Categories
ଆଜିର ଖବର ରାଜ୍ୟ ଖବର

ଦୁଗ୍ଧ ଲିଟର ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୫୦ ଟଙ୍କା କରିବାକୁ ଦାବି: ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ

ଭୁବନେଶ୍ୱର: ଓମ୍‌ଫେଡ଼ ଦ୍ୱାରା ନିର୍ମିତ ଅତ୍ୟାଧୁନିକ ଜ୍ଞାନକୌଶଳରେ ବିକଶିତ ଅଲଟ୍ରା ମଡ଼ର୍ଣ୍ଣ ମେଗା ଦୁଗ୍ଧ ପ୍ରକ୍ରିୟାକରଣ କାରଖାନାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାର ଅରିଲୋ ଗ୍ରାମରେ ଉଦ୍‌ଘାଟିତ କରିଛନ୍ତି। ନିଜର ଉଦ୍‌ଘାଟନୀ ଭାଷଣରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୁଗ୍ଧଚାଷୀମାନଙ୍କର କଲ୍ୟାଣ ପାଇଁ ଟିରୋଟ ସମୟରେ ଦୁଗ୍ଧଚାଷୀମାନେ ଯେଭଳି ଅଭାବୀ ବ୍ରିକ୍ରିର ଶିକାର ନହୁଅନ୍ତି, ଏହି ଦୁଗ୍‌ଧ ପ୍ରକ୍ରିୟାକରଣ କାରଖାନା ସେ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ହେବ। ଓମ୍‌ଫେଡ ଅନୁବନ୍ଧିତ ୩ଲକ୍ଷ ଦୁଗ୍ଧଚାଷୀ ଏହା ଦ୍ୱାରା ଉପକୃତ ହେବେ। ଓଡ଼ିଶାରେ ଏହିଭଳି ଏକ ଦୁଗ୍ଧ କାରଖାନା ହେବା ନିଶ୍ଚିତଭାବରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ରାଜ୍ୟ ଅଧ୍ୟକ୍ଷ ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି।

ଏହା ସହିତ ଶ୍ରୀ ବେହେରା କହିଛନ୍ତି ଯେ, ଦୁଗ୍ଧଚାଷୀମାନେ କରୋନା ପରେ ବହୁବିଧ ସମସ୍ୟା ଦେଇ ଗତି କରୁଛନ୍ତି। କରୋନା ପୂର୍ବରୁ ଚୁନି, ଚୋକଡ, କୁଣ୍ଡା ଓ ପିଡ଼ିଆ ଆଦି ଗୋଖାଦ୍ୟର ମୂଲ୍ୟ ଯାହା ଥିଲା ତାହା କରୋନା ସଂକ୍ରମଣ ପରେ ଦ୍ୱିଗୁଣିତ ହୋଇଯାଇଛି। ୯/୧୦ ଟଙ୍କାରେ ମିଳୁଥିବା ଚୁନି, ଚୋକଡ଼ କିଲୋପିଛା ଦାମ ଆଜି ୧୬ ଟଙ୍କାରୁ ୧୮ ଟଙ୍କାରେ ପହଞ୍ôଚଛି। କିନ୍ତୁ ଦୁଃଖର କଥା ସେହି ଅନୁପାତରେ ଦୁଗ୍ଧର ସହାୟକ ମୂଲ୍ୟ ବୃଦ୍ଧି ହୋଇନାହିଁ। ୨୦୧୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ରାଜ୍ୟ ସରକାର ଦୁଗ୍ଧର ଲିଟରପିଛା ମୂଲ୍ୟ ୪ ଟଙ୍କା ବୃଦ୍ଧି କରିଥିଲେ ଯାହା ଭିତରୁ ୨ଟଙ୍କା ଦୁଗ୍ଧ ଚାଷୀଙ୍କ ପାଖକୁ ଯାଇଥିଲା।

କିନ୍ତୁ ବର୍ତ୍ତମାନର ମହଙ୍ଗା ଯୁଗରେ ଏହି ମୂଲ୍ୟ ବୃଦ୍ଧି ବିଶେଷ କିଛି ନୁହେଁ । ଆଜି ଯେତେବେଳେ ଗୋଟିଏ ଲିଟର ପାଣିର ଦାମ ୫୦ ଟଙ୍କାରେ ବିକ୍ରି ହେଉଛି ଏବଂ ୨୦ ଟଙ୍କାରେ ବିକ୍ରି ହେଉଥିବା ପାଣି ବୋତଲର ଦାମ ତାରକା ହୋଟେଲ ମାନଙ୍କରେ ୧୫୦ରୁ ୨୫୦ ଟଙ୍କା ଥିଲାବେଳେ ସେହି ସମୟରେ ଗୋଟିଏ ଲିଟର ଦୁଗ୍ଧର ଦାମ ୨୮ ଟଙ୍କାରୁ ୩୨ ଟଙ୍କା ଯାହାକି ଦୁଗ୍ଧଚାଷୀମାନଙ୍କ ପାଇଁ ଆଦୌ ଅର୍ଥନୈତିକ ଭାବରେ ଗ୍ରହଣୀୟ ହୋଇପାରୁ ନାହିଁ।

ଆମ ରାଜ୍ୟରେ ହାରାହାରି ୧୧ ଲକ୍ଷ ପରିବାର ଦୁଗ୍ଧ ଉତ୍ପାଦନ ଉପରେ ନିର୍ଭର କରି ନିଜର ପରିବାର ଚଳାଇଥାନ୍ତି। ତେଣୁ ସେମାନଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ଦୁଗ୍ଧର ସର୍ବନିମ୍ନ ସହାୟକ ମଲ୍ୟ ଲିଟର ପିଛା ୫୦ ଟଙ୍କା କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ଏହା ଫଳରେ ଗ୍ରାମାଞ୍ଚଳରେ ଦୁଗ୍ଧ ଉତ୍ପାଦନ କରି ଆତ୍ମନିର୍ଭର ହୋଇଥିବା ବେକାର ଯୁବକ ଓ ଗ୍ରାମ୍ୟ ମହିଳାମାନେ ବିଶେଷ ଉପକୃତ ହୋଇପାରିବେ ଓ କରୋନା ସଂକ୍ରମଣରେ କ୍ଷତିଗ୍ରସ୍ତ ଗ୍ରାମ୍ୟ ଅର୍ଥନୀତି ଚଳଚଞ୍ଚଳ ହୋଇପାରିବ ବୋଲି ଶ୍ରୀ ବେହେରା ଆଶାପ୍ରକାଶ କରିଛନ୍ତି।