Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାର ବିରୁଦ୍ଧରେ ବିଜେପିର ନାକଟିଦେଉଳ ବ୍ଲକ ଅଫିସ ଘେରାଉ

କନ୍ଦର୍ପ ବେହେରା
ରେଢାଖୋଲ: ରାଜ୍ୟରେ ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ ଓ ଅଗଣତାନ୍ତ୍ରିକ ସରକାର ଚାଲିଥିବା ଅଭିଯୋଗ କରି ରାଜ୍ୟ ସରକାର ବିରୁଦ୍ଧରେ ବିଜେପି ନାକଟିଦେଉଳ ବ୍ଲକ ଅଫିସ ଘେରାଉ କରିଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରେଢ଼ାଖୋଲ ବିଧାନସଭା ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ମହିଳା ଓ ସାଧାରଣ ଜନତା ନାକଟିଦେଉଳ ହାଟପଦାରୁ ଏକ ବିଶାଳ ଶୋଭାଯାତ୍ରାରେ ନାକଟିଦେଉଳ ଛକ ଦେଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ବ୍ଲକ ପରିସରରେ ଏକ ପ୍ରତିବାଦ ସଭା ଆୟୋଜନ କରଯାଇଥିଲା।

ପ୍ରତିବାଦ ସଭାରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ସାହୁ ସଭାପତିତ୍ୱ କରିଥିଲେ। ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ ଯୋଗଦେଇ ରାଜ୍ୟ ସରକାରଙ୍କ ଅପାରଗତା, ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ଏହି ସମାବେଶ କରାଯାଇଥିବା କହିଥିଲେ ଏବଂ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଦେବେନ୍ଦ୍ର ମହାପାତ୍ରଙ୍କ ସହ ଓବିସି ରାଜ୍ୟ ବିଜେପି ମୋର୍ଚ୍ଚା ସମ୍ପାଦିକା ତଥା ସାଂସଦ ପ୍ରତିନିଧି ସସ୍ମିତା ଦେହୁରୀ, ଜୋନ -୧ ମଣ୍ଡଳ ସଭାପତି ନେତ୍ରାନନ୍ଦ ରାଉଳ, ବ୍ଲକ ଯୁବ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ଦାସ, ଅଶୋକ କୁମାର ପ୍ରଧାନ, ବିଜୟ କୁମାର ପଣ୍ଡା ପ୍ରମୁଖ ସାମିଲ ଥିଲେ। ନାକଟିଦେଉଳ ବିଡ଼ିଓ ଧନେଇ ଚରଣ ଟୁଡୁ ଆନ୍ଦୋଳନକାରିଙ୍କ ଠାରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବୀ ସମ୍ବଳିତ ଦାବିପତ୍ର ଗ୍ରହଣ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅବକାରୀ ବିଭାଗର କଡା କାର୍ଯ୍ୟାନୁଷ୍ଠାନ: ଦୁର୍ନୀତିଗ୍ରସ୍ତ ଏଏସ୍ଆଇଙ୍କୁ ଚାକିରିରୁ ବିଦାକଲେ କମିଶନର

ଭୁବନେଶ୍ୱର: ଅବକାରୀ କମିଶନର ନରସିଂହ ଭୋଳ ବେଆଇନ ମଦ କାରବାରରୁ ଲାଞ୍ଚ ନେଇ ଦୁର୍ନୀତି କରିଥିବା ଅଭିଯୋଗରେ କଟକ ଜିଲ୍ଲା ଅବକାରୀ ଏଏସଆଇ ନିରଞ୍ଜନ ଖଟୁଆଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ତାଙ୍କ ବିରୋଧରେ ଏ ସଂକ୍ରାନ୍ତରେ ଅନେକ ଅଭିଯୋଗ ଆସିଥିଲା। ଆଇଟି ଆପ୍ଲିକେସନ୍ ମାଧ୍ୟମରେ ତଦନ୍ତରୁ ବେଆଇନ ମଦ କାରବାରରେ ମଦ ବେପାରୀଙ୍କ ସହ ତାଙ୍କର ସମ୍ପୃକ୍ତି ଥିବା ପ୍ରମାଣିତ ହୋଇଥିଲା।

ଏହା ପୂର୍ବରୁ ମଧ୍ୟ ଗୋଟିଏ ବିଦେଶୀ ମଦ ଦୋକାନରେ ମଦ ବେପାରୀଙ୍କ ସହ ମଦ ପିଇବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ତାଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ ଜାରି ରହିଛି। ପୂର୍ବରୁ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ବେଳେ ତାଙ୍କ ବାପାଙ୍କୁ କଟକ ଇଆଇ ଓ ଇବି ୟୁନିଟ୍-୧ ଗିରଫ କରି ଜେଲ୍ ହାଜତକୁ ପଠାଇଥିଲେ।

ପୋଷାକରେ ରହି ବେଆଇନ ମଦ କାରବାର ରୋକିବା ଦିଗରେ ସେ ଦାୟିତ୍ୱ ତୁଲାଇବା ପରିବର୍ତ୍ତେ ବେଆଇନ ମଦ ବେପାରୀମାନଙ୍କୁ ସୁରକ୍ଷା ଦେବା ଏବଂ ମଦ ମାଫିଆଙ୍କ ସହ ହାତ ମିଳାଇ ଥିବାର ଯଥେଷ୍ଟ ପ୍ରମାଣ ରହିଛି। ସେ କେବଳ ନିଜକୁ ଅପମାନିତ କରିନାହାନ୍ତି, ବରଂ ତାଙ୍କ କାର‌୍ୟ୍ୟ ଅବକାରୀ ବିଭାଗର ସ୍ୱାର୍ଥ ବିରୋଧୀ। ବେଆଇନ ମଦ କାରବାରରେ ମଦ ବେପାରୀଙ୍କ ସହ ତାଙ୍କର ମିଳାମିଶା ଜଣେ ସରକାରୀ କର୍ମଚାରୀଙ୍କ ପାଇଁ ନୀତି ବିରୁଦ୍ଧ ଓ ଅଗ୍ରହଣୀୟ । ତେଣୁ ଭାରତୀୟ ସମ୍ବିଧାନର ନିୟମ ୩୧୧(୨) (ଖ) ଅନୁଯାୟୀ ଜନସ୍ୱାର୍ଥ ଦୃଷ୍ଟିରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ପାଞ୍ଚ ମାସ ମଧ୍ୟରେ ୫ ଜଣ ଅବକାରୀ କର୍ମଚାରୀଙ୍କୁ ସେମାନଙ୍କ ବେଆଇନ କାର‌୍ୟ୍ୟପାଇଁ ବହିଷ୍କାର କରାଯାଇଛି। ଅବକାରୀ ବିଭାଗର ସଚ୍ଚୋଟତା ଓ ଦକ୍ଷତା ରେ ଉନ୍ନତି ଆଣିବା ପାଇଁ ଅବକାରୀ ବିଭାଗର ଦୁର୍ନୀତିଗ୍ରସ୍ତ/ ଅପାରଗ ସଦସ୍ୟଙ୍କୁ ବହିଷ୍କାର/ହଟାଇବା ପ୍ରକ୍ରିୟା ଆଗାମୀ ଦିନରେ ଜାରି ରହିବ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବିଜେଡି ବନାମ ବିଜେଡି: ପ୍ରତିବାଦ ଶୋଭାଯାତ୍ରାର ଜବାବ ଦେଲେ ପୂର୍ବତନ ବିଧାୟକ ରଘୁନାଥ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବିଜେଡ଼ି ଗୋଷ୍ଠୀ କନ୍ଦଳ ଥମିବାର ନାଁ ନେଉ ନାହିଁ। ବିଜେଡ଼ିର ପୂର୍ବତନ ବିଧାୟକ ରଘୁନାଥ ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ଦଳର କିଛି କର୍ମୀ ଏବଂ ବିଜେଡ଼ିରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଥିଲା। ତେବେ ରଘୁନାଥଙ୍କ ଏହି ଦୁର୍ନୀତି ଅଭିଯୋଗ ପରେ ଗତକାଲି ଖୋର୍ଦ୍ଧା ଜିଲ୍ଲାପରିଷଦ ଉପ ସଭାପତି ଗୋପୀନାଥ ମହାରଣାଙ୍କ ନେତୃତ୍ଵରେ ବାଲୁଗାଁରେ ଏକ ଶୋଭାଯାତ୍ରା କରାଯାଇଥିଲା। ଯେଉଁଥିରେ ଶତାଧିକ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରାରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଦାବି କରାଯାଇଥିଲା। ଶ୍ରୀଯୁକ୍ତ ସାହୁ ବିଜେପି ସହିତ ସାଲିସ କରି ବିଜେଡ଼ି ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ଶୋଭାଯାତ୍ରାରେ ଉପସ୍ଥିତ କର୍ମୀମାନେ ଅଭିଯୋଗ କରିଥିଲେ।

ସେହିଭଳି ଗୋପୀନାଥ ମହାରଣା ମଧ୍ୟ ରଘୁନାଥ ସାହୁଙ୍କ ଅଭିଯୋଗ ଉପରେ କଡା ପ୍ରତିକ୍ରିୟା ରଖିଥିଲେ। ଗୋପୀନାଥ କହିଥିଲେ ଯେ, ରଘୁନାଥ ସାହୁ ବିଜେପିର ଏଜେଣ୍ଟ ଭଳି କାମ କରୁଛନ୍ତି ଏବଂ ଦଳବିରୋଧୀ କାର୍ଯ୍ୟ କରୁଛନ୍ତି। ଅନୁରୂପ ଭାବେ ତାଙ୍କ ପରିବାରବର୍ଗଙ୍କ ନାମରେ କୋଟି କୋଟି ଟଙ୍କାର କାମ ନେଇଥିବାର ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଥିଲେ। ଯଦି ପୂର୍ବତନ ବିଧାୟକ ଏହାର ପ୍ରମାଣ ଦେବେ, ତେବେ ଲଣ୍ଡା ହୋଇ ନିର୍ବାଚନମଣ୍ଡଳୀ ଜନସାଧାରଣଙ୍କୁ କ୍ଷମା ମାଗିବା ସହ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଗଣମାଧ୍ୟମ ସମ୍ମୁଖରେ ଗୋପୀନାଥ ଘୋଷଣା କରିଥିଲେ।

ତେବେ ଏହି ପ୍ରତିବାଦ ସଭାର କିଛି ଘଣ୍ଟା ନପୁରୁଣୁ ପୂର୍ବତନ ବିଧାୟକ ରଘୁନାଥ ସାହୁ ପୁଣିଥରେ ଏକ କର୍ମୀ ସମ୍ମିଳନୀ କରି ଚିଲିକା ବିଧାୟକ ଏବଂ ଅନ୍ୟ କିଛି ନେତାଙ୍କୁ ଆକ୍ରମଣ କରିଥିଲେ। ଗତକାଲି ତାଙ୍କ ବିରୋଧରେ ହୋଇଥିବା ଶୋଭାଯାତ୍ରା କେବଳ ଠିକାଦାରମାନେ କରିଥିଲେ ବୋଲି ରଘୁନାଥ କହିଥିଲେ। ନିଜକୁ ଦୁର୍ନୀତି ଅଭିଯୋଗରୁ ରକ୍ଷା କରିବା ପାଇଁ ଏହି ସବୁ ଠିକାଦାରମାନେ ବିଜେଡ଼ି କର୍ମୀ ନାମରେ ଏକତ୍ରିତ ହୋଇ ପ୍ରତିବାଦ କରୁଥିଲେ ବୋଲି ସେ କହିଥିଲେ। ଚିଲିକାରୁ ଦୁର୍ନୀତି ହଟାଇବା ତାଙ୍କ ଉଦ୍ଦେଶ୍ୟ ଏବଂ ସେ ଏହା ବିରୋଧରେ ସ୍ଵର ଉତ୍ତୋଳନ କରିବେ ବୋଲି ପୂର୍ବତନ ବିଧାୟକ କହିଥିଲେ।

ସେହିଭଳି ଚିଲିକାରେ ବିଜେଡ଼ି ପୁଣିଥରେ ବିଜୟ ଲାଭ କରିବ ଏବଂ ଆଗାମୀ ନିର୍ବାଚନରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପ୍ରାର୍ଥୀ କରିବେ ବୋଲି ସେ ଆଶା ରଖିଛନ୍ତି। ତେବେ ଚିଲିକା ବିଜେଡ଼ିର ଏଭଳି କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି। ତେବେ ତାଙ୍କ ସହିତ ୮୦ ପ୍ରତିଶତ କର୍ମୀଙ୍କ ସମର୍ଥନ ରହିଥିବା ନେଇ ପୂର୍ବତନ ବିଧାୟକ ରଘୁନାଥ ସାହୁ ଦାବି କରୁଥିବା ବେଳେ ସେପଟେ ଅନ୍ୟ ଏକ ଗ୍ରୁପ ରଘୁନାଥଙ୍କୁ ବିଜେଡ଼ି ବିରୋଧୀ ବୋଲି କହୁଛନ୍ତି।

ତେଣୁ ଏହା ଭିତରେ ଚିଲିକା ବିଜେଡ଼ିରେ ଏଭଳି ପରିସ୍ଥିତିକୁ ଦେଖି ଅନ୍ୟ କିଛି ପୁରୁଖା କର୍ମୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଯଦି ଏଭଳି ବିଜେଡ଼ିରେ ଅନ୍ତଃ କନ୍ଦଳ ଲାଗିରହିବ, ତେବେ ଆଗାମୀ ନିର୍ବାଚନରେ ବିରୋଧୀଦଳର ପ୍ରାର୍ଥୀଙ୍କୁ ଫାଇଦା ହେବ ବୋଲି କିଛି କର୍ମୀ ସନ୍ଦେହ ପ୍ରକାଶ କରୁଛନ୍ତି। ତେଣୁ ଏହା ଉପରେ ଦଳର ଶୀର୍ଷ ନେତୃତ୍ଵ ତୁରନ୍ତ ହସ୍ତକ୍ଷେପ କରି ଏହାର ସମାଧାନ କରାଯାଉ ବୋଲି ଅନେକ କର୍ମୀ ଦାବି କରିଛନ୍ତି।

Categories
ବିଶେଷ ଖବର

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି: ୯ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି। ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।

ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ୨ ଜଣଙ୍କୁ ଚାକିରୀରୁ ବହିଷ୍କାର ଓ ଅନ୍ୟ ୨ ଜଣଙ୍କ ପେନ୍‌ସନ୍‌ ସ୍ଥାୟୀଭାବେ ସ୍ଥଗିତ କରାଯାଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ, ଯଥା – ଜଣେ ସୁପରିନ୍‌ଟେଣ୍ଡିଂ ଇଞ୍ଜିନିୟର, ୨ ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର, ୨ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଜୁନିଅର ଇଞ୍ଜିନିୟର, ଜଣେ ଓ.ଏ.ଏସ୍ ଅଧିକାରୀ, ଜଣେ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଏବଂ ଜଣେ ସାମାଜିକ ଶିକ୍ଷା ଅଧିକାରୀ ଅନ୍ତର୍ଭୁକ୍ତ। ପୂର୍ବରୁ ୧୬୪ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ, ଏହି ୯ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୭୩ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଚାକିରୀରୁ ବହିଷ୍କୃତ ହୋଇଥିବା ୫ ଜଣ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ମାଲକାନଗିରିର ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ର ପୂର୍ବତନ ସୁପରିଟେଣ୍ଡିଂ ଇଞ୍ଜିନିୟର ଆଶିଷ କୁମାର ଦାଶ। କଣ୍ଟ୍ରାକ୍‌ଟର ମାନଙ୍କ ଠାରୁ ଅସତ୍‌ ଉପାୟରେ ୧୦.୨୩ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ସେ ଭିଜିଲାନ୍‌ସ ଦ୍ବାରା ଧରା ପଡିଥିଲେ। ବିଭିନ୍ନ ସ୍ଥାନରେ ଥିବା ତାଙ୍କ ଘର ଉପରେ ଚଢଉ କଲା ପରେ ୮.୬୩ କୋଟି ଟଙ୍କାର ସଂପତ୍ତି ଓ ୧.୪ କୋଟି ଟଙ୍କାର ନଗଦ ଟଙ୍କା ଧରା ପଡିଥିଲା। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସେହିପରି ଭଦ୍ରକ ଗ୍ରାମ୍ୟ ଉନ୍ନୟନ ଡିଭିଡନ-୧ର ପୂର୍ବତନ ଏକ୍‌ଜ୍ୟୁକିଟିଭ ଇଞ୍ଜିନିୟର ମାନସ ରଂଜନ ମହାନ୍ତି। ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ । ଏହାସହିତ ତାଙ୍କ ପାଖରେ 3.୯୦ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିଲା। ତାଙ୍କ ବିରୁଦ୍ଧରେ ଦୁଇଟି ବିଭାଗୀୟ ତଦନ୍ତ ମଧ୍ୟ ଚାଲିଥିଲା। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

କଟକ ଗଣ୍ଡରପୁର ଡ୍ରେନେଜ୍‌ ଡିଭିଜନର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ମନୋଜ କୁମାର ବେହେରା ଓ ତାଙ୍କ ପତ୍ନୀଙ୍କ ନାମରେ ୪.୨୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆୟବହିର୍ଭୁତ ସଂପତ୍ତି ଥିବା ଅଭିଯୋଗରେ ଭିଜିଲାସନ୍‌ ମାମଲା ଚାଲିଥିଲା। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସେହିପରି କେନ୍ଦୁଝର ଜିଲ୍ଲା ସାଳପଡାସ୍ଥିତ ବୈତରଣୀ ଜଳସେଚନ ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ଉମେଶ କୁମାର ଶାଶିନୀଙ୍କ ବିରୁଦ୍ଧରେ ୧.୪୨ କୋଟି ଟଙ୍କାରୁ ଅଧିକ ଟଙ୍କାର ଆୟବହିର୍ଭୁତ ସଂପତ୍ତି ଥିବା ଅଭିଯୋଗରେ ଦୁର୍ନିତୀ ମାମଲା ରହିଛି। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଉମରକୋଟ ସଡକ ଓ କୋଠାବାଡି (R&B Section)ର ଆସିଷ୍ଟାଣ୍ଟ ଇଞ୍ଜିନିୟର ବିଶୁଦ୍ଧାନନ୍ଦ ବେହେରାଙ୍କ ନାମରେ ନିମ୍ନମାନର କାମ କରିବାର ଅଭିଯୋଗ ଥିଲା। ଏହାସହିତ ତାଙ୍କ ନାମରେ ୭୦.୯୩ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଥିବା ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲ ରହିଛି। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ପାରଳାଖେମୁଣ୍ଡିର ଅବସରପ୍ରାପ୍ତ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ (CDVO) ଜଳଧର ମଲ୍ଲିକଙ୍କ ନାମରେ ଗୋଟିଏ ବଦଳି କେସ୍‌ରେ ୧୦ ହଜାର ଟଙ୍କାର ଲାଞ୍ଚ ଗ୍ରହଣ ମାମଲ ଥିଲା। ଅସାଧୁତା କାରଣରୁ ତାଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ବର୍ତ୍ତମାନ ବାଲେଶ୍ବର ଜିଲ୍ଲାରେ ଡେପୁଟି କଲେକ୍ଟର ଥିବା ଓ ମୟୁରଭଂଜ ଜିଲ୍ଲାର ସାମାଖୁଣ୍ଟା ବ୍ଲକ୍‌ର ପୂର୍ବତନ ତହସିଲଦାର ଓ.ଏ.ଏସ ଅଧିକାରୀ ସବିତା ସାହୁଙ୍କ ନାମରେ ୧୦ ହଜାର ଟଙ୍କାର ଲାଞ୍ଚ ଗ୍ରହଣ ମାମଲା ଥିଲା। ଅସାଧୁତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି।

ବଲାଙ୍ଗୀର ଜିଲ୍ଲାର ପୂର୍ବତନ ସାମାଜିକ ଶିକ୍ଷା ସଂଗଠକ (Ex-SEO) ପ୍ରଭାସିନୀ ବାବୁ ସ୍ବାମୀଙ୍କୁ ହରାଇଥିବା ଜଣେ ମହିଳାଙ୍କୁ ୨୦ ହଜାର ଟଙ୍କାର ସାମାଜିକ ସହାୟତା ପ୍ରଦାନ ପାଇଁ ୩୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ। ଅସାଧୁତା କାରଣରୁ ତାଙ୍କୁ ମଧ୍ୟ ଚାକିରୀରୁ ବହିଷ୍କାର କରାଯାଇଛି।

ଗଞ୍ଜାମ ଜିଲ୍ଲା ରୁରାଲ ୱାର୍କ୍ସ ଡିଭିଜନ-୨ର ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ପୂର୍ବତନ ଜୁନିଅର ଇଞ୍ଜିନିୟର ତ୍ରିନାଥ ସେଠୀ ୯ ହଜାର ଟଙ୍କା ଲାଞ୍ଚ ମାମଲାରେ ଦେଷୀ ସାବ୍ୟସ୍ତ ହୋଇଛନ୍ତି। ଅସାଧୁତା କାରଣରୁ ତାଙ୍କ ପେନ୍‌ସନ୍‌କୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି।
ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୭୩ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ପେନ୍‌ସନକୁ ସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଦୁର୍ନୀତିଗ୍ରସ୍ତ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ,୩ ଜଣଙ୍କୁ ବାଧ୍ୟତାମୂଳକ ଅବସର, ଜଣେ ବହିଷ୍କୃତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।

ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୩ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଜଣେ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ଏହା ସହିତ ଦୁଇ ଜଣ ଅଧିକାରୀଙ୍କ ପେନ୍‌ସନ ମଧ୍ୟ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି।

ବାଧ୍ୟତାମୂଳକ ଅବସର ପାଇଥିବା ୩ ଜଣଙ୍କ ମଧ୍ୟରୁ ସମ୍ବଲପୁର ମହାନଗର ନିଗମର କମ୍ୟୁନିଟି ଅର୍ଗାନାଇଜର (ଜଟଣୀ ମ୍ୟୁନିସିପାଲ୍‌ଟି ଓ ଛତ୍ରପୁର ଏନ୍‌.ଏ.ସି.ର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ) ଶ୍ରୀମତୀ ଲଳିତା କପୁରଙ୍କ ନାମରେ ଦୁଇଟି ଦୁର୍ନୀତି ଅଭିଯୋଗ ରହିଛି। ସରକାରୀ ଅର୍ଥ ଆତ୍ମସାତ କରିବା ସହିତ ଆହୁରି ଅନେକ ଦୁର୍ନୀତି ଅଭିଯୋଗ ତାଙ୍କ ନାମରେ ରହିଛି ।

ବେଲପାହାଡ ମ୍ୟୁନିସିପାଲ୍‌ଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲୋକନାଥ ତିୱାରୀଙ୍କୁ ମଧ୍ୟ ଅପାରଗତା ଓ ଅସାଧୁତା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେହିପରି ଝାରସୁଗୁଡା ମ୍ୟୁନିସ୍‌ପାଲିଟ୍‌ର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାମଚନ୍ଦ୍ର ପ୍ରଧାନଙ୍କୁ ଅପାରଗତା, ଅସାଧୁତା ଓ ଆର୍ଥିକ ଅନିୟମିତତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ପୁରୀ ଜିଲ୍ଲା ବେତାଲ ଆର.ଆଇ ସର୍କଲର ରାଜସ୍ବ ନିରୀକ୍ଷକ ଶ୍ରୀ ମନୋଜ କୁମାର ପରିଡାଙ୍କୁ ଦୁର୍ବ୍ୟବହାର, ବିଶୃଙ୍ଖଳା ଅଚରଣ ଓ କର୍ତ୍ତବ୍ୟରେ ଅବହେଳା ଓ ଉଚ୍ଚପଦାଧିକାରୀଙ୍କ ନିର୍ଦ୍ଦେଶ ଅବମାନନା ଯୋଗୁ ଚାକିରୀରୁ ବହିଷ୍କୃତ କରାଯାଇଛି । ଉପରୋକ୍ତ ଚାରିଜଣଙ୍କ ସମ୍ପର୍କରେ ମଧ୍ୟ ମୋ ସରକାର feedbackରେ ଜନସାଧାରଣ ପ୍ରତିକୂଳ ମତାମତ ଦେଇଥିଲେ ।

ଏହାସହିତ ଓଡିଶା ପୋଲିସ ସେବା ଅଧିକାରୀ ବଲାଙ୍ଗୀରର ପୂର୍ବତନ ଅତିରିକ୍ତ ଏସ୍‌.ପି ତଥା ହୋମଗାର୍ଡର ପୂର୍ବତନ ଡି.ଏସ୍‌.ପି ଶ୍ରୀ ଶ୍ରୀକାନ୍ତ ମିଶ୍ର ଏବଂ ଗଞ୍ଜାମ ବେଲଗୁଣ୍ଠା ବ୍ଲକ୍‌ର ପୂର୍ବତନ ଏ.ଏଫ.ଓ ଶ୍ରୀ ଏପିଲି ଉଦୟନାଥଙ୍କର ପେନ୍‌ସନକୁ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ସେମାନଙ୍କ ନାମରେ ଥିବା ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ଯୋଗୁ ଏହି ପଦକ୍ଷେପ ନିଆଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ, ଆଉ ୪ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।

ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ରାଜ୍ୟର ୪ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏଥିରେ ଦୁଇ ଜଣ ଓଡିଶା ପ୍ରଶାସନିକ ଅଧିକାରୀ ରହିଥିବା ବେଳେ, ଜଣେ ଜିଲ୍ଲା ସବ୍‌ ରେଜିଷ୍ଟ୍ରାର ଓ ଜଣେ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ରହିଛନ୍ତି । ଏ ସମସ୍ତଙ୍କ ନାମରେ ଦୁର୍ନୀତି ଅଭିଯୋଗ ରହିଛି ।

ଏହି ୪ ଜଣଙ୍କ ମଧ୍ୟରୁ ଅନୁଗୁଳର ଡେପୁଟି କଲେକ୍ଟର ଶ୍ରୀ ଜାନକୀନାଥ ମିଶ୍ରଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲା ରହିଥିବା ବେଳେ, ୯ଟି ବିଭାଗୀୟ ପ୍ରୋସିଡିଙ୍ଗ୍‌ସ କରାଯାଇଛି। ଦୁର୍ନୀତିଗ୍ରସ୍ତ ହେବା ସହିତ କାର୍ଯ୍ୟ କ୍ଷେତ୍ରରେ ତାଙ୍କର ଅପାରଗତା ପ୍ରମାଣିତ ହୋଇଛି। ଏଥିପାଇଁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସେହିପରି ଗଜପତି ଜିଲ୍ଲାର ନୂଆଗଡ ତହସିଲଦାର ଶ୍ରୀ ଆକୁଳ ମଲ୍ଲିକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଥିବା ବେଳେ ତାଙ୍କ ବିରୋଧରେ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗ୍‌ସ କରାଯାଇଛି। କାର୍ଯ୍ୟ କ୍ଷେତ୍ରରେ ଅପାରଗ ଥିବା ସହିତ ସେ ସରକାରୀ ପାଣ୍ଠି ଆତ୍ମସାତ କରିଥିଲେ। ଏହି କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଢେଙ୍କାନାଳର ଜିଲ୍ଲା ସବ୍‌ ରେଜିଷ୍ଟ୍ରାର ଶ୍ରୀ ଲଲାଟେନ୍ଦୁ ଶତପଥୀଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲ ରହିଛି । ତା ସହିତ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗ୍‌ସ ମଧ୍ୟ ରହିଛି । ତାଙ୍କର ସାଧୁତା ସନ୍ଦେହଜନକ ରହିଥିଲା ଏବଂ କାର୍ଯ୍ୟ କ୍ଷେତ୍ରରେ ତାଙ୍କର ଅପାରଗତା ପ୍ରତିପାଦିତ ହୋଇଥିବାରୁ, ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ପରିଶେଷରେ ନୂଆପଡାର ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ଡଃ ତ୍ରିଲୋଚନ ଧଳଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି । ତାଙ୍କ ନିକଟରେ ବହୁ ପରିମାଣରେ ହିସାବ ବହିର୍ଭୁତ ଟଙ୍କା ମିଳିଥିଲା ଏବଂ ସେଥିପାଇଁ ତାଙ୍କ ବିରୋଧରେ ଦୁର୍ନୀତି ମାମଲା କରାଯାଇଥିଲା । ଅସାଧୁତା ଓ ଅପାରଗତା କାରଣ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଉପରୋକ୍ତ ୪ ଜଣ ଅଧିକାରୀଙ୍କ ସମେତ ଏପର୍ଯ୍ୟନ୍ତ ୧୨୨ ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।