Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ପୁଣି ତିଆରି ହେବ ‘ରାମାୟଣ’; ପୁରୁଣା ନିର୍ମାତା ଆଣୁଛନ୍ତି ନୂଆ କାହାଣୀ, ରାମ ସନ୍ଧାନରେ ପ୍ରେମ ସାଗର

ନୂଆଦିଲ୍ଲୀ: ଭାରତରେ ସନାତନ ଧର୍ମର ପୁନଃପ୍ରତିଷ୍ଠା କରିଥିବା ପ୍ରସିଦ୍ଧ ଟେଲିଭିଜନ ଧାରାବାହିକ ‘ରାମାୟଣ’ର ନିର୍ମାତା ଆଉ ଏକ ‘ରାମାୟଣ’ କାହାଣୀ ଆଣିବାକୁ ଚିନ୍ତା କରୁଛନ୍ତି। ଏକ ସାକ୍ଷାତ୍‍କାରରେ ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗର କହିଛନ୍ତି ଯେ ସେମାନେ ଏହି ନୂଆ ସୋ’ର ଘୋଷଣା କରିବାକୁ ଯୋଜନା କରୁଛନ୍ତି, ଏହା କେଉଁଠାରେ ପ୍ରସାରିତ ହେବ ଏବଂ ଆହୁରି ଅନେକ କିଛି ସେ ପ୍ରକାଶ କରିଛନ୍ତି। ସଠିକ୍ ରାମଙ୍କୁ ଖୋଜିବା ପାଇଁ ଆମ ଟିମ୍ ଦିନରାତି କାମ କରୁଛି। ଆମେ ପାଇବା ମାତ୍ରେ ଏହା ଘୋଷଣା କରିବୁ।

ପ୍ରେମ ସାଗର ଆହୁରି କହିଛନ୍ତି ଯେ, ‘ମୁଁ ଜଣେ ନୂଆ ରାମଙ୍କୁ ଖୋଜୁଛି। ମୁଁ ଏମିତି ଜଣେ ବ୍ୟକ୍ତିଙ୍କୁ ଖୋଜୁଛି ଯିଏ କେବେ ବି ରାମ ଭୂମିକାରେ ଅଭିନୟ କରିନଥିବେ। କିନ୍ତୁ ମୋ ମନରେ ଯେଉଁ ରାମ ଅଛିନ୍ତି ତାଙ୍କୁ ପାଇବା ପରେ ଅନୁବନ୍ଧିତ କରାଇବି। ରାମ ହେଉଛନ୍ତି ବିଷ୍ଣୁଙ୍କ ଅବତାର ଯିଏ ମୁଁ ଭଗବାନ ବୋଲି କେଉଁଠି ବି ଦର୍ଶାଉନାହିଁ। ପ୍ରେମ ସାଗର ଏହାର ନିର୍ଦ୍ଦେଶନା ଦେବେ କି ନାହିଁ ସେ ବିଷୟରେ କହିଥିଲେ, ‘ମୁଁ ଏଥିରେ ସମ୍ପୂର୍ଣ୍ଣ ବିଶେଷଜ୍ଞ ହେବି, କିନ୍ତୁ ଏହାର ଏପିସୋଡ୍ ଅନ୍ୟ କେହି ନିର୍ଦ୍ଦେଶନା ଦେବେ। ବୈଷୟିକ ଦୃଷ୍ଟିକୋଣରୁ ପୁରୁଣା ରାମାୟଣ ମଧ୍ୟ ଏଥିରେ ରହିବ ନାହିଁ।

କିନ୍ତୁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି କାରଣ ଲୋକମାନେ ଏହାକୁ ତୁଳନା କରିବାକୁ ବସିଛନ୍ତି। ଦେଖନ୍ତୁ, ମୁଁ ଏହାକୁ ନେଇ କେବେ ଚିନ୍ତିତ ନ ଥିଲି। ମୁଁ ଭାବୁଛି ଏହା ଭାଗ୍ୟ ଏବଂ ମୁଁ କେବଳ ଏକ ଉପକରଣ। ଏହାକୁ କେଉଁଠି ଦେଖାଯିବ ବୋଲି ସେ କହିଛନ୍ତି, ଦୂରଦର୍ଶନରେ ପ୍ରଦର୍ଶିତ ହେବ।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ ମନୋରଂଜନ ରାଜ୍ୟ ଖବର ସିନେମା

ବରିଷ୍ଠ ଟିଭି ମିଡିଆ ବ୍ୟକ୍ତିତ୍ବ ଅକ୍ଷୟ ମହାନ୍ତିଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

ଭୁବନେଶ୍ବର: ଓଡିଶା ଟିଭି ମିଡିଆ ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଅକ୍ଷୟ ମହାନ୍ତିଙ୍କର ଆଜି ସକାଳ ସାତଟା ବେଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ସେ ଭୁବନେଶ୍ୱରର ନୀଳାଦ୍ରି ବିହାର ସେକ୍ଟର ୧ରେ ଥିବା ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ସେ ଜଣେ ବିଶିଷ୍ଟ ନାଟ୍ୟକାର, ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଥିଲେ। ସେ ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦରେ ଇଟିଭିର ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ।

ଆଜି ପୁରୀ ସ୍ବର୍ଗ ଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ପ୍ରକାଶ ଥାଉକି ଅବସର ପରେ ସ୍ଵର୍ଗତ ମହାନ୍ତି ଓଡ଼ିଆ ଦୃଶ୍ୟମାନ ସାହିତ୍ୟ ଉପରେ ଡଃ ହରିହର କାନୁନଗୋଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗବେଷଣା କରି ପିଏଚଡ଼ି ଡିଗ୍ରୀ ଲାଭ କରିଛନ୍ତି। ସେ ହେଉଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ନିଜ ବଡବାପା।

ତାଙ୍କ ବିୟୋଗରେ ଓଡିଆ ଟିଭି ମିଡିଆ ଜଗତରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଦୂରଦର୍ଶନରେ ପ୍ରସାରିତ ହେବ “ସ୍ୱରାଜ –ଭାରତର ସ୍ୱାଧୀନତା ସଂଗ୍ରାମର ସମଗ୍ର ଗାଥା”

ନୂଆଦିଲ୍ଲୀ: ‘ସ୍ୱରାଜ – ଭାରତର ସ୍ୱାଧୀନତା ସଂଗ୍ରାମର ସମଗ୍ର ଗାଥା’, ୭୫ ଅଧ୍ୟାୟ ବିଶିଷ୍ଟ ଏହି ଧାରାବାହିକ ଦୂରଦର୍ଶନର ଡିଡି ନେଶନାଲ ଚାନେଲରେ ୧୪ ଅଗଷ୍ଟ ଠାରୁ ପ୍ରସାରିତ ହେବ, ପ୍ରତି ରବିବାର ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ। ସ୍ୱାଧୀନତା ସଂଗ୍ରାମର ମହାନାୟକଙ୍କ ବଳିଦାନ ବିଷୟରେ ଅନେକ ଆଲୋଚିତ – ଅନାଲୋଚିତ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏ ଧାରାବାହିକ। ଏ ଧାରାବାହିକକୁ ନଅଟି ଆଞ୍ଚଳିକ ଭାଷା ଏବଂ ଇଂରାଜୀରେ ଡବିଂ କରାଯାଉଛି। ଆଞ୍ଚଳିକ ଭାଷାରେ ଧାରାବାହିକର ପ୍ରସାରଣ ଅଗଷ୍ଟ ୨୦ ତାରିଖ ଠାରୁ ରାତି ୯ଟାରୁ ୧୦ଟା ମଧ୍ୟରେ ଦୂରଦର୍ଶନର ଆଞ୍ଚଳିକ ଚାନେଲରେ କରାଯିବ। ଏସବୁ ଭାଷା ହେଲା – ତାମିଲ, ତେଲୁଗୁ, କନ୍ନଡ଼, ମାଲାୟଲମ, ମରାଠୀ, ଗୁଜରାଟୀ, ଓଡ଼ିଆ, ବଙ୍ଗଳା ଏବଂ ଅହମୀୟା।

ଏ ଧାରାବାହିକକୁ ଅଗଷ୍ଟ ୨୦ ତାରିଖ ଠାରୁ ଆକାଶବାଣୀର ବିଭିନ୍ନ କେନ୍ଦ୍ର ଦ୍ବାରା ପ୍ରତ୍ୟେକ ଶନିବାର ଦିନ ୧୧ଟାରୁ ମଧ୍ୟ ପ୍ରସାରଣ କରାଯିବ।

ସପ୍ତାହ ସମୟରେ ଅଧ୍ୟାୟଗୁଡ଼ିକୁ ପୁନଃପ୍ରସାରଣ କରାଯିବ।

ଧାରାବାହିକକୁ ନେଇ ଗଭୀର ଗବେଷଣା କରାଯାଇଛି।

ଏ ଧାରାବାହିକ ନିର୍ମାଣ ୪K/HD ଉଚ୍ଚ ଗୁଣବତ୍ତାରେ କରାଯାଇଛି।

ଏ ଧାରାବାହିକର ଆରମ୍ଭ ସେହି ସମୟରୁ ହୋଇଛି ଯେତେବେଳେ ୧୪୯୮ରେ ଭାସ୍କୋ-ଡା-ଗାମା ଭାରତ ମାଟିରେ ପାଦ ଥାପିଥିଲେ। ଏହାପରେ ପର୍ତ୍ତୁଗାଲ, ଫରାସୀ, ଡଚ ଏବଂ ଇଂରେଜମାନେ ଭାରତରେ ଉପନିବେଶ ପ୍ରତିଷ୍ଠା କରିବା ଲାଗି ପ୍ରୟାସ କରିଥିଲେ। ସେ ସମୟ ଠାରୁ ଆରମ୍ଭ କରି ଭାରତ ସ୍ୱାଧୀନ ହେବା ପର୍ଯ୍ୟନ୍ତ ସମୟର ସଂଘର୍ଷ ଏବଂ ଆମ ସ୍ୱାଧୀନତାର ନାୟକମାନଙ୍କ ଗୌରବ କଥା ଏ ଧାରାବାହିକରେ ପ୍ରଦର୍ଶିତ ହେବ।

ବିଶେଷ କଥା ହେଉଛି ଏହାର କାହାଣୀରେ କେବଳ ମଙ୍ଗଲ ପାଣ୍ଡେ, ରାଣୀ ଲକ୍ଷ୍ମୀବାଈ ଏବଂ ଭଗତ ସିଂହଙ୍କ ଭଳି ପରିଚିତ ନାୟକଙ୍କ କାହାଣୀ ସାମିଲ ନାହିଁ ବରଂ ଅନେକ ଅନାଲୋଚିତ ନାୟକନାୟିକଙ୍କୁ ନେଇ ପ୍ରସ୍ତୁତ ହୋଇଛି ଏହାର ବିଷୟବସ୍ତୁ। ରାଣୀ ଅବକ୍କା, ବକ୍ସି ଜଗବନ୍ଧୁ, ତିରୋତ ସିଂହ, ସିଦ୍ଧୋ କାହ୍ନୋ ମୁର୍ମୁ, ଶିବପ୍ପା ନାୟକ, କାହ୍ନୋ ଜୀ ଆଙ୍ଗ୍ରେ, ରାଣୀ ଗାଇଦିନ୍ଲୁ ଏବଂ ତିଲକା ମାଞ୍ଝୀଙ୍କ ଭଳି ବୀର ଯୋଦ୍ଧାଙ୍କ କାହାଣୀ ବର୍ଣ୍ଣିତ ହୋଇଛି ଯେଉଁମାନଙ୍କ ବଳିଦାନ ଅନାଲୋଚିତ-ବିସ୍ମୃତ ହୋଇ ରହିଯାଇଛି।

ଏ ଧାରାବାହିକରେ ରହିଛି ସ୍ୱାଧୀନତାର ଗୌରବ ଗାଥା। କେବଳ ଇଂରେଜମାନଙ୍କ ଅତ୍ୟାଚାର ବିରୋଧରେ ଉଠିଥିବା ସ୍ୱରର କାହାଣୀ ନୁହେଁ ବରଂ ସୁନାର ଭାରତକୁ ଶୋଷଣ କରିଥିବା ଫରାସୀ, ଡଚ୍‌ ଓ ପର୍ତ୍ତୁଗାଲ ଉପନିବେଶବାଦର ଅନ୍ୟାୟ କାହାଣୀ ଏଥିରେ ବର୍ଣ୍ଣିତ। ଯେଉଁ ନାୟକମାନେ ଉପନିବେଶବାଦୀଙ୍କ ବିରୋଧରେ ବିଦ୍ରୋହ କରିଥିଲେ ସେମାନଙ୍କ ଅକୁହା କାହାଣୀ ଏ ଧାରାବାହିକ ମାଧ୍ୟମରେ ପହଞ୍ଚିବ ଦର୍ଶକଙ୍କ ନିକଟରେ।

ଏହା ବ୍ୟତୀତ ଡିଡି ନେଶନାଲରେ ଦେଖିବାକୁ ମିଳିବ ଚାରିଟି ନୂଆ ଧାରାବାହିକ । ମହିଳାଙ୍କ ସଶକ୍ତିକରଣ ଉପରେ ଆଧାରିତ ‘‘କର୍ପୋରେଟ୍‌ ସରପଞ୍ଚ’’। ଦେଶ ପ୍ରେମ ଉପରେ ଆଧାରିତ ‘‘ୟେ ଦିଲ ମାଂଗେ ମୋର’’ ଏବଂ ‘‘ଜୟ ଭାରତୀ’’ ଦୂରଦର୍ଶନରେ ପ୍ରସାରିତ ହେବ। ‘‘ସ୍ୱରର ଏକଲବ୍ୟ’’ ଏକ ସଙ୍ଗୀତ ରିୟଲିଟୀ ଶୋ’ ଏବଂ ଏହା ବପ୍ପି ଲାହିରୀଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି। ଏସବୁ ଧାରାବାହିକ ଡିଡି ନେଶନାଲରେ ପ୍ରାଇମ ଟାଇମରେ ପ୍ରଦର୍ଶିତ ହେବ।

‘‘ଷ୍ଟାର୍ଟ ଅପ୍‌ ଚାମ୍ପିଅନ୍ସ0’’ରେ ୪୬ଟି ଜାତୀୟ ପୁରସ୍କାର ପ୍ରାପ୍ତ ଷ୍ଟାର୍ଟଅପ୍‌ର ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି। ପ୍ରତି ଶନିବାର ରାତି ୯ଟାରେ ଡିଡି ନ୍ୟୁଜରେ ଏବଂ ପ୍ରତି ରବିବାର ଦିନ ୧୨ଟାରେ ଡିଡି ନେଶନାଲରେ ଏ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଡିଡି ଇଣ୍ଡିଆରେ ଏହାର ଇଂରାଜୀ ସଂସ୍କରଣ ଶନିବାର ୧୦ଟା ବେଳେ ଦର୍ଶକମାନେ ଦେଖିବାକୁ ପାଇବେ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆସନ୍ତାକାଲି ଶେଷ ରବିବାର ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ରହିଛି ‘ମନ କି ବାତ୍’ କାର୍ଯ୍ୟକ୍ରମ। ଏହା ଆସନ୍ତାକାଲି ଦିନ ୧୧ ଟା ସମୟରେ ଅଲ ଇଣ୍ଡିଆ ରେଡିଓରେ ପ୍ରସାରଣ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ। ଆସନ୍ତାକାଲି ଏହା ୯୧ ତମ ଅଧ୍ୟାୟ ହେବ।

ଏହି କାର୍ଯ୍ୟକ୍ରମ ଅଲ୍ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନ ଚ୍ୟାନେଲରେ ପ୍ରସାରଣ କରାଯିବ। ସେହିପରି ଏଆଇଆର୍ ନ୍ୟୁଜ୍ ୱେବସାଇଟ୍ ଏବଂ ନ୍ୟୁଜ ଅନ ଏଆଇଆର ମୋବାଇଲ୍ ଆପ୍ ରେ ମଧ୍ୟ ପ୍ରସାରଣ କରାଯିବ। ଏଥିସହିତ ଏହା ଏଆଇଆର ନ୍ୟୁଜ୍, ଡିଡି ନ୍ୟୁଜ୍, ପିଏମଓ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ସିଧା ପ୍ରସାରଣ ହେବ।

ହିନ୍ଦୀ ପ୍ରସାରଣ ପରେ ତୁରନ୍ତ ଆଞ୍ଚଳିକ ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଆଞ୍ଚଳିକ ଭାଷା ସଂସ୍କରଣଗୁଡ଼ିକ ରାତି  ୮ ରେ ପ୍ରସାରଣ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର

ଗଣମାଧ୍ୟମ ବ୍ୟକ୍ତିତ୍ୱଙ୍କ ସହିତ କଥା ହେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ: କୋଭିଡ ଭୂମିକାକୁ କଲେ ପ୍ରଶଂସା

ନୂଆଦିଲ୍ଲୀ: ଏକ ସମୃଦ୍ଧ ଭାରତ ପାଇଁ ଆମେ ଏକ ସୁସ୍ଥଭାରତ ଏବଂ ଏକ ସୁସ୍ଥ ଭାରତ ନିମନ୍ତେ ଆମେ ସ୍ୱସ୍ଥ ନାଗରିକ ଆବଶ୍ୟକ କରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ସ୍ୱାସ୍ଥ୍ୟକୁ ନିଜ କାର୍ଯ୍ୟସୂଚୀର କେନ୍ଦ୍ରରେ ରଖିଛନ୍ତି ଏବଂ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେବା ଯୋଜନା ଓ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ଭାରତ ମଧ୍ୟ “ ହିଲ୍ ଇନ୍ ଇଣ୍ଡିଆ” ଓ “ହିଲ ବାଏ ଇଣ୍ଡିଆ” ପ୍ରୟାସ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଯୋଗାଣରେ ବିଶ୍ୱରେ ନେତୃତ୍ୱ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ କହିଛନ୍ତି।

ଗତକାଲି ପିଆଇବି, ଦୂରଦର୍ଶନ ଓ ଆକାଶବାଣୀର ଆଞ୍ଚଳିକ ଅଧିକାରୀ ଏବଂ ଆଞ୍ଚଳିକ ଗଣମାଧ୍ୟମ ବ୍ୟକ୍ତିତ୍ୱମାନଙ୍କ ସହ କଥୋପକଥନ ସମୟରେ ସେ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମ ଅନ୍‌ଲାଇନ ବ୍ୟବସ୍ଥାରେ ଆୟୋଜିତ ହୋଇଥିଲା। ଏଥିରେ ୧୫୦ରୁ ଅଧିକ ଅଧିକାରୀ ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟ ବିଷୟକ ସାମ୍ବାଦିକ ସବୁ ରାଜ୍ୟରୁ ଭାଗ ନେଇଥିଲେ।

ପ୍ରାରମ୍ଭରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, କୋଭିଡ ମହାମାରୀ ସଂକ୍ରମଣ କାଳରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ, ସେଥିପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ଏଭଳି ଏକ ପରୀକ୍ଷାର ଘଡିରେ ସାମ୍ବାଦିକମାନେ ଆଶାନୁରୁପ କାର୍ଯ୍ୟ କରି ପ୍ରକୃତ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ। କରୋନା ଘେନି ଯେଉଁ ବିଭ୍ରାନ୍ତିକାର ଖବର ଓ ଭୁଲ ତଥ୍ୟ ପ୍ରଚାରିତ ହେଉଥିଲା ତାହାକୁ ନିର୍ଭୁଲ ତଥ୍ୟ ଭିତ୍ତିକ ଖବର ଦେଇ ସେମାନେ ଏହାର ପ୍ରତିହତ କରିଥିଲେ। ଏହା ଫଳରେ କରୋନା ଘେନି ରହିଥିôବା ଭ୍ରାନ୍ତି, କାଳ୍ପନିକ କଥା ଓ ଭୟ ଦୂର ହୋଇଥିଲା। ଫଳରେ ଲୋକଙ୍କ ମଧ୍ୟରେ ଟିକା ନେବା ପାଇଁ ଆଗ୍ରହ ବଢିଥିଲା ଏବଂ ଏଥିପ୍ରତି ଥିବା ବିରୋଧ ହ୍ରାସ ପାଇଥିଲା।

ଏହି ମହାମାରୀ କାଳରେ ପିଆଇବି, ଦୂରଦର୍ଶନ ସମାଚାର, ଆକାଶବାଣୀ ସମାଚାରର ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରି ସେ ଆହୁରି କହିଥିଲେ ଯେ ଏହା କେବଳ ସରକାରୀ ଉଦ୍ୟମ ନ ଥିଲା, “ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ”ମାଧ୍ୟମରେ  ଆମେ ବିଶ୍ୱର ସର୍ବବୃହତ ଟିକାଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ଆରମ୍ଭ କରିପାରିଥିଲୁ। ଏହି ମହାମାରୀ କାଳରେ ଯେଉଁ ସାମ୍ବାଦିକମାନେ ପ୍ରାଣ ହରାଇଥିଲେ ସେମାନଙ୍କ ସ୍ମୃତି ପ୍ରତି ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସେ ଆହୁରି କହିଥିଲେ ଯେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ -ଗଣମାଧ୍ୟମ ମହାମାରୀ କାଳରେ ନିଜର ସାମର୍ଥ୍ୟର ଏକ ଅତି ଉଚ୍ଚ ମାନ ପ୍ରଦର୍ଶନ କରିଥିଲା। ଏକ ସମୃଦ୍ଧ ଭାରତ ପାଇଁ ଆମେ ଏକ ସୁସ୍ଥ ଭାରତ ଆବଶ୍ୟକ କରୁ ଏବଂ ଏକ ସୁସ୍ଥ ଭାରତ ପାଇଁ ସ୍ୱସ୍ଥ ନାଗରିକଙ୍କ ଆବଶ୍ୟକତା ରହିଛି -ଏହି ବାର୍ତ୍ତାକୁ ଗଣମାଧ୍ୟମ ଅଧିକରୁ ଅଧିକ ଲୋକଙ୍କ  ପାଖରେ ପହଞ୍ଚାଇବା ଉଚିତ। ଆମେ ଇତି ମଧ୍ୟରେ ହର୍ ଘର୍ ଦସ୍ତକ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛୁ। ଲୋକଙ୍କୁ ଟିକାନେବାକୁ ଉତ୍ସାହିତ କରିବା ସହିତ ସମସ୍ତଙ୍କୁ ସମ୍ପୂର୍ଣ୍ଣ ଟିକା ଡୋଜ ଦେବା ଏହି  ଅଭିଯାନର ଲକ୍ଷ୍ୟ। ଏହି ବାର୍ତ୍ତା ଜନସାଧାରଣଙ୍କ ପାଖରେ ଅଧିକରୁ ଅଧିକ ପହଂଚାଇବାରେ ମୁଁ ଆପଣମାନଙ୍କ ସହଯୋଗ ଲୋଡୁଛି ବୋଲି ସେ କହିଥିଲେ। ସେହିଭଳି ଟିବି ନିରାକରଣ, ଟେଲି ମେଡିସିନ, ମୋତିଆବିନ୍ଦୁ,  ଇ-ସଂଜୀବନୀ ଭଳି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର  ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକରୁ ଅଧିକ ଖବର ଆଞ୍ଚଳିକ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ପରାମର୍ଶ ଦେଇଥିଲେ।

ଡକ୍ଟର ମାଣ୍ଡବୀୟ କହିଥିଲେ ଯେ ଭାରତ ସ୍ୱାସ୍ଥ୍ୟକୁ ଏକ ସେବା ଭାବେ ବିବେଚନା କରେ। ନିଜର ତାଲିମପ୍ରାପ୍ତ ଓ ସମର୍ଥ ଲୋକଶକ୍ତି ମାଧ୍ୟମରେ ଭାରତ ସମଗ୍ର ବିଶ୍ୱକୁ ସ୍ୱାସ୍ଥ୍ୟସେବା ଯୋଗାଇ ପୃଥିବୀରେ ନେତୃତ୍ୱ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ। ଭାରତ ଏବେ କେବଳ “ହିଲ୍ ଇନ୍ ଇଣ୍ଡିଆ” କାର୍ଯ୍ୟକ୍ରମର ଏକ ନୂଆ ମୋଡରେ ପହଞ୍ଚି ନାହିଁ,  ‘ହିଲ ବାଏ ଇଣ୍ଡିଆ’ କାର୍ଯ୍ୟକ୍ରମ ମାଧ୍ୟମରେ ଆମର ସ୍ୱାସ୍ଥ୍ୟ  ପେସାଦାର /ଚିକିତ୍ସକମାନେ ବିଶ୍ୱସ୍ତରରେ ଚିକିତ୍ସାସେବା ଓ ପରାମର୍ଶ ଦେବାକୁ ପ୍ରସ୍ତୁତ। ଆମର ଉନ୍ନତ ଚିକିତ୍ସା  ବ୍ୟବସ୍ଥା ସ୍ୱାସ୍ଥ୍ୟ  ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କୋଭିଡ ପରିଚାଳନା, ଟିକାଦାନ, ହର୍ ଘର୍ ଦସ୍ତକ ଅଭିଯାନ, ବୈଶ୍ୱିକ ଟିକାଦାନ କ୍ଷେତ୍ରରେ ଭାରତର ଭ୍ୟାକ୍ସିନ ମୈତ୍ରୀର ଭୂମିକା, କୋ-ୱିନର ବିଶ୍ୱସ୍ତରୀୟ ଗୁରୁତ୍ୱ, କୋଭିଡ କାଳରେ ଗଣମାଧ୍ୟମର ଭୂମିକା ଆଦି ପ୍ରସଙ୍ଗରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ନିଜର ଅନୁଭୂତି, ସମ୍ମୁଖୀନ ହୋଇଥିବା ଆହ୍ୱାନ ଆଦି ସମ୍ପର୍କରେ  କହିବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନେକ ଅଭିନବ ପ୍ରସ୍ତାବ ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପାକିସ୍ତାନରେ ଦୂରଦର୍ଶନ ଓ ଆକାଶବାଣୀର ଦ୍ୱିତୀୟ ସର୍ବାଧିକ ଡିଜିଟାଲ ଦର୍ଶକ ଏବଂ ଶ୍ରୋତା

ନୂଆଦିଲ୍ଲୀ/କଟକ: 2020ରେ ପ୍ରସାର ଭାରତୀ ଅଧୀନରେ ଥିବା ଦୂରଦର୍ଶନ ଓ ଆକାଶବାଣୀର ଡିଜିଟାଲ ଚାନେଲଗୁଡିକ ଶତପ୍ରତିଶରୁ ଅଧିକ ଅଭିବୃଦ୍ଧି ହାସଲ କରିଛନ୍ତି। ଏଥିରେ 100 କୋଟି ଡିଜିଟାଲ ଭିଉ ଏବଂ 600 କୋଟି ଡିଜିଟାଲ ୱାଚ ମିନିଟ ରେକର୍ଡ କରାଯାଇଛି।

2020ରେ ନିଉଜ୍‍ ଅନ୍‍ ଏୟାର ଆପ୍‍ ଏହାର ପ୍ଲାଟଫର୍ମରେ 2.5 ନିୟୁତ ୟୁଜରଙ୍କୁ ଯୋଡିଥିଲା। ଫଳରେ 300 ନିୟୁତରୁ ଅଧିକ ଲାଇଭ ରେଡିଓ ଷ୍ଟ୍ରିମିଂ ଦେଖିଥିଲେ। ସେଥିରେ ସ୍ଥାନ ପାଇଥିବା 200ରୁ ଅଧିକ ଷ୍ଟ୍ରିମ୍‍ ବେଶ୍‍ ଲୋକପ୍ରିୟ ଥିଲା। ଡିଡି ନ୍ୟାସନାଲ ଓ ଡିଡି ନିଉଜ୍‍ ଚାନେଲ ସହିତ ପ୍ରସାର ଭାରତୀର ଶ୍ରେଷ୍ଠ 10ଟି ଡିଜିଟାଲ ଚାନେଲ ମଧ୍ୟରେ ମରାଠି ଡିଡି ନିଉଜ୍‍ ଚାନେଲ ସହାଦ୍ରି, କନ୍ନଡର ଡିଡି ଚନ୍ଦନ, ବାଂଲାର ଡିଡି ବାଂଲା ଏବଂ ତେଲୁଗୁର ଡିଡି ସପ୍ତଗିରି ସ୍ଥାନ ପାଇଛି।

ଲାଇଭ କମେଣ୍ଟ୍ରିରେ ଡିଡି ସ୍ପୋର୍ଟ୍ସ ଓ ଆକାଶବାଣୀ ସ୍ପୋର୍ଟ୍ସର ଡିଜିଟାଲ ଫଲୋଅର ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବାବେଳେ ପ୍ରସାର ଭାରତୀ ଆର୍କାଇଭସ୍‍ ଏବଂ ଡିଡି କିଷାନର ଡିଜିଟାଲ ପ୍ରଦର୍ଶନ ବେଶ୍‍ ଭଲ ରହି ବୃଦ୍ଧି ପାଉଛି ଏବଂ ଏହା ଶ୍ରେଷ୍ଠ 10 ମଧ୍ୟରେ ସ୍ଥାନ ପାଇଛି। ଉତ୍ତର ପୂର୍ବାଞ୍ଚଳରେ ନିଉଜ୍‍ ପ୍ରତି ଡିଜିଟାଲ ଅର୍ଡିୟାନ୍ସ ବଢିଛି। ଫଳରେ ଆକାଶବାଣୀର ଉତ୍ତର ପୂର୍ବାଞ୍ଚଳ ନିଉଜ ସର୍ଭିସର ଶ୍ରୋତା ସଂଖ୍ୟା ବଢି ଏହା ଡିଜିଟାଲ ଅର୍ଡିୟାନ୍ସ ବର୍ଗର ଶ୍ରେଷ୍ଠ 10ରେ ସ୍ଥାନ ପାଇଛି। ଉଲ୍ଲେଖନୀୟ ହେଲା ଯେ ଏହି ସଂଖ୍ୟା 10 ଲକ୍ଷ ଅତିକ୍ରମ କରି ଏବେ ଡିଜିଟାଲ ଉପଭୋକ୍ତାଙ୍କ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି।

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ

୨୦୨୦ରେ ପ୍ରସାର ଭାରତୀ ଅଧିନସ୍ଥ ଦୂରଦର୍ଶନ ଏବଂ ଆକାଶବାଣୀର ଡିଜିଟାଲ ଦର୍ଶକ ସଂଖ୍ୟା ସର୍ବାଧିକ

ନୂଆଦିଲ୍ଲୀ, ୨୦୨୦ରେ ପ୍ରସାର ଭାରତୀ ଅଧୀନରେ ଥିବା ଦୂରଦର୍ଶନ ଓ ଆକାଶବାଣୀର ଡିଜିଟାଲ ଚାନେଲଗୁଡିକ ଶତପ୍ରତିଶରୁ ଅଧିକ ଅଭିବୃଦ୍ଧି ହାସଲ କରିଛନ୍ତି । ଏଥିରେ ୧୦୦ କୋଟି ଡିଜିଟାଲ ଭିଉଜ ଏବଂ ୬୦୦ କୋଟି ଡିଜିଟାଲ ୱାଚ ମିନିଟ ରେକର୍ଡ କରାଯାଇଛି । ୨୦୨୦ରେ ନିଉଜ୍‍ ଅନ୍‍ ଏୟାର ଆପ୍‍ ଏହାର ପ୍ଲାଟଫର୍ମରେ ୨.୫ ନିୟୁତ ୟୁଜରଙ୍କୁ ଯୋଡିଥିଲା । ଫଳରେ ୩୦୦ ନିୟୁତରୁ ଅଧିକ ଲାଇଭ ରେଡିଓ ଷ୍ଟ୍ରିମିଂ ଦେଖିଥିଲେ । ସେଥିରେ ସ୍ଥାନ ପାଇଥିବା ୨୦୦ରୁ ଅଧିକ ଷ୍ଟ୍ରିମ୍‍ ବେଶ୍‍ ଲୋକପ୍ରିୟ ଥିଲା ।

ଡିଡି ନ୍ୟାସନାଲ ଓ ଡିଡି ନିଉଜ୍‍ ଚାନେଲ ସହିତ ପ୍ରସାର ଭାରତୀର ଶ୍ରେଷ୍ଠ ୧୦ଟି ଡିଜିଟାଲ ଚାନେଲ ମଧ୍ୟରେ ମରାଠି ଡିଡି ନିଉଜ୍‍ ଚାନେଲ ସହାଦ୍ରି, କନ୍ନଡର ଡିଡି ଚନ୍ଦନ, ବାଂଲାର ଡିଡି ବାଂଲା ଏବଂ ତେଲୁଗୁର ଡିଡି ସପ୍ତଗିରି ସ୍ଥାନ ପାଇଛି । ଲାଇଭ କମେଣ୍ଟ୍ରିରେ ଡିଡି ସ୍ପୋର୍ଟ୍ସ ଓ ଆକାଶବାଣୀ ସ୍ପୋର୍ଟ୍ସର ଡିଜିଟାଲ ଫଲୋଅର ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବାବେଳେ ପ୍ରସାର ଭାରତୀ ଆର୍କାଇଭସ୍‍ ଏବଂ ଡିଡି କିଷାନର ଡିଜିଟାଲ ପ୍ରଦର୍ଶନ ବେଶ୍‍ ଭଲ ରହି ବୃଦ୍ଧି ପାଉଛି ଏବଂ ଏହା ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନ ପାଇଛି।

ଉତ୍ତର ପୂର୍ବାଞ୍ଚଳରେ ନିଉଜ୍‍ ପ୍ରତି ଡିଜିଟାଲ ଅର୍ଡିୟାନ୍ସ ବଢିଛି । ଫଳରେ ଆକାଶବାଣୀର ଉତ୍ତର ପୂର୍ବାଞ୍ଚଳ ନିଉଜ ସର୍ଭିସର ଶ୍ରୋତା ସଂଖ୍ୟା ବଢି ଏହା ଡିଜିଟାଲ ଅର୍ଡିୟାନ୍ସ ବର୍ଗର ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛି । ଉଲ୍ଲେଖନୀୟ ହେଲା ଯେ ଏହି ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରି ଏବେ ଡିଜିଟାଲ ଉପଭୋକ୍ତାଙ୍କ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ।ମଜାଦାର କଥା ହେଉଛି ୨୦୨୦ରେ ଡିଡି ଓ ଆକାଶବାଣୀର ଦ୍ୱିତୀୟ ସର୍ବାଧିକ ଡିଜିଟାଲ ଦର୍ଶକ ଓ ଶ୍ରୋତା ପାକିସ୍ତାନର ଥିଲେ। ଏହା ପରେ ତୃତୀୟରେ ରହିଛି ଆମେରିକା । ଅର୍ଥାତ୍‍ ଭାରତରେ ଆକାଶବାଣୀ ଓ ଦୂରଦର୍ଶନର ସର୍ବାଧିକ ଦର୍ଶକ ଓ ଶ୍ରୋତା ରହିଥିବାବେଳେ ଦେଶ ବାହାରେ ଏ କ୍ଷେତ୍ରରେ ପାକିସ୍ତାନ ଓ ଆମେରିକା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

୨୦୨୦ରେ ସବୁ ଲୋକପ୍ରିୟ ଡିଜିଟାଲ କାର‌୍ୟ୍ୟକ୍ରମ ମଧ୍ୟରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍କୁଲ ପିଲାଙ୍କ ସହ  ଧାରଣତନ୍ତ୍ର ପରେଡର ବାର୍ତ୍ତାଳାପ ସବୁଠୁ ଲୋକପ୍ରିୟ ଥିଲା । ସେହିଭଳି ୧୯୭୦ ଦଶକରେ ଶକୁନ୍ତଳା ଦେବୀଙ୍କ ଉପରେ ଦୂରଦର୍ଶନ ପକ୍ଷରୁ ପ୍ରସ୍ତୁତ ଏକ ବିରଳ ଭିଡିଓକୁ ମଧ୍ୟ ସର୍ବାଧିକ ଲୋକ ଦେଖିଥିଲେ। ପ୍ରସାର ଭାରତୀର ଉତ୍ସର୍ଗୀକୃତ ୟୁଟ୍ୟୁବ ଚାନେଲରେ ସଂସ୍କୃତ ଭାଷାରେ ଏକ କାର‌୍ୟ୍ୟକ୍ରମ ୨୦୨୦ରେ ଆରମ୍ଭ ହୋଇଥିଲା। ଏହାଛଡା ରେଡିଓ ଓ ଟିଭିରେ ମଧ୍ୟ ସଂସ୍କୃତ ଭାଷାରେ କେତେକ କାର‌୍ୟ୍ୟକ୍ରମ ପ୍ରସ୍ତୁତ ହୋଇ ଶ୍ରୋତା ଓ ଦର୍ଶକଙ୍କ ପାଖରେ ପହଞ୍ଚିଥିଲା। ଏସବୁ ଦେଖିବା ପାଇଁ ସହଜ ବ୍ୟବସ୍ଥା କରାଯାଇଥିଲା । ଉତ୍ସର୍ଗୀକୃତ ମନ୍‍ କୀ ବାତ୍‍ ୟୁଟ୍ୟୁବ ଚାନେଲ ଏବଂ ଟ୍ୱିଟର ହ୍ୟାଣ୍ଡେଲ କ୍ଷେତ୍ରରେ ୨୦୨୦ରେ ବେଶ୍‍ ତୀବ୍ର ଅଭିବୃଦ୍ଧି ହାସଲ ହୋଇଛି ।

ଏବେ ମନ୍‍ କୀ ବାତ୍‍ ଟ୍ୱିଟର ହ୍ୟାଣ୍ଡେଲର ଫଲୋଅରଙ୍କ ସଂଖ୍ୟା ୬୭୦୦୦ରୁ ଅଧିକ । ମନ୍‍ କୀ ବାତ୍‍ କାର‌୍ୟ୍ୟକ୍ରମର ବିଭିନ୍ନ ଅଧ୍ୟାୟକୁ ଆଞ୍ଚଳିକ ଭାଷାରେ ୟୁଟ୍ୟୁବ୍‍ ଚାନେଲରେ ପ୍ରସାରଣ କରାଯାଉଛି । ବିଭିନ୍ନ ଭାଷାର ପ୍ରାୟ ୧୫୦୦ ରେଡିଓ ନାଟକ ଡିଡି ଓ ଏଆଇଆର ନେଟୱାର୍କରେ ଉପଲବ୍‍ଧ । ସେଗୁଡିକୁ ଏବେ ଡିଜିଟାଇଜ କରାଯାଇ ଆମ ୟୁଟ୍ୟୁବ୍‍ ଚାନେଲରେ ଅପ୍‍ଲୋଡ କରାଯାଉଛି ।

ଶିକ୍ଷା ସମ୍ବନ୍ଧୀୟ ବିଷୟବସ୍ତୁର ହଜାର ହଜାର ଘଣ୍ଟା କାର‌୍ୟ୍ୟକ୍ରମ ଏବଂ ଟେଲିକ୍ଲାସେସ ଏବେ ୟୁଟ୍ୟୁବ୍‍ ଚାନେଲରେ ବିଭିନ୍ନ ଭାଷାରେ ଉପଲବ୍ଧ । ବିରଳ ଅଭିଲେଖାତ୍ମକ ବିଷୟବସ୍ତୁ ଯାହାର ବିଶେଷ ଐତିହାସିକ ମୂଲ୍ୟ ରହିଛି ତାହା ଏବେ ଆକାଶବାଣୀ ଓ ଦୂରଦର୍ଶନରେ ଉପଲବ୍ଧ । ସେଗୁଡିକୁ ଡିଜିଟାଇଜ କରାଯାଇ ପ୍ରସାର ଭାରତୀ ଆର୍କାଇଭ ୟୁଟ୍ୟୁବ୍‍ ଚାନେଲରେ ଅପ୍‍ଲୋଡ କରାଯାଉଛି ।

ଜନସ୍ୱାର୍ଥରେଏକ ଉତ୍ସର୍ଗୀକୃତ ଟିମ୍‍ ଏ ସବୁ ଗୀତ ଓ ସଂଗୀତ, ସଂସ୍କୃତି, ରାଜନୀତି ବିଷୟକ ତଥ୍ୟାବଳୀକୁ ବିଭିନ୍ନ ଟେପ୍‍ରୁ ଉଦ୍ଧାର କରି ଡିଜିଟାଇଜ କରୁଛନ୍ତି । ଆକାଶବାଣୀ ଓ ଦୂରଦର୍ଶନର ବିଭିନ୍ନ କେନ୍ଦ୍ରରେ ବିଭିନ୍ନ ସମୟରେ ଏସବୁ କାର‌୍ୟ୍ୟକ୍ରମ ରେକର୍ଡ ହୋଇଥିଲା; ଯାହା ଏବେ ଟେପ୍‍ରେ ରହିଛି । ଏସବୁ ଉଦ୍ଧାର ହୋଇ ସହଜ ଏବଂ ସୁବିଧାରେ ସର୍ବସାଧାରଣଙ୍କୁ ଉପଲବ୍‍ଧ ହେଲେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ବିଶେଷ ସହାୟକ ହେବ।