Categories
ଆଜିର ଖବର ଜାତୀୟ ଖବର

ଆଇଟିୟୁ-ଡବ୍ଲୁଟିଏସଏ ୨୦୨୪ ଉଦଯାପିତ

ନୂଆଦିଲ୍ଲୀଅନ୍ତର୍ଜାତୀୟ ଦୂରସଂଚାର ସଂଘ – ବିଶ୍ୱ ଦୂରସଞ୍ଚାର ମାନକୀକରଣ ସଭା (ଆଇଟିୟୁ-ଡବ୍ଲ୍ୟୁଟିଏସ୍ଏ ୨୦୨୪) ଶେଷ ହେବା ସହିତ ଭାରତ ବିଶ୍ୱ ଦୂରସଞ୍ଚାରର ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହାର ସକ୍ରିୟ ଯୋଗଦାନ ମାଧ୍ୟମରେ, ଭାରତ ସଫଳତାର ସହ ଯୁଗାନ୍ତକାରୀ ପ୍ରସ୍ତାବ ଦେଇଛି ଏବଂ ବର୍ତ୍ତମାନର ସଂକଳ୍ପଗୁଡିକର ସଂଶୋଧନରେ ଯୋଗଦାନ କରିଛି ତଥା ଏଥିପାଇଁ ସଦସ୍ୟ ରାଷ୍ଟ୍ରମାନଙ୍କ ଠାରୁ ବ୍ୟାପକ ସମର୍ଥନ ପାଇଛି।

ସମାପନ ସମାରୋହ ସହ ଏହି କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି। ଏଥିରେ ସଞ୍ଚାର ଓ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍ ସିନ୍ଧିଆ, ଆଇଟିୟୁ ମହାସଚିବ ଡୋରିନ୍ ବୋଗଡାନ-ମାର୍ଟିନ୍, ସଞ୍ଚାର ଓ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଡ. ପେମସାନି ଚନ୍ଦ୍ର ଶେଖର, ଦୂରସଞ୍ଚାର ବିଭାଗ ସଚିବ, ଆଇଟିୟୁର ସଚିବଙ୍କ ସମେତ ଭାରତ ସରକାର ଓ ଆଇଟିୟୁର ପ୍ରମୁଖ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

ସମାବେଶକୁ ସମ୍ବୋଧିତ କରି ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ‘‘ଏହି ଡବ୍ଲ୍ୟୁଟିଏସଏ-୨୪ ପ୍ରମାଣିତ କରିଛି ଯେ, ଯେତେବେଳେ ଆମେ ଏକ ସାଧାରଣ ଉଦ୍ଦେଶ୍ୟ ସହିତ ସହଯୋଗ କରୁ, ସେତେବେଳେ ଟେକ୍ନୋଲୋଜି ସମାନତା ଏବଂ ପ୍ରଗତିର ଆଲୋକ ପାଲଟିଯାଏ। ଆଗକୁ ଯିବାର ବାଟରେ ଅନେକ ଆହ୍ଵାନ ରହିଛି, ତଥାପି ଏହା ସକାରାତ୍ମକ ପରିବର୍ତ୍ତନ ପାଇଁ ଏକ ଉତପ୍ରେରକ ଭାବରେ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରିବାକୁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରେ। ଭାରତ ଏହି ସହଭାଗୀ ଯାତ୍ରାରେ ନିଜର ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ଏବଂ ଆମେ ଅନ୍ତର୍ଜାତୀୟ ସହଯୋଗକୁ ସମର୍ଥନ କରିବୁ ତଥା ବିଶ୍ୱସ୍ତରୀୟ ମାନର ବିକାଶରେ ସକ୍ରିୟ ଭାବରେ ଯୋଗଦାନ କରିବୁ।’’ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମାଧ୍ୟମରେ ଭାରତ କେବଳ ଡିଜିଟାଲ ବିଭାଜନକୁ ଦୂର କରିବା ଦିଗରେ ନୁହେଁ ବରଂ ଲିଙ୍ଗଗତ ଅନ୍ତର୍ଭୁକ୍ତୀକରଣ ସୁନିଶ୍ଚିତ କରିବା ଦିଗରେ ମଧ୍ୟ ଏକ ବଡ଼ ପଦକ୍ଷେପ ନେଇଛି ବୋଲି ସେ କହିଥିଲେ।

ଆଇଟିୟୁ ମହାସଚିବ ଡୋରିନ୍ ବୋଗଡାନ-ମାର୍ଟିନ୍ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟର ଉଦାହରଣ ଦେଇ କହିଥିଲେ, ‘‘ଆସନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉକ୍ତିକୁ ଧ୍ୟାନରେ ରଖି ଆମେ ଡବ୍ଲୁଟିଏସଏ ଫଳାଫଳକୁ କାର୍ଯ୍ୟରେ ପରିଣତ କରିବା। ‘ନିରାପତ୍ତା, ସମ୍ମାନ ଓ ସମାନତାର ନୀତିକୁ ଆମ ପ୍ରୟାସର କେନ୍ଦ୍ରରେ ରଖି’ ଏକ ସମାବେଶୀ ଡିଜିଟାଲ ଭବିଷ୍ୟତ ଦିଗରେ ଆସନ୍ତୁ ଏହି ଯାତ୍ରା ଜାରି ରଖିବା ଯାହା ବୈଷୟିକ ସ୍ତରରେ ସୁଦୃଢ଼ ଓ ମାନଦଣ୍ଡର ଏକ ଦୃଢ଼ ଭିତ୍ତିଭୂମି ଉପରେ ନିର୍ମିତ ହୋଇଥିବ। ଏହା ନୈତିକତା ଦୃଷ୍ଟିରୁ ସୁଦୃଢ଼ ହୋଇଥିବ ଏବଂ ମୂଳତଃ ନବସୃଜନ ଓ ଅନ୍ତର୍ଭୁକ୍ତୀକରଣ ଆଧାରତ ହୋଇଥିବ।’’

ଏହି ଅବସରରେ ସଂଚାର ଓ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଡ. ପେମସାନି ଚନ୍ଦ୍ର ଶେଖର କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ରଣନୀତିକ ଭାଗିଦାରୀ, ଯୁଗାନ୍ତକାରୀ ଗବେଷଣା ଓ ନବସୃଜନ ଭିତ୍ତିକ ବିକାଶ ମାଧ୍ୟମରେ ବିଶ୍ୱ ନେତୃତ୍ୱ ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଛି ଏବଂ ଡିଜିଟାଲ ବିପ୍ଳବରେ ନିଜର ଅଗ୍ରଣୀ ସ୍ଥାନକୁ ପୁନଃପ୍ରତିଷ୍ଠିତ କରିଛି।

ଭାରତର ପ୍ରମୁଖ ପ୍ରସ୍ତାବଗୁଡ଼ିକ ମଧ୍ୟରେ ରହିଛି:

ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଉପରେ ମାନକୀକରଣ କାର୍ଯ୍ୟକଳାପ ବୃଦ୍ଧି ପାଇଁ ଏକ ନୂତନ ସଂକଳ୍ପ

ଦୂରସଞ୍ଚାର / ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି (ଆଇସିଟି) ସମର୍ଥନରେ ଏଆଇ ଜ୍ଞାନକୌଶଳ ଉପରେ ଆଇଟିୟୁ ଦୂରସଞ୍ଚାର ମାନକୀକରଣ କ୍ଷେତ୍ରର ମାନକୀକରଣ କାର୍ଯ୍ୟକଳାପ ଉପରେ ଏକ ନୂତନ ସଂକଳ୍ପ

ଭାରତ ସମର୍ଥିତ ଅନ୍ୟ ନୂତନ ଆଇଟିୟୁ-ଟି ସଂକଳ୍ପଗୁଡ଼ିକ ମଧ୍ୟରେ ରହିଛି:

ଦୀର୍ଘସ୍ଥାୟୀ ଡିଜିଟାଲ ରୂପାନ୍ତର ଉପରେ ମାନକୀକରଣ କାର୍ଯ୍ୟକଳାପ ବୃଦ୍ଧି

ମେଟାଭର୍ସ ମାନକୀକରଣକୁ ପ୍ରୋତ୍ସାହିତ ଏବଂ ସୁଦୃଢ଼ କରିବା

ଯାନବାହନ ଯୋଗାଯୋଗ ପାଇଁ ମାନକୀକରଣ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ ଏବଂ ସୁଦୃଢ଼ କରିବା

ଆଇଟିୟୁ ଦୂରସଞ୍ଚାର ମାନକୀକରଣ କ୍ଷେତ୍ରରେ ରଣନୀତିକ ଯୋଜନା;

ଜରୁରୀକାଳୀନ ଯୋଗାଯୋଗ ପାଇଁ ହ୍ୟାଣ୍ଡସେଟ୍-ଡେରାଇଭଡ୍‌ କଲର୍ ଲୋକେସନ୍‌ ସୂଚନା ପ୍ରଦାନ କରିବା

ଆଇଟିୟୁ-ଟି ମାନକୀକରଣ କାର୍ଯ୍ୟକଳାପରେ ପରବର୍ତ୍ତୀ ପିଢ଼ିର ବିଶେଷଜ୍ଞଙ୍କ ଯୋଗଦାନ ବୃଦ୍ଧି କରିବା।

ଏହି ପଦକ୍ଷେପଗୁଡ଼ିକ କେବଳ ଟେଲି ଯୋଗାଯୋଗ/ ସୂଚନା ଓ ସଞ୍ଚାର ପ୍ରଯୁକ୍ତି (ଆଇସିଟି) କ୍ଷେତ୍ରରେ ଅଗ୍ରଣୀ ଭାବରେ ଭାରତର ଭୂମିକାକୁ ସୁଦୃଢ଼ କରେ ନାହିଁ, ବରଂ ଏକ ସୁଦୃଢ଼ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ସହିତ ନିରବଚ୍ଛିନ୍ନ ଭାବରେ ଯୋଡ଼ି ହୋଇଛି, ଯାହା ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ସ୍ପଷ୍ଟ ହୋଇଛି । ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ପାଇଁ ଏକ ବିଶ୍ୱସ୍ତରୀୟ ଢାଞ୍ଚା ସୃଷ୍ଟି କରିବା ଉପରେ ତାଙ୍କର ଗୁରୁତ୍ୱ ବିଶ୍ୱ ପ୍ରଶାସନ ପାଇଁ ଏହି ସଂକଳ୍ପଗୁଡିକର ଗୁରୁତ୍ୱକୁ ସୂଚାଇଥାଏ । ଏହି ସଂକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଜିଟାଲ ଇଣ୍ଡିଆର ଚାରିଟି ସ୍ତମ୍ଭ – କମ୍ ମୂଲ୍ୟର ଡିଭାଇସ୍, ଦେଶର କୋଣ ଅନୁକୋଣରେ ଡିଜିଟାଲ ସଂଯୋଗର ବ୍ୟାପକ ପ୍ରସାର, ସହଜରେ ଉପଲବ୍ଧ ଡାଟା ଏବଂ ‘ଡିଜିଟାଲ ଫାଷ୍ଟ’ର ଲକ୍ଷ୍ୟ ସହିତ ମଧ୍ୟ ସଂଯୁକ୍ତ ।

ଏହାବ୍ୟତୀତ ପ୍ରାୟ ୨୫ଟି ପ୍ରଚଳିତ ସଂକଳ୍ପ ସଂଶୋଧନରେ ମଧ୍ୟ ଭାରତ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି। ଆଇଏସଓ/ଆଇଇସି, ଟେଲିକମ୍ ନମ୍ବରିଂ ମ୍ୟାନେଜମେଣ୍ଟ, ସାଇବର ସିକ୍ୟୁରିଟି, ଭିନ୍ନକ୍ଷମଙ୍କ ପାଇଁ ଦୂରସଞ୍ଚାର/ଆଇସିଟି ଆକ୍ସେସିବିଲିଟି ଏବଂ ଆଇସିଟି ଓ ପରିବେଶ/ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସହଯୋଗ ଏବଂ ସହମତି ହୋଇଛି। ଏହି ପ୍ରଗତି ଏକ ସହଯୋଗୀ ଭାବନାକୁ ପ୍ରତିଫଳିତ କରେ। ଅନେକ ସଂକଳ୍ପ ବିନା ପରିବର୍ତ୍ତନରେ ସହମତି ହାସଲ କରିଛି ଯାହା ବିଶ୍ୱସ୍ତରୀୟ ମାନଦଣ୍ଡ ପ୍ରତି ଏକ ସମନ୍ୱିତ ଆଭିମୁଖ୍ୟକୁ ସୁଦୃଢ଼ କରିଥାଏ ।

ଭାରତର ସକ୍ରିୟ ଅଂଶଗ୍ରହଣ କେବଳ ଟେଲିଯୋଗାଯୋଗ କ୍ଷେତ୍ରରେ ଏହାର ନେତୃତ୍ୱକୁ ପ୍ରଦର୍ଶିତ କରିନାହିଁ ବରଂ ଆମେରିକା, ବ୍ରିଟେନ, ବ୍ରାଜିଲ, ଚୀନ, ଜାପାନ ଏବଂ ଅଷ୍ଟ୍ରେଲିଆ ସମେତ ଅନେକ ଦେଶର ସମର୍ଥନ ହାସଲ କରିଛି । ଏହି କାର୍ଯ୍ୟକ୍ରମରେ ଭାରତର ଅଧ୍ୟକ୍ଷତାରେ ଢାଞ୍ଚାଗତ ସଂସ୍କାର ପାଇଁ ଅନେକ ଦୀର୍ଘ ଆଲୋଚନା ମଧ୍ୟ ସଫଳ ହୋଇଛି । ଉଦାହରଣ ସ୍ୱରୂପ, ଏସଜି୯ ଏବଂ ଏସଜି୧୬ର ମିଶ୍ରଣ ଉପରେ ଆଧାରିତ ଏକ ନୂତନ ଅଧ୍ୟୟନ ଗୋଷ୍ଠୀ ଗଠନ କରିବା, ଗୋଟିଏ ଦେଶରୁ  ଗୋଟିଏରୁ ଅଧିକ ଅଧ୍ୟକ୍ଷ ନରହିବା ଏବଂ ଏକାଧିକ ଭିନ୍ନ ମତ ସତ୍ତ୍ୱେ ନେତୃତ୍ୱ ପଦବୀ ଚୂଡ଼ାନ୍ତ କରିବା ଆଦି ।

ଡବ୍ଲ୍ୟୁଟିଏସଏ ୨୪ରେ  ୮ଟି ନୂଆ ସଂକଳ୍ପ ଥିବା ବେଳେ ୪୪ଟି ସଂଶୋଧିତ ସଂକଳ୍ପ ନିଆଯାଇଥିଲା। ୧୦ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଭାରତକୁ ଟେଲିଯୋଗାଯୋଗ ଶିଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ଭାବରେ ପ୍ରତିଷ୍ଠିତ କରିବାର ରେକର୍ଡ ଭାଙ୍ଗିଥିବା ମାଇଲଖୁଣ୍ଟ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମର କେତେକ ପ୍ରମୁଖ ଆକର୍ଷଣ ଗୁଡ଼ିକ ହେଲା:

ରେକର୍ଡ ଅଂଶଗ୍ରହଣ: ୧୬୦ରୁ ଅଧିକ ଦେଶରୁ ୩,୭୦୦ ପ୍ରତିନିଧିଙ୍କ ଐତିହାସିକ ଉପସ୍ଥିତି, ଯାହା ଡବ୍ଲୁଟିଏସଏ ବିଧାନସଭାରେ ସର୍ବାଧିକ ଅଂଶଗ୍ରହଣ କରିଛି ।

ନେତୃତ୍ୱ ମାନ୍ୟତା: ବିଶିଷ୍ଟ ଦୂରସଞ୍ଚାର ବିଶେଷଜ୍ଞ ତଥା ଭାରତ ସରକାରଙ୍କ ଦୂରସଂଚାର ବିଭାଗର ପୂର୍ବତନ ପରାମର୍ଶଦାତା ଆର୍ ଆର୍ ମିତ୍ର ସର୍ବସମ୍ମତିକ୍ରମେ ଡବ୍ଲ୍ୟୁଟିଏସ୍ଏ-୨୪ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

ଅଧ୍ୟୟନ ଦଳରେ ନେତୃତ୍ୱ: ଆଇଟିୟୁ-ଟିରେ ଭାରତ ସର୍ବାଧିକ ନେତୃତ୍ବ ପଦବୀ ହାସଲ କରିଛି। ବର୍ତ୍ତମାନ ସମସ୍ତ ୧୦ଟି ଆଇଟିୟୁ-ଟି 3. ଅଧ୍ୟୟନ ଦଳ ଏବଂ ଏସସିଭି (ଶବ୍ଦଭଣ୍ଡାର ଉପରେ ମାନକ କମିଟି)ରେ ନେତୃତ୍ୱ ଭୂମିକାରେ ଭାରତୀୟ ବିଶେଷଜ୍ଞ ଅଛନ୍ତି। ଡବ୍ଲ୍ୟୁଟିଏସଏ ୨୨ରେ ଏଭଳି ୭ଟି ପଦବୀରୁ  ଏହା ଏବେ ୧୧ଟି ସ୍ଥାନକୁ ବୃଦ୍ଧି ପାଇଛି

ଲିଙ୍ଗଗତ ସନ୍ତୁଳନ: ଜେନେଭା ବାହାରେ ଅନୁଷ୍ଠିତ ଡବ୍ଲୁଟିଏସଏ (ଜେନେଭା ୨୦୨୨ରେ, ଏହା ୩୨%) ପାଇଁ ସର୍ବାଧିକ ୨୬% ମହିଳା ଅଂଶଗ୍ରହଣ ସହିତ ଟେଲିଯୋଗାଯୋଗରେ ଲିଙ୍ଗଗତ ସମାନତା ବୃଦ୍ଧି କରି ଏହି କାର୍ଯ୍ୟକ୍ରମ ଅଭୂତପୂର୍ବ ମହିଳାଙ୍କ ଅଂଶଗ୍ରହଣକୁ ପାଳନ କରିଥିଲା ।

ସର୍ବାଧିକ ପାର୍ଶ୍ୱ କାର୍ଯ୍ୟକ୍ରମ: ଡବ୍ଲ୍ୟୁଟିଏସଏ ସହିତ ଏଆଇ ଫର୍‌ ଗୁଡ୍: ଇଣ୍ଡିଆ ଇମ୍ପେକ୍ଟ, ନେଟୱାର୍କ ଫର ୱିମେନ୍ (ଏନ୍ଓଡବ୍ଲ୍ୟୁ), କାଲିଡୋସ୍କୋପ୍, ନିୟାମକ ସମ୍ମିଳନୀ, ଜାତିସଂଘ ବିପର୍ଯ୍ୟୟ ବିପଦ ହ୍ରାସ କନଫରେନ୍ସିଂ, ଆଇଟିୟୁ-ଡବ୍ଲ୍ୟୁଏଚ୍ଓ ସୁରକ୍ଷିତ ଶୁଣାଣି, ହ୍ୟାକାଥନ୍, ଆଇଟିୟୁ ଏକ୍ସପୋ ଇତ୍ୟାଦି ସହିତ ୧୫ରୁ ଅଧିକ ଉଚ୍ଚସ୍ତରୀୟ ପାର୍ଶ୍ୱ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଅଭୂତପୂର୍ବ ଶୈକ୍ଷିକ ସଂପୃକ୍ତି: ପଞ୍ଚଦଶ ଆଇଟିୟୁ କାଲିଡୋସ୍କୋପ ସମ୍ମିଳନୀରେ ରେକର୍ଡ ଗବେଷଣାପତ୍ର ଦାଖଲ କରାଯାଇଥିଲା, ଯାହା ଡିଜିଟାଲ ଭିତ୍ତିଭୂମିର ଭବିଷ୍ୟତ ପ୍ରତି ବିଶ୍ୱର ଆଗ୍ରହକୁ ପ୍ରତିଫଳିତ କରିଥିଲା । ସେଥିମଧ୍ୟରୁ ଦୁଇ ତୃତୀୟାଂଶ ଗବେଷଣାପତ୍ର ଭାରତର ହୋଇଥିବା ବେଳେ ଶ୍ରେଷ୍ଠ ୩ଟି ଗବେଷଣାପତ୍ରକୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଥିଲା।

ଯୁବ ଓ ଉଦ୍ୟୋଗୀଙ୍କ ଅଂଶଗ୍ରହଣ: ରୋବୋଟିକ୍ସ ଫର୍ ଗୁଡ୍ ୟୁଥ୍ ଚ୍ୟାଲେଞ୍ଜ ଇଣ୍ଡିଆ ଏବଂ ଇନୋଭେସନ୍ ଏକ୍ସଚେଞ୍ଜ ଭଳି କାର୍ଯ୍ୟକ୍ରମରେ ଯୁବ ଓ ଉଦ୍ୟୋଗୀମାନେ ଅଂଶଗ୍ରହଣ କରିଥିଲେ। ଏହି ଚ୍ୟାଲେଞ୍ଜରେ ୧୧ଟି ରାଜ୍ୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିପର୍ଯ୍ୟୟ ପରିଚାଳନା ବିଷୟବସ୍ତୁ ଅଧୀନରେ ରୋବୋଟିକ୍ସ ସମାଧାନ ଉପସ୍ଥାପନ କରିବା ପାଇଁ ୧୨୦ଟି ଦଳ ମଧ୍ୟରୁ ୫୧ଟି ଦଳକୁ ଚୟନ କରାଯାଇଥିଲା। ଏଆଇ ଫର ଗୁଡ୍ ଇମ୍ପାକ୍ଟ ଇଣ୍ଡିଆର ଏକ ଅଂଶ ଭାବରେ କନିଷ୍ଠ ଏବଂ ବରିଷ୍ଠ ବର୍ଗର ବିଜେତାମାନେ ଜୁଲାଇ ୨୦୨୫ରେ ଜେନେଭା ଯାଇ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଇନୋଭେସନାଲ ଏକ୍ସଚେଞ୍ଜରେ ନେକ୍ସଟଜେନ୍ ନେଟୱାର୍କ (୫ଜି/୬ଜି), ଏଆଇ ଓ ରୋବୋଟିକ୍ସ, ସୁରକ୍ଷିତ ଯୋଗାଯୋଗ ନେଟୱାର୍କ ଏବଂ କ୍ୱାଣ୍ଟମ କମ୍ୟୁନିକେସନ ଉପରେ ଯୁବ ଓ ଷ୍ଟାର୍ଟଅପ୍ ମାନଙ୍କ ଦ୍ୱାରା ବିଷୟଗତ ଆଲୋଚନା ଦେଖିବାକୁ ମିଳିଥିଲା।

ଭାରତ ସିକ୍ସ-ଜି ଆଲାଏନ୍ସ: ଅନ୍ତର୍ଜାତୀୟ ଅଂଶୀଦାରମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା, ଯାହାକି ବିଶ୍ୱର ସିକ୍ସ-ଜି ପେଟେଣ୍ଟରେ ଭାରତର ୧୦% ଅବଦାନ ପ୍ରତିଶ୍ରୁତି ଦିଗରେ ଏକ ପଦକ୍ଷେପ।

ଆଇଟିୟୁ-ଡବ୍ଲୁଟିଏସଏ ୨୦୨୪ର ସଫଳ ସମାପନ ଭାରତର ଟେଲିଯୋଗାଯୋଗ ଯାତ୍ରାର ଏକ ଐତିହାସିକ ଅଧ୍ୟାୟ। ଭବିଷ୍ୟତ ପାଇଁ ପ୍ରଗତିଶୀଳ ପ୍ରସ୍ତାବ ଦେବା ଏବଂ ବିଶ୍ୱସ୍ତରୀୟ ସହମତିକୁ ପ୍ରୋତ୍ସାହିତ କରିବାରେ ଭାରତର ନେତୃତ୍ୱ ଡିଜିଟାଲ ଭିତ୍ତିଭୂମିର ଭବିଷ୍ୟତ ଗଠନରେ ଏକ ପ୍ରମୁଖ ରାଷ୍ଟ୍ର ଭାବରେ ଦେଶର ସ୍ଥିତିକୁ ସୁଦୃଢ଼ କରିଛି । ଆଇଟିୟୁ-ଟି ଅଧ୍ୟୟନ ଦଳରେ ରେକର୍ଡ ସଂଖ୍ୟକ ଅଂଶଗ୍ରହଣ, ରଣନୀତିକ ବୁଝାମଣାପତ୍ର ଏବଂ ନେତୃତ୍ବ ବୃଦ୍ଧି ସହିତ ଟେଲିଯୋଗାଯୋଗରେ ନବୋନ୍ମେଷ ଏବଂ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଛି। ଦୂରସଞ୍ଚାର କ୍ଷେତ୍ର ଆଗକୁ ବଢ଼ୁଥିବା ବେଳେ ମାନକୀକରଣ ପ୍ରୟାସରେ ଭାରତର ସକ୍ରିୟ ଯୋଗଦାନ ବିଶ୍ୱ ଡିଜିଟାଲ ପରିଦୃଶ୍ୟକୁ ପ୍ରଭାବିତ କରିବା ଜାରି ରଖିବ, ସମସ୍ତଙ୍କ ପାଇଁ ଏକ ସ୍ଥାୟୀ ଏବଂ ଡିଜିଟାଲ ସଶକ୍ତ ଭବିଷ୍ୟତ ସୁନିଶ୍ଚିତ କରିବ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର

ଏଣିକି ମୋବାଇଲ ସିମ୍ କିଣିବା ବା ସେବା ପରିବର୍ତ୍ତନ କରିବା ପକ୍ରିୟା ସରଳ ହେଲା, ଜାଣନ୍ତୁ କଣ କରିବେ

ନୂଆଦିଲ୍ଲୀ: ସମାଜର ବଞ୍ଚିତ ବର୍ଗଙ୍କ ପାଇଁ ବିଶ୍ୱସ୍ତରୀୟ ଇଣ୍ଟରନେଟ ଏବଂ ଟେଲି-ଯୋଗାଯୋଗ ସୁବିଧା ଯୋଗାଇ ଦିଆଯିବ ବୋଲି ନିକଟରେ କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିଲେ। ତାଙ୍କ ଘୋଷଣା ଅନୁରୂପ, ଏହି ଲକ୍ଷ୍ୟ ହାସଲ ଦିଗରେ ଭାରତ ସରକାରଙ୍କ ଦୂରସଞ୍ଚାର ମନ୍ତ୍ରଣାଳୟ ଅଧୀନ ଦୂରସଞ୍ଚାର ବିଭାଗ ପକ୍ଷରୁ ଏକ ବୃହତ ପଦକ୍ଷେପ ଗ୍ରହଣ କରାଯାଇଛି।

ଆଜି ବିଭାଗ ପକ୍ଷରୁ କେୱାଇସି ପ୍ରକ୍ରିୟାକୁ ସରଳ କରିବା ଲାଗି ଏକାଧିକ ଆଦେଶ ଜାରି କରାଯାଇଛି। ଫଳରେ ଗତ ୧୫.୦୯.୨୦୨୧ରେ କ୍ୟାବିନେଟ ଦ୍ୱାରା ଘୋଷଣା କରାଯାଇଥିବା ଦୂରସଞ୍ଚାର ସଂସ୍କାରକୁ କାର୍ଯ୍ୟକାରୀ କରାଯାଇଛି।

ବର୍ତ୍ତମାନର ନିୟମ ଅନୁଯାୟୀ, ନୂଆ ମୋବାଇଲ ନମ୍ବର ସଂଯୋଗ କିମ୍ବା ପ୍ରିପେଡରୁ ପୋଷ୍ଟପେଡ ଅଥବା ପୋଷ୍ଟପେଡରୁ ପ୍ରିପେଡ୍ ସେବାକୁ ପରିବର୍ତ୍ତନ ଲାଗି ଜଣେ ଗ୍ରାହକଙ୍କୁ ମୂଳ ପରିଚୟ ଓ ଠିକଣା ପ୍ରମାଣପତ୍ର ସହିତ ଯାଇ ସେବା ବିକ୍ରୟ କେନ୍ଦ୍ରରେ କେୱାଇସି ପ୍ରକ୍ରିୟା ସମ୍ପାଦନ କରିବାକୁ ପଡ଼ୁଛି।

କିଛିଦିନ ହେବା ଅନଲାଇନ ସେବା ବିତରଣ ଏକ ଗ୍ରହଣୀୟ ମାନଦଣ୍ଡ ହୋଇଯାଇଛି ଏବଂ ଅଧିକାଂଶ ଗ୍ରାହକ ସେବା ଓଟିପି ପ୍ରମାଣୀକରଣ ଜରିଆରେ ଇଣ୍ଟରନେଟ ମାଧ୍ୟମରେ ଯୋଗାଇ ଦିଆଯାଉଛି। ଗ୍ରାହକମାନଙ୍କ ସୁବିଧା ଏବଂ ବ୍ୟବସାୟକୁ ସହଜ କରିବାଲାଗି ଏହି କୋଭିଡ କାଳରେ ସ୍ପର୍ଶମୁକ୍ତ ସେବାକୁ ପ୍ରୋତ୍ସାହନ ଦିଆଯିବାର ଆବଶ୍ୟକତା ରହିଛି।

ସେଥିପାଇଁ ଯଦି ଆଧାର ଉପଯୋଗ କରାଯାଉଛି ଏବଂ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ମାଧ୍ୟମରେ ଇଲେକ୍ଟ୍ରୋନିକ ଜରିଆରେ ଜନସାଂଖିକୀୟ ବିବରଣୀ ହାସଲ କରାଯାଉଛି, ତା’ହେଲେ ଏପରି ସ୍ଥିତିରେ ଗ୍ରାହକମାନଙ୍କ ସହମତିକୁ ବାଧ୍ୟତାମୂଳକ କରିଦିଆଯାଇଛି।

ତଦନୁସାରେ, ସ୍ପର୍ଶମୁକ୍ତ, ଗ୍ରାହକ କୈନ୍ଦ୍ରିକ ଏବଂ ସୁରକ୍ଷିତ କେୱାଇସି ପ୍ରକ୍ରିୟାକୁ ତୁରନ୍ତ କାର‌୍ୟ୍ୟକାରୀ କରିବା ଲାଗି ଦୂରସଞ୍ଚାର ବିଭାଗ ପକ୍ଷରୁ ନିମ୍ନଲିଖିତ ଆଦେଶ ଜାରି କରାଯାଇଛି :

ଆଧାର ଆଧାରିତ ଇ-କେୱାଇସି

ନୂଆ ମୋବାଇଲ ସଂଯୋଗ ପ୍ରଦାନ କରିବା ଲାଗି ଆଧାର ଆଧାରିତ ଇ- କେୱାଇସି ପ୍ରକ୍ରିୟାକୁ ପୁଣିଥରେ ଆରମ୍ଭ କରାଯାଇଛି। ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏଥିପାଇଁ ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କ ଠାରୁ ପ୍ରତ୍ୟେକ ଗ୍ରାହକଙ୍କ ପାଇଁ ୧ ଟଙ୍କା ନେବ। ଏହା ସମ୍ପୂର୍ଣ୍ଣ ଭାବେ ଏକ କାଗଜମୁକ୍ତ (ପେପରଲେସ) ଏବଂ ଡିଜିଟାଲ ପ୍ରକ୍ରିୟା ଯେଉଁଥିରେ ଗ୍ରାହକଙ୍କ ଫଟୋ ସହିତ ତାଙ୍କର ଜନସାଂଖ୍ୟିକ ବିବରଣୀ ଦୂରସଞ୍ଚାର ସେବା ପ୍ରଦାନକାରୀ (ଟିଏସପି) ଦ୍ୱାରା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଠାରୁ ଅନଲାଇନ ପ୍ରାପ୍ତ କରାଯାଇଥାଏ।

ସେଲ୍ଫ- କେୱାଇସି

ଏହି ପ୍ରକ୍ରିୟାରେ, ଗ୍ରାହକମାନଙ୍କୁ ଏକ ଆପ/ପୋର୍ଟାଲ ଆଧାରିତ ଅନଲାଇନ ପ୍ରକ୍ରିୟା ମାଧ୍ୟମରେ ମୋବାଇଲ ସଂଯୋଗ ଜାରି କରାଯାଇଥାଏ। ଏଥିରେ ଗ୍ରାହକ ଘରେ/କାର‌୍ୟ୍ୟାଳୟରେ ବସି ମୋବାଇଲ କନେକ୍ସନ ପାଇଁ ଆବେଦନ କରିପାରିବେ। ୟୁଆଇଡିଏଆଇ ଦ୍ୱାରା ଇଲେକ୍ଟ୍ରୋନିକ ରୂପରେ କିମ୍ବା ଡିଜିଲକର ମାଧ୍ୟମରେ ସତ୍ୟ ପ୍ରମାଣିତ କାଗଜପତ୍ର ଉପଯୋଗ କରି ସେମାନଙ୍କ ପାଖରେ ସିମ ପହଞ୍ଚାଇ ଦିଆଯାଇପାରିବ।

ପ୍ରିପେଡରୁ ପୋଷ୍ଟପେଡ୍ କିମ୍ବା ଏହାର ବିପରୀତ ସେବା ପାଇବା ଲାଗି ଓଟିପି ଆଧାରିତ ପରିବର୍ତ୍ତନ

ଓଟିପି ଆଧାରିତ ପରିବର୍ତ୍ତନ ପ୍ରକ୍ରିୟା କାର‌୍ୟ୍ୟକାରୀ ହେବା ଦ୍ୱାରା ଜଣେ ଗ୍ରାହକ ନିଜ ମୋବାଇଲ ସଂଯୋଗକୁ ପ୍ରିପେଡରୁ ପୋଷ୍ଟପେଡ ଏବଂ ପୋଷ୍ଟପେଡରୁ ପ୍ରିପେଡରେ ପରିବର୍ତ୍ତନ କରିବାଲାଗି ଓଟିପି ଆଧାରିତ ପ୍ରାମାଣିକରଣକୁ ଉପଯୋଗ କରିପାରିବେ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର

ଦୂରସଞ୍ଚାରର ବୃହତ ସଂସ୍କାର: ନିଯୁକ୍ତି, ବିକାଶ, ସୁସ୍ଥ ପ୍ରତିଯୋଗିତା ସହ ଉପଭୋକ୍ତାଙ୍କ ହିତକୁ କରିବ ପ୍ରୋତ୍ସାହିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଦୂରସଞ୍ଚାର କ୍ଷେତ୍ରରେ ଅନେକ ଢାଞ୍ଚାଗତ ଏବଂ ପ୍ରକ୍ରିୟାଗତ ସଂସ୍କାରକୁ ଅନୁମୋଦନ କରିଛନ୍ତି। ଏହି ସଂସ୍କାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ରୋଜଗାର ଅବସରକୁ ସୁରକ୍ଷିତ ରଖିବ। ଏହା ସୁସ୍ଥ ପ୍ରତିଯୋଗିତା ବଢ଼ାଇବା ସହିତ ଉପଭୋକ୍ତାଙ୍କ ସ୍ବାର୍ଥକୁ ସୁରକ୍ଷା ଦେବ । ସେହିପରି ନମନୀୟତା ବଢ଼ାଇବା ସହିତ ନିବେଶକୁ ପ୍ରୋତ୍ସାହିତ କରିବ। ଏହାଛଡ଼ା ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କ ପାଇଁ ନିୟାମକ ବୋଝ ହ୍ରାସ କରିବ ବୋଲି ଆଶା କରାଯାଉଛି।

କୋଭିଡ-୧୯ ଆହ୍ବାନର ସଫଳ ମୁକାବିଲା କରିବା କ୍ଷେତ୍ରରେ ଦୂରସଞ୍ଚାର କ୍ଷେତ୍ର ଉତ୍କୃଷ୍ଟ ପ୍ରଦର୍ଶନ କରିଛି। ଡାଟା ବ୍ୟବହାରରେ ବ୍ୟାପକ ବୃଦ୍ଧି ଦେଖିବାକୁ ମିଳିଛି। ଅନଲାଇନ ଶିକ୍ଷା, ଘରୁ ଥାଇ କାମ, ସାମାଜିକ ଗଣମାଧ୍ୟମ ଜରିଆରେ ପାରସ୍ପରିକ ସମ୍ପର୍କ, ଭର୍ଚୁଆଲ ବୈଠକ ଆଦି ବୃଦ୍ଧି ପାଇଛି। ଏହି ପୃଷ୍ଠଭୂମିରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ବ୍ରଡବ୍ୟାଣ୍ଡ ଏବଂ ଦୂରସଞ୍ଚାର ଯୋଗାଯୋଗର ପ୍ରସାର ଓ ପ୍ରଭାବକୁ ପ୍ରୋତ୍ସାହିତ କରିବ।

ଏକ ସୁଦୃଢ଼ ଟେଲି ଯୋଗାଯୋଗ କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ କ୍ୟାବିନେଟଙ୍କ ଏହି ନିଷ୍ପତ୍ତିରେ ପ୍ରତିଫଳିତ ହୋଇଛି। ପ୍ରତିଯୋଗିତା ଓ ଗ୍ରାହକଙ୍କ ପସନ୍ଦ, ସମାବେଶୀ ବିକାଶ ନିମନ୍ତେ ଅନ୍ତ୍ୟୋଦୟ, ପଛୁଆ କ୍ଷେତ୍ରକୁ ମୁଖ୍ୟଧାରା ସହ ଯୋଡ଼ିବା ଏବଂ ଦୂରସଞ୍ଚାର ଯୋଗାଯୋଗରୁ ବଞ୍ଚିତ ବର୍ଗଙ୍କୁ ଏହାସହିତ ସଂଯୋଗ କରିବା ଲାଗି ସାର୍ବଜନୀନ ବ୍ରଡବ୍ୟାଣ୍ଡ ସଂଯୋଗ ପ୍ରତି ଏଥିରେ ଧ୍ୟାନ ଦିଆଯାଇଛି। ଏହି ପ୍ୟାକେଜ ୪ଜି ପ୍ରସାର, ନମନୀୟତା ପ୍ରଦାନ ଏବଂ ୫ଜି ନେଟଓ୍ବର୍କରେ ନିବେଶ ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ନଅଟି ଢାଞ୍ଚାଗତ ସଂସ୍କାର ଏବଂ ୫ଟି ପ୍ରକ୍ରିୟାତ୍ମକ ସଂସ୍କାର ସହିତ ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି। ସେଗୁଡିକ ହେଲା

ଢାଞ୍ଚାଗତ ସଂସ୍କାର

ସମାଯୋଜିତ ସକଳ ରାଜସ୍ବ ବା ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁକୁ ତର୍କସଙ୍ଗତ କରିବା : ଅଣ-ଦୂରସଞ୍ଚାର ରାଜସ୍ବକୁ ସମାଯୋଜିତ ସକଳ ରାଜସ୍ବର ପରିଭାଷା ଠାରୁ ପ୍ରତ୍ୟାଶିତ ଆଧାରରେ ପୃଥକ ରଖାଯିବ।

ବ୍ୟାଙ୍କ ଗ୍ୟାରେଣ୍ଟି (ବିଜି)କୁ ତର୍କସଙ୍ଗତ କରାଯାଇଛି : ଲାଇସେନ୍ସ ଶୁଳ୍କ (ଏଲଏଫ) ଏବଂ ଏହିପରି ଅନ୍ୟ ଶୁଳ୍କ ପାଇଁ ଆବଶ୍ୟକ ୮୦ ପ୍ରତିଶତ ବ୍ୟାଙ୍କ ଗ୍ୟାରେଣ୍ଟିକୁ ବହୁମାତ୍ରାରେ ହ୍ରାସ କରାଯାଇଛି। ବ୍ୟାଙ୍କ ଗ୍ୟାରେଣ୍ଟି ଏଣିକି କେନ୍ଦ୍ରୀକୃତ ଭାବେ ଦେବାକୁ ହେବ। ଦେଶର ବିଭିନ୍ନ ଲାଇସେନ୍ସ ସେବା କ୍ଷେତ୍ର (ଏଲଏସଏ)ରେ ଅନେକ ଗୁଡ଼ିଏ ବ୍ୟାଙ୍କ ଗ୍ୟାରେଣ୍ଟି ଦେବାର ଏବେ କୌଣସି ଆବଶ୍ୟକତା ନାହିଁ। ଏବେ ଗୋଟିଏ ବ୍ୟାଙ୍କ ଗ୍ୟାରେଣ୍ଟି ଯଥେଷ୍ଟ ହେବ।

ସୁଧ ଦରକୁ ଯୁକ୍ତିସଂଗତ କରାଯାଇଛି, ଜୋରିମାନା ଉଚ୍ଛେଦ କରାଯାଇଛି : ୧ ଅକ୍ଟୋବର ୨୦୨୧ ଠାରୁ ଲାଇସେନ୍ସ ଶୁଳ୍କ (ଏଲଏଫ)ସ୍ପେକ୍ଟ୍ରମ ଉପଯୋଗ ଶୁଳ୍କ (ଏସୟୁସି)ର ବିଳମ୍ବିତ ପରିଶୋଧ ଉପରେ ଲାଗୁ ସୁଧ ଦରକୁ ଏସବିଆଇର ଏମସିଏଲଆର ଯୁକ୍ତ ୪ପ୍ରତିଶତ ପରିବର୍ତ୍ତେ ଏମସିଏଲଆର ଯୁକ୍ତ ୨ ପ୍ରତିଶତ କରାଯାଇଛି। ସୁଧ ଦର ମାସିକ ପରିବର୍ତ୍ତେ ବାର୍ଷିକ ଭାବେ ଲାଗୁ ହେବ। ଜୋରିମାନା ଏବଂ ଜୋରିମାନା ଉପରେ ସୁଧକୁ ଉଚ୍ଛେଦ କରାଯିବ।

ଏଣିକି ନିଲାମୀ ପାଇଁ, କିସ୍ତି ପରିଶୋଧକୁ ସୁରକ୍ଷିତ ରଖିବା ଲାଗି କୌଣସି ବ୍ୟାଙ୍କ ଗ୍ୟାରେଣ୍ଟିର ଆବଶ୍ୟକତା ରହିବ ନାହିଁ। ବ୍ୟବସାୟ ପ୍ରତି ସରକାରଙ୍କ ଅଭିବ୍ୟକ୍ତିର ଏହା ହେଉଛି ପ୍ରତିଫଳନ।

ସ୍ପେକ୍ଟ୍ରମ ଅବଧି : ଭବିଷ୍ୟତର ନିଲାମୀରେ, ସ୍ପେକ୍ଟ୍ରମର ଅବଧିକୁ ୨୦ ରୁ ବଢ଼ାଇ ୩୦ ବର୍ଷ କରିଦିଆଇଛି।
ଭବିଷ୍ୟତ ନିଲାମରେ ମିଳିବାକୁ ଥିବା ସ୍ପେକ୍ଟ୍ରମ ଲାଗି ୧୦ ବର୍ଷ ପରେ ସ୍ପେକ୍ଟ୍ରମ ସମର୍ପଣ (ସରେଣ୍ଡର) ନିମନ୍ତେ ଅନୁମତି ଦିଆଯିବ।
ଭବିଷ୍ୟତ ନିଲାମରେ ମିଳିବାକୁ ଥିବା ସ୍ପେକ୍ଟ୍ରମ ଲାଗି କୌଣସି ସ୍ପେକ୍ଟ୍ରମ ଉପଯୋଗ ଶୁଳ୍କ (ଏସୟୁସି) ଲାଗୁ ହେବ ନାହିଁ।
ସ୍ପେକ୍ଟ୍ରମ ଭାଗୀଦାରୀକୁ ପ୍ରୋତ୍ସାହନ-ସ୍ପେକ୍ଟ୍ରମ ଭାଗୀଦାରୀ ନିମନ୍ତେ ୦.୫ ପ୍ରତିଶତ ଅତିରିକ୍ତ ଏସୟୁସି ଉଚ୍ଛେଦ କରାଯାଇଛି।
ନିବେଶକୁ ପ୍ରୋତ୍ସାହିତ କରିବା ଲାଗି, ଦୂରସଞ୍ଚାର କ୍ଷେତ୍ରରେ ସ୍ବୟଂକ୍ରିୟ ମାର୍ଗ ଅନ୍ତର୍ଗତ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ)କୁ ଅନୁମତି ଦିଆଯାଇଛି।

ପ୍ରକ୍ରିୟାଗତ ସଂସ୍କାର

ନିଲାମ କ୍ୟାଲେଣ୍ଡର ନିର୍ଦ୍ଧାରିତ- ସ୍ପେକ୍ଟ୍ରମ ନିଲାମୀ ସାଧାରଣତଃ ପ୍ରତ୍ୟେକ ଆର୍ଥିକ ବର୍ଷର ଅନ୍ତିମ ତ୍ରୈମାସରେ ଆୟୋଜନ କରାଯିବ।

ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହିତ କରାଯିବ – ବେତାର ଉପକରଣ ଆମଦାନୀ ଲାଗି ୧୯୫୩ ସୀମା ଶୁଳ୍କ ବିଜ୍ଞପ୍ତି ଅନ୍ତର୍ଗତ ଆମଦାନୀ ଲାଇସେନ୍ସ ପାଇବାର ଜଟିଳ ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି। ଏହାକୁ ସେଲ୍ଫ ଡିକ୍ଲାରେସନ (ସତ୍ୟପାଠ) ମାଧ୍ୟମରେ ସମ୍ପାଦନ କରାଯିବ।

ନିଜ ଗ୍ରାହକମାନଙ୍କୁ ଜାଣନ୍ତୁ (କେଓ୍ବାଇସି) ସଂସ୍କାର : ଆପ୍ ଆଧାରିତ ସେଲ୍ଫ-କେଓ୍ବାଇସିକୁ ଅନୁମତି ଦିଆଯାଇଛି। ଇ-କେଓ୍ବାଇସି ଦରକୁ ସଂଶୋଧିତ କରି ମାତ୍ର ୧ ଟଙ୍କା କରି ଦିଆଯାଇଛି। ପ୍ରି-ପେଡରୁ ପୋଷ୍ଟ-ପେଡ ଏବଂ ପୋଷ୍ଟ-ପେଡରୁ ପ୍ରି-ପେଡ ସ୍ଥାନାନ୍ତର ଲାଗି ପୁଣିଥରେ ନୂଆ କେ-ଓ୍ବାଇସିର ଆବଶ୍ୟକତା ପଡ଼ିବ ନାହିଁ।

କାଗଜ ଗ୍ରାହକ ଅଧିଗ୍ରହଣ ଫର୍ମ ବା ପେପର କଷ୍ଟମର ଆକ୍ୟୁଜିସନ ଫର୍ମ (ସିଏଏଫ)କୁ ଡାଟାର ଡିଜିଟାଲ ଷ୍ଟୋରେଜରେ ପରିବର୍ତ୍ତିତ କରି ଦିଆଯିବ। ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କୁ ଟିଏସପିଗୁଡ଼ିକର ବିଭିନ୍ନ ଗୋଦାମରେ ପଡ଼ି ରହିଥିବା ପାଖାପାଖି ୩୦୦ରୁ ୪୦୦ କୋଟି ସିଏଏଫର ଆବଶ୍ୟକତା ପଡ଼ିବ ନାହିଁ।

ଦୂରସଞ୍ଚାର ଟାଓ୍ବାର ଲାଗି ଏସଏସିଏଫଏ (ଫ୍ରିକୁଏନ୍ସି ଆବଣ୍ଟନ ଲାଗି ସ୍ଥାୟୀ ପରାମର୍ଶଦାତା ସମିତି) ମଞ୍ଜୁରିକୁ କୋହଳ କରାଯାଇଛି। ଦୂରସଞ୍ଚାର ବିଭାଗ ପୋର୍ଟାଲରେ ସତ୍ୟପାଠ ବା ସେଲ୍ଫ ଡିକ୍ଲାରେସନ ଆଧାରରେ ଡାଟା ସ୍ବୀକାର କରିବ। ଅନ୍ୟ ଏଜେନ୍ସିଗୁଡ଼ିକର ପୋର୍ଟାଲ (ଯେପରିକି ବେସାମରିକ ବିମାନ ଚଳାଚଳ)କୁ ଦୂରସଞ୍ଚାର ବିଭାଗର ପୋର୍ଟାଲ ସହିତ ଯୋଡ଼ାଯିବ।

ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କ ପାଇଁ ନମନୀୟତା ସମ୍ବନ୍ଧୀୟ ଆବଶ୍ୟକତା ପୂରଣ

କ୍ୟାବିନେଟ ସମସ୍ତ ଦୂରସଞ୍ଚାର ସେବା ପ୍ରଦାନକାରୀ (ଟିଏସପି) ମାନଙ୍କ ଲାଗି ନିମ୍ନଲିଖିତକୁ ମଞ୍ଜୁରି ଦେଇଛନ୍ତି :

ସମାଯୋଜିତ ସକଳ ରାଜସ୍ବ ବା ଆଡଜଷ୍ଟେଡ୍ ଗ୍ରସ ରେଭିନ୍ୟୁ (ଏଜିଆର)ର ନିଷ୍ପତ୍ତିରୁ ସୃଷ୍ଟି ହେବାକୁ ଥିବା ଦେୟଯୋଗ୍ୟ ରାଶିର ବାର୍ଷିକ ପରିଶୋଧ ଉପରେ ଚାରି ବର୍ଷର ମହଲତ ବା ସ୍ଥଗିତ ରଖିବା ସୁବିଧା ଦିଆଯିବ। ତେବେ ସୁରକ୍ଷିତ ରଖାଯାଉଥିବା ଦେୟଯୋଗ୍ୟ ରାଶିର ନିଟ୍ ବର୍ତ୍ତମାନ ମୂଲ୍ୟ (ଏନପିଭି)କୁ ସଂରକ୍ଷିତ ରଖାଯିବ।

୨୦୨୧ର ନିଲାମୀକୁ ଛାଡ଼ି ବିଗତ ନିଲାମୀରେ କିଣା ଯାଇଥିବା ସ୍ପେକ୍ଟ୍ରମର ଦେୟ ପରିଶୋଧ ଉପରେ, ସମ୍ପୃକ୍ତ ନିଲାମୀ ନିମନ୍ତେ ନିର୍ଦ୍ଧାରିତ ସୁଧ ଦରରେ ଏନପିଭି ସୁରକ୍ଷା ସହିତ ଚାରି ବର୍ଷର ମହଲତ ଏବଂ ଦେୟ ସ୍ଥଗନ ସୁବିଧା ଦିଆଯିବ।

ଦେୟ ପରିଶୋଧ ସ୍ଥଗିତ ରଖାଯିବା କାରଣରୁ ସୃଷ୍ଟି ହେବାକୁ ଥିବା ସୁଧ ରାଶିକୁ ଇକ୍ୟୁଟି ମାଧ୍ୟମରେ ପରିଶୋଧ କରିବା ଲାଗି ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କୁ ବିକଳ୍ପ ଦିଆଯିବ।

ସରକାରଙ୍କ ବିକଳ୍ପ ଆଧାରରେ, ମହଲତ ବା ସ୍ଥଗନ ଅବଧି ଶେଷରେ ଦେୟ ସ୍ଥଗିତ ରଖିବା କାରଣରୁ ସୃଷ୍ଟି ହେବାକୁ ଦେୟଯୋଗ୍ୟ ଅର୍ଥରାଶି ଇକ୍ୟୁଟି ଆକାରରେ ପରିଶୋଧ କରାଯିବ। ଏଥିପାଇଁ ନିୟମରେ ଆବଶ୍ୟକ ପରିବର୍ତ୍ତନ କରାଯିବ। ଏ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଚୂଡ଼ାନ୍ତ କରାଯିବ।

ଏସବୁ ସଂସ୍କାର ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କ ପାଇଁ ଲାଗୁ ହେବ ଏବଂ ଏହା ନମନୀୟତା ତଥା ନଗଦ ପ୍ରବାହକୁ ସହଜ କରି ଆଶ୍ବସ୍ତି ପ୍ରଦାନ କରିବ। ଏହାଦ୍ବାରା ବିଭିନ୍ନ ବ୍ୟାଙ୍କଗୁଡ଼ିକୁ ଦୂରସଞ୍ଚାର କ୍ଷେତ୍ରରେ ପର‌୍ୟ୍ୟାପ୍ତ ନିବେଶ କରିବା ଲାଗି ମଧ୍ୟ ଯଥେଷ୍ଟ ସହାୟତା ମିଳିପାରିବ।