Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ବହୁ ବାଦବିବାଦ ପରେ ଶେଷରେ ଏକା ଥରେ ପ୍ରଦାନ କରାଗଲା ସାତ ବର୍ଷର ଧର୍ମପଦ ପୁରସ୍କାର

ଭୁବନେଶ୍ବର, ବହୁ ବାଦବିବାଦ ଏବଂ କୋର୍ଟ କଚେରୀ ମାମଲା ପରେ ଶେଷରେ  ପ୍ରଦାନ କରାଗଲା ଓଡିଶାର କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର। ଆଜି ଓଡିଶା ଲଳିତ କଳା ଏକାଡେମୀ ଏବଂ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସାତ ଜଣଙ୍କୁ ଦେଇଛି ଏହି ସମ୍ମାନ।

ପ୍ରତି ବର୍ଷ ଏହି ପୁରସ୍କାର ଜଣେ ଶ୍ରେଷ୍ଠ ଶିଳ୍ପୀଙ୍କୁ ଓଡିଶା ଲଳିତକଳା ଏକାଡେମୀ ତରଫରୁ ପ୍ରଦାନ କରାଯାଇ ଥାଏ। ହେଲେ ପୁରସ୍କାରକୁ ନେଇ କୋର୍ଟରେ ମାମାଲ ଦାୟର ହେବା ଯୋଗୁଁ ୨୦୦୯ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଇ ପାରି ନ ଥିଲା। ଦୁଃଖର କଥା ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ନାମ ଘୋଷଣା ହୋଇଥିଲେ ମଧ୍ୟ ମାମଲା ଯୋଗୁଁ ପୁରସ୍କାର ପ୍ରଦାନ କରାଯାଇପାରୁ ନ ଥିଲା। ଏପରି ବିଳମ୍ବ ଯୋଗୁଁ କେତେକ ଶିଳ୍ପୀ ସେମାନଙ୍କ ଜୀବନ କାଳରେ ପୁରସ୍କାର ପାଇପାରିଲେ ନାହିଁ।

ତେବେ ସେ ସବୁ ବାଦବିବାଦ ଶେଷ ହେବା ପରେ ଏବେ ଲଳିତକଳା ଏକାଡେମୀ ଏହି ପୁରସ୍କାର ପ୍ରଦାନ କରିଛି। କୋଭିଡ-୧୯ କଟକଣା ପାଇଁ ଏହି ସାତ ଜଣଙ୍କ ବାସଭବନକୁ ଏକାଡେମୀ ଅଧିକାରୀମାନେ ଯାଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏମାନଙ୍କୁ ଏକ ଲକ୍ଷ ଟଙ୍କା, ତାମ୍ରଫଳକ ଏବଂ ଉପଢ଼ୌକନ ପ୍ରଦାନ କରାଯାଇଛି। ତେବେ ୨୦୧୩ ମସିହା ପାଇଁ ମନୋନିତ ହୋଇଥିବା ପଦ୍ମବିଭୂଷଣ ଯତୀନ ଦାସ ନୂଆଦିଲ୍ଲୀରେ ଅବସ୍ଥାନ କରୁଥିବାରୁ ତାଙ୍କୁ ଦିଆଯାଇ ନାହିଁ। ଏହି ସାତ ବର୍ଷ ପାଇଁ ଯେଉଁ ସାତ ଜଣ ପୁରସ୍କାର ହାସଲ କରିଛନ୍ତି ସେମାନେ ହେଲେ

୨୦୦୯ ମସିହା- ସ୍ବର୍ଗତ ଗୋକୁଳି ବିହାରୀ ପଟ୍ଟନାୟକ, ମରଣୋତ୍ତର ପୁରସ୍କାର ଗ୍ରହଣ କଲେ ପତ୍ନୀ ଅନୂସାୟା ପଟ୍ଟନାୟକ

୨୦୧୦ ମସିହା-ସ୍ବର୍ଗତ ଅସୀମ ବସୁ , ମରଣୋତ୍ତର ପୁରସ୍କାର ଗ୍ରହଣ କଲେ ପତ୍ନୀ ଗୀତା ବସୁ

୨୦୧୧ ମସିହା-ଦୁର୍ଗା ପ୍ରସାଦ ଦାସ

୨୦୧୨ ମସିହା- ପଦ୍ମଶ୍ରୀ ସୁଦର୍ଶନ ସାହୁ

୨୦୧୩ ମସିହା- ପଦ୍ମବିଭୂଷଣ ଯତୀନ ଦାସ ( ନୂଆ ଦିଲ୍ଲୀରେ ଥିବାରୁ ପରେ ଦିଆଯିବ)

୨୦୧୪ ମସିହା- ସ୍ବର୍ଗତ ଦୀନାନାଥ ପାଠୀ , ମରଣୋତ୍ତର ପୁରସ୍କାର ନେଲେ ପୁତ୍ର ସୋଭାଗ୍ୟ ପାଠୀ

୨୦୧୫ ମସିହା- ପଦ୍ମବିଭୂଷଣ ରଘୁନାଥ ମହାପାତ୍ର

ଏହି ପୁରସ୍କାର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସଚିବ ବିଷ୍ଣୁପଦ ସେଠୀ, ଏକାଡେମୀ ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ଏକାଡେମୀ ସଚିବ ଗଜେନ୍ଦ୍ର ସାହୁ ପ୍ରଦାନ କରିଥିଲେ।