Categories
ଆଞ୍ଚଳିକ

ସ୍ଵାଧୀନତାର ଅମୃତ ମହୋତ୍ସବ: ବାଣପୁରରେ ଦେଶାତ୍ମବୋଧ କବିତା ପାଠୋତ୍ସବ

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ମନୋଜ୍ଞ ଦେଶାତ୍ମବୋଧକ କବିତା ପାଠୋତ୍ସବ ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁରର ଐତିହାସିକ ପଲଟଣ ପଡିଆସ୍ଥିତ ଛାୟା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ‘ସ୍ଵାଧୀନତାର ଅମୃତ ମହୋତ୍ସବ’ ଅବସରରେ ଏହି କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ଚିଲିକା ସାହିତ୍ୟ ସମାଜର ସହଯୋଗରେ ଏହାକୁ ଆୟୋଜନ କରାଯାଇଥିଲା।

ଆୟୋଜିତ ସମାବେଶରେ ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଓ କବି ନୃସିଂହ ପ୍ରସାଦ ମିଶ୍ର, ବିଶିଷ୍ଟ ଗାଳ୍ପିକ ଶିବ ମିଶ୍ର, ଗବେଷକ ଓ ଅଧ୍ୟାପକ ଡ଼ଃ ସତ୍ୟ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।  ଦେଶାତ୍ମବୋଧ କବିତାର ପ୍ରଧାନସ୍ଥଳ ବାଣପୁର ବୋଲି ବର୍ଣ୍ଣନା କରିବା ସହ ପ୍ରଥମ ସ୍ବାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ ବୋଲି ସେମାନେ ଉଲ୍ଲେଖ କରିଥିଲେ। ଉକ୍ତ ପାଠୋତ୍ସବରେ ବ୍ରିଟିଶ ସେନାକୁ ପ୍ରତିହତ କରି ବାଣପୁରକୁ ତିନିଦିନ ପାଇଁ ସହିଦ କୃତିବାସ ପାଟ୍ଟଶାଣୀ ସ୍ଵାଧୀନ ଘୋଷଣା କରିଥିବା କଥା ସ୍ମୃତିଚାରଣ କରାଯାଇଥିଲା।

ଶେଷରେ ସାହିତ୍ୟ ପ୍ରାଣ ଅଧ୍ୟାପକ କବି ସଂଗ୍ରାମ କେଶରୀ ସାହୁଙ୍କ ସଂଯୋଜନାରେ ୨୦ ରୁ ଅଧିକ କବି ଓ କବୟିତ୍ରୀ ସ୍ବରଚିତ କବିତା ଆବୃତ୍ତି କରିଥିଲେ। କାର୍ଯ୍ୟକ୍ରମ ପରିଶେଷରେ ସମ୍ପାଦକ ଅଧ୍ୟାପକ ଲକ୍ଷ୍ମୀଧର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।