧାୟକ, ବ୍ରହ୍ମପୁର କେ. ଅନୀଲ କୁମାର, କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ,  ବ୍ରହ୍ମପୁର ମହାନର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଓମଫେଡର ସଭାପତି କିଶୋରଚନ୍ଦ୍ର ପ୍ରଧାନୀ, ଓମ୍ ଫେଡର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ମଂଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓମଫେଡର ଜେନେରାଲ ମ୍ୟାନେଜର(ଫାଇନାନ୍ସ) ସୁରେଶ କୁମାର ଅଲଟିଆ, ଡେପୁଟି ଜେନେରାଲ ମ୍ୟାନେଜର (ମାନବସମ୍ବଳ)ଜୟକୃଷ୍ଣ ପଟ୍ଟନାୟକ, ଡେପୁଟି ଜେନେରାଲ ମ୍ୟାନେଜର ବିଶ୍ୱରଂଜନ ତ୍ରିପାଠୀ, ନିତ୍ୟାନନ୍ଦ ମିଶ୍ର, ପ୍ରାଣିସଂପଦ ବିଭାଗ ଉପନିର୍ଦ୍ଦେଶକ ମଦନମୋହନ ମହାପାତ୍ର, ବ୍ରହ୍ମପୁର ପ୍ଲାଣ୍ଟ ପରିଚାଳକ ହେମନ୍ତ କୁମାର ଓଝାଙ୍କ ସହ ଟିମ୍ ଓମଫେଡ୍ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶହ ଶହ ଚାଷୀ ଭାଇ ଭଉଣୀମାନେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦୁଗ୍ଧ ଉତ୍ପାଦନ ଓ ସଂଗ୍ରହ ଉପରେ ଓମ୍ଫେଡ୍ ର ଗୁରୁତ୍ୱ

ଭୁବନେଶ୍ୱର: ଦୁଗ୍ଧ ଉତ୍ପାଦନ ଓ ସଂଗ୍ରହ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଓମ୍ଫେଡ୍ ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ। ରାଜ୍ୟରେ ଅଧିକ ଦୁଗ୍ଧ ଚାଷୀ ସୃଷ୍ଟି କରିବା ସହ ଦୁଗ୍ଧ ସଂଗ୍ରହ ବୃଦ୍ଧି କରିବା ଦରକାର। ଏଥିପାଇଁ ତୃଣମୂଳସ୍ତରରୁ ଯୋଜନା ପ୍ରସ୍ତୁତ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଆଜି କଟକ ମିଲ୍କ ୟୁନିୟନ ମୁଖ୍ୟ କାର୍ଯ୍ୟାଳୟଠାରେ ସମସ୍ତ ୟୁନିଟ୍ ଇନ୍-ଚାର୍ଯ୍ୟ ଓ ସୁପରଭାଇଜରଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦୁଗ୍ଧ ସଂଗ୍ରହ ପାଇଁ ପ୍ରତ୍ୟେକ ୟୁନିଟ୍ ତୃଣମୂଳସ୍ତରରୁ କେମିତି ଯୋଜନା ପ୍ରସ୍ତୁତ କରିବେ, ସେ ସଂପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ସହ ଘାସ ଚାଷ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ଗାଈମାନେ ଉପଯୁକ୍ତ ଗୋ ଖାଦ୍ୟ ପାଇଲେ, ଦୁଗ୍ଧ ଉତ୍ପାଦନ କିଛି ମାତ୍ରାରେ ବୃଦ୍ଧି ପାଇବ ବୋଲି ସେ ମତଦେଇଥିଲେ।

କ୍ଷୀରଧାରା କେନ୍ଦ୍ର ଖୋଲିବା ପାଇଁ ମଧ୍ୟ ଓମ୍ଫେଡ୍ ପକ୍ଷରୁ ପଦକ୍ଷେପ ନିଆଯାଉଛି। ବିଭିନ୍ନ ପଞ୍ଚାୟତରେ କ୍ଷୀର ଧାରା କେନ୍ଦ୍ର ସୃଷ୍ଟି କରାଗଲେ, ଦୁଗ୍ଧ ସଂଗ୍ରହ ଓ ବିକ୍ରି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ତୃଣମୂଳ ସ୍ତରରେ ଚାଷୀମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେବାକୁ ସେ ନିର୍ଦେଶ ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟରେ ଦୁଗ୍ଧ ଚାଷୀ ସଂଖ୍ୟା ବୃଦ୍ଧି ପାଇବା ସହ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବ।

କେବଳ ସେତିକି ନୁହେଁ, ମାଈ ବାଛୁରୀ ପ୍ରଜନନ ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରାଯାଉଛି। ମାଈ ବାଛୁରୀ ପ୍ରଜନନ ଏବଂ ସେମାନଙ୍କର ରକ୍ଷଣାବେକ୍ଷଣ ପାଇଁ ଓମ୍ଫେଡ ପକ୍ଷରୁ ଚାଷୀମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଛି। ସେହି ସୁବିଧାଗୁଡିକ ଯେପରି ପ୍ରତ୍ୟେକ ଚାଷୀଙ୍କ ନିକଟରେ ପହଞ୍ଚିବ ସେଥିପ୍ରତି ମଧ୍ୟ ସମସ୍ତେ କାମ କରିବା ଦରକାର। ମାଈ ବାଛୁରୀ ସଂଖ୍ୟା ବୃଦ୍ଧି ପାଇଲେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବ। ସେଥିପାଇଁ ଓମ୍ଫେଡ୍ ପକ୍ଷରୁ ରିହାତି ଦରରେ ଗୋଖାଦ୍ୟ, ଔଷଧ, ଚିକିତ୍ସା ସୁବିଧା ଆଦି ପ୍ରଦାନ କରାଯାଉଛି। ଓମ୍ଫେଡ୍ ଉତ୍ପାଦର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସେହି ଅନୁସାରେ ଦୁଗ୍ଧ ଉତ୍ପାଦନ ଓ ସଂଗ୍ରହ ଉପରେ ମଧ୍ୟ ଓମ୍ଫେଡ୍ ଗୁରୁତ୍ୱାରୋପ କରୁଛି। ଏହା ଦ୍ୱାରା ଅଧିକ ଚାଷୀ ସୃଷ୍ଟି ହୋଇପାରିବେ ଏବଂ ବର୍ଷସାରା ସେମାନେ ରୋଜଗାର ପାଇବେ। ଫଳରେ ରାଜ୍ୟର ଆର୍ଥିକ ବିକାଶ ଘଟିବା ସହ ଶିକ୍ଷିତ ବେକାରମାନେ ଆତ୍ମ ନିଯୁକ୍ତି ପାଇପାରିବେ ବୋଲି କରିଛନ୍ତି ଓମ୍ଫେଡ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ।

ଅନ୍ୟମାନଙ୍କ ମଧ୍ୟରେ ଓମ୍ଫେଡ୍ ର ବୈଷୟିକ ପରାମର୍ଶଦାତା ତଥା କଟକ ମିଲ୍କ ୟୁନିୟନର ଜେନେରାଲ ମ୍ୟାନେଜର ଡକ୍ଟର ଦିଗମ୍ବର ନାୟକ, ସମସ୍ତ ୟୁନିଟ୍ ଇନ-ଚାର୍ଯ୍ୟ, ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’, ୧୪୨୩ କୋଟି ଟଙ୍କା ବ୍ୟୟ ଅଟକଳ

ଭୁବନେଶ୍ବର: ଭାରତର ଖାଦ୍ୟ ନିରାପତ୍ତା, ଗ୍ରାମୀଣ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ପଶୁପାଳନ ଏବଂ ଗୋପାଳନ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଭାରତ ସରକାରଙ୍କ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ପକ୍ଷରୁ ଆୟୋଜିତ ମୌସୁମୀ ବୈଠକ (Monsoon Meet) କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଆମ ଜାତୀୟ ଅର୍ଥନୀତିକୁ ଉଲ୍ଲେଖନୀୟ ଯୋଗଦାନ ଦେଇ ଭାରତକୁ ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ମାନ୍ୟତା ଦେଇଛି। ପ୍ରାଣୀପାଳନ କ୍ଷେତ୍ର ଗ୍ରାମାଞ୍ଚଳରେ ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଜନଜାତି ବର୍ଗ ଓ ମହିଳାମାନଙ୍କୁ କର୍ମନିଯୁକ୍ତି ସହିତ ରୋଜଗାର ମଧ୍ୟ ଯୋଗାଇ ଦେଇଥାଏ। ଆଜିର ଏହି ଆୟୋଜନ ଦେଶରେ ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ଆଗେଇ ନେବା ପାଇଁ ଆମର ମିଳିତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ ।

କୃଷି କ୍ଷେତ୍ରର ଅଭିବୃଦ୍ଧିରେ ପଶୁପାଳନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏ କ୍ଷେତ୍ରର ବିକାଶ ଜରିଆରେ ଗ୍ରାମାଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏ କ୍ଷେତ୍ରରେ କାର୍ଯ୍ୟକରୁଥିବା କୃଷକ, ବେରୋଜଗାର ଯୁବଗୋଷ୍ଠୀଙ୍କୁ ଜୀବନଜୀବିକା ପ୍ରଦାନ ଏବଂ ମହିଳା ଗୋଷ୍ଠୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଉଭୟ କେନ୍ଦ୍ର ଏବଂ ଓଡିଶା ସରକାର ଅଧିକ ଧ୍ୟାନ ଦେଉଛନ୍ତି। ନୂତନଭାବେ ଦାୟିତ୍ୱ ନେଇଥିବା ଓଡିଶା ସରକାରଙ୍କ ୧୦୦ ଦିନ ଏ ପର୍ଯ୍ୟନ୍ତ ପୂରଣ ହୋଇନାହିଁ ।

ଇତି ମଧ୍ୟରେ ରାଜ୍ୟ ସରକାର ସମସ୍ତ କ୍ଷେତ୍ରରେ ବ୍ୟାପକ କାୟାକଳ୍ପ ପରିବର୍ତ୍ତନ ପାଇଁ ଏକ ରୋଡ୍‌ ମ୍ୟାପ ପ୍ରସ୍ତୁତ କରିଛନ୍ତି। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଆଗାମୀ ୫ ବର୍ଷ ପାଇଁ ୧୪୨୩.୪୭ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ କରି ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଯୋଜନା ପ୍ରଣୟନ କରାଯାଇଛି।

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହିତ ଦୁଗ୍ଧ ସମବାୟ ସଂସ୍ଥାଗୁଡିକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ଡେଏରୀ ବିକାଶ ବୋର୍ଡ (NDDB) ସହିତ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏନ୍.ଡି.ଡି.ବି.ର ସହଯୋଗରେ ଆମ ସରକାର ବ୍ରହ୍ମପୁରଠାରେ ଏକ ଟିକା ଉତ୍ପାଦନ କେନ୍ଦ୍ର (Vaccine Production Unit) ଏବଂ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ଗୋଖାଦ୍ୟ ବିଶ୍ଳେଷଣ କେନ୍ଦ୍ର (Feed Analytical Laboratory) ସ୍ଥାପନ କରିବେ। ରାଜ୍ୟରେ ଛେଳି, ମେଣ୍ଢା ଓ କୁକୁଡା ପାଳନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ‘ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା’ ଆରମ୍ଭ କରାଯିବ। ବୁଲା ଓ ଅବହେଳିତ ପ୍ରାଣୀସମ୍ପଦର ଯତ୍ନ ଉଦ୍ଦେଶ୍ୟରେ ‘ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା’ ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ ‘ବିକଶିତ ଓଡିଶା 2036’ କୁ ଆଖି ଆଗରେ ରଖି ଆମ ସରକାର କୃଷକଙ୍କ ଦ୍ୱାରଦେଶରେ ୨୪ ଘଣ୍ଟିଆ ପ୍ରାଣୀସ୍ୱାସ୍ଥ୍ୟ ସେବା ଉପଲବ୍‌ଧ କରିବା ଉଦ୍ଦେଶ୍ୟରେ ଏକ ସମନ୍ୱିତ କେନ୍ଦ୍ର ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଛନ୍ତି। ଓଡିଶାକୁ ଏଭଳି ଏକ ସମ୍ମାନଜନକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସୁଯୋଗ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ ଓ ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂ କାର୍ଯ୍ୟକ୍ରମରେ କହିଥିଲେ ଯେ ଓଡିଶାର ବିକାଶ ପାଇଁ ପଶୁପାଳନ ସମ୍ପନ୍ଧୀୟ ସମସ୍ତ କ୍ଷେତ୍ରକୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ନେବେ ଏବଂ ଏ କ୍ଷେତ୍ରର ବିକାଶ ପାଇଁ ସବୁ ବେଳେ କେନ୍ଦ୍ରର ସହଯୋଗ ରହିବ।

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଚଳିତ ବର୍ଷ ପ୍ରାଣୀ ସମ୍ପଦ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଆମ ସରକାର ପ୍ରାଣୀ ସମ୍ପଦର କଲ୍ୟାଣ ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥି ମଧ୍ୟରେ ରାଜ୍ୟର ଗୋଶାଳାମାନଙ୍କୁ ସହାୟତା ପ୍ରଦାନ, ଉଦ୍ଧାର ଏବଂ ଯତ୍ନ କେନ୍ଦ୍ର ପ୍ରତିଷ୍ଠା ଏବଂ ଆନିମଲ୍ ହେଲ୍‌ପ ଲାଇନ ସୁବିଧା ଇତ୍ୟାଦି ରହିଛି।

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ ଓଡିଶାର ସର୍ବାଧିକ ଲୋକ କୃଷି ଓ ପ୍ରାଣୀପାଳନ କ୍ଷେତ୍ର ଉପରେ ନିର୍ଭର କରିଥାନ୍ତି। କୃଷକଙ୍କ ରୋଜଗାର ବୃଦ୍ଧି କରିବାରେ ପ୍ରାଣୀପାଳନ କ୍ଷେତ୍ର ବହୁ ସହାୟତା ପ୍ରଦାନ କରୁଛି। ଓଡିଶା ସରକାର ରାଜ୍ୟରେ ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ପ୍ରତିବଦ୍ଧ ଅଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ, କଟକ ଜିଲ୍ଲା ନରାଜ ତଳଗଡ ଠାରେ ସେଣ୍ଟ୍ରାଲ ପୋଲଟ୍ରି ଡେଭଲ୍‌ପମେଣ୍ଟ ସଂସ୍ଥାର ନୂତନ ୟୁନିଟ୍, ଓମଫେଡର ନୂଆ ଗୋଲ୍ଡ ପ୍ଲସ ଦୁଗ୍ଧ ପ୍ୟାକେଟ୍‌, କିଷାନ କ୍ରେଡିଟ୍ କାର୍ଡ ଅଭିଯାନ, ନ୍ୟାସନାଲ ଲେବଲ ମନିଟର ଆପ୍ଲିକେସନର ଉଦ୍‌ଘାଟନ କରିବା ସହ ପ୍ରାଣୀପାଳନ କ୍ଷେତ୍ରରେ ୧୦୧ ଜଣ ମହିଳାଙ୍କ ସଫଳ କାହାଣୀ ଉପରେ ଆଧାରିତ କଫି ଟେବଲ୍ ବୁକ୍‌, କୁକୁଡାଙ୍କୁ ହେଉଥିବା ରୋଗର ନିରାକରଣ ସମ୍ବନ୍ଧୀୟ ପୁସ୍ତକ ଇତ୍ୟାଦିର ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଏସ୍.ପି ସିଂ ବଘେଲ ଏବଂ ଶ୍ରୀ ଜର୍ଜ କୁରିୟାନ, କେନ୍ଦ୍ର ସରକାରଙ୍କ ବିଭାଗୀୟ ସଚିବ ଶ୍ରୀମତୀ ଅଳକା ଉପାଧ୍ୟାୟ ଓ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ଅଧ୍ୟକ୍ଷ ଶ୍ରୀ ମୀନେଶ ଶାହଙ୍କ ସମେତ ଅରୁଣାଚଳ ପ୍ରଦେଶ, ବିହାର, ଗୁଜୁରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟ ପ୍ରଦେଶ, ମେଘାଳୟ, ମିଜୋରାମ, ରାଜସ୍ଥାନ, ସିକିମ, ତ୍ରିପୁରା, ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ରର ବିଭାଗୀୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶର ସମସ୍ତ ରାଜ୍ୟକୁ ଛାଡି ଶୀର୍ଷରେ ପହଞ୍ଚିଲା ଉତ୍ତରପ୍ରଦେଶ: ଏହି କାର୍ଯ୍ୟ ପାଇଁ ହେଲା ପ୍ରଥମ

ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟକୁ ଛାଡି ଉତ୍ତରପ୍ରଦେଶ ଶୀର୍ଷରେ ପହଞ୍ଚିଛି। ଦେଶରେ ଦୁଗ୍ଧ ଉତ୍ପାଦନରେ ଉତ୍ତରପ୍ରଦେଶ ଏକ ରେକର୍ଡ ସୃଷ୍ଟି କରିଛି। ରାଜ୍ୟରେ କ୍ଷୀର ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସରକାରୀ ମୁଖପାତ୍ରଙ୍କ କହିବାନୁସାରେ, ୨୦୧୬-୧୭ ରେ ୟୁପିରେ ଦୁଗ୍ଧ ଉତ୍ପାଦନ ୨୭୭.୬୯୭ ଲକ୍ଷ ମେଟ୍ରିକ୍ ଟନ୍ ଥିଲା, ଯାହା ୨୦୧୯-୨୦ ରେ ୩୧୮.୬୩୦ ଲକ୍ଷ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇଛି। ଗତ ଚାରିବର୍ଷ ମଧ୍ୟରେ ରାଜ୍ୟରେ ୧,୨୪୨.୩୭ ଲକ୍ଷ ମେଟ୍ରିକ୍ ଟନ୍ କ୍ଷୀର ଉତ୍ପାଦନ ହୋଇଛି।

ଦୁଗ୍ଧ ଉତ୍ପାଦନରେ ବୃଦ୍ଧି ହେତୁ ୟୁପିରେ ନିଯୁକ୍ତି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ ଚାରି ବର୍ଷ ମଧ୍ୟରେ ଅମୁଲ ସମେତ ୬ ଟି ବଡ କମ୍ପାନୀ ଦୁଗ୍ଧ ପ୍ରକଳ୍ପରେ ୧୭୨ କୋଟି ଟଙ୍କା ବିନିଯୋଗ କରିଛନ୍ତି। ଏଥି ସହିତ, ଅନ୍ୟ ସାତୋଟି କମ୍ପାନୀ ମଧ୍ୟ ଏଠାରେ ନିବେଶ କରିବାକୁ ଆଗ୍ରହୀ ଅଛନ୍ତି। ଏଥିସହ, ୧୫ ନିବେଶକ ସେମାନଙ୍କ ୟୁନିଟ୍ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଦୁଗ୍ଧ କ୍ଷେତ୍ରରେ ବିନିଯୋଗ ହେତୁ ରାଜ୍ୟର ଗ୍ରାମାଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଲୋକମାନେ କ୍ରମାଗତ ଭାବରେ ଗାଈ ଏବଂ ବଳଦ ପାଳନ କରି ଦୁଗ୍ଧ ବ୍ୟବସାୟ କରିବାକୁ ଯାଉଛନ୍ତି। ସରକାରୀ ଆକଳନ ଅନୁଯାୟୀ ଭାରତର ମୋଟ ଦୁଗ୍ଧ ଉତ୍ପାଦନର ୧୭ ପ୍ରତିଶତ ଦୁଗ୍ଧ କେବଳ ଉତ୍ତରପ୍ରଦେଶରୁ ଉତ୍ପାଦନ ହେଉଛି।

ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ୟୁପିର କାନପୁର, ଲକ୍ଷ୍ନୌ, ବାରାଣାସୀ, ମେରଟ, ବରେଲି, କନ୍ନୌଜ, ଗୋରଖପୁର, ଫିରୋଜାବାଦ, ଅଯୋଧ୍ୟା ଏବଂ ମୁରାଦାବାଦ ଜିଲ୍ଲାରେ ଗ୍ରୀନଫିଲ୍ଡ ଦୁଗ୍ଧ ସ୍ଥାପନ କରାଯାଉଛି। ଏଥିସହିତ ଝାନ୍ସି, ନୋଏଡା, ଆଲିଗଡ ଏବଂ ପ୍ରୟାଗରାଜରେ ଚାରୋଟି ପୁରୁଣା ଡାୟରିକୁ ନବୀକରଣ କରାଯାଉଛି।

ଉଲ୍ଲେଖ ଯୋଗ୍ୟ ଯେ, ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ସମସ୍ତ ଜିଲ୍ଲାରେ ଗୋସୁରକ୍ଷା କେନ୍ଦ୍ର ପ୍ରତିଷ୍ଠା ପାଇଁ ୨୭୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ସହିତ, ଦରିଦ୍ର ତଥା ଅନାବଶ୍ୟକ ଗାଈ ମାନଙ୍କର ସୁରକ୍ଷା ତଥା ରକ୍ଷଣାବେକ୍ଷଣ ପାଇଁ ବିସ୍ତୃତ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଦୁଗ୍ଧ ଉତ୍ପାଦନରେ ରାଜସ୍ଥାନ ଦୁଇ ନମ୍ବରରେ ଥିବାବେଳେ ଆନ୍ଧ୍ରପ୍ରଦେଶ ତୃତୀୟ ସ୍ଥାନରେ ରହିଛି।