Categories
ଆଜିର ଖବର ରାଜ୍ୟ ଖବର

ଦରଦାମ ବୃଦ୍ଧି ଓ ଦୁର୍ନୀତି ରୋକିବା ପାଇଁ ବଜେଟରେ ବ୍ୟବସ୍ଥା ନାହିଁ: ସମାଜବାଦୀ ପାର୍ଟି

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୩୯.୪୫ଲକ୍ଷ କୋଟି ଟଙ୍କାର ବାର୍ଷିକ ଆୟବ୍ୟୟର ବିବରଣୀ ଆଜି ସଂସଦରେ ଆଗତ କରିଛନ୍ତି। ଏହି ବଜେଟରେ ଆଶା କରାଯାଉଥିବା ଦରଦାମ ବୃଦ୍ଧି କମିବ, ମୁଦ୍ରାସ୍ଫୀତିକୁ ଆୟତରେ ରଖିବା ପାଇଁ ଅର୍ଥମନ୍ତ୍ରୀ ପଦକ୍ଷେପ ନେବେ, ପାନାମା ପେପର୍ସ ଓ ପାରାଡ଼ାଇଜ ପେପର୍ସ ଭଳି କଳାଟଙ୍କା ଉପରେ ସରକାର କଠୋର ପଦକ୍ଷେପ ନେବେ ବୋଲି ଦେଶବାସୀ ଆଶା ରଖିଥିଲେ। ସେହିଭଳି ସରକାର ଯେହେତୁ ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିଛନ୍ତି, ତେଣୁ କୃଷକମାନଙ୍କୁ କିଛିଟା ସହଯୋଗର ହାତ ବଢାଇବେ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ଆଜିର ବଜେଟ ଆଗତ ପରେ ସମସ୍ତ ସାଧାରଣ ଜନତା ଓ ବେକାର ଯୁବକ ଯୁବତୀ ନିରାଶ ହୋଇଛନ୍ତି ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ବଜେଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କୁହାଯାଇଛି।

ପାର୍ଟିର ରାଜ୍ୟ ସଭାପତି ରବି ବେହେରା ବଜେଟ ଉପରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏନ୍‌ଡ଼ିଏ ସରକାର କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୨କୋଟି ଚାକିରୀ ଦେବାର ପ୍ରତଶ୍ରୁତ ଦେଇଥିଲେ। କିନ୍ତୁ ଦୁଃଖର କଥା ଆଜିର ବଜେଟରେ ଅର୍ଥମନ୍ତ୍ରୀ ୫ ବର୍ଷରେ ୬୦ ଲକ୍ଷ ଚାକିରୀ ଦେବେ ବୋଲି ସ୍ୱପ୍ନ ଦେଖାଇଛନ୍ତି। ପେଟ୍ରୋଲ ୧୦୦ ଟଙ୍କା ଉପରେ, ଡ଼ିଜେଲ ପାଖାପାଖି ୧୦୦ ଟଙ୍କା ଏବଂ ଜାଳେଣି ଗ୍ୟାସ ପାଖାପାଖି ୧୦୦୦ଟଙ୍କାରେ ପହଞ୍ôଚଛି। ଯାହାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ଦୈନନ୍ଦିନ ଜିନିଷପତ୍ର ଉପରେ ଓ ଖାଦ୍ୟ ପଦାର୍ଥ ଉପରେ ପଡୁଛି। ଏହା ସାଧାରଣ ଲୋକଙ୍କ ପାଇଁ ‘ବୋଝ ଉପରେ ନଳିତାବିଡ଼ା’ ସଦୃଶ ହୋଇଛି। ଦରଦାମ ରୋକିବା ପାଇଁ ଅର୍ଥମନ୍ତ୍ରୀ କୌଣସି ବଳିଷ୍ଠ ପଦକ୍ଷେପ ନେଇନାହାଁନ୍ତି। ମୁଦ୍ରାସ୍ଫୀତି ପାଖାପାଖି ୭ ପ୍ରତିଶତ ହୋଇଥିଲା ବେଳେ ବଜେଟ ମୁଦ୍ରାସ୍ଫୀତିକୁ ରୋକିବାକୁ ବ୍ୟର୍ଥ ହୋଇଛି। ସରକାର ବଜେଟରେ ହୀରା ଗହଣା, ଇମିଟେସନ ଉପରେ ଟିକସ ହଟାଇଛନ୍ତି। ‘ବେଲ ପାଚିଲେ କାଉର କି ଯାଏ’ ନ୍ୟାୟରେ ଏହା ସାଧାରଣ ମଣିଷର ଦୈନନ୍ଦିନ ଜୀବନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ସର୍ବୋପରି ଏହି ବଜେଟ ଗରିବ ଓ ବେକାର ବିରୋଧୀ।

ସେହିଭଳି କୃଷି କ୍ଷେତ୍ରରେ ସରକାର ‘ଡ୍ରୋନ’ର ବ୍ୟବହାରକୁ ବ୍ୟାପକ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଯେଉଁ ଦେଶରେ କୃଷି ପାଇଁ ମୌଳିକ ଆବଶ୍ୟକତା, ଜଳସେଚନ ନାହିଁ, ସାର, ମଞ୍ଜି ଓ ରୋଗପୋକ ନିୟନ୍ତ୍ରଣ ପାଇଁ ପୋକମରା ଔଷଧର କଳାବଜାରୀ ରୋକିବାରେ ସରକାର ବ୍ୟର୍ଥ। ସେହି କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର ଏକ ହାସ୍ୟାସ୍ପଦ କଥା। ମୋଟ ଉପରେ ଏହି ବଜେଟ ମଧ୍ୟବିତ୍ତଙ୍କୁ ମଧ୍ୟ ନିରାଶ କରିଛି। ଆୟକର ସୀମାକୁ ଅର୍ଥମନ୍ତ୍ରୀ ବଢାଇବା ଉପରେ ନୀରବତା ପ୍ରଦର୍ଶନ କରିଛନ୍ତି। ସରକାର ଏହି ବଜେଟ ଆଗତ କରି ଘରୋଇକରଣକୁ ଆହୁରି ତ୍ୱରାନ୍ୱିତ କରିଛନ୍ତି ଯାହା ୩ ଦିନ ତଳେ ଏୟାର ଇଣ୍ଡିଆକୁ ବିକ୍ରି କରି ସରକାର ଦେଶବାସୀଙ୍କ ଆଗରେ ଘରୋଇକରଣର କବାଟ ମେଲା କରିଦେଇଥିଲେ।

ଏୟାର ଇଣ୍ଡିଆକୁ କିଣିଥିବା ଟାଟା କମ୍ପାନୀ, ଷ୍ଟେଟବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦାରୁ ଯଥାକ୍ରମେ ୧୦ ହଜାର କୋଟି ଓ ୫ ହଜାର କୋଟି ଟଙ୍କା ଋଣକୁ ୪ଟଙ୍କା ୨୫ପଇସା ସୁଧରେ ନେଇଥିବା ବେଳେ ଏ ଦେଶର ଗରିବ କୃଷକଙ୍କୁ ସରକାର ୧୨ ଟଙ୍କାରୁ ୧୪ ଟଙ୍କାରେ କୃଷିଋଣ ଯୋଗାଇ ଦେଉଛନ୍ତି। ତେଣୁ ସରକାର ଗରିବଙ୍କ ପାଇଁ କେତେ ଦରଦୀ ଓ କୃଷକଙ୍କ ପାଇଁ କେତେ ସମ୍ବେଦନଶୀଳ ଏଥିରେ ସହଜରେ ପ୍ରତିଫଳିତ ହୁଏ। ସର୍ବୋପରି ଏହି ବଜେଟ ଗରିବ ବିରୋଧୀ, ମଧ୍ୟବିତ୍ତ ବିରୋଧୀ ଓ ବେକାରୀ ବିରୋଧୀ ତଥା ଦରଦାମ ନିୟନ୍ତ୍ରଣ ଓ କଳାଟଙ୍କା ରୋକିବାରେ ବ୍ୟର୍ଥ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।