ଖୋର୍ଦ୍ଧା: ସାମ୍ବାଦିକଙ୍କୁ ଚିଲିକା ବିଧାୟକଙ୍କ ଦୁର୍ବ୍ୟବହାର ଘଟଣାକୁ ବିରୋଧ କରି ଆସନ୍ତାକାଲି ଉତ୍କଳ ସାମ୍ବାଦିକ ସଂଘ ପ୍ରତିବାଦ କରିବ। ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଏତଲା ରୁଜୁ କରିବା ଦାବିରେ ଉତ୍କଳ ସାମ୍ବାଦିକ ସଂଘ ବାଲୁଗାଁ ଥାନା ଘେରାଉ କରିବ। ଏ ନେଇ ଖୋର୍ଦ୍ଧା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ପ୍ରଭାତ କୁମାର ମିଶ୍ର ସୂଚନା ଦେଇଛନ୍ତି।
ଘଟଣାକ୍ରମେ ବିଗତ ୮ ତାରିଖ ଅପରାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରୁଥିବାର ଭିଜୁଆଲ ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟ ସାମ୍ବାଦିକ ଦିବ୍ୟକାନ୍ତ ବେହେରା ନିଜ ମୋବାଇଲରେ ଉତ୍ତୋଳନ କରୁଥିଲେ। ସେହି ସମୟରେ ଚିଲିକା ବିଧାୟକ ସମ୍ପୃକ୍ତ ସାମ୍ବାଦିକଙ୍କ ଠାରୁ ଜୋର ଜବରଦସ୍ତ ତାଙ୍କର ମୋବାଇଲ ଛଡେଇନେଇଯିବା ସହ ତାଙ୍କୁ ଜାତିଆଣ ଉଦ୍ଦେଶ୍ୟରେ ଗାଳି ଗୁଲଜ ମଧ୍ୟ କରିଥିଲେ। ଏ ନେଇ ଉକ୍ତ ଦିନ ବାଲୁଗାଁ ଥାନାରେ ବିଜେପି କର୍ମୀ ଏବଂ ସାମ୍ବାଦିକଙ୍କ ପକ୍ଷରୁ ଦୁଇଟି ପୃଥକ ପୃଥକ ଏତଲା ଦିଆଯାଇଥିଲା। ତେବେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୋଲିସ ବିଜେପି କର୍ମୀଙ୍କ ମାମଲାକୁ ତୁରନ୍ତ ରୁଜୁକରିଥିବା ବେଳେ ସାମ୍ବାଦିକ ଦେଇଥିବା ଏତଲାକୁ ରୁଜୁ କରିନାହିଁ। ଆଜିକୁ ଦୀର୍ଘ ଚାରି ଦିନ ବିତିଗଲାଣି କିନ୍ତୁ ସାମ୍ବାଦିକଙ୍କ ଏତଲାକୁ ବାଲୁଗାଁ ପୋଲିସ ରୁଜୁ କରୁନାହିଁ।
ଅପରପକ୍ଷେ ଆଜି ପର୍ଯ୍ୟନ୍ତ ସାମ୍ବାଦିକ ନିଜ ମୋବାଇଲ ମଧ୍ୟ ଫେରିପାଇନାହାନ୍ତି। ଜଣେ କର୍ତ୍ତବ୍ୟରତ ସାମ୍ବାଦିକଠୁ ଜଣେ ଜନ ପ୍ରତିନିଧି ମୋବାଇଲ ଛଡାଇନେବା ଏବଂ ଜାତିଆଣ ଭାବ ରଖି ଗାଳିଗୁଲଜକୁ ତୀବ୍ର ବିରୋଧ କରିଛି ଉତ୍କଳ ସାମ୍ବାଦିକ ସଂଘ।
ଏହି ପରିପ୍ରେକ୍ଷୀରେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ଅନୁମୋଦନ ଏବଂ ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ସହମତି କ୍ରମେ ଯଥାଶୀଘ୍ର ସାମ୍ବାଦିକଙ୍କ ଏତଲା ରୁଜୁ ଦାବି ଏବଂ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତାକାଲି ସେପ୍ଟେମ୍ବର ୧୨ ତାରିଖ ଦିବା ୧୦ ଘଟିକାରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବାଲୁଗାଁ ଥାନାରେ ଉତ୍କଳ ସାମ୍ବାଦିକ ସଂଘର ଶତାଧିକ ସାମ୍ବାଦିକ ମାନେ ଶାନ୍ତିପୂର୍ଣ ଧାରଣା ଦେବେ ବୋଲି ଜଣାପଡିଛି।